ସମସ୍ୟାରୁ ମୁକୁଳିବାର ପଥ ଆବିଷ୍କାର କରିଛନ୍ତି ଗୁଡିୟା : ଏବେ ସମସ୍ତଙ୍କ ପାଇଁ ସେ "ସୋଲାର ଦିଦି"

ସମସ୍ୟାରୁ ମୁକୁଳିବାର ପଥ ଆବିଷ୍କାର କରିଛନ୍ତି ଗୁଡିୟା  : ଏବେ ସମସ୍ତଙ୍କ ପାଇଁ ସେ "ସୋଲାର ଦିଦି"

Thursday December 31, 2015,

4 min Read

  • ପତିଙ୍କ ମୃତ୍ୟୁ ପରେ ଘରୁ ଗୋଡ କାଢିଲେ
  • କାନପୁର ଆଖପାଖ ଗାଁରେ ସୋଲାର ଯନ୍ତ୍ରାଂଶର ମରାମତି କରୁଛନ୍ତି
  • ନିଜ ପିଲାଙ୍କୁ ମଣିଷ କରିବା ପାଇଁ ହେଲେ ସୋଲାର ମେକାନିକ୍
image


ଏହି ସମାଜରେ ବହୁ ସଂଖ୍ୟାରେ ସମସ୍ୟା ଭିତରେ ଫସି ରହିଥିବା ଲୋକ ରହିଛନ୍ତି | ଏମିତି ବି ଲୋକ ଅଛନ୍ତି ଯେଉଁମାନଙ୍କୁ ଦୁଇ ବେଳା ଖାଇବା ମିଳେନାହିଁ | ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ କିଛି ଲୋକ ନିଜକୁ ପ୍ରସ୍ତୁତ କରନ୍ତି ଓ ଆଗକୁ ବଢନ୍ତି | ଜୀବନକୁ ଭଲରେ କଟାଇବା ପାଇଁ ବହୁତ ପରିଶ୍ରମ କରିଥାନ୍ତି | ପ୍ରକୃତରେ ସଫଳତା ତା'ର ପାଦ ଚୁମେ ଯିଏ ପାଣିରେ ବି ଗାର ପକାଇବାର ସାହସ ରଖେ | କାନପୁର ପାଖ ଏକ ଗାଁରେ ଜଣେ ମହିଳା ଏମିତି କିଛି କରି ଦେଖାଇଛନ୍ତି | ସେ ହେଉଛନ୍ତି ଗୁଡିୟା | ହଁ, ବାପା ମା ସ୍ନେହ ଓ ଗେଲବସରରେ ତାଙ୍କ ନାଁ ଗୁଡିୟା ରଖିଥିଲେ | ବର୍ତ୍ତମାନ ଏହି ଗୁଡିୟା କାନପୁରର ଆଖପାଖ ଗାଁ ଲୋକଙ୍କ ପାଇଁ ‘ସୋଲାର ଦିଦି’ ନାମରେ ପରିଚିତ | ଶୁଣିବାକୁ ଅଜବ ଲାଗିପାରେ | କିନ୍ତୁ ଏହା ସତ୍ୟ | ସୋଲାର ଦିଦି ପାଇଁ ଗୁଡିୟାଙ୍କୁ ଅନେକ ସଂଘର୍ଷ ଦେଇ ଗତି କରିବାକୁ ପଡିଛି | ସଂଘର୍ଷ ସେହି କ୍ଷେତ୍ରରେ ଯେଉଁଥିରେ ସବୁବେଳେ ପୁରୁଷମାନଙ୍କର କର୍ତ୍ତୁତ୍ଵ ରହିଛି | ନିଜର ପରିଶ୍ରମ ଓ ଅଧ୍ୟବସାୟ ଫଳରେ ସେ ଜଣେ ସଫଳ ସୋଲାର ମେକାନିକ୍ ହୋଇ ବାହାରିଛନ୍ତି |

image


ଗୁଡିୟା ରାଠୋଡଙ୍କ ପୈତୃକ ଗାଁ ହେଉଛି କାନପୁରର ବିଧାନୁ ଅଂଚଳର ହଡହା ଗାଁ | ସେ ଫତେହଫୁର ଗାଁରେ ବିବାହ କଲେ | ବିବାହ ସମୟରେ ତାଙ୍କର ସ୍ଥିତି ଯେ ବହୁତ ଭଲ ଥିଲା, ତାହା କହି ହେବ ନାହିଁ | ଚାରିବର୍ଷ ତଳେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା | ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ପିଲାଙ୍କୁ ଧରି ଶାଶୁ ଘରେ ରହିବା କଷ୍ଟକର ହୋଇପଡିଥିଲା | ସେ ଚିନ୍ତା କଲେ ଶାଶୁ ଘରେ ରହି ଏ ଅଭାବ ଭିତରେ ପିଲାଙ୍କୁ ଭଲ ମଣିଷ କରିହେବ ନାହିଁ | ଗୁଡିୟା ପିଲାଙ୍କୁ ଧରି ବାପ ଘରକୁ ଚାଲିଆସିଲେ | ସେ ଆତ୍ମନିର୍ଭର ହେବାକୁ ନିଷ୍ପତି ନେଲେ | ସେ ଘରୁ ଗୋଡ କାଢିଲେ ଓ ସାମାଜିକ ସଂସ୍ଥା ଶ୍ରମିକ ଭାରତୀ ସହ ସାମିଲ ହେଲେ | ଏହି ସଂସ୍ଥା କେନ୍ଦ୍ର ସରକାରଙ୍କ ଟେରୀ ଯୋଜନା ମାଧ୍ୟମରେ ଗାଁରେ ସୋଲାର ଲାଇଟ୍ କାର୍ଯ୍ୟକ୍ରମ ଚଲାଉଥିଲା |

image


ୟୋର ଷ୍ଟୋରୀକୁ ଗୁଡିୟା ନିଜର ଏହି ଦିନଗୁଡିକୁ ମନେ ପକାଇ କହନ୍ତି ,

"ଶ୍ରମିକ ଭାରତୀ ସହ ଯୋଡି ହୋଇ ପ୍ରଥମ ସୋଲାର ଲାଇଟ୍ ସମ୍ପର୍କିତ କାର୍ଯ୍ୟକ୍ରମରେ ଭାଗ ନେଲି | ଏବେ ସୋଲାର ଲାଇଟ୍ ର ମରାମତି କାମ ମୁଁ ଭଲ ଭାବେ କରିପାରୁଛି | ମୁଁ ପ୍ରଥମେ ଭାବିଥିଲି ଏମିତି କଣ ଅଛି ଏହି କାମରେ ଯେ କେବଳ ପୁରୁଷମାନେ କରିପାରିବେ | ଚେଷ୍ଟା କରି ଏବେ ମୁଁ ଭଲ କାମ କରିପାରୁଛି |"

ଗୁଡିୟା ଗାଁ ଗାଁ ବୁଲି ସୋଲାର ଲାଇଟ୍, ସୋଲାର ଚୁହ୍ଲା, ସୋଲାର ପଂଖା ଆଦି ଲଗାଇବା କାମ ଆରମ୍ଭ କରିଦେଲେ | ସେଗୁଡିକର ମରାମତି ମଧ୍ୟ କଲେ | ଚାରିବର୍ଷର କଡା ପରିଶ୍ରମ ଫଳରେ ଲୋକେ ତାଙ୍କୁ ସୋଲାର ଦିଦି ବୋଲି ଡାକୁଛନ୍ତି |

"ପ୍ରଥମେ ଲୋକେ ମୋତେ ଯେତେବେଳେ ସୋଲାର ଦିଦି ଡାକିଲେ, ମୋତେ ଅଜବ ଲାଗିଥିଲା | କିନ୍ତୁ ଧୀରେ ଧୀରେ ମୋତେ ବି ଏହି ନାଁ ଭଲ ଲାଗିଲା | "
image


ସେ ବହୁତ ଭଲ କାମ କରନ୍ତି | ଖାସ୍ ସେଇଥିପାଇଁ ବିଧାନୁ ଅଂଚଳରେ ବନପୁରା, କଠାରା,ଇଜିୟାରା, ତିବାରୀପୁର ଆଦି ୧୨ରୁ ଅଧିକ ଗାଁରେ ସୋଲାର ମେକାନିକ୍ କଥା ଉଠିଲେ କେବଳ ସୋଲାର ଦିଦିଙ୍କ ନାମ ହିଁ ଆସେ |

ଗାଁର ଜଣେ ମହିଳା ଭାରତୀଙ୍କ କହିବା କଥା ହେଲା -

"ଗାଁରେ ସୋଲାର ଲାଇଟ୍ ଖରାପ ହୋଇଗଲା, ପଂଖା ଖରାପ ହୋଇଗଲା କି ଆଉ କଣ ସୋଲାର ଜିନିଷ ଖରାପ ହୋଇଗଲା ମାତ୍ରେ ଆମେ ସୋଲାର ଦିଦିଙ୍କୁ ଫୋନ୍ ଲଗାଉ | ସୋଲାର ଦିଦି ନିଜ ବ୍ୟାଗରେ ପେଚକସ୍, ପ୍ଲାସ ଓ ସୋଲାର ଉପକରଣ ଧରି ସ୍କୁଟିରେ ଗାଁରେ ଆସି ପହଁଚିଯାନ୍ତି |"
image


କୁହାଯାଏ ସମୟ ସମସ୍ତଙ୍କୁ ସୁଯୋଗ ଦିଏ, ନୂଆ ରାହା ଦେଖାଏ | ଯଦି ସାମ୍ନାରେ ଥିବା ମଣିଷ ଏହାର ସଂକେତକୁ ବୁଝି ପାରିଲା, ତେବେ ତାର ସ୍ଥିତି ବଦଳିବା ନିଶ୍ଚିତ | ସେହିଭଳି ଗିଡିୟା ପୁରୁଣା ସମସ୍ୟାକୁ ନୂତନ ଦିଶା ଦେଇଥିଲେ ଓ ତାହାକୁ ସକାରାତ୍ମକ କରିପାରିଥିଲେ | ଏହି ବାଟରେ ପରିଶ୍ରମ ତ ଅଛି, କିନ୍ତୁ ଆତ୍ମନିର୍ଭର ହେବାର ଶାନ୍ତି ମଧ୍ୟ ଅଛି | ଏ ସମ୍ପର୍କରେ ଗୁଡିୟା କୁହନ୍ତି -

" ଏମିତି ଏକ ସମୟ ଆସିଥିଲା, ଯେତେବେଳ ମୋତେ ଲାଗିଲା ଏ ଜୀବନରେ ଏବେ କଣ ହେବ | କିନ୍ତୁ ସବୁ ସମସ୍ୟାରୁ ବାହାରିବା ପାଇଁ ରାସ୍ତା ଥାଏ | କିନ୍ତୁ ଆମକୁ ଏହା ବାହାର କରିବାକୁ ପଡିବ | ମୁଁ ଯାହା କରୁଛି, ମୋତେ ଖୁବ୍ ଶାନ୍ତି ମିଳୁଛି "

ଆଉ ଜଣେ ଗ୍ରାମବାସୀ କଲ୍ଲୁଙ୍କ କହିବା କଥା ହେଲା -

"ସୋଲାର ଦିଦିଙ୍କୁ ଯେତେବେଳେ ଫୋନ୍ କଲେ ସେ ନିଜ ବ୍ୟାଗ୍ ଧରି ଆସି ପହଁଚିଯାନ୍ତି | ସେଥିରେ ସେ କେବେ ଖିଲାପ କରିନାହାନ୍ତି | ଘରେ ସେଲାରକୁ ନେଇ ସବୁ ସମସ୍ୟାର ସମାଧାନ ହେଉଛନ୍ତି ସୋଲାର ଦିଦି |"

ନିଜ ବଳରେ ଏତେ ସବୁ ଗାଁରେ କାମ କରିବା କେଉଁ ପାହାଡ ଚଢାଠାରୁ ମଧ୍ୟ କମ୍ ନୁହେଁ | ସହରରେ ଯେତେ ସୁବିଧା ହେଲେ ମଧ୍ୟ ଜଣେ ମହିଳା ଘର ଘର ବୁଲି ବିଦ୍ୟୁତ୍ କିମ୍ବା ସୋଲାର ଲାଇଟ୍ ମରାମତି କରିବା ପ୍ରାୟ ଦେଖାଯାଏନି | ଗୁଡିୟା ଓରଫ ସୋଲାର ଦିଦିଙ୍କ ହିମ୍ମତ କେବଳ ପ୍ରଶଂସା ଯୋଗ୍ୟ ନୁହେଁ, ବଂର ପ୍ରେରଣାଦାୟୀ ମଧ୍ୟ | ୟୋର ଷ୍ଟୋରୀ ସୋଲାର ଦିଦିଙ୍କ ଏହି ପରିଶ୍ରମକୁ ସଲାମ୍ କରୁଛି |