ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ୪୦ ଜଳ ଏଟିଏମ୍

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ୪୦ ଜଳ ଏଟିଏମ୍

Tuesday March 01, 2016,

2 min Read

ଗ୍ରୀଷ୍ଣ ଋତୁ ପାଖେଇ ଆସୁଥିବା ବେଳେ ସହରର ପାନୀୟଜଳ କଷ୍ଟ ଦୂର କରିବା ଲାଗି ଅଭିନବ ପନ୍ଥା ଆପଣେଇଛି ଭୁବନେଶ୍ବର ମହାନଗର ନିଗମ(BMC) । ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଜଳ ଏଟିଏମ୍ ଯନ୍ତ୍ର ସ୍ଥାପନ କରିବାକୁ BMC ନିଷ୍ପତ୍ତି ନେଇଛି । ସହରର ବିଭିନ୍ନ ସ୍ଥାନରେ ମୋଟ ୪୦ଟି ଜଳ ଏଟିଏମ୍ ପ୍ରତିଷ୍ଠା ହେବ । ସୋମବାର (୨୯ ଫେବ୍ରୁଆରି ୨୦୧୬) BMC ବଜେଟ ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି।

image


ଦେଶର କୋଲକାତା ଓ ଅନ୍ୟ କେତେକ ସହରରେ ଜଳ ଏଟିଏମ୍ ସ୍ଥାପନ ହୋଇ ସାରିଥିବା ବେଳେ ବିଏମସିର ଏଭଳି ପଦକ୍ଷେପ ଭୁବନେଶ୍ୱର ସହରବାସୀଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇବାରେ ସମର୍ଥ ହେବ । ଏଟିଏମ୍ ଟଙ୍କା ଉଠାଣ ଭଳି ଜଳ ଏଟିଏମରେ ସ୍ବତନ୍ତ୍ର କାର୍ଡ ମାଧ୍ୟମରେ ଗ୍ରାହକମାନେ ୨୪ ଘଣ୍ଟା ଜଳ ସଂଗ୍ରହ କରିପାରିବେ ।

ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି,

ଖୁବ ଶୀଘ୍ର ସରକାର ଜଳ ଏଟିଏମ୍ ପ୍ରକଳ୍ପକୁ ଅନୁମୋଦନ କରିବେ ବୋଲି ଆଶା କରାଯାଉଛି। ୨ କୋଟି ଟଙ୍କା ବ୍ୟୟରେ ଏଟିଏମ୍ ପ୍ରତିଷ୍ଠା କରାଯିବ । ସହରକୁ ପର୍ଯ୍ୟଟକଙ୍କ ଆଗମନ ବଢ଼ୁଥିବା ବେଳେ ସ୍ବଚ୍ଛତା ବୃଦ୍ଧି ପାଇଁ ୨.୫ କୋଟି ଟଙ୍କା ବ୍ୟୟରେ ସହରର ୬୪ଟି ସ୍ଥାନରେ ପରିସ୍ରାଗାର ମଧ୍ୟ ନିର୍ମାଣ ହେବ ।


image


ଜଳ ଏଟିଏମ୍ ବ୍ୟବହାର କରିବାକୁ ଚାହୁଁଥିବା ସହରବାସୀଙ୍କୁ ସ୍ବତନ୍ତ୍ର ଏଟିଏମ୍ କାର୍ଡ ମିଳିବ । ବିଭିନ୍ନ ମୂଲ୍ୟର ଏକାଧିକ ଏଟିଏମ୍ କାର୍ଡ ରହିଛି । ନିଜର ଆବଶ୍ୟକତା ଅନୁସାରେ ଗ୍ରାହକମାନେ କାର୍ଡ କ୍ରୟ କରିବେ । କାର୍ଡରେ ଥିବା ସୁବିଧା ଅନୁସାରେ ପ୍ରତ୍ୟହ ଏକ ନିର୍ଦ୍ଧିଷ୍ଟ ସୀମା ପର୍ଯ୍ୟନ୍ତ ଜଳ ସଂଗ୍ରହ କରାଯାଇ ପାରିବ । ଜନବହୁଳ ଆବାସିକ ଅଞ୍ଚଳମାନଙ୍କରେ ଏହି ଏଟିଏମ୍ ଯନ୍ତ୍ର ସ୍ଥାପିତ ହେବ ।

ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।