EuroAble: ଅସାଧାରଣ ଲୋକଙ୍କ ଦ୍ୱାରା ପରିଚାଳିତ ସାଧାରଣ କଲ୍ ସେଂଟର

EuroAble: ଅସାଧାରଣ ଲୋକଙ୍କ ଦ୍ୱାରା ପରିଚାଳିତ ସାଧାରଣ କଲ୍ ସେଂଟର

Thursday November 05, 2015,

5 min Read

ନିକଟରେ ଏକ ନିବନ୍ଧରେ ଅଭିନେତା ଶାହରୁଖ୍ ଖାନ୍ କହିଛନ୍ତି ଯେ ଦାନଧର୍ମ କରିବା ଜୀବନର ଏକ ଦିଗ । ଡିଏନ୍ଏ ଖବରକାଗଜରେ ପ୍ରକାଶିତ ଏହି ନିବନ୍ଧରେ ସେ ଆହୁରି ମଧ୍ୟ କହିଛନ୍ତି, “ଏହା କୌଣସି ସୁବିଧାପ୍ରଦ ପ୍ରସଙ୍ଗ ନୁହେଁ । ଏହା ହେଉଛି ଜୀବନରେ ଛୋଟ ଆକାରରେ ଏକ ବଡ଼ ଜିନିଷ କରିବା। ସହାନୁଭୂତିର ଏକ ଆଦର୍ଶ ହେଉଛି ମାନବିକତା, ଯାହା ସମାନତାର ଦୀର୍ଘ ପୁରାତନ ବିଚାରଧାରା ଉପରେ ପର୍ଯ୍ୟବେଶିତ । ସମାନତା ଏକ ଧାରଣା ଯେଉଁଠି ସମସ୍ତ ପ୍ରାଣୀ ଏକ ଅନ୍ତର୍ନିହିତ ଗୁଣାବଳୀ ସହ ଜନ୍ମ ହୋଇଥାନ୍ତି । ଏହି ଗୁଣ ପାଇଁ ସେମାନେ ସମସ୍ତେ କୌଣସି ଦେଶ କିମ୍ବା ପାରିପାଶ୍ୱିର୍କ ପରିସ୍ଥିତି ନିର୍ବିଶେଷରେ ସମ୍ମାନ ପାଇବା ଯୋଗ୍ୟ।”

ଯେତେବେଳେ ଆମେ EuroAble କଲ୍ ସେଂଟର ସଂପର୍କରେ ଶୁଣିବାକୁ ପାଇଲୁ, ଏହାର ସମାନ୍ତରାଳ ଦିଗ କଥା ମଧ୍ୟ ଜାଣିବାକୁ ପାଇଲୁ । EuroAble, ୟୁରେକା ଫୋର୍ବ୍ସ ଦ୍ୱାରା ପରିଚାଳିତ । ପ୍ରାୟ ଏକ ବର୍ଷ ପୂର୍ବେ, କଂପାନୀର ସାମାଜିକ ଦାୟିତ୍ୱବୋଧ(ସିଏସ୍ଆର୍)ର ପ୍ରଚେଷ୍ଟା ରୂପେ ଆରମ୍ଭ ହୋଇଥିଲା। ଏହି କଲ୍ ସେଂଟର, ଭାରତରେ ପ୍ରଥମ ଏଭଳି ଏକ ପ୍ରକଳ୍ପ ଯାହା ଭିନ୍ନକ୍ଷମଙ୍କ ଦ୍ୱାରା ସଂପୂର୍ଣ୍ଣ ଭାବେ ପରିଚାଳିତ । ଏହି ପ୍ରକଳ୍ପ ଭିନ୍ନକ୍ଷମ ଲୋକଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବାରଏକ ସୁଯୋଗ ପ୍ରଦାନ କରିଛି, ଫଳରେ ସେମାନେ ସମ୍ମାନ ଓ ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇ ଜୀବନଧାରଣ କରିପାରିବେ । ଏହି ପରିଯୋଜନା ଦ୍ୱାରା EuroAble ଭିନ୍ନତାର ସୀମାକୁ ଲିଭାଇବାରେ ସକ୍ଷମ ହୋଇଛି ।

image


ମୁମ୍ବାଇର ସହରତଳି ଅଞ୍ଚଳ ଚେମ୍ବୁର ଠାରେ ଥିବା ଏହି କେନ୍ଦ୍ର ନାସ୍ଇହୋ(ନ୍ୟାସନାଲ୍ ସୋସାଇଟି ଫର୍ ଇକ୍ୱାଲ୍ ଅପ୍ରଚ୍ୟୁନିଟିସ୍ ଫର୍ ଦ ହ୍ୟାଣ୍ଡିକ୍ୟାପ୍ଡ୍), ୫୦୦୦ବର୍ଗଫୁଟ ଇଲାକାରେ ପରିବ୍ୟାପ୍ତ । ଯେଉଁ ସ୍ଥାନରେ ପ୍ରମୁଖ କାର୍ଯ୍ୟ କରାଯାଏ ତାହା ଏକ ବିରାଟ ପ୍ରକୋଷ୍ଠ ଅଟେ, ଏଠାରେ ୯୦ଟି ୱାର୍କ ଷ୍ଟେସନ୍ ରହିଛି । ଏହା ମଧ୍ୟରୁ ୧୦ଟି କେବଳ ହୁଇଲଚେୟାରରେ ଚଳପ୍ରଚଳ କରୁଥିବା ଲୋକଙ୍କ ପାଇଁ ଉଦ୍ଧିଷ୍ଟ । EuroAble ପ୍ରକଳ୍ପ, ୟୁରେକା ଫୋର୍ବ୍ସର ବିନାଥ୍ ହେଗେଡେଙ୍କ ଦ୍ୱାରା ସଂଯୋଜିତ । ଏହି ପ୍ରକଳ୍ପର ପରିକଳ୍ପନା ଓ ବ୍ୟାକ୍ ଏଣ୍ଡ୍ କଲ୍ ସେଂଟର ଟେକ୍ନୋଲଜିର ବିକାଶ ସ୍ୱୟଂ ବିନଥାଙ୍କ ଚିନ୍ତାଧାରାର ବାସ୍ତବ ରୂପରେଖ ଅଟେ । EuroAbleକୁ ପରିଚାଳିତ କରୁଥିବା କର୍ମଚାରୀଙ୍କୁ ସେ ହିଁ ନିଯୁକ୍ତି, ପ୍ରଶିକ୍ଷଣ ଦେଇଛନ୍ତି ।

ଯଦିଓ, ଏଠାରେ ଏକ ବୃତ୍ତିଗତ ଭିନ୍ନତା ପରିଲକ୍ଷିତ ହୁଏ କାରଣ, କର୍ମ ସଂସ୍ଥାନ ପାଇଁ ନିଯୁକ୍ତି, ନିଜର ବୃତ୍ତିଗତ ରାସ୍ତାରେ ଆଗକୁ ବଢ଼ିବା ଆଦି କ୍ଷେତ୍ରରେ କଲ୍ ସେଂଟରର କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତାର ଏକ ଶୃଙ୍ଖଳିତ ପଦ୍ଧତ୍ତିରେ ଆକଳନ କରାଯାଏ । ଚୟନ ପ୍ରକ୍ରିୟାରେ, ପ୍ରାର୍ଥୀମାନେ ଏକ ଲିଖିତ ପରୀକ୍ଷାର ଓ ସାମୂହିକ ଆଲୋଚନାର ସମ୍ମୁଖିନ ହୁଅନ୍ତି, ଏହାପରେ ପ୍ରତ୍ୟକ୍ଷ ସାକ୍ଷାତକାର ଅନୁଷ୍ଠିତ ହୁଏ । ୟୁରେକା ଫୋର୍ବ୍ସର ସିଇଓ-ଡାଇରେକ୍ଟ ସେଲ୍ସ ତଥା ବରିଷ୍ଠ ଉପାଧ୍ୟକ୍ଷ-ବିପ୍ଣନ ମାରଜିନ୍ ସ୍ରୋଫ୍ କହନ୍ତି, “ ଅଧିକାଂଶ କର୍ମଚାରୀ ଲାଜକୁଳା ଅଟନ୍ତି । ଏପରିକି ସେମାନେ ଚାକିରିରେ ଯୋଗ ଦେବାବେଳେ କୌଣସି କଥା କହିବାକୁ ପଛଘୁଞ୍ଚା ଦେଇଥାନ୍ତି । ଅନେକ ନିମ୍ନ ଆୟଧାରୀ ସ୍ତରରୁ ଆସିଥାନ୍ତି, ଏଣୁ ସେମାନଙ୍କ ସ୍ୱଳ୍ପ କିମ୍ବା ଆଦୌ ଇଂରାଜି ଜ୍ଞାନ ନଥାଏ । ଆମକୁ ସେମାନଙ୍କ ମଧ୍ୟରେ ସର୍ବାଧିକ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ପଡ଼ିଥାଏ କାରଣ, ସାମାଜିକ ଭାବେ ଭେଦଭାବର ଶିକାର ହୋଇଥିବାରୁ ଅଧିକାଂଶ ଭିନ୍ନକ୍ଷମ ଯୁବକଙ୍କ ଶୈଶବ ସାଧାରଣ ଭାବେ ବିତିନଥାଏ ।

Marzin Shroff

Marzin Shroff


ସଂପ୍ରତି କଲ୍ ସେଂଟରଟି ୯୬ଜଣ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏବଂ ମାରଜିନ୍ କହନ୍ତି ଯେ କର୍ମଚାରୀମାନେ ନିୟମିତ ପ୍ରୋତ୍ସାହନ ଓ ତଦାରଖର ଆବଶ୍ୟକତା କରିଥାନ୍ତି । କଲ୍ କୁ ଯିବା ପୂର୍ବରୁ, କର୍ମଚାରୀମାନେ ଇଂରାଜୀ କଥାବାର୍ତା କରିବା, ଉତ୍ପାଦ ସଂପର୍କରେ ଜ୍ଞାନ ଓ ଗ୍ରାହକଙ୍କ ଫୋନ୍ କଲକୁ କିଭଳି ଗ୍ରହଣ କରାଯିବ ସେନେଇ ପ୍ରଶିକ୍ଷଣ ପାଇଥାନ୍ତି । ନୂତନ କର୍ମଚାରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାଧାରଣ କର୍ମଚାରୀଙ୍କୁ ଦିଆଯାଉଥିବା୧୦ ଦିନ ପରିବର୍ତେ ସେମାନଙ୍କ ପ୍ରଶିକ୍ଷଣ ଦୀର୍ଘ ତିନିମାସ ଧରି ଚାଲିଥାଏ ।

କର୍ମଚାରୀଙ୍କ କର୍ମ ନିର୍ବାହର ନିୟମିତ ଆକଳନ କରାାଯାଏ ଓ କର୍ପୋରେଟ୍ ସଂସ୍ଥା ଭଳି ସେମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥାଏ । ଜଣେ କ୍ୱାଲିଟି ମ୍ୟାାନେଜର କର୍ମଚାରୀଙ୍କ କାମର ତଦାରଖ କରିଥାଏ, ଯଦି କୌଣସି କର୍ମଚାରୀଙ୍କ କର୍ମ ନିର୍ବାହତା ୯୦ ପ୍ରତିଶତରୁ କମ୍ ହୁଏ ତେବେ ତାଙ୍କୁ ପୁଣିଥରେ ରିଫ୍ରେସର କୋର୍ସ ପାଇଁ ପଠାଯିବା ସହ ଏକ ଲିଖିତ ପରୀକ୍ଷା ଦେବାକୁ ପଡ଼ିଥାଏ । ଆବଶ୍ୟକସ୍ଥଳେ କେତେକଙ୍କୁ କାଉନ୍ସେଲିଙ୍ଗ ପ୍ରଦାନ କରାଯାଇଥାଏ । ମାରଜିନ୍ କହନ୍ତି, “ ଅନେକ କର୍ମଚାରୀ ଯେଉଁମାନେ ବର୍ଷ ତମାମ ଉତ୍ତମ ଭାବେ କାର୍ଯ୍ୟ ନିର୍ବାହ କରିଥାନ୍ତି ଓ କଲ୍ ସେଂଟର ସହ ବିକଶିତ ହୋଇଥାନ୍ତି, ସେମାନଙ୍କୁ ନେତୃତ୍ୱ ବିକାଶ ଯୋଜନାରେ ସାମିଲ କରାଯାଇଥାଏ । ସେମାନେ ସମଗ୍ର କଲ୍ ସେଂଟରର କାର୍ଯ୍ୟକୁ ତଦାରଖ କରିଥାନ୍ତି ।”

ଅନ୍ୟ ବିପିଓ କ୍ଷେତ୍ର ଭଳି, EuroAbleର କର୍ମଚାରୀମାନେ ଏକ ନିର୍ଦ୍ଧିଷ୍ଟ କ୍ୟାରିଅର୍ ପ୍ରଗତିର ସୁଯୋଗ ପାଇଥାନ୍ତି । କେବଳ ଏହାନୁହେଁ ସେମାନେ ନିଜର ଦକ୍ଷତା ଅନୁସାରେ ସେମାନଙ୍କର କର୍ମକ୍ଷେତ୍ରକୁ ପରିବ୍ୟାପ୍ତ କରି ପ୍ରଶିକ୍ଷଣ, ଅପରେସନ୍ କିମ୍ବା ଏମ୍ଆଇଏସ୍ରେ ନିଯୁକ୍ତ ପାଇଥାନ୍ତି । କଲ୍ ସେଂଟରରେ କାମ କରୁଥିବା କର୍ମଚାରୀଙ୍କ ନିମନ୍ତେ ଦରମା ମାସିକ ୮,୫୦୦ଟଙ୍କାରୁ ଆରମ୍ଭ ହୋଇଥାଏ ଏବଂ ସେମାନେ ଏହା ସହ ବୋନଓ, ଗ୍ରାଚୁଏଟି ଓ ପ୍ରଭିଡେଂଟ୍ ଫଣ୍ଡ୍ ଭଳି ଅନ୍ୟ ସୁବିଧା ମଧ୍ୟ ପାଇଥାନ୍ତି । ଏକ ଉତ୍ତମ କର୍ମକ୍ଷେତ୍ର ପରିବେଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥାଏ । ଉଦାହରଣ ସ୍ୱରୂପ, ୱାର୍କ ଷ୍ଟେସନ୍ ଗୁଡ଼ିକ ସାଧାରଣ ୱାର୍କ ଷ୍ଟେସନ୍ ଠାରୁ ୧ଫୁଟ ଅଧିକ ଲମ୍ବା ଅଟେ । ଏହା ୩ଫୁଟ ଲମ୍ବା ଅଟେ, ଫଳରେ ଉଭୟ ହ୍ୱିଲ୍ ଚେୟାର୍ ଓ କ୍ରଚ ପାଇଁ ଯଥେଷ୍ଟ ସ୍ଥାନ ରହିଥାଏ ।ଏଠାରେ ସମସ୍ତ ନିୟନ୍ତ୍ରଣ ଡେସ୍କ ଉପରୁ କରାଯାଇପାରିବ ତାକୁ ଦୃଷ୍ଟିରେ ରଖି ଡେସ୍କଟପ୍ କମ୍ପ୍ୟୁଟର ଗୁଡ଼ିକ ମଧ୍ୟ ସ୍ୱତନ୍ତ୍ର ଭାବେ ନିର୍ମିତ ହୋଇଛି ଫଳରେ କର୍ମଚାରୀମାନେ ତଳକୁ ନଇଁବାକୁ ପଡ଼ିବନାହିଁ । ସେହିଭଳି କର୍ମଚାରୀମାନଙ୍କୁ ନେବାଆଣିବା କରିବା ନିମନ୍ତେ ଅତିରିକ୍ତ ବ୍ୟବସ୍ଥା କରାଯାଇଛି ।

ପ୍ରତି ୱାର୍କଷ୍ଟେସନରେ ୧୨୫ଟି ଫୋନ୍ କଲ ଗ୍ରହଣ କରାଯାଇଥାଏ ଏବଂ ମାର୍ଜିନ୍ କହନ୍ତି, “EuroAbleର କର୍ମଚାରୀମାନେ ୟୁରେକା ଫୋର୍ବ୍ସର ଉତ୍ତର ଭାରତର ସମସ୍ତ ଗ୍ରାହକଙ୍କ ଅଭିଯୋଗ ଏବଂ ପ୍ରଶ୍ନର ଉତ୍ତର ଦେଇଥାନ୍ତି । ଏହି କଲ ସେନ୍ଟର ଅଧୀନରେ ଗୁଜରାଟ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମହାରାଷ୍ଟ୍ର ରହିଛି । ଏହି ସେଂଟରର କାମ ଆରମ୍ଭ ହେବା ପରେ କଲ୍ ଗ୍ରହଣ ସମୟ ୩୫୬ ସେକେଣ୍ଡରୁ ହ୍ରାସ ପାଇ ୧୬୯ ସେକେଣ୍ଡରେ ପହଂଚିଛି ।

୨୦୧୨ରେ, ନ୍ୟାସନାଳ୍ ସେଂଟର ଫର୍ ପ୍ରୋମସନ୍ ଅଫ୍ ଇମ୍ପ୍ଲୋଏମେଂଟ୍ ଫର୍ ଡିଜାବଲ୍ଡ୍ ପିପୁଲ୍(ଏନ୍ସିପିଇଡିପି) ପକ୍ଷରୁ EuroAbleକୁ ଭିନ୍ନକ୍ଷମ ଲୋକଙ୍କୁ ନିଯୁକ୍ତିର ସୁଯୋଗ ଦେଇଥିବାରୁ ହେଲେନ୍ କେଲେର୍ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଯାହା ଏକ ଛୋଟିଆ ପ୍ରଚେଷ୍ଟା ରୂପେ ଆରମ୍ଭ ହୋଇଥିଲା ତାହା ବର୍ତମାନ ଏକ ବିରାଟ ରୂପରେ ଆଦୃତି ଲାଭ କରିଛି । ୟୁରୋକା ଫୋର୍ବ୍ସ ୨୦୦୮ ମସିହାରେ ଏନ୍ଏଏସ୍ଇଓଏଚ୍ ସହ ସାମିଲ ହୋଇ ଉପକରଣ ମରାମତି କେନ୍ଦ୍ର ଆରମ୍ଭ କରିଛି । ଏହି ସଂପର୍କ ୨୦୦୯ରେ ବିସ୍ତାର ଲାଭ କରି ଏନ୍ଏଏସ୍ଇଓଏଚ୍ର ଭିନ୍ନକ୍ଷମ ଶିକ୍ଷାର୍ଥୀମାନଙ୍କୁ ଆକ୍ୱାଗାର୍ଡ ୱାଟର ପ୍ୟୁରିଫିକେସନ୍ର ପିସିବି ମଦରବୋର୍ଡ ନିର୍ମାଣ କରିବା କାମରେ ନିଯୁକ୍ତ କରିପାରିଛି । ସେହିଭଳି, ଅନ୍ୟ ଶିକ୍ଷାର୍ଥୀଙ୍କୁ ମଧ୍ୟ କଂପାନୀର ସିଆର୍ଏମ୍ ବିଭାଗରେ ଲିଡ୍ ସୃଷ୍ଟିକରିବା କାମରେ ନିୟୋଜିତ କରାଯାଇଛି । ମାରଜିନ୍ ଏନେଇ କହନ୍ତି, “ଆମେ ଯେତେବେଳେ ୫ଜଣ ଯୁବକଙ୍କ ଉତ୍ସାହ ଓ ସଫଳତା ଦେଖିଲୁ ଏବଂ ଗ୍ରାହକଙ୍କ ପ୍ରତିକ୍ରିୟା ପାଇଲୁ, ଆମେ ଆମର ୮ ନିୟୁତ ଗ୍ରାହକଙ୍କ ପାଇଁ ଏହି କଲ୍ ସେଂଟରର ସ୍ଥାପନ କରାଗଲା । ଏହି ପ୍ରଚେଷ୍ଟା କ୍ରମାନ୍ୱୟରେ ଏକ ଉକ୍ତୃଷ୍ଟ କଲ୍ ସେଂଟର ଓ କର୍ମସ୍ଥଳରେ ଭିନ୍ନକ୍ଷମ ଯୁବକଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥାରେ ପରିଣତ ହୋଇଥିଲା ।”

ଦେଶର ସମସ୍ତ ଭିନ୍ନକ୍ଷମଙ୍କ ପାଇଁ ନିଯୁକ୍ତର ସୁଯୋଗ ସୃଷ୍ଟି କରିବା ଏକ କଷ୍ଟକର ଆହ୍ୱାନ । ଏହି ପରିସ୍ଥିତିରେ ୟୁରୋ ଏବୁଲ୍, ଭିନ୍ନକ୍ଷମଙ୍କ ପାଇଁ ଏକ ଉତ୍ତମ ବାତାବରଣରେ କର୍ମସଂସ୍ଥାନର ସୁଯୋଗ ଦେବା ଦ୍ୱାରା ସେମାନଙ୍କର ମନୋବଳ ବୃଦ୍ଧି କରିବାରେ ସହାୟକ ହୋଇଛି । ଏହି କଲ୍ ସେଂଟରର ସଫଳତା ପରେ ୟୁରେକା ଫୋର୍ବ୍ସ ଅନ୍ୟ ପ୍ରତିଷ୍ଠାନଗୁଡ଼ିକୁ ଅନୁରୂପ ପ୍ରକଳ୍ପ ଆରମ୍ଭ କରିବାକୁ ପରାମର୍ଶ ଦେଉଛି । ମାର୍ଜିନ୍ କହନ୍ତି, “ ଅନ୍ୟ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ EuroAbleର କଲ୍ ସେଂଟର ବ୍ୟବହାର କରିବାକୁ ନିମନ୍ତ୍ରିତ କରାଯାଉଛି । ଆଗାମୀ ଦିନରେ EuroAble ଚକ୍ଷୁହୀନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାକୁ ଯୋଜନା ଆରମ୍ଭ କରିଛି ।