ଅଭିନବ ଉଦ୍ଭାବନର ଉଦ୍ଗାତା, ମିହିର କୁମାର ପଣ୍ଡା

ଅଭିନବ ଉଦ୍ଭାବନର ଉଦ୍ଗାତା, ମିହିର କୁମାର ପଣ୍ଡା

Tuesday February 02, 2016,

4 min Read

image


ଆପଣମାନେ ଯଦି ହିନ୍ଦୀ ଚଳଚ୍ଚିତ୍ର ଥ୍ରି ଇଡିଅଟ୍ସ ଦେଖିଥା’ନ୍ତି ତେବେ ସେଥିରେ ଆମିର ଖାନଙ୍କ ଅସଲ ଚରିତ୍ରକୁ ମନେପକାନ୍ତୁ । ଫୁଙ୍ଗସୁକ୍ ୱାଙ୍ଗଡୁ ନାମଧାରୀ ଏହି ଚରିତ୍ର କେମିତି ଲଦାଖ ଉପତ୍ୟକାରେ ନିଜ ବୈଜ୍ଞାନିକ ଚିନ୍ତାଧାରାକୁ ନେଇ ଏକ ବିଦ୍ୟାଳୟ ଖୋଲିଥିଲେ, ଯେଉଁଠି ପିଲାମାନେ ସାଧାରଣ ନିତିଦିନିଆ ସାମଗ୍ରୀ ସବୁକୁ ଉପଯୋଗ କରି ନୂଆ ନୂଆ ଯନ୍ତ୍ର ପ୍ରସ୍ତୁତ କରୁଥିଲେ । ମନେପକାନ୍ତୁ ଫୁଙ୍ଗସୁକ୍ ଓରଫ୍ ରାଞ୍ଚୋ କଲେଜରେ ପଢ଼ିବା ବେଳେ କିଭଳି କାର୍ ବ୍ୟାଟେରିରୁ ଇନଭର୍ଟର ପ୍ରସ୍ତୁତ କରିଥିଲେ ଓ ଭାକ୍ୟୁମ୍ କ୍ଲିନର ବ୍ୟବହାର କରି ସନ୍ତାନ ପ୍ରସବ କରାଇଥିଲେ ।

ଏ ତ ଗଲା ପରଦାର କାହାଣୀ । ମୁଁ ଯାହା ବିଷୟରେ ଲେଖୁଛି ସେ ସତସତିକା ଜୀବନରେ ଥ୍ରି ଇଡିଅଟ୍ସର ଫୁଙ୍ଗସୁକଙ୍କ ଠାରୁ କୌଣସି ଗୁଣରେ କମ ନୁହନ୍ତି । ନିଜ ଘରେ ୫ ଏକର ପରିମିତ ଜମିରେ ଅଭିନବ ପ୍ରୟୋଗଶାଳା ଖୋଲି ଉଦ୍ଭାବନର ଉଦ୍ଗାତା ତଥା ସତସତିକା ଜୀବନର ରାଞ୍ଚୋ ପାଲଟିଛନ୍ତି ବଲେଶ୍ୱରର ମିହିର କୁମାର ପଣ୍ଡା । ନିତିଦିନିଆ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ହାତ ପାହାନ୍ତାରେ ଉପଲବ୍ଧ ବସ୍ତୁକୁ ବ୍ୟବହାର କରି ସେ ୫୦୦୦ରୁ ଅଧିକ ଅଭିନବ ପ୍ରକଳ୍ପ ପ୍ରସ୍ତୁତ କରି ସାରିଛନ୍ତି ।

ଆପଣ ବାଇଗଣ ଭାଜୁଛନ୍ତି, ହଠାତ ବିଦ୍ୟୁତ ଚାଲିଯିବାରୁ ଅନ୍ଧାର ହୋଇଗଲା । ସେଇ ଅନ୍ଧାରରେ ଆପଣଙ୍କ ବାଇଗଣ ସିଝିଛି କି ନାହିଁ ଜାଣିବେ କିପରି, ଏହାର ସମାଧାନ ରହିଛି ମିହିରଙ୍କ ପାଖରେ । କାଚ ବମ୍ ଠିପି ଖୋଲୁନାହିଁ, ସହଜରେ କିଭଳି ଖୋଲିବେ ଏହାର ସମାଧାନ ବି କାଢ଼ିଛନ୍ତି ସେ । ଚେଶଯ କେକ୍-କଟା ଯନ୍ତ୍ର, ରିକ୍ସା ପରିଚାଳିତ ଖାଦ୍ୟ ଶଷ୍ୟ ଅମଳ ଯନ୍ତ୍ର, ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଶସ୍ତା ରେଫ୍ରିଜରେଟର ଭଳି ହଜାର ହଜାର ଉଦ୍ଭାବନର ଅଧିକାରୀ ମିହିର ।

image


ଆମ ସହ କଥାହେବା ବେଳେ ମିହିର କହନ୍ତି,

ମୋର ପ୍ରାୟ ୫୦୦୦ ଅଭିନବ ପ୍ରକଳ୍ପ ମଧ୍ୟରୁ ୨୦୦୦ଟି ପ୍ରକଳ୍ପ ମୁଁ ବିନା କୌଣସି ସରକାରୀ ବା ବେସରକାରୀ ସହଯୋଗରେ ପ୍ରସ୍ତୁତ କରିଛି । ଏହା ମଧ୍ୟରୁଚ ୫୦୦ ପ୍ରକଳ୍ପ ସମ୍ପୂର୍ଣ ଭାବେ ମୋ ନିଜ ଉଦ୍ଭାବନ । ଏହି ୫୦୦ ପ୍ରକଳ୍ପର ପେଟେଣ୍ଟ୍ କରିବାକୁ ମୋର ଆଗ୍ରହ ଥିଲେ ହେଁ ଅର୍ଥ ଏଥିରେ ବାଧକ ସାଜୁଛି ।

ସୋସିଆଲ ଡେଭେଲପମେଣ୍ଟ ରିସର୍ଚ ଅର୍ଗାନାଇଜେସନ୍ ଫର ସାଇନ୍ସ, ଟେକନଲୋଜି ଆଣ୍ଡ ଇମ୍ପ୍ଲିମେଣ୍ଟେସନ୍(ସ୍ରୋଷ୍ଟି) ନାମରେ ଏକ ଅନୁଷ୍ଠାନ ଗଢ଼ି ନିଜ ଜ୍ଞାନ ଅନ୍ୟକୁ ବିତରଣ କରୁଛନ୍ତି ମିହିର ।

ମିହିର କହନ୍ତି,

ମୋର ବଡ଼ ବଡ଼ ଗବେଷଣା କରି ସାରା ଜୀବନ ଗୋଟିଏ ଉଦ୍ଭାବନ ପଛରେ ବିତାଇଦେବାର ଆଗ୍ରହ କିମ୍ବା ଧୈର୍ଯ୍ୟ ନାହିଁ । ମୁଁ ମୁଁ ଏଡ୍ସ ପାଇଁ ଔଷଧ କିମ୍ବା ତାରା ରାଇଜକୁ ବ୍ୟୋମଯାନ ନିର୍ମାଣ କରିବାକୁ ଚାହୁନାହିଁ । ମୋର ଆଗ୍ରହ ସିମ୍ପଲ ଇନୋଭେସନ୍ ବା ସାଧାରଣ ଉଦ୍ଭାବନରେ । ମୁଁ ଏଭଳି ଉଦ୍ଭାବନ ପାଇଁ ଆଗ୍ରହୀ ଯାହା ଯେ କେହି ସହଜରେ ପ୍ରସ୍ତୁତ ଓ ବ୍ୟବହାର କରିପାରିବ । ଏବଂ ସବୁଠୁ ବଡ଼ କଥା ହେଲା ମୋ ଉଦ୍ଭାବନ ସବୁ ଜନସାଧାରଣଙ୍କ ନିତିଦିନିଆ କାମରେ ଲାଗିବ । ମୁଁ ଉଭୟ ବୟସ୍କ ଓ ପିଲାଙ୍କ ପାଇଁ ପ୍ରକଳ୍ପ ତିଆରି କରେ । ପ୍ରତ୍ୟହ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀମାନେ ମୋ କର୍ମଶାଳା ବୁଲିବାକୁ ଆସିଥାନ୍ତି, ଛୋଟଛୋଟ ଉଦ୍ଭାବନ ଶିଖି ସେମାନେ ଖୁସିହୁଅନ୍ତି । ସେମାନଙ୍କ ଆନନ୍ଦ ଦେଖି ମୁଁ ବି ଆନନ୍ଦ ପାଏ । ଉଭୟ ରାଜ୍ୟ ଓ ରାଜ୍ୟ ବାହାରୁ ମଧ୍ୟ ବହୁ ସଂଖ୍ୟାରେ ଲୋକ ମୋ କର୍ମଶାଳାକୁ ଆସନ୍ତି ।
image


ଓଡ଼ିଶାର ଆଇନଷ୍ଟାଇନ୍ ଭାବେ ଜଣାଶୁଣା ୪୮ ବର୍ଷୀୟ ମିହିରଙ୍କ ଘର ବାଲେଶ୍ୱର ଜିଲ୍ଲା ବାହାନଗା ନିକଟବର୍ତୀ ଇଛାପୁର ଗାଁରେ । ପିଲାଟି ବେଳୁ ତାଙ୍କ ଭିତରେ ଉଦ୍ଭାବନର ଆଗ୍ରହ ଥିଲା । ୧୯୮୬ରେ ସେ ଯେତେବେଳେ ସ୍ଥାନୀୟ ଅଞ୍ଚଳରେ ପିଲାଙ୍କୁ ଟ୍ୟୁସନ୍ କରୁଥିଲେ, ପିଲାଙ୍କୁ ସାଧାରଣ ବିଜ୍ଞାନ ଉପକରଣ ଦେଖାଇବା ଆରମ୍ଭ କରିଥିଲେ । ମିହିର ମନେପକାନ୍ତି, ସେତେବେଳେ ସେ ପିଲାଙ୍କୁ କଲିଂ ବେଲ୍ କାର୍ଯ୍ୟକାରିତା ଦେଖଶଇବା ପାଇଁ ନିଜ ଘରର କଲିଂ ବେଲକୁ ଭାଙ୍ଗିଥିଲେ ଏବଂ ଏଥିପାଇଁ ବାପାଙ୍କ ଠାରୁ ଗାଳି ମଧ୍ୟ ଶୁଣିଥିଲେ । ସିଭିଲ ଇଂଜିନିୟରିଂରେ ବିଟେକ୍ କରିଥିବା ମିହିର ପଞ୍ଚାୟତି ରାଜ ବିଭାଗରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି । ତାଙ୍କ ଉଦ୍ଭାବନକୁ ତାଙ୍କର ସହକର୍ମୀ ଓ ଉପରିସ୍ଥ ଅଧିକାରୀ ଉତ୍ସାହିତ କରନ୍ତି ବୋଲି କହିଛନ୍ତି ମିହିର । ତେବେ ସେ କ୍ଷୋଭର ସହ କହନ୍ତି,

ଏଯାବତ ସରକାର ମୋ ଉଦ୍ଭାବନ ସବୁକୁ ସ୍ଵୀକୃତି ଦେଲେନାହିଁ । ମୁଁ ବୃତ୍ତିରେ ଯନ୍ତ୍ରୀ । ତେବେ ସରକାର ମୋତେ ଓ ମୋର ଉଦ୍ଭାବନକୁ ଅଧିକ ଉପଯୋଗ କରିପାରନ୍ତେ । ଓଡ଼ିଶାରେ ଇନୋଭେସନ୍ ଓ ବିଜ୍ଞାନ ପ୍ରତି ଆଗ୍ରହ କମ ରହିଛି ।

ସ୍ରୋଷ୍ଟି ପ୍ରତିଷ୍ଠା ପଛର ଉଦ୍ଦେଶ୍ୟ ବାବଦରେ ମିହିର କହନ୍ତି,

ଏଠାରେ ଗବେଷଣା ଓ ଉଦ୍ଭାବନ ସାଙ୍ଗକୁ ଏସବୁର କାର୍ଯ୍ୟକାରିତା ବାବଦରେ ଲୋକମାନଙ୍କୁ ଶିକ୍ଷା ଦିଆଯାଉଛି । ଶହଶହ ସ୍କୁଲ ଛାତ୍ରଛାତ୍ରୀ ଏଠାକୁ ଆସି ସାଧାରଣ ଉଦ୍ଭାବନ ଓ ପ୍ରକଳ୍ପ ଶିଖୁଛନ୍ତି ।
image


କେବଳ ବିଜ୍ଞାନ ପ୍ରକଳ୍ପ ନୁହେଁ, ସ୍ରୋଷ୍ଟିରେ ଏକ ବିଶାଳ ବୋନ୍ସାଇ ବଗିଚା କରିଛନ୍ତି ମିହିର । ନିଜ ଦରମାର ଅଧିକାଂଶ ଭାଗ ସେ ସ୍ରୋଷ୍ଟିରେ ବିନିଯୋଗ କରନ୍ତି ବୋଲି ମିହିର କହିଛନ୍ତି । ତାଙ୍କର ଉଦ୍ଭାବନ ଓ ପ୍ରକଳ୍ପଗୁଡ଼ିକୁ ନେଇ ସେ ଏକ ଦୀର୍ଘ ପୁସ୍ତକ ରଚନା କରିଛନ୍ତି ଯାହା ଅର୍ଥାଭାବରୁ ଏଯାଏଁ ଛପା ହୋଇ ପାରିନାହିଁ ।

ଗୁଗୁଲ ମାନଚିତ୍ରରେ ସ୍ରୋଷ୍ଟିର ସବୁଜିମା ବେଶ୍ ସ୍ପଷ୍ଟ ଦିଶେ । ଆପଣ ଯଦି ଜାତୀୟ ରାଜପଥ ୧୬ରେ କେବେ ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବେ, ବାଲେଶ୍ୱର ପୂର୍ବରୁ ବାହାନଗା ଠାରେ ରାଜପଥ ଠାରୁ ମାତ୍ର ୫୦ ମିଟର ଭିତରକୁ ମିହିର କୁମାର ପଣ୍ଡାଙ୍କ ସ୍ରୋଷ୍ଟି ଭିତରେ ଘେରାଏ ବୁଲିବାକୁ ଆଦୌ ଭୁଲିବେନି । ମିହିରଙ୍କୁ ଅ‍ାପଣ ଫେସବୁକରେ କିମ୍ବା ତାଙ୍କ ମୋବାଇଲ ନମ୍ବର ୯୪୩୮୩୫୪୫୧୫ ରେ ଯୋଗାଯୋଗ କରିପାରିବେ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।