କ୍ୟାନସର ପୀଡିତଙ୍କ ପାଇଁ ଭିକ୍ଷା : ମୁମ୍ବଇ ଲୋକାଲ୍ ଟ୍ରେନରେ ଗିଟାର ବଜାଇ ମାଗନ୍ତି ସୌରଭ

କ୍ୟାନସର ପୀଡିତଙ୍କ ପାଇଁ ଭିକ୍ଷା : ମୁମ୍ବଇ ଲୋକାଲ୍ ଟ୍ରେନରେ ଗିଟାର ବଜାଇ ମାଗନ୍ତି ସୌରଭ

Friday January 01, 2016,

4 min Read

କିଛି ଲୋକ ଅଛନ୍ତି, ଯେଉଁମାନେ ଅନ୍ୟର ମୁହଁରେ ହସ ଦେଖି ଖୁସୀ ହୁଅନ୍ତି | ହଇରାଣ ହେଉଥିବା ଲୋକଙ୍କ ଜୀବନରେ ଖୁସୀ ଦେଖିଲେ ସେମାନଙ୍କୁ ଶାନ୍ତି ମିଳେ | ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ସୌରଭ ନିମ୍ବକର | ମୁମ୍ବାଇର ଡୋମ୍ବିବଲିରେ ରହୁଥିବା ସୌରଭ ପ୍ରାୟ ଲୋକାଲ୍ ଟ୍ରେନରେ ଦେଖିବାକୁ ମିଳନ୍ତି | ସୌରଭ ଲୋକମାନଙ୍କୁ ନିଜ ପସନ୍ଦର ଗୀତ ଶୁଣାନ୍ତି ଓ ଯାତ୍ରୀମାନେ ତାଙ୍କୁ ପଇସା ଦିଅନ୍ତି | ଆଉ ଏହି ଅର୍ଥକୁ ସେ କ୍ୟାନସର୍ ପୀଡିତ ଗରିବଲୋକମାନଙ୍କୁ ବାଣ୍ଟିଦିଅନ୍ତି |

ପିଲାଦିନରୁ ଲୋକଙ୍କ ମନୋରଂଜନ କରିବାରେ ରୁଚି

୨୩ ବର୍ଷୀୟ ସୌରଭ କହନ୍ତି, “ପିଲାଟି ଦିନରୁ ମୋତେ ଲୋକମାନଙ୍କର ମନୋରଂଜନ କରିବାକୁ ଭଲ ଲାଗୁଥିଲା | କଲେଜରେ ପଢିଲା ବେଳେ ସାଙ୍ଗମାନଙ୍କ ସହ ମୁଁ ଗିଟାର ବିଜାଇ ଗୀତ ବୋଲେ | ଏଥିରେ ଟ୍ରେନ୍ ରେ ଥିବା ଅନ୍ୟ ଯାତ୍ରୀମାନେ ମଧ୍ୟ ସାମିଲ ହୋଇଥାନ୍ତି |” ସୌରଭ ବାୟୋଟେକ୍ ବିଷୟରେ ସ୍ନାତକ ଓ ବାୟୋ-ଆନାଲିଟିକାଲ୍ ସାଇନ୍ସ ରେ ସ୍ନାତକତ୍ତୋର କରିଛନ୍ତି | ବର୍ତ୍ତମାନ ସେ ଇମ୍ବେଟିଆ ହେଲଥକେୟାର ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀରେ କାମ କରୁଛନ୍ତି | କ୍ୟାରିୟର ଆରମ୍ଭ କରୁଥିଲେ ମଧ୍ୟ ସୌରଭ ଲୋକାଲ୍ ଟ୍ରେନ୍ ରେ ସପ୍ତାହରେ ପ୍ରତି ଦିନ ଯାଆନ୍ତି |

image


କଲେଜ୍ ପଢିବା ସମୟରେ ସୌରଭ ଗିଟାରର କିଛି ନୋଟସ୍ ଶିଖିଥିଲେ | ସଂଗୀତ ପ୍ରତି ତାଙ୍କ ରୁଚି ଫଳରେ ସେ ଜଣେ ଶିକ୍ଷକଙ୍କ ଠାରୁ ମଧ୍ୟ ଏହାକୁ ଭଲ ଭାବେ ଶିଖିଥିଲେ | ତେବେ କଣ୍ଠ ଏତେ ଭଲ ନଥିବାରୁ ସେ ଷ୍ଟେଜ୍ ରେ କଳା ପ୍ରଦର୍ଶନ କରିନାହାନ୍ତି | ୨୦୧୩ରେ ସୌରଭଙ୍କ ମା କ୍ୟାନସରରେ ପୀଡିତ ହୋଇ ଏଡୱାର୍ଡ ମେମୋରିଆଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ |

ସୌରଭ କହନ୍ତି, “ମୋ ମା ହସ୍ପିଟାଲରେ ଥିବା ବେଳେ ମୁଁ ଦିନେ ଗିଟାର ନେଇ ଯାଇଥିଲି | ସେଠାରେ ମୁଁ ଯେତେବେଳେ ଏହାକୁ ବଜାଇବା ଆରମ୍ଭ କଲି ରୋଗୀମାନଙ୍କର ସମ୍ପର୍କୀୟମାନେ ବେଶ୍ ଖୁସୀ ହୋଇଥିଲେ | ଏହା ମୋତେ ପ୍ରେରଣା ଯୋଗାଇଥିଲା | ମୁଁ ପ୍ରାୟ ସେଠାକୁ ଯାଏ, ଲୋକଙ୍କୁ ଗିଟାର ବଜାଇ ଶୁଣାଏ | ମାଁ ବି ଏହାକୁ ନେଇ ବହୁତ ଖୁସୀ ଥିଲେ |”

ନୂଆ ମୋଡ

ହସ୍ପିଟାଲରେ ଭର୍ତ୍ତି ହେବାର ବର୍ଷେ ପରେ ସୌରଭଙ୍କ ମାଙ୍କର ଦେହାନ୍ତ ହୋଇଯାଇଥିଲା | ସେହିଦିନ ଠାରୁ ସେ ହସ୍ପିଟାଲ ଯିବା ଛାଡିଦେଇଥିଲେ | କିନ୍ତୁ ସେ ବୁଝି ସାରିଥିଲେ କ୍ୟାନସର ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ କିଭଳି ହଇରାଣ ହେବାକୁ ପଡେ |

ସୌରଭ କହନ୍ତି, “ଆମ ସମାଜ ସବୁ ଯାଗାରେ ଗରିବ ଓ ଧନୀ ମଧ୍ୟରେ ଭେଦଭାବ କରେ | କିନ୍ତୁ ଦୁର୍ଭାଗ୍ୟ ଯେ କ୍ୟାନସର୍ ରୋଗୀଙ୍କୁ ଚିକିତ୍ସା ଖର୍ଚ୍ଚ ସମୟରେ ଏହି ଭେଦଭାବ ନାହିଁ | କ୍ୟାନସର ରୋଗୀ ପାଇଁ ଚିକିତ୍ସା ପାଇଁ ଅଧିକ ଅର୍ଥ ଦରକାର ହେଉଥିବାରୁ ରୋଗୀର ସମ୍ପର୍କୀୟଙ୍କ ଜୀବନ ନର୍କ ସମାନ ହୋଇଯାଏ | ତେବେ କିଛି ସଂସ୍ଥା କ୍ୟାନସର୍ ରୋଗୀଙ୍କ ଚିକିତ୍ସା ପାଇଁ କାମ କରୁଛନ୍ତି | କିନ୍ତୁ ପରିବାରର ଅନ୍ୟସବୁ ଆବଶ୍ୟକତା ପୂରଣ ପାଇଁ ରୋଗୀଙ୍କ ସମ୍ପର୍କୀୟମାନେ ବହୁତ ହଇରାଣ ହୁଅନ୍ତି | ଏଭଳି ପରିବାରକୁ ସାହାଯ୍ୟ କରିବ କିଏ ? ଏହା ହେଉଛି ସବୁଠୁ ବଡ ପ୍ରଶ୍ନ | ”

ଗିଟାର ଧରିଥିବା ଭିକାରୀ

ସୌରଭ ସ୍ଥିର କଲେ ଯେ ପୁଣି ସେହି କଲେଜ୍ ପଢିବା ଦିନ ଭଳି ଟ୍ରେନରେ ଗିଟାର ବାଜାଇ ଲୋକଙ୍କୁ ଗୀତ ଶୁଣେଇବି | ଏହା ଦ୍ୱାରା ସେମାନଙ୍କ ଠାରୁ କ୍ୟାନସର ରୋଗୀଙ୍କ ପାଇଁ ଦାନ ସଂଗ୍ରହ କରିବି | କିନ୍ତୁ ମୋ ସାମ୍ନାରେ ଅନେକ ପ୍ରଶ୍ନ ଥିଲା | ଲୋକେ ମୋତେ ବିଶ୍ୱାସକୁ ନେବେ କାହିଁକି ? ମୁଁ କିଭଳି ସତକଥାର ପ୍ରମାଣ ଦେବି ? ଏହି ଦୃଷ୍ଟିରୁ ସେ ନିଜକୁ ଏକ ଏନଜିଓ ସହ ସାମିଲ କଲେ ଓ ସେହି ଏନଜିଓ ନାଁରେ ସେ କ୍ୟାନସର ରୋଗୀଙ୍କ ପାଇଁ ପାଣ୍ଠି ସଂଗ୍ରହ କଲେ |

ଧୀରେ ଧୀରେ ସୌରଭଙ୍କ ଏହି ପ୍ରୟାସରେ ସାଧାରଣ ଲୋକ ସାମିଲ ହେବାକୁ ଲାଗିଲେ | କିଛି ଯାତ୍ରୀ ସେମାନଙ୍କ ପସନ୍ଦର ଗୀତ ଗାଇବାକୁ ଅନୁରୋଧ କରିଥାନ୍ତି | ତେବେ କିଛି ଲୋକ ସମାଲୋଚନା ମଧ୍ୟ କରନ୍ତି | ସେମାନେ ମୋତେ ଭାବନ୍ତି, ମୁଁ ହେଉଛି ଭଲ ସାର୍ଟ ପ୍ୟାଣ୍ଟ ପିନ୍ଧିଥିବା ଓ ଗିଟାର ବଜାଉଥିବା ଭିକାରୀ | କିନ୍ତୁ ଅଧିକାଂଶ ଲୋକ ମୋ କାମକୁ ପସନ୍ଦ କରି ଆସିଛନ୍ତି |

ସୌରଭ କହନ୍ତି ଦିନେ ଦିନେ ୮୦୦ ରୁ ୧୦୦୦ଟଙ୍କା ପର୍ଯ୍ୟନ୍ତ ଦାନ ମିଳିଯାଏ | ଲୋକେ ମୋତେ ୧୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ଦାନ ଦିଅନ୍ତି | ଏହି ପଇସାରେ କ୍ୟାନସର୍ ପୀଡିତ ପରିବାରକୁ ପ୍ରଦାନ କରାଯାଇଥାଏ | ସେ ଲୋକାଲ୍ ଟ୍ରେନରେ ହିଁ ଚଢନ୍ତି | ଅଧିକ ଭିଡ ଥିବା ଟ୍ରେନରେ ସେ ଚଢନ୍ତି ନାହିଁ | କାରଣ ତାଙ୍କୁ ସେଠାରେ ଗିଟାର ବଜାଇବାକୁ ଯାଗା ମିଳିବ ନାହିଁ | ଖାଲି ଟ୍ରେନ୍ ରେ ମଧ୍ୟ ସେ ଚଢନ୍ତି ନାହିଁ | କାରଣ ସେଠାରେ ଦାନ ଦେବା ପାଇଁ କମ୍ ଲୋକ ଥାନ୍ତି |

ସମସ୍ତେ ମିଶି କିଛି କାମ କରିହେବ

ସୌରଭଙ୍କ କହିବା କଥା ହେଲା – ପ୍ରତ୍ୟେକ ଲୋକ ପାଖରେ କିଛି ନା କିଛି ଭଲ ଗୁଣ ରହିଛି | ଯଦିଓ ମୋତେ ସଂଗୀତରେ କମ୍ ଜ୍ଞାନ, ତେବେ ଭଲ କାମରେ ଏହାର ମୋ ପାଇଁ ପରିଚୟ ସୃଷ୍ଟି କରିଛି | ସବୁଲୋକ ଯଦି କିଛି କିଛି ଆଇଡିଆ ସହ ଲୋକଙ୍କୁ ସହାୟତା କରିବା ଲାଗି ଆଗକୁ ବଢିବେ, ତେବେ ସ୍ଥିତି କଣ ହେବ ଭାବନ୍ତୁ | ମୋ ଭାବନାରେ ସମସ୍ତେ ନିଜ ଆୟର ଏକ ପ୍ରତିଶତ ନିଜ ଇଲାକାରେ ଲୋକସେବା କରୁଥିବା ଏନଜିଓକୁ ଦେବା ଦରକାର | ଏହା ଲାଗୁ କରିବା କଠିନ, କିନ୍ତୁ ଅସମ୍ଭବ ନୁହେଁ | ସୌରଭଙ୍କ କାମ ପ୍ରତି ଲୋକଙ୍କ ଧ୍ୟାନ ରହିଛି | ଏକ ବ୍ୟାଣ୍ଡ୍‌ ଆରମ୍ଭ କରିବା ଲାଗି ଅନେକ ଲୋକ ପ୍ରସ୍ତାବ ଦେଉଛନ୍ତି | କିନ୍ତୁ ମୁଁ ଲୋକମାନଙ୍କୁ ଗୋଟିଏ ବ୍ୟକ୍ତିର ଶକ୍ତି ବିଷୟରେ ଜଣାଇବାକୁ ଚାହୁଁଛି | କାରଣ ମୋ କାମ ଦେଖିକରି କିଛି ଲୋକ ଭାବୁଛନ୍ତି ସେମାନେ ବି କିଛି କରିପାରିବେ | ସୌରଭ ଗୀତର ତାଳେ ତାଳେ ଲୋକଙ୍କ ଜୀବନ ସଂଗୀତକୁ ଠିକ୍ ଭାବେ ରୂପ ଦେଉଛନ୍ତି |

ମୂଳ ଲେଖା - ଅନମୋଲ

ଭାଷାନ୍ତର - ଅଖଣ୍ଡ