ଏଣିକି ପରଖି ହେବ ଅଫ୍-ଲାଇନ୍ ବିକ୍ରେତାଙ୍କ ଦ୍ରବ୍ୟର ମୂଲ୍ୟ: ଦିଲ୍ଲୀର PriceMap ପକ୍ଷରୁ ଅଭିନବ ଉଦ୍ୟମ

ଏଣିକି ପରଖି ହେବ ଅଫ୍-ଲାଇନ୍ ବିକ୍ରେତାଙ୍କ ଦ୍ରବ୍ୟର ମୂଲ୍ୟ: ଦିଲ୍ଲୀର PriceMap ପକ୍ଷରୁ ଅଭିନବ ଉଦ୍ୟମ

Thursday December 03, 2015,

3 min Read

ଅନଲାଇନରେ କ’ଣ ସତରେ ସବୁକିଛି ଶସ୍ତାରେ ମିଳେ? ଆପଣଙ୍କ ନିକଟସ୍ଥ ଦୋକାନ ଅପେକ୍ଷା ଅନ୍ଲାଇନ୍ ଷ୍ଟୋରରେ ଆପଣ ଅଧିକ ରିହାତି ପାଆନ୍ତି କି? ଏବେ ଏ ଦ୍ୱନ୍ଦ୍ୱରୁ ଆପଣଙ୍କୁ ଉଦ୍ଧାର କରିବ PriceMap । ଏଣିକି ଏହା ମାଧ୍ୟମରେ ଆପଣ ଅନଲାଇନ୍ ଓ ଅଫଲାଇନ୍ ଉଭୟ ବିକ୍ରେତାଙ୍କ ଦ୍ରବ୍ୟର ମୂଲ୍ୟ ତୁଳନା କରିପାରିବେ । ଆସୋଚାମ୍ ଓ ଗ୍ରାଣ୍ଟ୍ ଥର୍ଣ୍ଟନ୍ ପକ୍ଷରୁ ମିଳିତ ଗବେଷଣା ଅନୁସାରେ ୨୦୧୬ ସୁଦ୍ଧା ଭାରତରେ ଅନଲାଇନ୍ କ୍ରେତାଙ୍କ ସଂଖ୍ୟା ୪ କୋଟି ହେବ ।

ଅନଲାଇନ୍ କ୍ରେତା ସୁରେଶ କାବ୍ରା ଥରେ Snapdealରୁ ଗୋଟେ ଲାପଟପ କିଣିଲେ । ସପ୍ତହାନ୍ତରେ ସେ ଦିଲ୍ଲୀର ପାଞ୍ଚ୍କୁଇଁଆ ବଜାର ଯାଇଥିଲେ । ଆଶ୍ଚର୍ଯ୍ୟ, ସ୍ଥାନୀୟ ଦୋକାନରେ ସେଇ ସମାନ ଲାପଟପ ୩୦ ଶତାଂଶ ଶସ୍ତାରେ ମିଳୁଥିଲା । ଏଇ ଘଟଣା ତାଙ୍କୁ ଏକ ବ୍ୟବସାୟ ବୁଦ୍ଧି ଦେଲା ଓ ସେଇଠୁ PriceMapର ଜନ୍ମ ।

image


ବର୍ତ୍ତମାନ ଦିଲ୍ଲୀରେ କାର୍ଯ୍ୟକ୍ଷମ ଏହି ଅନୁଷ୍ଠାନରେ ସୁରେଶଙ୍କ ସମେତ ଦୁଇ ସହ-ପ୍ରତିଷ୍ଠାତା ଶିଶିର ଦୁବେ ଓ ବାସବଜିତ ଦେଙ୍କୁ ମିଶାଇ ମୋଟ ୧୦ ଜଣ କର୍ମକର୍ତ୍ତା ଅଛନ୍ତି ।

ବଜାର ଅନୁକ୍ଷଣ

PriceMap ହେଉଛି ଏକ ମୋବାଇଲ ଆପ୍ ଯାହା ଗ୍ରାହକଙ୍କ ଅନଲାଇନ୍ ବଜାର ସମେତ ସ୍ଥାନୀୟ ଦୋକାନରେ ଉପଲବ୍ଧ ଦ୍ରବ୍ୟର ଦର ବତାଇଥାଏ । ଗ୍ରାହକ ଏଠାରେ ତୁଳନା କରି ଜାଣିପାରିବେ, ଦ୍ରବ୍ୟଟି କେଉଁଠି ଶସ୍ତା, ନିକଟସ୍ଥ ଦୋକାନ ନା ଅନଲାଇନ୍ ଷ୍ଟୋର୍ । ସେପ୍ଟେମ୍ବର ୨୦୧୫ରେ ଆରମ୍ଭ PriceMapରେ ଏବେ ଏଯାଏଁ ୮୦୦ ବିକ୍ରେତା ସାମିଲ ହୋଇ ସାରିଛନ୍ତି ।

Suresh Kabra, Co-founder, Pricemap

Suresh Kabra, Co-founder, Pricemap


ସୁରେଶ କାବ୍ରା କହନ୍ତି, ତାଙ୍କ ଆପ୍ ବ୍ୟବହାର କରୁଥିବା ୪ ଜଣ ଗ୍ରାହକରୁ ୩ ଜଣ ଏବେ ସ୍ଥାନୀୟ ବଜାରରୁ ଦ୍ରବ୍ୟ କିଣିବାକୁ ପସନ୍ଦ କରୁଛନ୍ତି ।

ସତସତିକା ସ୍ଥାନୀୟ ଦୋକାନରେ ଗ୍ରାହକଙ୍କ ଭିଡ଼ ବଢ଼ାଇ ୬୦୦୦ କୋଟି ଡଲାର ବ୍ୟବସାୟ ଲକ୍ଷ୍ୟ ରଖିଛି PriceMap । ଏଥିପାଇଁ ନିବେଶକଙ୍କ ଠାରୁ ଅର୍ଥଲଗାଣ ଆଶା ରଖିଛି PriceMap ।

ଖୁଚୁରା ବ୍ୟବସାୟୀଙ୍କ ମନଜିଣା

ପ୍ରଥମେ ପ୍ରଥମେ ସ୍ଥାନୀୟ ବ୍ୟବସାୟୀଙ୍କ ମନ ଜିଣି ସେମାନଙ୍କୁ PriceMapରେ ସାମିଲ କରିବା କାଠିକର ଥିଲା। ସୁରେଶ କହନ୍ତି, "ତେବେ ଥରେ ସେମାନେ ଆମ ଆପ୍ ବ୍ୟବହାର ଆରମ୍ଭ କରିବା ପରେ ସେମାନଙ୍କର ଗ୍ରାହକ ସଂଖ୍ୟା ବହୁଗୁଣିତ ହୋଇଛି । ବିକ୍ରେତାମାନେ ଅନୁଭବ କରୁଛନ୍ତି, ସେମାନେ ବି ଅନଲାଇନ୍ ବିକ୍ରେତାଙ୍କ ସହ ସମତାଳରେ ଯାଇପାରିବେ । ବିନା କୌଣସି ଜ୍ଞାନକୌଶଳ ପ୍ରୟୋଗରେ ଏବେ ସେମାନେ ଅନଲାଇନ୍ ଗ୍ରାହକଙ୍କୁ ସହଜରେ ଅଫଲାଇନ୍ ଗ୍ରାହକରେ ପରିବର୍ତ୍ତନ କରିପାରୁଛନ୍ତି ।’

ଆପର ବ୍ୟବହାର

PriceMap ଆପ୍ ବ୍ୟବହାର ଭାରି ସହଜ । ଆପଣ ଯେଉଁ ଦ୍ରବ୍ୟଟି କିଣିବାକୁ ଚାହୁଁଛନ୍ତି କେବଳ ତାହାର ଅନଲାଇନ୍ ଲିଙ୍କଟିକୁ ଏଥିରେ ସେୟାର କରି ଦିଅନ୍ତୁ । ସ୍ଥାନୀୟ ବ୍ୟବସାୟୀମାନେ ଏହାକୁ ପାଇ ଆପଣଙ୍କୁ ସର୍ବନିମ୍ନ ମୂଲ୍ୟ ବତାଇବେ । ଏବେ ଆପଣଙ୍କୁ ଯେଉଁଠି ମୂଲ୍ୟ କମ ଲାଗିବ ଆପଣ ସେଇଠୁ ଆପଣଙ୍କ ଇପ୍ସିତ ଦ୍ରବ୍ୟଟି କ୍ରୟ କରି ପାରିବେ ।

କ’ଣ ବଜାରର ସ୍ଥିତି

ଭାରତରେ ଅନଲାଇନ୍ କ୍ରୟ ବଢ଼ୁଥିବା ବେଳେ ମୂଲ୍ୟ ତୁଳନା ପାଇଁ ବହୁ ୱେବସାଇଟ କାର୍ଯ୍ୟ କରୁଛନ୍ତି; ଯେମିତି କି Junglee, MySmartPrice, PriceDekho, PricePanda, CompareRaja, Scandid, Grabon ଓ Smartprix ଇତ୍ୟାଦି ।

ଏବେ ଏହିଭଳି ବହୁ ନୂଆ ସଂସ୍ଥା ନିବେଶକଙ୍କୁ ଆକୃଷ୍ଟ କରିବାକୁ ଚାହୁଁଛନ୍ତି । କେତେକ ସେଥିରେ ସଫଳ ମଧ୍ୟ । PriceMap ଯଦିଓ ବଜାରରେ ନୂଆ, ତଥାପି ନିଜର ବିଲକ୍ଷଣ ସେବା ପାଇଁ ଏଆ ଅନ୍ୟମାନଙ୍କ ମଧ୍ୟରେ ବାରି ହୋଇପଡେ଼ । ୨୦୧୬ ସୁଦ୍ଧା ଦେଶର ୨୦ଟି ବଡ଼ ସହରରେ ୩୦ଟି ପ୍ରମୁଖ ଦ୍ରବ୍ୟର ବିକ୍ରେତାମାନଙ୍କୁ ଏହା ନିଜର ଆପ୍ ସହ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି ।

ସୁରେଶ କହନ୍ତି, ‘ଆଗାମୀ ୫ ବର୍ଷ ଭିତରେ ଅଫଲାଇନ୍ ବିକ୍ରେତାଙ୍କୁ ନେଇ ଭିନ୍ନ ଏକ ଗୁଗଲ୍ ହେବ PriceMap। ଯେଉଁଠି କ୍ରେତାମାନେ ଯେକୌଣସି ଅନଲାଇନ୍ ସାଇଟରୁ ଯେ କୌଣସି ଦ୍ରବ୍ୟ ଆଣି ଏଥିରେ ଖୋଜି ପାରିବେ । ଆଗାମୀ ୩ ବର୍ଷରେ ୧୦୦ କୋଟି ଟଙ୍କା ବ୍ୟବସାୟର ଲକ୍ଷ୍ୟ ରହିଛି ।’

PriceMap

ମୂଳ ଲେଖା - ଅପରାଜିତା ଚୌଧୁରୀ

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା