‘ଝାଡ଼ୁଦାରର ପୁଅ’ରୁ ସଫେଇ ସଂପ୍ରଦାୟର ତ୍ରାଣକର୍ତା

0

ସେ ଯେଉଁ ସ୍କୁଲରେ ପାଠ ପଢ଼ୁଥିଲେ ତାଙ୍କ ମା’ ଓ ଜେଜେ ମା’ ସେଇଠି ସଫେଇ କରୁଥିଲେ । ବିନା ପାଣିରେ ସେମାନଙ୍କୁ ପାଇଖାନା ସଫା କରିବାକୁ ପଡ଼ୁଥିଲା । ଏବଂ ତାହା ହିଁ ପାଲଟିଗଲା ବିମଳ କୁମାରଙ୍କ ପରିଚୟ । ହିନ୍ଦୁ ହାଇସ୍କୁଲରେ ଆରମ୍ଭରୁ ହିଁ ଶିକ୍ଷକ ଓ ଛାତ୍ରମାନେ ତାଙ୍କୁ ‘ଝାଡ଼ୁଦାରର ପୁଅ’ (ଜମାଦାରନୀ କା ବେଟା) ବୋଲି ଡାକୁଥିଲେ ।

‘ମୋତେ ଲାଜ ଓ ସଙ୍କୋଚ ଲାଗୁଥିଲା । ମୁଁ ଶ୍ରେଣୀରେ ସବା ପଛଧାଡ଼ିରେ ବସୁଥିଲି ଏବଂ କିଛି ନ କହିବାକୁ ଚେଷ୍ଟା କରୁଥିଲି ।’
ଏପରିକି ଛାତ୍ରମାନେ ତାଙ୍କୁ ପଚାରୁଥିଲେ, ‘ତୁ ଭାଙ୍ଗି(ସଫେଇ କରୁଥିବା ଜାତି) ସଂପ୍ରଦାୟର ହୋଇ ମଧ୍ୟ ଏତେ ଗୋରା କେମିତି ହେଲୁ କିରେ?’

‘ପ୍ରତିଦିନ ଛାତ୍ରମାନଙ୍କ ଦ୍ୱାରା ଜାତିଆଣ ଆକ୍ଷେପ ପାଇବା ସାଧାରଣ କଥା ଥିଲା । କ୍ରମେ ଏହା ମୋର ଦେହସୁହା ହୋଇ ଯାଇଥିଲା । ବହୁଥର ମୁଁ ମାଡ଼ ଖାଉଥିଲି ଓ ଜାତିଆଣ ହିଂସାର ଶିକାର ହେଉଥିଲି ।’

ଏମିତି ଚାପ ଭିତରେ ବଢ଼ିଥିବା ପିଲାଟିର ଅବସ୍ଥା ପରେ କ’ଣ ହୋଇଥିବ ବୋଲି ଆପଣ ଭାବୁଛନ୍ତି?

ବିମଳ ଏବେ ମୁଭ୍ମେଣ୍ଟ୍ ଫର ସ୍କାଭେଞ୍ଜର୍ସ କମ୍ୟୁନିଟି(ଏମ୍ଏସ୍ସି)ର ପ୍ରତିଷ୍ଠାତା । ଏହି ସଂସ୍ଥା ଭାରତରୁ ହାତ-ଝାଡ଼ୁଦାରୀ (ମାନୁଆଲ ସ୍କାଭେଞ୍ଜିଂ)ର ବିଲୋପ ପାଇଁ କାର୍ଯ୍ୟ କରିବା ସହ ଏବେ ବି ହାତରେ ମଇଳା ସଫେଇ ଜାରି ରଖିଥିବା ସମାଜରେ ଶିକ୍ଷା ଓ ସଚେତନତା ସୃଷ୍ଟି ଲାଗି ଉଦ୍ୟମ କରୁଛି । ଏମ୍ଏସ୍ସି ସଂସ୍ଥା ଆନୁକୂଲ୍ୟରେ ସେ ହରିଆଣାରେ ଡକ୍ଟର ବିଆର୍ ଆମ୍ବେଦକର ୟୁଥ୍ ଷ୍ଟଡି ସେଣ୍ଟର ପରିଚାଳନା କରି କୋଣଠେସା ଛାତ୍ରଛାତ୍ରୀଙ୍କୁ କ୍ୟାରିଅର କାଉନସେଲିଂ ଓ କ୍ଷୁଦ୍ର ପାଠାଗାରର ସୁବିଧା ଦେଉଛନ୍ତି ।

କେବଳ ଏତିକି ନୁହେଁ, ମୁମ୍ବାଇର ଟାଟା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସ(ଟିସ୍)ରୁ ସେ ଜାତିଆଣ ହିଂସା ପ୍ରସଙ୍ଗରେ ପିଏଚ୍ଡି ଡିଗ୍ରି ହାସଲ କରିଛନ୍ତି । ୨୦୦୮ରେ ସେ ଦଳିତ ଫାଉଣ୍ଡେସନରୁ ୟଙ୍ଗ ପ୍ରଫେସନାଲ ଫେଲୋସିପ ପାଇଛନ୍ତି । ହରିୟାଣାର କୁରୁକ୍ଷେତ୍ର ବିଶ୍ୱିଦ୍ୟାଳୟରୁ ସେ ସମାଜ ସେବାରେ ସ୍ନାତକୋତ୍ତର ହାସଲ କରିଛନ୍ତି । ୨୦୧୫ରେ ସେ ଆକ୍ୟୁମେନ ଫେଲୋ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ତେବେ ବିମଳଙ୍କର ଏସବୁ ସଫଳତାର ପଥ ଏତେ ସହଜ ନଥିଲା; ବହୁ ହିଂସା, ଅପମାନ ଓ ସଂଘର୍ଷକୁ ଅତିକ୍ରମ କରି ଆଜି ସେ ଏଠାରେ ପହଞ୍ଚିଛନ୍ତି ।

ହିଂସା ଓ ଗୋଷ୍ଠୀ ଗଠନ

ସ୍କୁଲରେ ତାଙ୍କର ଅନୁଭୂତି ପାଠ ପ୍ରତି ମୋହ ତୁଟାଇ ଦେଇଥିଲା । ତାଙ୍କ ମା’ ବିଭିନ୍ନ ଲୋକଙ୍କ ଘରେ ସଫେଇ କରୁଥିଲେ, ସେସବୁ ଘରୁ ବି ପିଲାମାନେ ସମାନ ସ୍କୁଲରେ ପଢ଼ୁଥିଲେ । ଖେଳଛୁଟିରେ ଖେଳିବା ଓ ଖାଇବା ବେଳେ ସେ ପିଲାମାନେ ବିମଳଙ୍କୁ ସବୁବେଳେ ଅଲଗା ରଖୁଥିଲେ ।

ସେ ୭ମ ଶ୍ରେଣୀରେ ପଢ଼ୁଥିବା ବେଳେ ଉପର ଜାତିର ୪ ଜଣ ପିଲା ତାଙ୍କୁ ପିଟିଥିଲେ । ବିମଳ ଏ କଥା ନିଜ ପିତାମାତାଙ୍କୁ କହିଥିଲେ ବି ଜୀବନ ସଂଗ୍ରାମରେ ଜୁଝୁଥିବା ଦମ୍ପତିଙ୍କ ଲାଗି ଏ ସମସ୍ୟା ବୁଝିବାକୁ ବେଳ ନଥିଲା । ଜାତିଆଣ ଆକ୍ରୋଶକୁ ସାମନା କରିବା ଲାଗି ବିମଳ ଗୋଟେ ଦଳ ଗଠନ କଲେ । ସେ କହନ୍ତି, ‘ଏ ଘଟଣା ପରେ ଆମେ ସେ ପିଲାଙ୍କୁ ସଂଧ୍ୟାରେ ଓ ରାତିରେ ପିଟିଲୁ । ତେବେ ପରେ ମୁଁ ଅନୁଭବ କଲି, ଉଚ୍ଚ ଜାତିର ପିଲାଙ୍କୁ ଏଥିପାଇଁ ଶିକ୍ଷକ ଓ ସେମାନଙ୍କ ଅଭିଭାବକମାନେ ଉତ୍ସାହିତ କରୁଛନ୍ତି । ଆମର ପ୍ରତିଟି ଗୋଷ୍ଠୀ ସଂଘର୍ଷ ପରେ ସେମାନଙ୍କର ବାପାମାନେ ସ୍କୁଲକୁ ଆସି ଆମକୁ ଦଣ୍ଡ ଦେଉଥିଲେ । ସେମାନେ ଏଥିପାଇଁ ଆମ ଶିକ୍ଷକଙ୍କୁ ବି ଚାପ ପକାଉଥିଲେ । କିନ୍ତୁ ଆମ ବାପାମା’ ସେଭଳି କରୁନଥିଲେ । ଓଲଟା ବାପା କହୁଥିଲେ ଯଦି ସେମାନେ ମୋ ବିରୋଧରେ ଏଭଳି ଅଭିଯୋଗ ଶୁଣନ୍ତି ତେବେ ଚା ଦୋକାନରେ କାମ କରିବାକୁ ପଠାଇ ଦେବେ । ତେଣୁ ମୁଁ ବାଧ୍ୟ ହୋଇ ଏଭଳି ଜାତିଆଣ ପରିବେଶରେ ନିଜକୁ ଖାପଖୁଆଇବାକୁ ଚେଷ୍ଟା କରୁଥିଲି ।’

୯ମରେ ପଢ଼ିବା ବେଳେ ବସ୍ତିର ପିଲାମାନଙ୍କୁ ନେଇ ସେ ଏକ କ୍ରିକେଟ ଦଳ ଗଠନ କଲେ । ତାଙ୍କ ଦଳ ଟୁର୍ଣାମେଣ୍ଟ ଜିତିବା ପରେ ତାଙ୍କର ଖାଦି ବଢ଼ିଗଲା । ପିଲାମାନେ ତାଙ୍କୁ କ୍ୟାପ୍ଟେନ୍ ଡାକିବା ଆରମ୍ଭ କଲେ । ସେ କହନ୍ତି, ‘ଏହା ହିଁ ମୋର ପ୍ରଥମ ନେତୃତ୍ୱ ଥିଲା । ପ୍ରଥମ ଥର ପାଇଁ ଆମ ସମାଜରେ ମୁଁ ସମ୍ମାନ ପାଇଲି ।’

ତୁ ଗୋଟେ ଭାଙ୍ଗି, ଏତେ ଯୋରରେ କେମିତି ଦୌଡ଼ିବୁ?

୧୦ମ ପରେ ସେ ଇନ୍ଦିରାଗାନ୍ଧୀ ଜାତୀୟ ମହାବିଦ୍ୟାଳୟରେ ଯୋଗଦେଲେ । କଲେଜରେ ତାଙ୍କ ସମାଜରୁ ମାତ୍ର ୩ ଜଣ ଛାତ୍ର ଥିଲେ । ପ୍ରଥମ ବର୍ଷ ପରେ ଦୁଇଜଣ କଲେଜ ଛାଡ଼ିଦେଲେ । ପୁଣି ସ୍କୁଲ ଜୀବନର ପୁନରାବୃତ୍ତି ଘଟିଲା କଲେଜରେ । ସେ ଭଲ ଖେଳୁଥିଲେ, ଜୋରରେ ଦୌଡ଼ି ପାରୁଥିଲେ । ସେ ମନେପକାନ୍ତି, ‘ମୋର ଦୁଇଜଣ ସାଙ୍ଗ ମୋତେ କହିଲେ- ତୁ ଏତେ ପତଳା, ଗରିବ, ଘରେ ପିଇବାକୁ କ୍ଷିର ବି ନାହିଁ । ଅନ୍ୟ ସାଙ୍ଗମାନେ କହିଲେ, ମୁଁ କାଳେ ଘୁଷୂରୀ ମାଉଁସ ଖିଆ ଚୁରାଃ(ମଇଳା ସଫା କରୁଥିବା ଜାତି) । ସେମାନେ ଭାରି ସୁଠାମ ଥିଲେ। ସେମାନଙ୍କ ଗାଳିକୁ ଭୃକ୍ଷେପ ନ କରି ମୁଁ ଖେଳକୁଦରେ ଭାଗ ନେଉଥିଲି ।’

ଶିକ୍ଷକତା ନୁହେଁ, ତୋ କାମ ସଫେଇ

କଲେଜରେ ନିର୍ଯାତନା ଓ ଅର୍ଥ ରୋଜଗାର ଲାଗି ଘରୁ ଚାପ ପଡ଼ିବାରୁ ସେ ପଢ଼ା ଛାଡ଼ି ବୁଲାବିକାଳି ସାଜିଲେ । ‘କିଛି ନିର୍ଦିଷ୍ଟ ଦରମା ନଥିଲା । ଶହେ ଘର ବୁଲିବାକୁ ପଡ଼ୁଥିଲା । ମୋ ଘର ଠାରୁ କୁରୁକ୍ଷେତ୍ରରେ ଅଫସର ଦୂରତା ୨୦ କିଲୋମିଟର ଥିଲା । ଖାଇବା ଓ ଯିବା ମୋ ଦାୟିତ୍ୱ । ମୋର ମାସିକ ପ୍ରାୟ ୩୦୦୦ ଟଙ୍କା ରୋଜଗାର ହେଉଥିଲା ।

ଏ ଭିତରେ ସେ ଏନ୍ଆଇଆଇଟିରୁ କମ୍ପ୍ୟୁଟର ଶିକ୍ଷା କଲେ । ଗୋଟେ ମହିଳା କଲେଜରେ ତାଙ୍କୁ କମ୍ପ୍ୟୁଟର ଶିକ୍ଷକ ଚାକିରି ମିଳିଲା । ‘ମୁଁ ସେଠି ସବୁଠୁ କମ୍ ବୟସର ଥିଲି । ଲୋକେ ମୋ ଜାତି ବାବଦରେ ଜାଣିଥିଲେ । ମୋ ସହକର୍ମୀମାନେ ମୋ ସହ ଖାଉନଥିଲେ କି ମୋ ପାଖ ମାଡ଼ୁନଥିଲେ । ତେବେ ମୁଁ ମୋ କାମରେ ଧ୍ୟାନ ଦେଉଥିଲି।’

ତେବେ କ’ଣ ପାଇଁ ସେ ଚାକିରି ଛାଡ଼ିଲେ? ଉତ୍ତରରେ ବିମଳ କହନ୍ତି, ‘ଦିନେ ବିଜୁଳି ଚାଲିଗଲା ଏବଂ ଆମ ମ୍ୟାନେଜର ମୋତେ ଜେନେରେଟର ଷ୍ଟାର୍ଟ କରିବାକୁ ନିର୍ଦେଶ ଦେଲେ । ସବୁ ଶିକ୍ଷକଙ୍କ ସାମନାରେ ମ୍ୟାନେଜର ମୋତେ ଚାକର ବୋଲି ଡାକିଲେ । ମୁଁ କହିଲି, ମୁଁ କେବେ ଜେନେରେଟର ଚାଲୁ କରିନାହିଁ, ଯଦି କିଏ ବତାଇଦେବେ କରିଦେବି । ମ୍ୟାନେଜର କହିଲେ- ଯଦି ଜେନେରେଟର ଚାଲୁ କରିବା ଶିଖିନ, ଏ ଚାକିରି ତମ ପାଇଁ ନୁହଁ । ଯଦି ଏଠାରେ କାମ କରିବାକୁ ଚାହଁ, ତେବେ ତମକୁ କାର୍ଯ୍ୟାଳୟ ସଫା କରିବାକୁ ପଡ଼ିବ । ମୁଁ କଲେଜ ନିର୍ଦେଶକଙ୍କୁ ଭେଟି ଏକଥା ଜଣାଇଲି । ସେ ମ୍ୟାନେଜରର ବାପା, ଏଣୁ କିଛି ଲାଭ ହେଲାନି । ମୁଁ ଯେହେତୁ ସମ୍ମାନଜନକ ଜୀବନ ଚାହୁଥିଲି, ଏଣୁ ଚାକିରି ଛାଡ଼ିଦେଲି । ସେଦିନ ମୁଁ ବହୁତ କାନ୍ଦିଥିଲି । ମୋତେ ଲାଗିଲା, ପରିଶ୍ରମ କରି ଏତେ ପଢ଼ିବା ବ୍ୟର୍ଥ ଗଲା ।’

ପଛଘୁଞ୍ଚା ନାହିଁ

ଏ ଘଟଣା ପରେ ନସେ ନିଜେ ସମାଜରେ କିଛି ପରିବର୍ତନ ଆଣିବାକୁ ଚାହିଲେ । ସେ ସ୍ନାତକୋତ୍ତର ସମାପ୍ତ କରି ଦଳିତ ଫାଉଣ୍ଡେସନ୍ ସହ କାର୍ଯ୍ୟ କରିବା ଆରମ୍ଭ କଲେ । ସେ ଜାଣି ଚକିତ ହେଲେ ଯେ ଦଳିତମାନେ ବି ସଫେଇ ଜାତିଙ୍କୁ ଅଛୁଆଁ ଭଳି ଦେଖନ୍ତି । ଏଇଠି ସେ ଚିନ୍ତାକଲେ, ତାଙ୍କ ସମାଜ ପାଇଁ ଗୋଟେ ଆନ୍ଦୋଳନ କରିବେ । ସ୍କୁଲ ବେଳର କ୍ରିକେଟ ଟିମ୍ କଥାକୁ ମନେପକାଇ ସେ ପୁଣି ଗୋଟେ ନେତୃତ୍ୱର ସଂକଳ୍ପ ନେଲେ ।

ମୁଭ୍ମେଣ୍ଟ୍ ଫର ସ୍କାଭେଞ୍ଜର୍ସ କମ୍ୟୁନିଟି(ଏମ୍ଏସ୍ସି)

୨୦୦୯ରେ ଆରମ୍ଭ ହେଲା ଏମ୍ଏସ୍ସି । ଏହାର ସଦସ୍ୟମାନେ ସମସ୍ତେ ଯୁବକ ଓ ସଫେଇ ଜାତି ଅନ୍ତର୍ଭୁକ୍ତ । ଅନୁଷ୍ଠାନ ଶିକ୍ଷା ମାଧ୍ୟମରେ ପରିବର୍ତନର ଲକ୍ଷ୍ୟ ରଖିଲା । ୨୦୧୨ରେ ସେ ଡକ୍ଟର ବିଆର ଆମ୍ବେଦକର ୟୁଥ୍ ଷ୍ଟଡି ସେଣ୍ଟର ଆରମ୍ଭ କଲେ । ଏହି ସେଣ୍ଟରରେ ଗୋଟିଏ ଛୋଟ ପାଠାଗାର ଅଛି । ଏଠାରେ ମାଗଣା କମ୍ପ୍ୟୁଟର ଶିକ୍ଷା ସାଙ୍ଗକୁ ସାଂଧ୍ୟ ଶିକ୍ଷା ଦିଆଯାଏ ।

ସେ ମହିଳା ସଫେଇ କର୍ମୀଙ୍କୁ ନେଇ ସ୍ଵୟଂସହାୟକ ଗୋଷ୍ଠୀ ଗଠନ କଲେ । ଏହା ମାଧ୍ୟମରେ ମହିଳାମାନେ ବିକଳ୍ପ ଜିବୀକା ପାଇପାରିଲେ । ବର୍ତମାନ ଏମ୍ଏସ୍ସି ୧୦ଟି ରାଜ୍ୟରେ ୫୦୦ ଯୁବକଙ୍କୁ ନେଇ ସଂଗଠନ କାର୍ଯ୍ୟ କରୁଛି । ଏମ୍ଏସ୍ସିର ପ୍ରଚେଷ୍ଟାରେ ବର୍ତମାନ ୪ ଜଣ ଛ୍ରାତ୍ର ଟିସରେ ପଢ଼ୁଛନ୍ତି । ଓଡ଼ିଶାର ଭୁବନେଶ୍ୱରରେ ମଧ୍ୟ ଏମ୍ଏସ୍ସି ଏକ କେନ୍ଦ୍ର ଖୋଲିଛି ।

ବିମଳ କହନ୍ତି, ‘ଶିକ୍ଷା ହିଁ ମୂଳମନ୍ତ୍ର । ସେଥିପାଇଁ ମୁଁ ପିଏଚ୍ଡି କଲି । ଏବେ ଲୋକେ ମୋ ଡିଗ୍ରିକୁ ଅଣଦେଖା କରିପାରିବେନି । ଏବେ ମୋର ପ୍ରତିଟି କଥାର ମୂଲ୍ୟ ଓ ସମ୍ମାନ ମିଳିବ । ଭଲ ଶିକ୍ଷା ହିଁ ସେମାନଙ୍କ ପିଠିରୁ ଭାଗି ଛାପ ହଟାଇ ପାରିବ ।’

ସେ ଏବେ ବିଦେଶରୁ ପୋଷ୍ଟ ଡକ୍ଟରେଟ୍ ଡିଗ୍ରି ପାଇଁ ସ୍ଵପ୍ନ ଦେଖୁଛନ୍ତି । ନିଜ ସମାଜ ପାଇଁ ସମ୍ମାନ, ସ୍ଥାନ ଓ ସମାନ ସୁଯୋଗ ଆଣିଦେବା ତାଙ୍କର ବଡ଼ ସ୍ଵପ୍ନ ।