ଏସବିଆଇ ପ୍ରପର୍ଟି ଏକ୍ସପୋ ଡିସେମ୍ବର୧୧ରୁ

ଏସବିଆଇ ପ୍ରପର୍ଟି ଏକ୍ସପୋ ଡିସେମ୍ବର୧୧ରୁ

Thursday December 10, 2015,

2 min Read

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ଚଳିତ ମାସ ୧୧ରୁ ଆରମ୍ଭ ହେବ ପ୍ରପର୍ଟି ଏକ୍ସପୋ ଉତ୍ସବ ୨୦୧୫ । ତିନି ଦିନ ଧରି ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ୪୦ଟି ଗୃହ ନିର୍ମାଣକାରୀ ସଂସ୍ଥା ଯୋଗ ଦେବେ । କ୍ରେଡାଇ, ରେଡା, ଆଫୋର୍ଡ ଏବଂ ନାରେଡ୍କୋ ଭଳି ପ୍ରତିଷ୍ଠିତ ଗୃହ ନିର୍ମାଣକାରୀ ସଂଘଗୁଡ଼ିକର ସ୍ୱୀକୃତପ୍ରାପ୍ତ ନିର୍ମାଣକାରୀଙ୍କୁ ଏହି ଏକ୍ସପୋରେ ସାମିଲ କରାଯାଇଛି । ଏସବିଆଇ ମୁଖ୍ୟ ଶାଖା ପରିସରରେ ଏହି ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଚଳିତ ବର୍ଷ ପ୍ରପର୍ଟି ଏକ୍ସପୋରେ ୩୦ରୁ ୩୫ କୋଟି ଟଙ୍କାର ଗୃହ ଋଣ ପ୍ରଦାନ କରିବାକୁ ବ୍ୟାଙ୍କ ଲକ୍ଷ୍ୟ ରଖିଥିବା ଏସବିଆଇ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ବିଭିଜି ରେଡ଼ି ପ୍ରକାଶ କରିଛନ୍ତି ।

image


ପ୍ରପର୍ଟି ଏକ୍ସପୋ ସଂପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେବା ଅବସରରେ ଶ୍ରୀ ରେଡ଼ି କହିଛନ୍ତି ଯେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପ୍ରତିବର୍ଷ ଏହି ପ୍ରଦର୍ଶନୀ ଆୟୋଜନ କରୁଛି । ତେବେ ଗତ କିଛି ବର୍ଷ ଧରି ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ଥିବା ମାନ୍ଦା ସ୍ଥିତିରେ କ୍ରମେ ସୁଧାର ଆସୁଥିବାରୁ ଚଳିତ ବର୍ଷ ଏହି ପ୍ରଦର୍ଶନୀରେ କାରବାର ଅଧିକ ହେବା ସମ୍ଭାବନା ରହିଛି । ଏହାକୁ ନେଇ ଗୃହ ନିର୍ମାଣ କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ରାଜ୍ୟରେ ମୋଟ ୫୦୦ କୋଟିର ଗୃହ ଋଣ ପ୍ରଦାନ କରିବାର ଆଶା ରହିଥିବା ସେ କହିଛନ୍ତି । ସେହିପରି କେବଳ ଡିସେମ୍ବର ମାସରେ ଗୃହୠଣ ପ୍ରଦାନ ୫୦ କୋଟି ଟଙ୍କା ଛୁଇଁବା ଆଶା ଥିବା ସେ କହିଛନ୍ତି । ଗତ ଆର୍ଥିକ ବର୍ଷରେ ବ୍ୟାଙ୍କ ପକ୍ଷରୁ ରାଜ୍ୟରେ ମୋଟ ୪୦୦ କୋଟି ଟଙ୍କାର ଋଣ ପ୍ରଦାନ କରା ଯାଇଥିବାବେଳେ ଚଳିତ ବର୍ଷ ନଭେମ୍ବର ସୁଦ୍ଧା ୨୮୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । 

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ରାଜ୍ୟରେ ସର୍ବବୃହତ ଗୃହ ଋଣ ପ୍ରଦାନକାରୀ ଭାବେ ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ କରି ଆସୁଥିବା ଶ୍ରୀ ରେଡ଼ି କହିଛନ୍ତି । ଚଳିତ ବର୍ଷ ଏହି ତିନି ଦିନିଆ ପ୍ରପର୍ଟି ଏକ୍ସପୋରେ ଗ୍ରାହକଙ୍କୁ ସହଜରେ ଗୃହ ଋଣ ପ୍ରଦାନ କରିବା ସହିତ ଗୃହୠଣ ସଂପର୍କିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ବିଭିନ୍ନ ବ୍ୟବସ୍ଥା ସଂପର୍କରେ ଗ୍ରାହକମାନଙ୍କୁ ଅବଗତ କରାଯିବ । ଏହା ଛଡ଼ା ଋଣ ଅନୁମୋଦନ ପାଇଁ ଏହି ପ୍ରଦର୍ଶନୀରେ ସିଙ୍ଗଲ୍ ୱିଣ୍ଡୋ ସେବା ପ୍ରଦାନ କରାଯିବ ବୋଲି ଶ୍ରୀ ରେଡ଼ି କହିଛନ୍ତି । ଆଜି ଏ ସଂପର୍କରେ ସ୍ଥାନୀୟ ମୁଖ୍ୟ କାର୍ଯ୍ୟଳୟରେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସବିଆଇ ମହାପ୍ରବନ୍ଧକ ପୁଲକ କୁମାର ସିହ୍ନା, ଏ କେ ଚୌଧୁରୀ ଉପ ମହାପ୍ରବନ୍ଧକ କେ ସି ଭଞ୍ଜ, ପ୍ରଦୀପ ରାୟ ଏବଂ ଅରୂପ ଦାସଗୁପ୍ତା ଉପସ୍ଥିତ ଥିଲେ ।