'କାଜୁ ର ରାଜା' : ରାଜମୋହନ ପିଲ୍ଲାଇ

'କାଜୁ ର ରାଜା' : ରାଜମୋହନ ପିଲ୍ଲାଇ

Saturday July 02, 2016,

6 min Read

କାଜୁ ର ରାଜା! ଆରେ ଇଏ କଣ? ଜେଜେମା ଆଉ ଜେଜେବାପାଙ୍କ ଅମଳର କାହାଣୀ ନୁହେଁ ତ? 

ନା ଆଜ୍ଞା, ଇଏ ହେଉଛି ଏକ ବ୍ୟକ୍ତିଙ୍କ କାହାଣୀ । ଯେଉଁ ବ୍ୟକ୍ତି ଜଣକ ନିଜ ଜୀବନରେ କେବେ ହାର ମାନିନାହାନ୍ତି । ଯେତେ ସଂକଟ ଆସିଲେ ମଧ୍ୟ ଭାଙ୍ଗିପଡିନାହାନ୍ତି । ବାଧାବିଘ୍ନକୁ ହସି ହସି ସାମନା କରିଛନ୍ତି । ତାଙ୍କର ଜୀବନରେ ଏମିତି ବି ଘଟଣା ଘଟିଛି ଯାହା ଅନ୍ୟମାନେ ଶୁଣିଲେ ଭୟ କରିବେ । ଲାଗିବ ଏମିତି କେବେ ହୋଇପାରିବ ନାହିଁ । କିନ୍ତୁ ଘଟଣା ଟି ସତ ।

image


କେରଳ ର ଉଦ୍ୟୋଗପତି ରାଜମୋହନ ପିଲ୍ଲାଇଙ୍କ କ୍ଷେତ୍ରରେ ଏହା ଘଟିଛି । ରାଜମୋହନଙ୍କ ପିତା, ଆଉ ବଡଭାଇ ବ୍ୟାପାର କରି ବହୁ ଧନ ଉପାର୍ଜନ କରିଥିଲେ । କିନ୍ତୁ ପରିସ୍ଥିତିରେ ପଡି ସବୁ କିଛି ସର୍ବସ୍ଵାନ୍ତ ହୋଇଗଲା । କୋଟି କୋଟି ଟଙ୍କା ରୋଜଗାର କରୁଥିବା ପିତାଙ୍କ କମ୍ପାନୀର ଅବସ୍ଥା ଶୋଚନୀୟ ହୋଇଗଲା । ବଡଭାଇ ଜେଲ ଗଲେ । କ୍ଷଣକ ମଧ୍ୟରେ ସତେ ଯେମିତି ଏତେ କଷ୍ଟରେ ତିଆରି କରିଥିବା ଏତେ ବଡ ସାମ୍ରାଜ୍ୟ ଧୁଳିସାତ ହୋଇଗଲା । ଏତେ ସବୁ ପରେ ବି ରାଜମୋହନ ଟିକିଏ ହେଲେ ବି ବିବ୍ରତ ହେଲେ ନାହିଁ । ନିଜର ମନକୁ ସ୍ଥିର କରି ଆଗେଇ ଚାଲିଲେ। ଯାହା ଅନ୍ୟମାନଙ୍କ ପାଇଁ ଶିକ୍ଷଣୀୟ ବିଷୟ ପାଲଟିଲା ।

କେରଳର କୋଲ୍ଳମ ଠାରେ ରାଜମୋହନଙ୍କ ଜନ୍ମ ହୋଇଥିଲା । ୧୯୬୪ ମସିହା ମଇ ମାସ ୧୨ ତାରିଖ ଦିନ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ବାଲ୍ୟକାଳ ବହୁତ କଷ୍ଟରେ କଟିଥିଲା । ସ୍କୁଲକୁ ଆସୁଥିଲେ ବହୁ ନାମିଦାମି କାରରେ କିନ୍ତୁ ପକେଟରେ ଟଙ୍କାଟିଏ ବି ରହୁ ନ ଥିଲା । ସାଙ୍ଗମାନେ ସ୍କୁଲରେ ଏପଟ ସେପଟ ବୁଲାବୁଲି କରିବା ସହ ବିଭିନ୍ନ ଜିନିଷ କିଣି ଖାଉଥିଲେ । କିନ୍ତୁ ରାଜମୋହନ ଏସବୁ ରୁ ବଂଚିତ ହେଉଥିଲେ । ତାଙ୍କର ସ୍କୁଲ ଶିକ୍ଷା କେରଳ ର ରାଜଧାନୀ ତ୍ରିବେନ୍ଦ୍ରମରେ ହୋଇଥିଲା । ରାଜମୋହନଙ୍କ ପିତାଙ୍କ ନିୟମ କାନୁନ ଏମିତି କିଛି ଥିଲା । ମୁଖ୍ୟତଃ ଚାରୋଟି କାମ ପାଇଁ ପିତା ଟଙ୍କା ଖର୍ଚ୍ଚ କରୁଥିଲେ ସେଗୁଡିକ ହେଉଛି ପାଠ ପଢ଼ିବା ପାଇଁ , ଟେନିସ ଖେଳିବା ପାଇଁ, ଅନ୍ୟ ସହରକୁ ବୁଲାବୁଲି କରିବା ପାଇଁ, ଏବଂ ଚତୁର୍ଥ ଟି ହେଉଛି ଖେଳ ସମ୍ପର୍କିତ କୌଣସି ପାଇଁ । କୋଟିପତିର ପୁଅ ହୋଇ ମଧ୍ୟ ରାଜମୋହନଙ୍କ ପୋଷାକ ଥିଲା ପୁରା ସାଧାରଣ । ଅନ୍ୟ ପିଲାଙ୍କ ପରି ସେ କେବେ କୋଟିପତି ବାପାର ପୁଅ ବୋଲି ଦେଖେଇ ହୁଅନ୍ତି ନାହିଁ । ବାପା ଯାହା ଟଙ୍କା ଦେଉଥିଲେ ତାର ଗୋଟି ଗୋଟି ହିସାବ ରଖୁଥିଲେ ସେ ।

ରାଜମୋହନଙ୍କୁ ଖୁବ ଅଳ୍ପ ବୟସରେ ଚାକିରି କରିବାକୁ ତାଙ୍କ ବାପା କହିଥିଲେ । ଯେଉଁଠି ଅନ୍ୟ କାରିଗର ମାନେ କାମ କରୁଥିଲେ ସେଠି ସେ ମଧ୍ୟ କାମ କଲେ । ସାଧାରଣ କର୍ମଚାରୀ ଭାବେ ସେ ସେହି କମ୍ପାନୀରେ ଚାକିରି କରୁଥିଲେ । କର୍ମଚାରୀ ମାନେ ଯେଉଁଠି ରହୁଥିଲେ ସେ ସେଠି ରହୁଥିଲେ, ଯାହା ସେମାନେ ଖାଉଥିଲେ ସେ ସେଇଟା ହିଁ ଖାଉଥିଲେ । କହିବାକୁ ଗଲେ କର୍ମଚାରୀ ଆଉ ମାଲିକର ପୁଅ ବୋଲି କିଛି ଭେଦଭାବ ନ ଥିଲା । ଏକଦା ଏମିତି ଏକ ଘଟଣା ଗଟିଲା ଯାହା ଆଜି ବି ରାଜମୋହନଙ୍କ ମନରେ ଜୀବିତ ଅଛି । ଥରେ ରାଜମୋହନ ଶୋଇଥିବା ସ୍ଥାନରେ ଏକ ନାଗ ସାପ ଆସି ଶୋଇପଡିଥିଲା । ଯାହାକୁ ଦେଖି ଅନ୍ୟ କର୍ମଚାରୀ ମାନେ ଭୟଭୀତ ହୋଇଯାଇଥିଲେ କିନ୍ତୁ ସେ ଟିକିଏ ମଧ୍ୟ ଡରି ନଥିଲେ । ଏ କଥା ତାଙ୍କୁ ଆଜି ବି ମନେ ରହିଛି ।

ଛୋଟ ସମୟରୁ ରାଜମୋହନ ବହୁ ଅଭିଜ୍ଞତା ହାସିଲ କରିଥିଲେ । ଯାହା ତାଙ୍କୁ ଅନ୍ୟ କାମ କରିବାରେ ସାହାଯ୍ୟ କରୁଥିଲା । ଯେଉଁଠି ତାଙ୍କ ସହପାଠୀ ମାନେ ପାଠଶାଠ ପଢ଼ି କାମ ଆରମ୍ଭ କରୁଥିଲେ ସେ ସେଠି ସେହି କାମ ଗୁଡିକ ବହୁ ଆଗରୁ ଶିଖିଥିଲେ । ଯାହା ତାଙ୍କୁ ଅନ୍ୟମାନଙ୍କ ଠାରେ ପରିଚୟ ପ୍ରଦାନ କରୁଥିଲା । ରାଜମୋହନ କହନ୍ତି ଛୋଟ ବୟସରୁ ବହୁ ଖରାପ ଓ ଭଲ ଦିନ ଦେଖିଛି । ଜୀବନର ଏମିତି ପରିସ୍ଥିତିକୁ ସାମ୍ନା କରି ସେ ଆଗକୁ ବଢ଼ିଛନ୍ତି । ମୁଁ ୩୦ ବର୍ଷ ବୟସରେ ଯାହା ଦେଖିଲି ବୁଝିଲି ତାହା ମୋର ସାଙ୍ଗ ମାନଙ୍କୁ ୪୦ ବର୍ଷ ସମୟ ଲାଗିଲା । ମୋ ବାପା ପାଠ ପଢ଼ିବାରେ କୌଣସି ପ୍ରକାରର ପ୍ରତିବନ୍ଧକ ଲଗାଇ ନ ଥିଲେ । କଠିନ ଟ୍ରେନିଙ୍ଗ ପରେ ମୋତେ କମ୍ପାନୀ ର ଦାୟିତ୍ଵ ମିଳିଥିଲା । ମୋର ପ୍ରଥମ କାମ ଥିଲା ଓଡିଶା ଓ ପଶ୍ଚିମ ବଙ୍ଗର ଚାଷୀ ମାନଙ୍କ ଠାରୁ କଞ୍ଚା କାଜୁ ସଂଗ୍ରହ କରିବା । ଏହା ଥିଲା ମୋ ଜୀବନର ପ୍ରଥମ ନିଯୁକ୍ତି ।

କଞ୍ଚା କାଜୁ କିଣିବା ପାଇଁ ରାଜମୋହନଙ୍କୁ ଓଡିଶା ଓ ପଶ୍ଚିମ ବଙ୍ଗର ଗାଁ ଗାଁ କୁ ଯିବାକୁ ପଡୁଥିଲା । ଚାଷୀମାନଙ୍କ ସହ ଆଲୋଚନା କରିବାକୁ ପଡୁଥିଲା । ତାଙ୍କ ସୁଖ-ଦୁଃଖରେ ସାମିଲ ହେବାକୁ ପଡୁଥିଲା । ଯାହା ତାଙ୍କୁ ଜୀବନରେ ନିଜର ବେପାରକୁ ଆଗକୁ ବଢ଼େଇବାରେ ସାହାଯ୍ୟ କରିଥିଲା । ସେ ଓଡିଆ କିମ୍ବା ବଙ୍ଗଳା କହି ଜାଣିନଥିଲେ କିନ୍ତୁ ଏଠାକାର ଚାଷୀମାନଙ୍କ ଅସୁବିଧା ବୁଝିପାରୁଥିଲେ । ଖୁବ୍ କମ୍ ଦିନ ମଧ୍ୟରେ ଓଡିଶାର ବହୁ ଜିଜିଲ୍ଲାରେ ସେ ଆଉ ଅଜଣା ହୋଇ ରହିଲେ ନାହିଁ । ସେ ଏମିତି ଜଣାଶୁଣା ହେଲେ ଯେ ତାଙ୍କ ନାମ ଅନୁସାରେ ବସଷ୍ଟପ୍ ର ନାମ ହେଲା ରାଜମୋହନ ବସ୍ ଷ୍ଟପ୍ ।

ଉଚ୍ଚଶିକ୍ଷା ପାଇଁ ସେ ପରେ ବିଦେଶ ଯାଇଥିଲେ । ସେଠାରେ ସେ ଉଚ୍ଚଶିକ୍ଷା ଲାଭ କଲେ କିନ୍ତୁ ମନରେ ଗୋଟିଏ ବିଷୟ ବସା ବାନ୍ଧି ରଖିଲା । ଗରିବ ଓ ଧନୀଙ୍କ ମଧ୍ୟରେ ଦୂରତା କେମିତି କମିବ? ତେଣୁ ଭାରତକୁ ଫେରି ପୁଣି ନିଜର କାମକୁ ଆଗକୁ ବଢ଼ାଇଲେ ।

image


ଦେଶକୁ ଆସିବା ପରେ ଏମିତି କିଛି ଘଟଣା ଗଟିଲା ଯାହା ତାଙ୍କ ନିଦକୁ ହଜାଇ ଦେଲା । ହଠାତ୍ ତାଙ୍କ ବାପାଙ୍କ କମ୍ପାନୀ କ୍ଷତିରେ ଚାଲିଲା । କ୍ଷତିର ପରିମାଣ ଦିନକୁ ଦିନ ବଢି ଚାଲିଲା ଓ ଶେଷରେ ଏମିତି ଦିନ ଆସିଲା ଯେ କମ୍ପାନୀଟି ବନ୍ଦ ହୋଇଗଲା । ଏତେ ବଡ ଦୁଃଖକୁ ସେ ସହି ନ ପାରି ଆରପାରିକୁ ଚାଲିଗଲେ । ଏ ଘଟଣା ଘଟିଲା ୧୯୮୨ ମସିହାରେ । କିଛି ଦିନ ପରେ ତାଙ୍କ ବଡଭାଇ ରାଜନ ପିଲ୍ଳେଇଙ୍କ ନାମରେ ସିଙ୍ଗାପୁରରେ ଏକ ଫୌଜଦାରି ମାମଲା ରୁଜୁ ହେଲା । ଏବଂ ସେ ଗିରଫ ହେଲେ । ଏହି ସମୟରେ ରାଜମୋହନଙ୍କ ବୟସ ମାତ୍ର ୧୮ ବର୍ଷ । ଗୋଟିଏ ପଟେ ବାପାଙ୍କର ୧୦ ମିଲିୟନ ଡଲାର କରଜ ତ ଅନ୍ୟପଟେ ବଡଭାଇ ଜେଲରେ । ଏ ସବୁ ଘଟଣାରେ ବି ସେ ତିଳେମାତ୍ର ବିଚଳିତ ହୋଇ ନାହାନ୍ତି । ଥିରେ ଥିରେ ସେ ନିଜର ପରିବାର ଓ ରୋଜଗାରକୁ ବଢ଼ାଇଲେ । ଏବଂ ସଫଳ ମଧ୍ୟ ହେଲେ । ସମସ୍ତ କରଜ ସୁଝାଇବାରେ ରାଜମୋହନଙ୍କୁ ପ୍ରାୟ ୨୭ ବର୍ଷ ସମୟ ଲାଗିଥିଲା ।

ରାଜମୋହନ ସମସ୍ତ ପ୍ରକାରର ବାଧାବିଘ୍ନ କୁ ଜିତିବେ ବୋଲି ସଂକଳ୍ପବଦ୍ଧ ଥିଲେ। ସେ ନିଜକୁ ମାନସିକ ସ୍ତରରେ ସ୍ଥିର ଓ ମଜବୁତ କରି ରଖି ବ୍ୟବସାୟକୁ ପୁନର୍ବାର ଠିଆ କରିବା ପାଇଁ କମର ଭିଡି ଉଦ୍ୟମ କଲେ। ତାଙ୍କର ଅଦମ୍ୟ ସାହସ ଓ ପରିଶ୍ରମ ରଙ୍ଗ ଆଣିଲା ଓ ସେ ସମସ୍ତ ଋଣ ସୁଝି ବ୍ୟବସାୟକୁ ପୁନର୍ଜୀବିତ କଲେ। ଖାଲି ସେତିକି ନୁହେଁ ତାଙ୍କ ଉଦ୍ୟମ ଫଳରେ ବ୍ୟବସାୟ ଖୁବ ସମୟରେ ଆଉଥରେ ଲାଭ ମଧ୍ୟ କରିବାକୁ ଲାଗିଲା। ଏସବୁ କରିବାକୁ ପାଇଁ ତାଙ୍କୁ ଅନେକ ବର୍ଷ ଲାଗିଲା କିନ୍ତୁ ସେ ନିଜ ପରିବାରର ସମୃଦ୍ଧି ଫେରାଇଆଣିବାରେ ସଫଳ ହେଲେ। 

ବଡ ଭାଇଙ୍କ ମୃତ୍ୟୁ ପରେ ଅବସ୍ଥା ଆହୁରି ଶୋଚନୀୟ ହେଇଯାଇଥିଲା। ସେ ବିଷୟରେ ରାଜମୋହନ କୁହନ୍ତି, "ଯେକୌଣସି ବ୍ୟବସାୟର ମୂଳ ବିନ୍ଦୁ ହେଉଛି ପ୍ରତିଷ୍ଠା। ଭାଇର ଜେଲ ଯିବା ଓ ସେଠାରେ ମୃତ୍ୟୁ ପରେ ବ୍ୟବସାୟର ପ୍ରତିଷ୍ଠାକୁ ଏକ ଗଭୀର ଚୋଟ ପଡିଥିଲା। ଗ୍ରାହକ ଅମଠାରୁ ଦୂରେଇବାକୁ ଲାଗିଥିଲେ ଓ ବିଶ୍ଵସ୍ତ କର୍ମଚାରୀ ମାନେ ମଧ୍ୟ ଛାଡି ଯିବାକୁ ଲାଗିଥିଲେ। ବାପାଙ୍କ ଋଣ ସୁଝିବା ମଧ୍ୟ ସେତେବେଳେ ବାକି ଥାଏ ଏବଂ ବ୍ୟବସାୟ ପୁନର୍ବାର କ୍ଷତିରେ ଚାଲିବା ଆରମ୍ଭ କଲା। ବହୁତ କଷ୍ଟକର ଦିନ ଥିଲା। ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ଦୁଇଗୁଣା ପରିଶ୍ରମ କରିବାକୁ ପଡିଲା।"

ଧୀରେ ଧୀରେ ତାଙ୍କର ପରିଶ୍ରମ ଫଳ ଦେଲା ଓ ସେ ସମସ୍ତ ଋଣ ସୁଝିପାରିଲେ। ରାଜମୋହନ ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ଋଣ ସୁଝିଲା ପରେ ବ୍ୟାଙ୍କ ଅଧିକାରୀ ତାଙ୍କୁ ତାଙ୍କର ଜମିଜମା ଓ ଘରର କାଗଜପତ୍ର ଫେରାଇଥିଲେ। ରାଜମୋହନ ଭୁଲିଯାଇଥିଲେ ଯେ ଜମିଜମା ବନ୍ଧକ ରଖାଯାଇ ସେ ଋଣ ନିଆଯାଇଥିଲା। ଯେତେବେଳେ ସେ ଦସ୍ତାବିଜ ସବୁ ଫେରିପାଇଲେ ତାଙ୍କ ଖୁସିର ଠିକଣା ନଥିଲା। ଏଇ ଭିତରେ ସେସବୁ ଜମିଜମାର ମୂଲ୍ୟ ଅନେକ ଗୁଣ ବଢିଯାଇଥିଲା। ଦିନେ ଦେବାଳିଆ ହେଇଯାଇଥିବା ପରିବାର ସେତେବେଳେ ପୁଣି କୋଟିପତି ହେଇଯାଇଥିଲେ। 

image


ନିଜର ସଂଘର୍ଷ ଓ ସଫଳତାକୁ ନେଇ ରାଜମୋହନ କୁହନ୍ତି, "ପରିସ୍ଥିତି ବଦଳିବା ସହ ନୂଆ ନୂଆ ଚ୍ୟାଲେଞ୍ଜ ମଧ୍ୟ ଆସେ, ସମସ୍ତ ଚ୍ୟାଲେଞ୍ଜ ନିଜ ନିଜ ସମୟର ବଡ ଚ୍ୟାଲେଞ୍ଝେଇଥାଏ। ମୁ ସବୁବେଳେ ଭାବେ ସବୁ ସମସ୍ୟାର ସୃଷ୍ଟି ସହ ତାହାର ସମାଧାନ ବି ସେଇ ଆଖପାଖରେ ଥାଏ। ଆମେ ତ ମାଧ୍ୟମ ମାତ୍ର।"

ଏବେ ରାଜମୋହନ ଭାରତର ପ୍ରସିଦ୍ଧ ଉଦ୍ୟୋଗପତିଙ୍କ ମଧ୍ୟରେ ଜଣେ। ସେ ବିଟା ଗୃପର ଚେୟାରମ୍ୟାନ ଓ ଦୁନିଆରେ କାଜୁର ରାଜା ବୋଲି ଜଣା।ଏବେ ରାଜମୋହନଙ୍କ ବିଟା ଓଦ୍ୟୋଗ କେବଳ କାଜୁ ଆଉ ଫୁଡ ଫ୍ରୋସେସିଙ୍ଗ କାମ କରୁ ନାହିଁ । ବିଟା ଗ୍ରୁପ ଏବେ ୨ ମିଲିୟମ ଆମେରିକୀୟ ଡଲାର ର କାମ ହାତକୁ ନେଇଛି ।