ରାହୁଲ ଯାଦବ: ଷ୍ଟାର୍ଟ-ଅପ୍ ଜଗତର ବିବାଦୀୟ ସିଇଓ - ଏବେ ଗଢ଼ିବେ ନୂଆ ସଂସ୍ଥା

By Pravat Pattnaik

ରାହୁଲ ଯାଦବ: ଷ୍ଟାର୍ଟ-ଅପ୍ ଜଗତର ବିବାଦୀୟ ସିଇଓ - ଏବେ ଗଢ଼ିବେ ନୂଆ ସଂସ୍ଥା

Sunday December 13, 2015,

3 min Read

ଋାହୁଲ ଯାଦବ । ବୟସ ୨୬ ବର୍ଷ ଥିବା ବେଳେ କୋଟିପତିର ମୁକୁଟ ପିନ୍ଧିଥିଲେ । ଷ୍ଟାର୍ଟ-ଅପ୍ ଜଗତର ଏକ ବହୁ ଚର୍ଚ୍ଚିତ ନାମ । ଭାରତୀୟ ଷ୍ଟାର୍ଟ ଅପ୍ ଜଗତ ସେ ହେଉଛନ୍ତି ବ୍ୟାଡ୍ ବୟ ଭାବେ ଜଣାଶୁଣା । ଆଇଆଇଟି ବମ୍ବେରେ ପାଠ ପଢ଼ୁଥିବା ବେଳେ ରାହୁଲ ୨୦୧୨ରେ ଆରମ୍ଭ କରିଥିଲେ ହାଉସିଂ.କେ.ଇନ୍ ନାମକ ଏକ ସଂସ୍ଥା। ପରବର୍ତ୍ତୀ ସମୟରେ ସେ ତାହା ହାଉସିଂ ଡଟ୍ କମ୍ ନାମରେ ବିଶ୍ୱ ସ୍ତରରେ ସୁନାମ ଅର୍ଜନ କରିଥିଲା । ହାଉସିଂ ଡଟ୍ କମରୁ ବିତାଡ଼ିବ ହେବା ପରେ ରାହୁଲ ନିଜର ନୂଆ ଷ୍ଟାର୍ଟ ଅପ୍ ସଂସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି । ଇ-ଗଭର୍ଣ୍ଣାସ ଉପରେ ତାଙ୍କର ଏହି ସଂସ୍ଥା କାମ କରିବ । ଏହା ଏକ ଇଂଟରଫେସ୍ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି ।

image


ହାଉସିଂ ଡଟ୍ କମ୍ ଓ ବିବାଦ

ବହୁ କମ ବୟସରଙ୍କ କୋଟିପତି ହୋଇଥିବା ରାହୁଲଙ୍କ ପାଇଁ ସବୁ କିଛି ଠିକ ରହି ନ ଥିଲା । ହାଉସିଂ ଡଟ୍ କମର ସିଇଓ ଭାବେ କାମ କରିବା ବେଳେ ତାଙ୍କ ପ୍ରତି ବୋର୍ଡ ସଦସ୍ୟମାନେ ଅସନ୍ତୋଷ ଜାହିର କରିଥିଲେ । ତାଙ୍କ ନେତୃତ୍ୱରେ କଂପାନିର କାରବାର ବିଶେଷ ବୃଦ୍ଧି ପାଇ ନ ଥିଲା । ଏଭଳି ପରିସ୍ଥିତିରେ ସେ ଗଣମାଧ୍ୟମରେ ଏଭଳି କିଛି ମନ୍ତବ୍ୟ ରଖୁଥିଲେ ଯାହା କଂପାନିକୁ ସବୁ ବେଳେ ଅଡୁଆରେ ପକାଉଥିଲା ।

image


ଏକ ଅତ୍ୟନ୍ତ ବିରଳ ଢ଼ଙ୍ଗରେ କଂପାନିର ବୋର୍ଡ ବୈଠକ ଦିନ ତାଙ୍କୁ ଇସ୍ତଫା ଦେଇ କଂପାନି ଛାଡ଼ି ଚାଲିଯିବାକୁ କୁହାଯାଇଥିଲା । କାଳେ ସେ କିଛି ହଙ୍ଗାମା କରିବେ ସେଥିପାଇଁ ବୋର୍ଡ କର୍ତ୍ତୃପକ୍ଷ ମୁମ୍ବାଇ ପୁଲିସକୁ ସେ ବିଷୟରେ ଆଗକୁ ଜଣାଇ ଦେଇଥିଲେ । ପ୍ରଥମ ଥର ପାଇଁ କୌଣସି କଂପାନିର ବୋର୍ଡ ବୈଠକରେ ସିଇଓଙ୍କୁ ସଭା ସ୍ଥଳ ଛାଡ଼ି ଚାଲିଯିବାକୁ କୁହାଯାଇଥିଲା ଓ ସେଥିପାଇଁ ପୁଲିସ୍ ସୁରକ୍ଷା ମଧ୍ୟ ଗ୍ରହଣ କରାଯାଇଥିଲା । ଯେଉଁ କଂପାନିକୁ ନିଜ ହାତରେ ଗଢ଼ିଥିଲେ ରାହୁଲ ଶେଷରେ ତାଙ୍କୁ ସେହି କଂପାନିରୁ ଅପମାନିତ ଢ଼ଙ୍ଗରେ ବାହାର କରିଦିଆଗଲା ।

ଗଣମାଧ୍ୟମରେ ବେଶ ଚର୍ଚ୍ଚିତ

ଏକ ସମୟ ଥିଲା ଯେତେବେଳେ ରାହୁଲ୍ ଗଣମାଧ୍ୟମରେ ବେଶ ଚର୍ଚ୍ଚାରେ ରହୁଥିଲେ । ତାଙ୍କ ପ୍ରତି ମନ୍ତବ୍ୟକୁ ଗଣମାଧ୍ୟମ ଗୁରୁତ୍ୱ ଦେଉଥିଲା । ଅବଶ୍ୟ ସବୁ କିଛି ବିବାଦୀୟ ରହୁଥିଲା । ସେ ଥରେ ନିଜର ୨୦୦ କୋଟି ଟଙ୍କାର ସେୟାରକୁ କଂପାନିର ୨୨୫୧ ଜଣ କର୍ମଚାରୀଙ୍କୁ ଦାନ କରିଦେଲେ । ଯାହା ସମଗ୍ର ଶିଳ୍ପଜଗତକୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ କିନ୍ତୁ ପ୍ରଶଂସା ମିଳିବା ପରିବର୍ତ୍ତେ ସମାଲୋଚନା ମିଳିଥିଲା । କାରଣ ସେ ନିଜର ଆଇଆଇଟି ବମ୍ବେର ସାଥୀମାନଙ୍କୁ, ଯେଉଁମାନେ ଅନ୍ୟ କଂପାନିର ସିଇଓ ଭାବେ କାର୍ଯ୍ୟ କରୁଥିଲେ ସେମାନଙ୍କ ଉପାର୍ଜିତ ରାଶି କର୍ମଚାରୀଙ୍କୁ ବାଟିଂଦେବାକୁ ଆହ୍ୱାନ ଦେଇଥିଲେ । ସେ ଏଥିପାଇଁ ସୋସିଆଲ୍ ମିଡିଆକୁ ବ୍ୟବହାର କରିଥିଲେ । ଟ୍ୱିଟର ଓ ଫେସବୁକରେ ସାଥୀ ସିଇଓମାନଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ । ସେହି ସମୟରେ ତାଙ୍କ ସାଥୀମାନେ ରାହୁଲଙ୍କୁ ପାଗଳ ବୋଲି କହିଥିଲେ । ସିଇଓ ଭାବେ କଂପାନିର ଅଭିବୃଦ୍ଧି ବିଷୟରେ ଚିନ୍ତା ନ କରି ବାଜେ କଥାରେ ମୁଣ୍ଡ ଖେଳାଉଥିବା ପାଇଁ ତାଙ୍କୁ ସବୁ ସ୍ତରରେ ସମାଲୋଚନା କରାଯାଇଥିଲା । କେବଳ ସେତିିକି ନୁହେଁ ଇନ୍ଫୋସିସର ସିଇଓ ବିଶାଲ ସିକ୍କାଙ୍କଠାରୁ ଆରମ୍ଭ କରି ଓଲା, ଜୋମାଟୋ ପ୍ରତିଷ୍ଠାତାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ।

image


ଜୀବନ କାହାଣୀ

ଋାହୁଲ ଯାଦବ ରାଜସ୍ଥାନର ଅଲୱରରେ ଏକ ମଧ୍ୟବିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ୨୦୦୭ରେ ସେ ଆଇଆଇଟି ବମ୍ବେରେ ନାମ ଲେଖାଇଥିଲେ । ସେ ମେଟାରଲର୍ଜିରେ ଡିଗ୍ରି ହାସଲ କରିଥିଲେ । ପାଠ ପଢ଼ୁଥିବା ବେଳେ ସେ ଅନୁଷ୍ଠାନର ସଂପାଦକ ଭାବେ ନିର୍ବାଚିତ ହୋଇଥିଲେ । ସେ ଏକ୍ଜାମ୍ବାବା.କମ୍ ନାମକ ଏକ ପୋର୍ଟାଲ୍ ଗଢ଼ିଥିଲେ । ସେଥିରେ ଏତେ ମଜି ଯାଇଥିଲେ ଯେ ଶେଷ ବର୍ଷ ପାଠପଢ଼ା ବନ୍ଦ କରିଦେଇଥିଲେ । ୨୦୧୨ରେ ସେ ନିଜର ଅନ୍ୟ ୧୧ ଜଣ ସାଙ୍ଗଙ୍କ ସହ ମିଶି ହାଉସିଂ ଡଟ କମ୍ ଗଠନ କରିଥିଲେ ।