ନିରକ୍ଷରତା ଅନ୍ଧାରରୁ ମହିଳା ମାନଙ୍କୁ ମୁକ୍ତ କରିବାର ପ୍ରୟାସ

0

ନିରକ୍ଷରତା ଆମ ସମାଜର ଏକ ବଡ ଭାଗ ଲୋକଙ୍କ ଜୀବନ କିପରି ଭାବେ ପ୍ରଭାବିତ କରେ ଓ ସେମାନଙ୍କୁ କିପରି ଅସହାୟତା ଓ ଅନ୍ଧକାରର ଶୃଙ୍ଖଳ ଭିତରେ ବାନ୍ଧି ରଖେ ତାହା ଆମ ଭିତରୁ ଅନେକଙ୍କ କଳ୍ପନାର ବାହାରେ। ଅକ୍ଷର ଓ ସଂଖ୍ୟା ଶିଖିନଥିବାରୁ ଜୀବନର ପ୍ରତିଟି କ୍ଷେତ୍ରରେ ସେମାନେ ହୁଅନ୍ତି ଶୋଷିତ ଓ ଅବହେଳିତ। କେତେବେଳେ ମନରେଗା ଯୋଜନାରେ କେତେ ଘଣ୍ଟା କାମ କଲେ ହିସାବ ନକରିପାରି ଏହି ନିରକ୍ଷରମାନେ କମ ମଜୁରୀ ସହ ସାଲିସ କରନ୍ତି ତ ପୁଣି କେବେ ବାନ୍ଧି ହେଇଯାନ୍ତି ସାହୁକାରର ଋଣଯନ୍ତାରେ। ନିରକ୍ଷରତା ହିଁ ସେମାନଙ୍କୁ ଆଜି ବି ପ୍ରସ୍ତର ଯୁଗର ଅନ୍ଧକାରରେ ଆବଦ୍ଧ କରି ରଖିଛି। ସମଗ୍ର ବିଶ୍ଵରେ ୭୮ କୋଟିରୁ ଅଧିକ ମହିଳା ହେଉଛନ୍ତି ନିରକ୍ଷର। ଏହା ବିଶ୍ଵ ଜନସଂଖ୍ୟାର ୧୭ ଭାଗ।

ପୃଥିବୀର ସର୍ବାଧିକ ନିରକ୍ଷର ଲୋକ ଭାରତରେ ହିଁ ରୁହନ୍ତି। ଭାରତରେ ସାବାଳକ ନିରକ୍ଷରଙ୍କ ସଂଖ୍ୟା ପାଖାପାଖି ୨୯ କୋଟି। ଏହା ବିଶ୍ଵ ନିରକ୍ଷରତାର ୩୭ ପ୍ରତିଶତ। ୨୦୧୧ ଜନଗଣନା ଅନୁସାରେ ଭାରତରେ ମହିଳା ସାକ୍ଷରତା ହାର ହେଉଛି ୬୫.୪୬ ପ୍ରତିଶତ। ମାତ୍ର ପୁରୁଷମାନଙ୍କ ମଧ୍ୟରେ ସାକ୍ଷରତା ହାର ୮୦ ପ୍ରତିଶତରୁ ଅଧିକ। ଏହି ତାରତମ୍ୟ କେବଳ ଲିଙ୍ଗଗତ ବୈଷମ୍ୟ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରେନି ବରଂ ମହିଳା ମାନେ କିପରି ଭାବେ ବିକାଶର ମୁଖ୍ୟ ଧାରାରୁ ଆଜି ବି ଅନେକ ଦୂରରେ ତାହା ବିଷୟରେ ମଧ୍ୟ ସମ୍ୟକ ସୂଚନା ଦିଏ। ଏକଥା ସତ ଯେ ମହିଳା ମାନଙ୍କ ମଧ୍ୟରେ ସାକ୍ଷରତା ବୃଦ୍ଧି ପାଇଁ ଅନେକ ପ୍ରୟାସ କରାଯାଉଛି। ମାତ୍ର ଏହା ଯଥେଷ୍ଟ ନୁହେଁ। ଆହୁରି ଅନେକ କିଛି କରିବା ପାଇଁ ବାକି ରହିଛି।

ମହିଳା ସାକ୍ଷରତା କ୍ଷେତ୍ରରେ ଥିବା ତାରତମ୍ୟକୁ ଦୂର କରିବା ପାଇଁ ଟାଟା ଟ୍ରଷ୍ଟ ୨୦୧୦ ମସିହାରେ ନିରନ୍ତର ସଂଗଠନର ସାକ୍ଷରତା କାର୍ଯ୍ୟକ୍ରମକୁ ସହଯୋଗର ହାତ ବଢେଇ ଥିଲା। ମହିଳା ସାକ୍ଷରତାର ପରିବାର ଓ ସମାଜର ସ୍ୱାସ୍ଥ୍ୟ ଏବଂ ଉନ୍ନତି ଉପରେ ପ୍ରତ୍ୟକ୍ଷ ପ୍ରଭାବ ରହିଛି ବୋଲି ଅନେକ ଗବେଷକ ଓ ଗବେଷଣା ସଂସ୍ଥା ମତ ଦିଅନ୍ତି। ମା ଶିକ୍ଷିତ ନହେବା ଯାଏ ଝିଅ ଯେ ସୁରୁଖୁରୁରେ ପାଠ ପଢିପାରିବ ସେନେଇ ଅନେକ ଗବେଷକଙ୍କ ମନରେ ଶଙ୍କା ରହିଛି। ଏହି ସବୁ ସମସ୍ୟାର ସମାଧାନ ପାଇଁ ନିରନ୍ତର ତରଫରୁ ‘functional literacy’ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ନିରକ୍ଷରତା ଦ୍ଵାରା ମହିଳା ମାନେ ନିତିଦିନ ଜୀବନରେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକ ବିଷୟରେ ସେମାନଙ୍କୁ ସଚେତନ କରାଇ ସାକ୍ଷରତା ପ୍ରତି ଆଗ୍ରହ ସୃଷ୍ଟି କରିବା ହିଁ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।

ପ୍ରଥମେ ଲଲିତପୁର ଅଞ୍ଚଳର ୨୫ଟି ଗ୍ରାମରେ ୩୦୦ ମହିଳାଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହା ୬ଟି ରାଜ୍ୟରେ ପରିବ୍ୟାପ୍ତ। ୧୬ଟି ଅନ୍ୟ ସଂସ୍ଥା ଏହି କାର୍ଯ୍ୟକ୍ରମ ସହ ଜଡିତ ହୋଇଛନ୍ତି। ପାଖାପାଖି ୩୫୦୦୦ ମହିଳାଙ୍କ ଜୀବନକୁ ଏହି କାର୍ଯ୍ୟକ୍ରମ ପ୍ରଭାବିତ କରିପାରିଛି। ଏଥିପାଇଁ ନିରନ୍ତର ପକ୍ଷରୁ ସାକ୍ଷରତା ଶିବିରର ଆୟୋଜନ କରାଯାଏ। ଏହି ଶିବିରରେ ମହିଳାମାନଙ୍କୁ କେବଳ ପଢିବା ଓ ଲେଖିବା ଶିଖାଯାଏ ନାହିଁ। ହିସାବ କରିବା ଓ ବ୍ୟାଙ୍କ ସହ କେମିତି କାରବାର କରିବେ ସେକଥା ଶିଖା ଯାଇ ସେମାନଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ଅଧିକ ସ୍ଵାବଲମ୍ବୀ କରିବା ପାଇଁ ପ୍ରୟାସ କରାଯାଏ।

ନିରନ୍ତରର ଏହି ପ୍ରୟାସ ମହିଳା ସଶକ୍ତିକରଣ ଦିଗରେ ଏକ ନିଆରା ପ୍ରୟାସ। ମହିଳା ମାନେ ବର୍ତ୍ତମାନ ନିଜ ନିଷ୍ପତ୍ତି ନିଜେ ନେଉଛନ୍ତି। କେବଳ ସେତିକି ନୁହେଁ ଗାଁ ମୁଖିଆ ଓ ରାଜନୈତିକ ବ୍ୟକ୍ତିଙ୍କ ସହ ନିଜ ଅଧିକାର ଓ ପ୍ରାପ୍ୟ ବିଷୟରେ ସିଧାସଳଖ କଥାବାର୍ତା କରିବା ପାଇଁ ମଧ୍ୟ ସେମାନଙ୍କ ଭିତରେ ଆତ୍ମବିଶ୍ଵାସ ଆସିଛି। ଏହି ମହିଳା ମାନେ ବର୍ତ୍ତମାନ ‘Khabbar Lahariya’ ନାମରେ ଗୋଟିଏ ସାପ୍ତାହିକ ଖବରକାଗଜ ମଧ୍ୟ ବାହାର କରୁଛନ୍ତି। ସ୍ଥାନୀୟ ସମସ୍ୟାମାନଙ୍କୁ ଲୋକଲୋଚନକୁ ଆଣିବା ସହ ତୃଣମୂଳ ସ୍ତରରେ ପ୍ରଶାସନିକ ଉତ୍ତରଦାୟିତ୍ଵ ବୃଦ୍ଧି ପାଇଁ ପ୍ରୟାସ କରି ଏହି ଖବର କାଗଜ ବିହାର ଓ ଉତ୍ତର ପ୍ରଦେଶରେ ବେଶ ଲୋକପ୍ରିୟ ହୋଇପାରିଛି। ଏହା ଗ୍ରାମାଞ୍ଚଳର ମହିଳା ମାନଙ୍କ ଦ୍ଵାରା ପ୍ରକାଶିତ ହେଉଥିବା ଏକମାତ୍ର ଭାରତୀୟ ଖବର କାଗଜ ହେବାର ଗୌରବ ମଧ୍ୟ ଅର୍ଜନ କରିଛି। ମହିଳା ମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା ଓ ହିଂସା ବିଷୟରେ ଏହା ଲଗାତର ଖବର ପରିବେଷଣ କରି ଆସୁଛି।

ମହିଳା ସଶକ୍ତିକରଣ ଓ ସାକ୍ଷରତା ଦିଗରେ ଏହା ଗୋଟିଏ ଛୋଟ ପ୍ରୟାସ। ମାତ୍ର ଏହା ଅନ୍ୟମାନଙ୍କୁ ଏହି କ୍ଷେତ୍ରରେ କାମ କରି ନିରକ୍ଷରତା ଅନ୍ଧକାରରୁ ମହିଳା ମାନଙ୍କୁ ମୁକ୍ତ କରିବାକୁ ପ୍ରେରଣା ଦେବାର ସାମର୍ଥ୍ୟ ରଖେ।

ମୂଳ ଲେଖା - ତାରା ସାବାବାଲା

ଭାଷାନ୍ତର - ପରଂବ୍ରହ୍ମ ତ୍ରିପାଠୀ