‘କିଟ୍ ନହ୍ନିପରୀ- ଲିଟଲ ମିସ୍ ଇଣ୍ଡିଆ ୨୦୧୫’ ହେଲେ ବେଙ୍ଗାଲୁରୁର ଈଷାନୀ ମିତ୍ର

‘କିଟ୍ ନହ୍ନିପରୀ- ଲିଟଲ ମିସ୍ ଇଣ୍ଡିଆ ୨୦୧୫’ ହେଲେ ବେଙ୍ଗାଲୁରୁର ଈଷାନୀ ମିତ୍ର

Thursday January 07, 2016,

2 min Read

ଓଡ଼ିଶାର ଏକ ଛୋଟ ସହରରେ ୧୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା କିଶୋରୀ ସୁନ୍ଦରୀ ପ୍ରତିଯୋଗିତା ଯେ ଦିନେ ଭାରତ ସାରା ଲିଟଲ ମିସ୍ ଇଣ୍ଡିଆ ନାମରେ ବିଖ୍ୟାତ ହୋଇ ଜାତୀୟ ପ୍ରତିଯୋଗିତା ପାଲଟିବ, ଏକଥା କେହି ସ୍ଵପ୍ନରେ ବି ଭାବି ନଥିଲେ । କିନ୍ତୁ ଆଜି ତାହା ସଫଳ ହୋଇଛି । ୨୦୦୧ ମସିହାରେ କେନ୍ଦୁଝର ସହରରେ ଆରମ୍ଭ ହୋଇଥିବା ‘ନହ୍ନିପରୀ’ କିଶୋରୀ ସୁନ୍ଦରୀ ପ୍ରତିଯୋଗିତା ଏବେ ‘କିଟ୍ ନହ୍ନିପରୀ- ଲିଟଲ ମିସ୍ ଇଣ୍ଡିଆ’ ନାମରେ ପ୍ରତି ଡିସେମ୍ବରରେ ନୂଆବର୍ଷ ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱରରେ ଆୟୋଜିତ ହୋଇଆସୁଛି । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ସୁନ୍ଦରୀ କିଶୋରୀମାନେ ଅଂଶଗ୍ରହଣ କରୁଛନ୍ତି ।
image


୨୦୧୫ ଡିସେମ୍ବାର ୨୯ ତାରିଖରେ ଭୁବନେଶ୍ୱର କିଟ୍ ଇଣ୍ଟରନାସନାଲ ସ୍କୁଲ ପରିସରରେ ଆୟୋଜିତ KIIT Nanhipari- Little Miss India 2015ର ବିଜେତା ମୁକୁଟ ପିନ୍ଧିଛନ୍ତି ବେଙ୍ଗାଲୁରୁ ଆର୍ମି ପବ୍ଲିକ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ଈଷାନୀ ମିତ୍ର । ଏକ ରଙ୍ଗାରଙ୍ଗ ପରିବେଶରେ ତାଙ୍କୁ ବିଜୟ ମୁକୁଟ ସହ ୩ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । ଗୀତ ଗାଇବା ଓ ଚିତ୍ରକଳାରେ ରୁଚି ରଖୁଥିବା ଈଷାନୀ ଓଡ଼ିଶୀ ନୃତ୍ୟ ମଧ୍ୟ ଶିକ୍ଷା କରୁଛନ୍ତି ।

image


୮ଟି ସହରରେ ଅଡିସନ

୨୦୧୫ ନହ୍ନିପରୀ ପ୍ରତିଯୋଗିତାର ପ୍ରାରମ୍ଭିକ ପ୍ରତିଯୋଗୀ ଚୟନ ପାଇଁ ନଭେମ୍ବର ୮ରୁ ଡିସେମ୍ବର ୬ ପର୍ଯ୍ୟନ୍ତ ଦେଶର ୮ଟି ସହରରେ ଅଡିସନ୍ ଆୟୋଜନ କରାଯାଇଥିଲା । ଅଡିସନ୍ ହୋଇଥିବା ସହରଗୁଡ଼ିକ ହେଲା ଗୌହାଟୀ, ନୂଆଦିଲ୍ଲୀ, କୋଲକାତା, ପାଟନା, ବେଙ୍ଗାଲୁରୁ, ହାଇଦ୍ରାବାଦ, ମୁମ୍ବାଇ ଓ ଭୁବନେଶ୍ୱର । ଅଡିସନରେ ୩୦ ଜଣ କିଶୋରୀଙ୍କୁ ଭୁବନେଶ୍ୱରରେ ଆୟୋଜିତ ତିନିଦିନିଆ(ଡିସେମ୍ବର୨୭-୨୯) ଚୂଡ଼ାନ୍ତ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ମିଳିଥିଲା ।

image


ଈଷାନୀ, ସ୍ଵପ୍ନା ଓ ଭୂମିକା

ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଈଷାନୀ ଶ୍ରେଷ୍ଠ ବିଜୟିନୀ ଘୋଷିତ ହୋଇଥିବା ବେଳେ ହାଇଦ୍ରାବାଦର ସ୍ଵପ୍ନା ପ୍ରିୟଦର୍ଶିନୀ ଓ ଓଡ଼ିଶାର ଭୂମିକା ଦାଶ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ରନର୍ସଅପ୍ ହୋଇଛନ୍ତି । ଉଭୟ ରନର୍ସଅପ୍ ବିଜେତାଙ୍କୁ ଯଥାକ୍ରମେ ୧ ଲକ୍ଷ ଓ ୫୦ ହଜାର ଟଙ୍କା ପୁରସ୍କାର ସ୍ବରୂପ ପ୍ରଦାନ କରାଯାଇଛି । ଏ ତିନିହେଁଙ୍କ ଭିନ୍ନ ଅନ୍ୟାନ୍ୟ ୧୦ଟି ବିଭାଗରେ ମଧ୍ୟ ଆଉ ୧୦ ଜଣ ପ୍ରତିଯୋଗୀ ପୁରସ୍କୃତ ହୋଇଛନ୍ତି ।

image


ବିଚାରକ ଓ ପୃଷ୍ଠପୋଷକ

ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ସଂଚିତ ଭଟ୍ଟାଚାର୍ଯ୍ୟ, ଟେଲି ଅଭିନେତା ଓ ଆଙ୍କର କରନ ଓବରଇ, ମଡେଲ ନତାଶା ଅସାଦି, ଆରୁଷି ଶର୍ମା, ସୁଶ୍ରୀ ଶ୍ରେୟା ମିଶ୍ର, କନ୍ନଡ଼ ଚଳଚ୍ଚିତ୍ର ଅଭିନେତା ଉଦୟନ ଅପରାଜିତ, ଇଣ୍ଡିଆନ ଆଇଡଲ ଜୁନିଅର ୨୦୧୫ ବିଜୟିନୀ ଅନନ୍ୟା ଶ୍ରୀତ୍ତମ ନନ୍ଦ, ଅଭିନେତା ସମରେଶ ରାଉତରାୟ, କାଦମ୍ବିନୀର ସଂପାଦିକା ଇତି ସାମନ୍ତ ପ୍ରମୁଖ ପ୍ରତିଯୋଗିତାରେ ବିଚାରକ ଭାବେ ଉପସ୍ଥିତ ଥିଲେ । କିଟ୍ ନହ୍ନିପରୀର ମୁଖ୍ୟ ପୃଷ୍ଠପୋଷକ ଅଚ୍ୟୁତ ସାମନ୍ତ ଓ ପୃଷ୍ଠପୋଷକ ମଳୟ ମହାପାତ୍ର ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ ।

image


ଲିଟଲ ମିସ୍ ଇଣ୍ଡିଆ ଭାବେ ପରିଚିତ ଏହି ପ୍ରତିଯୋଗିତାରେ ୧୩ରୁ ୧୬ ବର୍ଷର କିଶୋରୀମାନେ ଅଂଶଗ୍ରହଣ କରିଥାନ୍ତି । ମଳୟ ମହାପାତ୍ର ଓ ତାଙ୍କର ବନ୍ଧୁମାନଙ୍କ ଦ୍ୱାରା କେନ୍ଦୁଝର ସହରରେ ଆରମ୍ଭ ହୋଇଥିବା ଏ ପ୍ରତିଯୋଗିତା ପରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଶିକ୍ଷାବିତ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପୃଷ୍ଠପୋଷକତା ଲାଭକରି ଏକ ପ୍ରତିଷ୍ଠିତ ଜାତୀୟ ପ୍ରତିଯୋଗିତାର ରୂପ ନେଇଛି ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।