ଅସହିଷ୍ଣୁତାର ଆଉ ଏକ ପର୍ବ - JNU

By Ashutosh

0

ତାରିଖ ଥିଲା ୧୧ ସେପ୍ଟେମ୍ବର ୧୯୪୮। ସେସମୟର ସ୍ଵରାଷ୍ଟ୍ର ମନ୍ତ୍ରୀ ତଥା ଉପପ୍ରଧାନମନ୍ତ୍ରୀ ବଲ୍ଲଭ ଭାଇ ପଟେଲ ଆରଏସଏସର ପ୍ରଧାନ ଗୁରୁଜୀ ଗୋଲୱାଲକରଙ୍କୁ ଏକ ଲମ୍ବା ଚିଠି ଲେଖନ୍ତି। ଚିଠିରେ ଥିଲା ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ହତ୍ୟା ହୋଇଥାଏ ଓ ଭାରତ ସରକାର ଆରଏସଏସକୁ ବ୍ୟାନ କରିଥାନ୍ତି। ସେହି ସମୟରେ ଆରଏସଏସ ମୁଖ୍ୟ ଗୋଲୱାଲକର ବ୍ୟାନ ଉଠାଇନେବା ପାଇଁ ଅନୁରୋଧ କରି ବଲ୍ଲଭଭାଇଙ୍କୁ ଚିଠି ଲେଖିଥାନ୍ତି। ବଲ୍ଲଭଭାଇ ତା'ର ଉତ୍ତର ଦେଇ ଏହି ଚିଠିଟି ଲେଖନ୍ତି। ସେ ଲେଖନ୍ତି, "ଏହା ଅସ୍ଵୀକାର କରିହେବନାହିଁ ଯେ ଆରଏସଏସର ହିନ୍ଦୁମାନଙ୍କ ପ୍ରତି ଅନେକ ଅବଦାନ ରହିଛି ଏବଂ ଏହା ମାନିନେବା ପାଇଁ କୌଣସି କୁଣ୍ଠା ନାହିଁ।" କିନ୍ତୁ ତତଉପରାନ୍ତ ସେ ଯାହା ଉଲ୍ଲେଖ କରନ୍ତି ତାହା ଆରଏସଏସକୁ ପସନ୍ଦ ହେଲା ଭଳି ବକ୍ତବ୍ୟ ନୁହେଁ। ପଟେଲ ଲେଖନ୍ତି, 'ସମସ୍ୟା ଆରମ୍ଭ ହୁଏ ସେଠାରେ, ଯେଉଁଠି କେହି କେହି ପ୍ରତିଶୋଧ ପରାୟଣ ହୋଇ ମୁସଲମାନମାନଙ୍କ ଉପରେ ଆକ୍ରମଣ କରନ୍ତି। ହିନ୍ଦୁମାନଙ୍କୁ ସାହାଯ୍ୟ କରିବା ଅଲଗା ଓ ତା' ନାମରେ ଗରିବ, ଅସହାୟ ମହିଳା ଓ ଶିଶୁଙ୍କୁ ଟାର୍ଗେଟ କରିବା କୌଣସିମତେ ମାନିହେବ ନାହିଁ।"

ଚିଠିରେ ପଟେଲ କୌଣସି ପ୍ରକାର ଶବ୍ଦଖେଳ କରିନାହାନ୍ତି। ଅଶାନ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ସେ ଆରଏସଏସକୁ ଦାୟୀ କରନ୍ତି - 'ସେମାନେ ବିଷୋଦଗାର କରୁଛନ୍ତି, ସେମାନଙ୍କ ବକ୍ତବ୍ୟ ସାମ୍ପ୍ରଦାୟିକ'। ସେ ପ୍ରଶ୍ନ କରନ୍ତି, ହିନ୍ଦୁମାନଙ୍କର ସୁରକ୍ଷା ପାଇଁ ହିଂସାର କି ପ୍ରୟୋଜନ? ଏବଂ ତା'ପରେ ପରିତାପରେ କୁହନ୍ତି, 'ଏହି ହିଂସା ଯୋଗୁ ଜାତିର ପିତାଙ୍କୁ ହରାଇଲୁ। ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯାଇଛି। ତେଣୁ ଆରଏସଏସକୁ ବ୍ୟାନ କରିବା ଜରୁରୀ।'

ମଜାର ବିଷୟ ହେଲା ସେଇ ପଟେଲଙ୍କୁ ମୋଦୀ ସରକାର ଏବଂ ଆରଏସଏସ ଆଦର୍ଶ ହିସାବରେ ଗ୍ରହଣ କରିଛି। ପଟେଲ ଥିଲେ କଂଗ୍ରେସୀ। ସେ ଥିଲେ ମହାତ୍ମା ଗାନ୍ଧୀଙ୍କର ଅନ୍ୟ ଏକ ବିଶ୍ଵସ୍ତ ଭକ୍ତ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହୁରୁଙ୍କର କମ୍ରେଡ। ଆରଏସଏସ ସବୁ ସମୟରେ ପଟେଲଙ୍କୁ ନେହୁରୁଙ୍କ ବିରୁଦ୍ଧରେ ମତାଇବାର ଚେଷ୍ଟା କରିଛି, ଯୁକ୍ତି ଠିଆ କରିଛି ଯେ ପଟେଲ ପ୍ରଧାନମନ୍ତ୍ରୀ ହୋଇଥିଲେ ଦେଶର ରୂପ ବଦଳିଯାଇଥାନ୍ତା। ପ୍ରଥମ କିଛି ମାସ ନେହୁରୁଙ୍କୁ ବଦନାମ କରିବାର ଅନେକ ଚେଷ୍ଟା କରିଛି। ପ୍ରମାଣ କରିବାର ପ୍ରୟାସ କରିଛି ଯେ ଦେଶରେ ଯାହା କିଛି ଭୁଲ ହେଉଛି ସବୁରି ପାଇଁ ଦାୟୀ ନେହୁରୁ। ଭାରତର ଏହି ଦୁଇ ପ୍ରବାଦପୁରୁଷଙ୍କୁ ଇତିହାସ ବିଚାର କରିବ। କିନ୍ତୁ ଇତିହାସ ଆରଏସଏସ ଓ ଏହାର ସହଯୋଗୀଙ୍କୁ କଦାପି କ୍ଷମା କରିବ ନାହିଁ। 

ପଟେଲ ତାଙ୍କ ଚିଠିରେ ଯେଉଁ ପରିସ୍ଥିତିର କଥା କହିଥିଲେ, ଠିକ ସେହିପରି ପରିସ୍ଥିତି ପୁନର୍ବାର ତିଆରି ହେଉଛି। ଗତ କିଛିଦିନ ଧରି ଜାତୀୟତାବାଦ ନେଇ ନୂଆ ନୂଆ ବିତର୍କ ତିଆରି ହେଉଛି। ନୂତନ ପ୍ରରୋଚନା ହେଲା, 'JNUରେ କିଛିଜଣ ବିଦ୍ୟାର୍ଥୀଙ୍କ ଭାରତବିରୋଧୀ ସ୍ଲୋଗାନ ଦେବା ଓ JNUSUର ସଭାପତି କହ୍ନେୟା କୁମାରଙ୍କ ଗିରଫଦାରି। ଦୁଇ ଧରଣର ବକ୍ତବ୍ୟ ଆସୁଛି - ପ୍ରଥମଟି ହେଲା, JNU ସନ୍ତ୍ରାସବାଦୀଙ୍କର ଆଖଡାସ୍ଥଳୀରେ ପରିଣତ ହୋଇଛି; ତେଣୁ ଏହାକୁ ବନ୍ଦ କରିଦେବା ଉଚିତ। ଦ୍ଵିତୀୟଟି ହେଲା, ଏଇ ମତର ଯେଉଁମାନେ ବିରୋଧୀ ସେମାନେ ଭାରତ ବିରୋଧୀ। 

ମୁଁ ନିଜେ JNUର ବିଦ୍ୟାର୍ଥୀ ଥିଲି ତେଣୁ ଦମ୍ଭର ସହ କହିପାରେ, କେବଳ ଭାରତ ନୁହେଁ, ବରଂ ପୁରା ବିଶ୍ଵର ସର୍ବୋତ୍ତମ କ୍ୟାମ୍ପସମାନଙ୍କ ଭିତରେ ଏହା ଅନ୍ୟତମ। ଏହି ବିଶ୍ଵବିଦ୍ୟାଳୟ ଉଦାର ମୂଲ୍ୟବୋଧର ମନ୍ଦିର ଏବଂ ସମ୍ବିଧାନ ସମ୍ମତ ଉଦାର ମନୋଭାବାପନ୍ନ ବିତର୍କ ଏବଂ ଆଲୋଚନାକୁ ଉତ୍ସାହିତ କରେ। ବିଭିନ୍ନ ମତ ପ୍ରକାଶ କରିବାର ସୁଯୋଗ ଦିଏ। ଅସ୍ଵୀକାର କରିହେବନାହିଁ ଯେ ସ୍ଵାଧୀନଚେତା ମନୋଭାବର ସଙ୍ଗେ ସଙ୍ଗେ ଚରମ ଜାତୀୟତାବାଦ ଏବଂ ମୌଳବାଦକୁ ମଧ୍ୟ ସ୍ଥାନ ଦେଇଛି। ଉତ୍ତର-ପୂର୍ବ ରାଜ୍ୟଗୁଡିକର ସ୍ଵାଧୀନତା ଯେଉଁମାନେ ଦାବୀ କରୁଛନ୍ତି ଏବଂ କିଛି ମୌଳବାଦୀ କାଶ୍ମିରୀ ବା ମାଓବାଦୀ ଏଠାରେ ଥାଇପାରନ୍ତି। ତା'ଉପରେ ଭିତ୍ତି କରି JNUକୁ ଜାତୀୟତାବିରୋଧୀଙ୍କର ଆଖଡାସ୍ଥଳୀ କହିବାଟା JNU ସ୍ଥାପନକାରୀ ଓ ଭାରତୀୟ ସମ୍ବିଧାନର ସମର୍ଥକଙ୍କର ଉପହାସ କରିବା ସହ ସମାନ। ନିଜର ଅଭିଜ୍ଞତାରୁ କହିପାରେ କିଛି ମୁଷ୍ଟିମେୟ ମୌଳବାଦୀ ସବୁ ସମୟରେ ଥିଲେ। କିନ୍ତୁ ବୃହତ ଅଂଶକୁ ସେମାନେ କେବେ ମଧ୍ୟ ପ୍ରଭାବିତ କରିପାରିନାହାନ୍ତି। 

ତାହେଲେ JNUକୁ କାଳିମାଲିପ୍ତ କରିବାର ମାନେ କଅଣ? ପାଠକଙ୍କୁ ମନେ ପକାଇଦେବାକୁ ଚାହେଁ, ନିଜର ରଚିତ ବହି 'The Bunch Of Thought'ରେ ଗୋଲୱାଲକର ଲେଖିଛନ୍ତି, ଭାରତର ତିନୋଟି ଶତ୍ରୁ - ମୁସଲମାନ, କ୍ରିଷ୍ଟିଆନ ଏବଂ କମ୍ୟୁନିଷ୍ଟ। JNU ସବୁସମୟରେ ହିନ୍ଦୁତ୍ଵବାଦକୁ ଏଡ଼ାଇ ଦେଇଆସିଛି। JNUରେ ଯେମିତି ଏପରି ଏକ ଆଦର୍ଶର ଚେର ବିସ୍ତାର ନକରେ, ସେନେଇ ସବୁସମୟରେ ଚେଷ୍ଟା ଚାଲେ। ଏବଂ ଯେହେତୁ ଏଠାରେ ବାମ ଆଦର୍ଶର ଭୂମି ବେଶ ସଶକ୍ତ, ଦୁଇ ଭିତ୍ତିଗତ ଚିନ୍ତା ମଧ୍ୟରେ ଏକ ମୌଳିକ ଫାଙ୍କ ରହିଛି। ହିନ୍ଦୁ ମୌଳବାଦୀଙ୍କ ଆଖିରେ JNUର ସବୁକିଛି ତାଙ୍କ ମତାଦର୍ଶ ବିରୋଧୀ। ସେମାନେ ବୁଝିବା ଉଚିତ ଯେ ଏକ ଉତ୍କର୍ଷତାର ଅନୁଷ୍ଠାନ ହେବା ନିମନ୍ତେ ଯୁଗ ଯୁଗ ସମୟ ଲାଗିଛି JNUକୁ। ଏହା ଭାଙ୍ଗିଯିବା ପାଇଁ ଏକ ମିନିଟ ସମୟ ଲାଗିବ ନାହିଁ। ବିଶ୍ଵ ଶିକ୍ଷାକ୍ଷେତ୍ରରେ JNUର ନାମ ଖୁବ ଗର୍ବରେ ନିଆଯାଏ। ସେହି ସୁନାମରେ କଳାଦାଗ ଲାଗିଲେ ଜାତୀୟ ସ୍ଵାର୍ଥ କ୍ଷୁର୍ଣ୍ଣ ହେବ। 

କହ୍ନେୟା ବିରୁଦ୍ଧରେ ଦେଶଦ୍ରୋହର ଅଭିଯୋଗ। ତାଙ୍କୁ ଭିଲେନ ହିସାବରେ ଚିତ୍ରଣ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅଦାଲତରେ କୌଣସି ପ୍ରମାଣ ପୋଲିସ ଦେଇପାରିନାହିଁ। ପରିସ୍ଥିତି ଏତେ ଭୟଙ୍କର ହୁଏ ଯେ ତାଙ୍କୁ କୋର୍ଟରୁମରେ ମାଡ ପର୍ଯ୍ୟନ୍ତ ପଡିଛି ଯାହାକି ତାଙ୍କ ଜୀବନର ସୁରକ୍ଷା ପାଇଁ ଅତ୍ୟନ୍ତ ଚିନ୍ତାଜନକ। ଗଣତନ୍ତ୍ରର ଏପରି ଏକ ଧାରାର ଆଚରଣ ବାସ୍ତବରେ ଅନେକ ଭୟଙ୍କର। ଆଇନଜୀବୀ, ଯେଉଁମାନେ ଆଇନର ଧାରକ ଓ ବାହକ, ଯେଉଁମାନେ ନ୍ୟାୟ ବିଚାର ପାଇଁ ଅଦାଲତରେ ଲଢେଇ କରନ୍ତି, ତାଙ୍କ ଭିତରୁ କିଛି ଠିକ କରିନେଇଛନ୍ତି ଯେ ବିନା କୌଣସି ବିଚାରରେ ହିଁ କହ୍ନେୟାଙ୍କୁ ଶାସ୍ତି ଦିଆହେବ। ନିଜ ହାତରେ ଆଇନକୁ ନେଇଯାଇଛନ୍ତି, ନିଜର ମତ ବିରୁଦ୍ଧରେ ଯେଉଁମାନେ କହିବାକୁ ସାହସ କରିଛନ୍ତି, ସେ ଗଣମାଧ୍ୟମ ହେଉ ବା ସୁପ୍ରିମ କୋର୍ଟର ନିଯୁକ୍ତି କରାହୋଇଥିବା ପରିଦର୍ଶକ, ପ୍ରତ୍ୟେକ ତାଙ୍କର ଆକ୍ରମଣର ଶିକାର ହୋଇଛନ୍ତି। ପୋଲିସ ସାଜିଛି ନୀରବଦର୍ଶକ। ସୁପ୍ରିମ କୋର୍ଟର ନିର୍ଦ୍ଦେଶ ସତ୍ତ୍ୱେ  ପୋଲିସ ଆଇନଜୀବୀଙ୍କ ଗୁଣ୍ଡାମିରେ ବାଧା ଦେଇନାହିଁ। ଏହି ଲେଖାଟି ଲେଖିବା ସମୟରେ ସେମାନେ ଖୋଲାଖୋଲି  ଦାଣ୍ଡରେ ବୁଲୁଛନ୍ତି। 

କିଛି ଟିଭି ଚ୍ୟାନେଲର ଭୂମିକା ଅତ୍ୟନ୍ତ ଦୁଃଖଜନକ। କିଛି ଚ୍ୟାନେଲର ଏଡିଟର ଓ ଉପସ୍ଥାପକଙ୍କର ଭୂମିକା ଆଇନଜୀବୀଙ୍କ ଗୁଣ୍ଡାମିଠାରୁ କିଛି କମ ନୁହେଁ। ସେମାନେ କହ୍ନେୟାର ଏପରି ଏକ ଛବି ଚିତ୍ରଣ କରିଛନ୍ତି ଯଦ୍ଦ୍ଵାରା ସାଧାରଣ ଦର୍ଶକର ପ୍ରଭାବିତ ନହେବା ଏବଂ କହ୍ନେୟା ପ୍ରତି ଘୃଣା ନଆସିବାଟା ବେଶ କଠିନ। ବେଶୀ ଜାତୀୟତାବାଦୀ ହେବାର ଦୌଡରେ ସାଧାରଣ ମଣିଷକୁ ଉତ୍ତେଜିତ କରିବା ପାଇଁ ଏହି ଚ୍ୟାନେଲଗୁଡିକ କହ୍ନେୟାଙ୍କୁ ନେଇ ମିଛ ଭିଡିଓ ମଧ୍ୟ ଦେଖାଇଛନ୍ତି। ଅନ୍ୟ କିଛି ଚ୍ୟାନେଲକୁ ଧନ୍ୟବାଦ ଯେ ସେମାନେ ଅନ୍ତତଃ ସତ୍ୟକୁ ଦେଖେଇଛନ୍ତି। ଚ୍ୟାନେଲଗୁଡିକର କ୍ଷମା ମାଗିବା ଉଚିତ ଥିଲା, କିନ୍ତୁ ତାହା ହୋଇନାହିଁ। ଏହା ତାଙ୍କର କର୍ତ୍ତବ୍ୟର ଗଫଲତି ବୋଲି ମନେହୁଏ। ମୋ ଭଳି କିଛି ମଣିଷଙ୍କୁ ଲାଗେ ଏହି ଅପରାଧରେ ସେମାନେ ମଧ୍ୟ ସାମିଲ। 

ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଏଠାରେ ଆଇନର ଶାସନ ଅଛି। JNUରେ ଯେଉଁମାନେ ଭାରତବିରୋଧୀ ସ୍ଲୋଗାନ ଦେଇଥିଲେ ଆଇନ ତାଙ୍କ ବିଚାର କରିବ। ସମ୍ବିଧାନ ଅନୁଯାୟୀ ତାଙ୍କର ଶାସ୍ତି ପାଇବା ଠିକ। ଏଥିରେ କୌଣସି ପ୍ରକାରର ପ୍ରଶ୍ନ ଉଠୁନାହିଁ। କିନ୍ତୁ ଏହି ପ୍ରସଙ୍ଗକୁ ନେଇ ସାରା ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଦିଆଯାଇପାରିବ ନାହିଁ। ଆଇନଜୀବୀମାନେ ବିଚାରକ ନୁହନ୍ତି ଯେ ଆଇନକୁ ନିଜ ହାତରେ ନେଇପାରିବେ। ବିଧାୟକ କୌଣସି ମାନବାଧିକାର କର୍ମୀଙ୍କୁ ମାଡ ମାରିପାରିବେ ନାହିଁ। ଶତ୍ରୁ ରାଜନୈତିକ ଦଳର ଅଫିସ ମଧ୍ୟ ଭଙ୍ଗାରୁଜା କରିପାରିବେ ନାହିଁ। ପୁଲିସ ନିସ୍ପୃହ ଭାବେ ତାଙ୍କ ଦାୟିତ୍ଵରୁ ମୁହଁ ବୁଲେଇଦେଇପାରିବେ ନାହିଁ, ସାମ୍ବାଦିକଙ୍କୁ ମାଡ ମାରିବା ଆଦୌ ଠିକ ନୁହେଁ; ସୁପ୍ରିମ କୋର୍ଟକୁ ମାନ୍ୟତା ଦେବାକୁ ହେବ ଏବଂ ଟିଭି ଏଡିଟରମାନେ ଲୋକଙ୍କ ମନରେ ଭାବପ୍ରବଣତା ସୃଷ୍ଟି କରିପାରିବେ ନାହିଁ। ଯଦି ଏସବୁ ଘଟିଚାଲେ ତେବେ ଭାରତର ଗଣତନ୍ତ୍ରର ଭବିଷ୍ୟତ କଣ ହେବ ତାହା ସହଜରେ ଅନୁମେୟ। 

ଏହି ପ୍ରବଣତାର କଥା ହିଁ ଗୋଲୱାଲକରଙ୍କୁ ଲେଖା ବିଖ୍ୟାତ ଚିଠିରେ ବୁଝେଇଥିଲେ ପଟେଲ। ହିଂସା ସୃଷ୍ଟି କରିବା ସହଜ। କିନ୍ତୁ ଏହା କ'ଣ ଭୁଲି ହେବ ଯେ ଏହି ହିଂସା ହିଁ ଗାନ୍ଧିଜୀଙ୍କ ମୃତ୍ୟୁର କାରଣ ହେଇଥିଲା। ଏହିପରି ଆଉ ଏକ ଘଟଣା ଆମେ ସହ୍ୟ କରିପାରିବୁ ନାହିଁ। ଏହି ହିଂସା ଓ ଦ୍ଵେଷ ଭାବନା ସୃଷ୍ଟି କରିବା ତୁରନ୍ତ ବନ୍ଦ ହେବା ଉଚିତ। ଏହା ସମସ୍ତଙ୍କ ପକ୍ଷେ ହାନିକାରକ। 

(ଲେଖକ ଆଶୁତୋଷ, AAP ନେତା, ସାମ୍ବାଦିକ। ଲେଖାର ବିଷୟ ଏବଂ ବକ୍ତବ୍ୟ ଲେଖକଙ୍କ ନିଜସ୍ୱ। ଅନୁବାଦ - ରୁଚି ପାଣିଗ୍ରାହୀ)