ଆଦିବାସୀଙ୍କ ଗହଣରେ ଦୁଇ ମାସର ରହଣି ପରେ ସେ ଆରମ୍ଭ କଲେ ଏକ ସାମାଜିକ ଉଦ୍ୟୋଗ; ବଟ ବୃକ୍ଷ ଯାହାକି ଯୋଗାଉଛି ରୋଜଗାରର ପନ୍ଥା

0

ବଟ ବୃକ୍ଷ ଏକ ସାମାଜିକ ଉଦ୍ୟୋଗ ଯାହାକି ଆଦିବାସୀ ମାନଙ୍କୁ ତାଙ୍କର ସଂସ୍କୃତି ସହ ଖାପ ଖୁଆଇବା ଭଳି ଏକ ଦୀର୍ଘମିଆଦୀ ରୋଜଗାରର ପନ୍ଥା ଯୋଗାଇବାରେ ସାହାଯ୍ୟ କରୁଛି। ଅଦ୍ୟାବଧି ବଟ ବୃକ୍ଷ ତିନୋଟି ଆଦିବାସୀ ସମାଜରେ ପ୍ରାୟ ୩୬୮ଟି ପରିବାରଙ୍କୁ ସହାୟତା ଯୋଗାଇସାରିଛି। ଏହାର ପ୍ରତିଷ୍ଠାତା ବିକାଶ ଦାସଙ୍କ ଜନ୍ମ ଓ ପିଲାବେଳ କଟିଛି ଓଡିଶାରେ।

ବିକାଶ ପିଲାବେଳୁ ଶୁଣିଥିଲେ ‘ବସୁଧୈବ କୁଟୁମ୍ବକମ’। କିନ୍ତୁ ତାଙ୍କୁ ଶିଖାଯାଉଥିଲା କେବଳ ନିଜ ଜାତିର ପିଲା ମାନଙ୍କ ସାଙ୍ଗରେ ମିଶିବା ପାଇଁ।

"ମୋର କୁଟୁମ୍ବର ଅନ୍ୟାନ୍ୟ ବ୍ୟକ୍ତିମାନେ ସ୍ଥାନୀୟ ଆଦିବାସୀ ପିଲାଙ୍କ ସହ ମୋତେ ମିଶିବା ପାଇଁ, ଖେଳିବା ପାଇଁ ମନା କରୁଥିଲେ। ତାଙ୍କୁ ଛୁଇଁବା ପାଇଁ ମନା କରୁଥିଲେ କାରଣ ସେମାନେ ଆଦିବାସୀ", ବିକାଶ ମନେପକାନ୍ତି।
“ମୁ ଛୋଟ ହେଇଥାଏ, ଆମେ ଆମ ଗାଁରେ ଥିବା ଏକ ମନ୍ଦିରକୁ ଯାଇଥିଲୁ। ଜଣେ ବୟସ୍କ ଆଦିବାସୀ ମହିଳା ତାଙ୍କ ନାତି ସହ ମନ୍ଦିର ଭିତରକୁ ପଶିବାକୁ ଯାଉଥିଲେ କି ସେତେବେଳେ କେହିଜଣେ ତାଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରିଦେଲେ। ତାଙ୍କୁ ଏକ ପ୍ରକାରେ ଉଠାଇ ସେଠାରୁ ବାହାର କରିଦିଆଗଲା। କାରଣ ସେ ଆଦିବାସୀ ଓ ଅଛୁଆଁ। ଏହି ଘଟଣାଟି ମୋ କୋମଳ ମନରେ ଅନେକ ପ୍ରଶ୍ନବାଚୀ ଠିଆ କଲା।"

ବିକାଶ ବଡ ହେଇ ସଫ୍ଟୱେର ଇଞ୍ଜିନିୟରିଂ ପଢିସାରିବା ପରେ ଆଇବିଏମରେ ଏକ ଆଇଟି ପରାମର୍ଶଦାତା ଭାବେ ଯୋଗ ଦେଲେ। ଯଦିଓ ତାଙ୍କ କାମରେ ସେ ସନ୍ତୁଷ୍ଟ ଥିଲେ କିନ୍ତୁ ଆଦିବାସୀଙ୍କୁ ନେଇ ସେଇ ପ୍ରଶ୍ନବାଚୀ ସବୁ ତାଙ୍କ ମୁଣ୍ଡରେ ଏବେ ବି ଘୁରି ବୁଲୁଥିଲା। ୨୦୧୩ରେ ସେ  ଚାକିରି ଛାଡିବାକୁ ନିଷ୍ପତ୍ତି ନେଲେ ଓ ଆଦିବାସୀ ସମ୍ପ୍ରଦାୟ ସମ୍ପର୍କରେ ଭଲ ଭାବେ ବୁଝି ତାଙ୍କ ପାଇଁ କିଛି କରିବାକୁ ଭାବିଲେ ଯାହା ଦ୍ଵାରା ତାଙ୍କ ଜୀବନ ଧାରଣର ମାନରେ ଉନ୍ନତି ଆସିବ।

“ଯଦିଓ ମୋର ପିଲାବେଳ ଆଦିବାସୀଙ୍କ ଆଖପାଖରେ ହିଁ ବିତିଥିଲା, କିନ୍ତୁ ତାଙ୍କ ସହ ଆନ୍ତରିକ ଭାବେ ମିଶିବାର ସୁଯୋଗ ମୋତେ କେବେ ମିଳିନଥିଲା। ତାଙ୍କୁ ଦେଖିଲେ ଏମିତି ଲାଗୁଥିଲା ଯେମିତି ତାଙ୍କୁ ଏକ କାଚ ମଧ୍ୟ ଦେଇ ଦେଖୁଛୁ। ମୁଁ ତାଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରୁଥିଲି କିନ୍ତୁ ପ୍ରକୃତରେ ତାକୁ ଅନୁଭବ କରିପାରୁନଥିଲି। ସମୟର ଆରମ୍ଭରୁ ସେମାନେ ନିରାଶ୍ରିତ ଭାବେ ବଞ୍ଚି ଆସୁଛନ୍ତି। ସେତେବେଳେ ମୁଁ ନିଷ୍ପତ୍ତି ନେଲି ଯେ ମୁଁ ତାଙ୍କ ସାଙ୍ଗରେ ତାଙ୍କ ଗାଁରେ ଦୁଇ ମାସ ରହିବି। ମୋ ଜୀବନରେ ପ୍ରଥମ ଥର ପାଇଁ ମୁଁ ଭୋକ କଣ ଜାଣିପାରିଲି। ଏହି ପରୀକ୍ଷଣ ପରେ ମୁଁ ବୁଝିପାରିଲି ସେ ପ୍ରକୃତରେ ତାଙ୍କର ସମସ୍ୟା କଣ। ମୁ ବୁଝିପାରିଲି ଯେ ବସ୍ତୁଗତ ସମ୍ପତ୍ତି ଆନନ୍ଦର ଗ୍ୟାରେଣ୍ଟୀ ଦିଏ ନାହିଁ ଓ ଆମକୁ ଭଗବାନ ଯେତିକି ବି ଦେଇଛନ୍ତି ଆମକୁ ସେଥିପାଇଁ ସଦାବେଳେ କୃତଜ୍ଞ ହେବା ଉଚିତ। ଆମର ଏହି ଉଦ୍ୟୋଗରେ ‘ଦୁର୍ଭାଗ୍ୟ ହିଁ ଆବିଷ୍କାରର ମାତା’ ଧାରାରେ ଆମେ କାମ କରିଛୁ,” କୁହନ୍ତି ବିକାଶ।
“ଆଦିବାସୀ ସମାଜରେ ସମସ୍ୟା ଅନେକ ସ୍ତରରେ ରହିଛି। ଆମେ ଚାହିଁଲେ ତାହା ଉପରେ ଏକ ବହି ବି ଲେଖିହେବ। ସାଧାରଣତଃ ତାଙ୍କର ମୁଖ୍ୟ ସମସ୍ୟା ହେଉଛି ଭୌଗୋଳିକ ଦୃଷ୍ଟିରୁ ବିଚ୍ଛିନ୍ନ ଭାବେ ରହିବା, ବେରୋଜଗାରି, ଜମି ନ ଥିବା, ନିରକ୍ଷରତା, ପୁଷ୍ଟିହୀନତା, ସ୍ୱାସ୍ଥ୍ୟ ସମସ୍ୟା, ପରିଚ୍ଛନ୍ନତାର ଅଭାବ, ଚାଷରୁ କିଛି ଲାଭ ନ ଆସୁଥିବା, ବ୍ୟବସାୟୀ, ମହାଜନ ଆଦିଙ୍କ ଦ୍ଵାରା ଆର୍ଥିକ ଶୋଷଣ ଇତ୍ୟାଦି ଇତ୍ୟାଦି। ଆମର ଫାଉଣ୍ଡେସନ ଆଦିବାସୀ ଗୋଷ୍ଠୀ ମାନଙ୍କ ସହ ତାଙ୍କର ଏଇ ସବୁ ସମସ୍ୟାର ସମାଧାନ ପାଇଁ କାମ କରେ,” କୁହନ୍ତି ବିକାଶ।

ବଟ ବୃକ୍ଷ ଆଦିବାସୀ ଗୋଷ୍ଠୀ ମାନଙ୍କ ପାଇଁ ରୋଜଗାରର ବିକଳ୍ପ ବାହାର କରିବାରେ ନିଜର ଧ୍ୟାନ କେନ୍ଦ୍ରୀଭୂତ କରୁଛି ଯାହା ଫଳରେ ପରିବାର ମାନେ କିଛି ନ ହେଲେ ତାଙ୍କର ମୌଳିକ ଆବଶ୍ୟକତା ପୁରା କରିପାରିବେ। ସେମାନେ ୨୦୦୦ ଟଙ୍କାର ଏକ ପ୍ରାରମ୍ଭିକ ରାଶି ପ୍ରତ୍ୟେକ ପରିବାରକୁ ଦିଅନ୍ତି। ସେଇ ରାଶିରେ ପରିବାର ମାନେ ତାଙ୍କ ଶକ୍ତି ଅନୁସାରେ ଆଉ କିଛି ପଇସା ଜୋଡନ୍ତି। ବିକାଶ ବୁଝାନ୍ତି, “ମୂଳଧନ କମ ହେଲେହେଁ ଦକ୍ଷତା ଓ ଲାଭାର୍ଥୀ – ଯେଉଁମାନେକି ପ୍ରାୟତଃ ମହିଳା – ସେମାନେ ଆଗ ଅପେକ୍ଷା ପ୍ରାୟ ୩-୪ ଗୁଣ ଅଧିକା ରୋଜଗାର କରିପାରନ୍ତି।

ତାଙ୍କର ପ୍ରଥମ ଲକ୍ଷ୍ୟ ଥିଲା କୃଷି। 

ଚାଷୀ ଆତ୍ମହତ୍ୟା monocultureର (ଯେତେବେଳେ ଗୋଟିଏ ଶସ୍ୟ ଉତ୍ପାଦନ ଅସଫଳ ହୁଏ ଚାଷୀମାନେ ଅନ୍ୟ ସାଧନରୁ ଲାଭ କରିପାରନ୍ତି ନାହିଁ) ଏକ ବହୁ ଗମ୍ଭୀର ପରିଣାମ। ଆମେ କୃଷକ ମାନଙ୍କୁ କୃଷି ବିଶେଷଜ୍ଞ ମାନଙ୍କ ସହ ଯୋଗାଯୋଗ କରେଇ polyculture ବିଷୟରେ ବୁଝାଇଥାଉ ଯାହା ଫଳରେ ଗୋଟିଏ ଶସ୍ୟ ଉତ୍ପାଦନ ନହେଲେ ସେମାନେ ଅନ୍ୟ ବହୁ କିଛି ଶସ୍ୟ ଉତ୍ପାଦନ ପାଇଁ ବାଟ ଖୋଜି ପାଇବେ - କୁହନ୍ତି ବିକାଶ।

ଏଇ ସଂସ୍ଥା ମହିଳା ମାନଙ୍କ ପାଇଁ ମଧ୍ୟ କାର୍ଯ୍ୟକ୍ରମ କରୁଛି ଯାହାକି ମହିଳା ମାନଙ୍କୁ ଘର ଚଳାଇବା ସହ ଉପାର୍ଜନକ୍ଷମ କରିବାରେ ସାହାଯ୍ୟ କରୁଛି। “ଆମେ ମହିଳା ମାନେ ତାଙ୍କ ହାତ ତିଆରି ଜିନିଷ ଯଥା ଆଚାର, ଜଳଖିଆ, ଜଡିବୁଟି ଔଷଧ ଇତ୍ୟାଦି ବିକ୍ରି କରିବାରେ ସାହାଯ୍ୟ କରିବା ପାଇଁ କିଛି ମାର୍କେଟ ଚ୍ୟାନେଲ (ମୁଖ୍ୟତଃ ସହରିଆ ଅଞ୍ଚଳରେ କିଛି ଦୋକାନ ବା ଷ୍ଟଲ) ତିଆରି କରିଛୁ”।

ତାଙ୍କର ଅନ୍ୟ ପ୍ରୋଜେକ୍ଟ ଭିତରୁ ଗୋଟିଏ ହେଉଛି କାଉନ୍ସେଲିଙ୍ଗ ସେବା ଯାହାକି ଆଦିବାସୀ ମାନଙ୍କୁ ସରକାରଙ୍କର ବିଭିନ୍ନ ଜନହିତକାରୀ ଯୋଜନା ଯେମିତିକି ଜନ ଧନ ବ୍ୟାଙ୍କ ଖାତା, ସବସିଡି ଓ ରୃଣ ସୁବିଧା, ଘରେ ଛତୁଚାଷ ଯାହାକି ଖୁବ ସହଜରେ ଭଲ ରୋଜଗାର ଯୋଗାଇ ଥାଏ ଓ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ଉପରେ ଅବଗତ କରାଇଥାଉ। “ଆମେ ବର୍ତ୍ତମାନ ଲକ୍ଷ୍ୟ କରୁଛୁ ଆଦିବାସୀ ମାନେ ଅନ୍ୟାୟ ବିରୁଦ୍ଧରେ ଏବେ ସ୍ଵର ଉତ୍ତୋଳନ କରୁଛନ୍ତି ଯାହାକି ଆଗରୁ କରୁନଥିଲେ। ଏହା ଆମ ପାଇଁ ଏକ ଫଳପ୍ରସୂ ଭାବନା। ଆହୁରି ମଧ୍ୟ ଆଗରୁ ସେମାନେ ତାଙ୍କ ଛୁଆ ମାନଙ୍କୁ କାମରେ ଲଗାଉଥିଲେ ଏବଂ ସ୍କୁଲ ଛାଡିବାର ହାର ଅନେକ ବେଶୀ ଥିଲା। ଏବେ ଏହା ୯୫% ରୁ ୩୨%କୁ ଖସି ଆସିଛି,” କୁହନ୍ତି ବିକାଶ। ସେ ଆଶା କରନ୍ତି ବେଶୀରୁ ବେଶୀ ଛୁଆ ପଢିଲେ ଧୀରେ ଧୀରେ ସେମାନଙ୍କ ଜ୍ଞାନ ତାଙ୍କ ସମାଜରେ ବ୍ୟାପିଯିବ।

ବ୍ୟବସାୟରେ ହେଉଥିବା ଲାଭର ୧୦% ବଟ ବୃକ୍ଷ ଫାଉଣ୍ଡେସନକୁ ଯାଏ ଯାହାକୁ କି ୧୨ ଜଣ ମହିଳା ପ୍ରତିନିଧି ମାନେ ରକ୍ଷଣା ବେକ୍ଷଣ କରନ୍ତି। “ଏହି ରାଶି ତାଙ୍କର ସମାଜରେ ଥିବା ସମସ୍ୟା, ମୁଖ୍ୟତଃ ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ଖର୍ଚ୍ଚ ହୁଏ। ସବୁ ପ୍ରତିନିଧି ମାନେ ତାଙ୍କ ଗ୍ରାମ ବା ଗୋଷ୍ଠୀରେ ଥିବା ସମସ୍ୟାକୁ ବୁଝିବାରେ ଆମକୁ ସାହାଯ୍ୟ କରିବା ସହ ହେଉଥିବା ଉନ୍ନତିର ଖବର ରଖନ୍ତି। ଆମେ ଏକ ମାସିକ ତଥ୍ୟ ସଂଗ୍ରହ କରୁ। ଆମେ ଛୋଟ ଛୁଆଙ୍କ(ମାସକର ଶିଶୁ ଠାରୁ ୫ବର୍ଷର ଶିଶୁ ଯାଏ) ଓଜନରେ ଉନ୍ନତି, ସ୍କୁଲ ଯାଉଥିବା ଓ ଛାଡୁଥିବା ପିଲାଙ୍କ ହାର, ପରିବାରର ଆମଦାନୀ, ଚାଷରୁ ହେଉଥିବା ଅମଳ ଇତ୍ୟାଦି ଉପରେ ତଥ୍ୟ ସଂଗ୍ରହ କରିଥାଉ,” କହନ୍ତି ବିକାଶ। ବିକାଶ ଆହୁରି ଜୋଡନ୍ତି ଯେ ତାଙ୍କର ସଂସ୍ଥା ଆଦିବାସୀ ecosystemକୁ ବଞ୍ଚେଇରଖିବା ସହ ତାଙ୍କର ସାଂସ୍କୃତିକ ତତ୍ତ୍ଵକୁ ଆଖି ଆଗରେ ରଖି ନୂତନ ପ୍ରୋଜେକ୍ଟର ପରିଚୟ କରେଇଥାଏ। 

“ଆଦିବାସୀ ସଂସ୍କୃତି, ଭାଷା ଓ ପରମ୍ପରା ପରି ମୌଳିକ ତତ୍ତ୍ଵକୁ ବଞ୍ଚେଇରଖିବା ଆମର ଲକ୍ଷ୍ୟ,” ସେ କୁହନ୍ତି।

ସେ କଣ ସବୁ ବାଧା ବିଘ୍ନ ଦେଇ ଗତି କରିଛନ୍ତି ତା ସମ୍ପର୍କରେ ପଚାରିଲେ ବିକାଶ କୁହନ୍ତି ବାଧା ବିଘ୍ନ ସହ ଅନେକ ସୁଯୋଗ ମଧ୍ୟ ଆସିଛି। 

“ମୁଁ ଯେତେବେଳେ ଚାକିରି ଛାଡି ଏକ ଅପହଞ୍ଚ ଗାଁରେ ରହିବାକୁ ନିଷ୍ପତ୍ତି ନେଲି ସେତେବେଳେ ମୋ ପରିବାର ଓ ବନ୍ଧୁମାନେ ଖୁବ ମନ ଖରାପ କଲେ। ସେମାନେ ଭାବିଲେ ମୋ ମୁଣ୍ଡ ଖରାପ ହେଇଯାଇଛି କାହିଁକିନା ମୁଁ ଦରିଦ୍ରଙ୍କୁ ସାହାଯ୍ୟ କରିବା ପାଇଁ ଦରିଦ୍ର ପରି ରହିବାକୁ ଚାହୁଁଥିଲି। କିନ୍ତୁ କିଛି ଦିନ ପରେ ସେମାନେ ମୋର ବିଜନେସ ମଡେଲ ବୁଝିପାରିଲେ ଯାହାକି ମ୍ୟାଜିକ ଭଳି କାମ ଦେଲା!” 

ଆଦିବାସୀ ମାନଙ୍କ ପାଇଁ ମଧ୍ୟ ଏହା ବୁଝିବାକୁ ସହଜ ନଥିଲା। “ଆଦିବାସୀମାନେ ମୋତେ ପ୍ରଥମେ ବାହାର ଲୋକ ବୋଲି ଭାବୁଥିଲେ। ଅନେକ ସମୟ ଲାଗିଲା...କିନ୍ତୁ ପରେ ସେମାନେ ତାଙ୍କ ଭିତରୁ ଜଣେ ବୋଲି ସ୍ଵୀକାର କଲେ। ଏବେ ସେମାନେ ମୋତେ ଖୁବ ଭଲ ପାଆନ୍ତି ଓ ତାଙ୍କ ପରିବାର ମଧ୍ୟରୁ ଜଣେ ବୋଲି ଭାବନ୍ତି। ମୋର ଏବେ ବହୁତ ଗୁଡିଏ ପରିବାର ଯେଉଁମାନେକି ମୋ ପାଇଁ କିଛି ବି କରିପାରିବେ। ମୁ ବିଶ୍ଵାସର ସହ କହିପାରେ ଯେ ଟଙ୍କା ରୋଜଗାର କରିବା ଠାରୁ ସମ୍ମାନ, ଭଲ ପାଇବା ଓ ଆଶୀର୍ବାଦ ଅର୍ଜନ କରିବା ବହୁ ଗୁଣ ଅଧିକ ସନ୍ତୋଷଜନକ”।

ବଟ ବୃକ୍ଷର ସ୍ଥିରତା ସମ୍ପର୍କରେ ପ୍ରଶ୍ନ କଲାରୁ ବିକାଶ ଉତ୍ତର ଦିଅନ୍ତି, “ଯଦି ଆପଣ ଭଲ କାମ କରୁଛନ୍ତି ତେବେ ଟଙ୍କା ଆପଣଙ୍କ ପଛେ ପଛେ ଆସିବ। ଆମେ ଏହି ଭଳି ଏଯାଏ ତିଷ୍ଠି ଆସିଛୁ। ଆମ କାମ ଉପରେ ଆମର ବିଶ୍ଵାସ ଅଛି। ଯେତେଯାଏ ଆଦିବାସୀ ecosystemଟି ଠିକ ଅଛି ସେତେ ପର୍ଯ୍ୟନ୍ତ ଆମର କିଛି ଚିନ୍ତା ନାହିଁ”।

ସେ ଶେଷରେ କୁହନ୍ତି, 

ବିକାଶର ଅର୍ଥ ନୁହେଁ ସହରି ଚଳଣିକୁ ଆଣି ଆଦିବାସୀଙ୍କୁ ଜାତୀୟ ଏଜେଣ୍ଡାରେ ସାମିଲ କରିବା। ଆଦିବାସୀ ସଂସ୍କୃତି ସମୃଦ୍ଧିଶାଳୀ ଏବଂ ନିଆରା। କିନ୍ତୁ ଏହା ଏବେ ଲୋପ ପାଇବା ଉପରେ ଓ ଏହାର ରକ୍ଷା କରିବା ନିତାନ୍ତ ଆବଶ୍ୟକ। ବଟ ବୃକ୍ଷ ତାଙ୍କର ମୂଳଦୁଆକୁ ଶକ୍ତ କରିବା ପାଇଁ କାମ କରୁଛି ଓ ତାଙ୍କର ନିଆରା ସଂସ୍କୃତି ଯାହାକି ପ୍ରକୃତି ସହ ମିଶି ବଞ୍ଚିବାରେ ବିଶ୍ଵାସ କରେ, ତାଙ୍କୁ ସହାୟତା କରିବାରେ ଲାଗି ପଡିଛି। ପ୍ରକୃତିକୁ ପୂଜା କରି ଓ ତା ସାଥିରେ ବଞ୍ଚି ଆଦିବାସୀ ମାନେ ଗତ ୩୫୦୦ ବର୍ଷ ଧରି ଏଇ ଧରାପୃଷ୍ଠରେ ଅଛନ୍ତି।