ପଶୁ ନୁହେଁ, ପରୀ

ପଶୁ ନୁହେଁ, ପରୀ

Monday November 23, 2015,

2 min Read

ସପ୍ତାହ ସାରା ଫ୍ଲୁଡୋ ବ୍ୟସ୍ତ । ସେ ମୁମ୍ବାଇର ବିଭିନ୍ନ ସ୍କୁଲକୁ ଯାଉଛି ଏବଂ ଭାବପ୍ରବଣ ଓ ଆଚରଣଗତ ସମସ୍ୟା ଭୋଗୁଥିବା ପିଲାମାନଙ୍କୁ ସେ ମନୋରଂଜନ ଦେଉଛି । ତା’ର ବଡ଼ ସଫଳତା ହେଲା ଯୌନଶୋଷଣର ଶିକାର ଏକ ୧୨ ବର୍ଷର ଝିଅକୁ ସେ ଭୟାର୍ତ ମାନସିକ ଅବସାଦ ଭିତରୁ କାଢ଼ି ଏକ ଆନନ୍ଦମୟ ହସହସ ଜୀବନ ଦେଇପାରିଛି । ଏକ ନୂଆ ଚିକିତ୍ସା ଶୈଳୀ(ଥେରାପି)ର ମାଧ୍ୟମ ପାଲଟିଛି ଫ୍ଲୁଡୋ । ତେବେ ଫ୍ଲୁଡୋ ହେଉଛି ଏକ ଲାବ୍ରାଡର ପ୍ରଜାତି କୁକୁର ଯିଏ ଏବେ ଥେରାପି ଭାବେ କାମ କରୁଛି । ଆନିମଲ ଆନିମଲ ଥେରାପି(ଏଏଟି) ଭାବେ ଜଣାଶୁଣା ଏ ନୂଆ ଚିକିତ୍ସା ଶୈଳୀ ଏବେ ବିଖ୍ୟାତ ହେବାରେ ଲାଗିଛି ଯାହା କି ଲୋକଙ୍କୁ ଶାରିରୀକ ଓ ମାନସିକ ଅସୁସ୍ଥତାରୁ ମୁକୁଳାଇ ଆଣିବାରେ ସଫଳ ହେଉଛି ।

image


ଆନିମଲ ଆଞ୍ଜେଲ ଫାଉଣ୍ଡେସନ୍ ହେଉଛି ଏଭଳି ଥେରାପି ଯୋଗାଉଥିବା ଭାରତର ପ୍ରଥମ ଅନୁଷ୍ଠାନ । ମନୋଚିକିତ୍ସକ ରୋହିଣୀ ଫର୍ଣାଡିସ୍ ଓ ରାଧୀକା ନାୟାରଙ୍କ ଦ୍ୱାରା ଗୋଟିଏ ଲାବ୍ରାଡରକୁ ନେଇ ୨୦୦୫ରେ ପ୍ରତିଷ୍ଠିତ ଏ ସଂସ୍ଥା ଏବେ ୨୦ କୁକୁରଙ୍କପରିବାର ।

କୁକୁରଙ୍କ ପ୍ରତି ତାଙ୍କ ପରିବାରରେ କାହାର ଶ୍ରଦ୍ଧା ନଥିଲେ ବି ଏଭଳି ଥେରାପି ବିଷୟରେ ପ୍ରଥମେ ମାଷ୍ଟର ଡିଗ୍ରି କରିବା ସମୟରେ ଚିନ୍ତା କରନ୍ତି ରୋହିଣୀ । ସେ କହନ୍ତି, ‘ସବୁ କୁକୁର ଥେରା-ପେଟ ହୋଇପାରିବେ ନାହିଁ । ଥେରାପି କୁକୁରମାନେ ଶାନ୍ତ ସ୍ଵଭାବର ହେବାକୁ ଶିକ୍ଷା ଦିଆଯାଏ । ଯଦି ତାଙ୍କ ପାଟିରୁ କିଏ ଖାଦ୍ୟ ଛଡ଼ାଇନିଏ ବା ପିଲାମାନେ ଲାଙ୍ଗୁଡ଼ ଭିଡ଼ିଦିଅନ୍ତି ସେମାନେ ରାଗନ୍ତିନାହିଁ । ଯଦି ତାଙ୍କ ଗ୍ରାହକଙ୍କ ଆଚରଣ ପସନ୍ଦ ନଆସେ ସେମାନେ କୌଣସି ପ୍ରତିକ୍ରିୟା ନ କରି ଧୀର ଭାବେ ଚାଲିଆସିବାକୁ ପ୍ରଶିକ୍ଷଣ ପାଇଛନ୍ତି । ସେମାନେ କେବେ ଭୁକନ୍ତି ନାହିଁ କିମ୍ବା ହିଂସ୍ର ଚିକ୍ରାର କରନ୍ତିନାହିଁ ।’

image


ଆନିମଲ ଆଞ୍ଜେଲ ଦଳରେ ୪ ଜଣ ମନଚିକିତ୍ସକ ଅଛନ୍ତି । ସେମାନେ ମୁମ୍ବାଇ, ହାଇଦ୍ରାବାଦ ଓ ନାସିକରେ ୧୦ରୁ ଅଧିକ ବିଦ୍ୟାଳୟ, ଶିଶୁ କେନ୍ଦ୍ର ଓ ମାନସିକ ସ୍ବାସ୍ଥ୍ୟ କେନ୍ଦ୍ର ସହ କାମ କରୁଛନ୍ତି । ମୁମ୍ବାଇରୁ କୁକୁରଙ୍କୁ ନେଇ ସବୁ ସ୍ଥାନକୁ ଯିବା ସମ୍ଭବ ହେଉନଥିବାରୁ ଏବେ ସେମାନେ ଦେଶର ବିଭିନ୍ନ ପ୍ରାନ୍ତରେ ଆନିମଲ ଆଞ୍ଜେଲ କେନ୍ଦ୍ର ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛନ୍ତି ।

ରୋହିଣୀ କହନ୍ତି, ଛୋଟ ପିଲା କୁକୁରକୁ ସାଙ୍ଗ ଭଳି ଦେଖନ୍ତି ଓ ବଡ଼ମାନେ କୁକୁରକୁ ପିଲା ଭଳି ଦେଖନ୍ତ । ଏ ସମ୍ପର୍କ କାଳକ୍ରମେ ସେମାନଙ୍କୁ କାଉନ୍ସେଲର ପାଖରେ ମୁକ୍ତ ଓ ସହଜ ହେବାକୁ ସହଯୋଗ କରେ । ଅଟିଜିମ୍ ଭୋଗୁଥିବା ଶିଶୁଙ୍କୁ କଥା କୁହାଇବା, ଭାବ ବିନିମୟ କରାିବାରେ ଏହା ସହଯୋଗ କରେ । ଯେତେବେଳେ ପିଲାମାନେ ଆମ କୁକୁରକୁ ଖାଇବାକୁ ଦିଅନ୍ତି, ସେମାନଙ୍କ ସହ ଖେଳନ୍ତି ଏହା ସେମାନଙ୍କ ପାଇଁ ବେଶ୍ ସହାୟକ ହୋଇଥାଏ । ବିକାର, ଅବସାଦ, ପାର୍କିନ୍ସନ୍ସ ଭଳି ବୟସ୍କଙ୍କ ରୋଗରେ ମଧ୍ୟ କୁକୁର ଥେରାପି ଉପକାରୀ ।

ମୂଳ ଲେଖା - ମାରିଆନ ହେଇନିକ

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା