ବାରାଣାସୀରେ ସ୍ଵପ୍ନ ଓ ସଫଳତାର କାହାଣୀ

0

ବାରଣାସୀର ଗୋଟେ ସ୍ଵଚ୍ଛଳ ଯୌଥ ପରିବାରରେ ଜନ୍ମିଥିଲେ ଶୃତି ଜୈସବାଲ । ସବା ସାନ ହୋଇଥିବାରୁ ସମସ୍ତଙ୍କର ସ୍ନେହ ଆଦରରେ ବଢ଼ିଥିଲେ । କମ ବୟସରୁ ସେ ଅନୁଭବ କରିଥିଲେ ବି ଭଲ ପରିବାରରେ ଜନ୍ମ ହୋଇଥିବାରୁ ସେ ଯେଉଁ ସୁବିଧା ସୁଯୋଗ ପାଉଛନ୍ତି ଅନେକଙ୍କ ପାଇଁ ତାହା ସପନ । ଭାରତର ଦୁର୍ବଳ ଆର୍ଥିକ ସମାଜରେ, ବିଶେଷ କରି ବାରଣାସୀ ଭଳି ରକ୍ଷଣଶୀଳ ସହରରେ ମହିଳାମାନଙ୍କୁ ନିଜର ଗୁଜୁରାଣ ପାଇଁ ଦ୍ୱିଗୁଣ ପରିଶ୍ରମ କରିବାକୁ ପଡ଼ୁଥିଲା ।

ସ୍କୁଲ ଶିକ୍ଷା ସରିବା ବେଳେ ଦିନେ ସେ ଏମିତି କିଛି ମହିଳାଙ୍କୁ ଭେଟିବାର ସୁଯୋଗ ପାଇଥିଲେ, ଯେଉଁମାନେ ସମ୍ପନ୍ନ ଘରେ କାମତୁଣୀ ଭାବେ କାମ କରୁଥିଲେ । ଶୃତି ମନେପକାନ୍ତି, ସେମାନେ ଏକ ସିଲେଇ କେନ୍ଦ୍ର ଖୋଲିବାକୁ ଚାହୁଥିଲେ । ତେବେ ସ୍ଵାମୀମାନଙ୍କ ଅସହଯୋଗ ଓ ସମାଜର ହେୟଜ୍ଞାନ ସେମାନଙ୍କୁ ପର ଘରେ କାମ କରିବାକୁ ବାଧ୍ୟ କରୁଥିଲା । ଶୃତିଙ୍କୁ ଯେତେବେଳେ ମାତ୍ର ୧୯ ବର୍ଷ, ୨୦୦୯ରେ ସେ କ୍ଲଚ୍-ଅନ୍ ନାମରେ ନିଜର ପ୍ରଥମ ଅନୁଷ୍ଠାନ ଆରମ୍ଭ କଲେ । ସେଠାରେ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେଇ ହାତତିଆରି ବ୍ୟାଗ୍ ତିଆରି ଆରମ୍ଭ କଲେ । ତେବେ ପରେ ଉଚ୍ଚଶିକ୍ଷା ପାଇଁ ଶୃତି ଯେତେବେଳେ ବାରଣାସୀ ଛାଡ଼ି ବାହାରକୁ ଆସିଲେ କ୍ଲଚ୍-ଅନ୍ ବନ୍ଦ ହୋଇଗଲା । ତେବେ ଏହା ସହ ସଂପୃକ୍ତ ମହିଳାମାନେ ଏବେ ଅନ୍ୟ ସିଲାଇ କେନ୍ଦ୍ରରେ କାମ କରୁଛନ୍ତି ଏବଂ କେତେକ ନିଜର କେନ୍ଦ୍ର ମଧ୍ୟ ଚଳାଉଛନ୍ତି ।

ଭୁବନେଶ୍ୱରର ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟରୁ ୨୦୧୪ରେ ସ୍ନାତକୋତ୍ତର ସମାପ୍ତ ପରେ ଶୃତି ଏକ ପ୍ରତିଷ୍ଠିତ ବ୍ୟାଙ୍କରେ ଚାକିରି ପାଇଲେ । ଭୁବନେଶ୍ୱରରେ ପାଠ ପଢ଼ୁଥିବା ବେଳେ ସେ ଛୋଟ ଛୋଟ ସହରରେ ବୁଲିଥିଲେ ଏବଂ ଅନୁଭବ କରିଥିଲେ ମହିଳାଙ୍କ ପୀଡ଼ା । ମାସକ ପରେ ଚାକିରିରେ ତାଙ୍କର ମନ ଲାଗିଲାନି ।

ପାଠ ପଢ଼ିବା ବେଳେ ରୁହ୍-ସର୍ଭ ନାମରେ ସେ ଏକ ସାମାଜିକ ଉଦ୍ୟୋଗର ପରିକଳ୍ପନା କରିଥିଲେ । ନିଜର ସ୍ଵପ୍ନକୁ ସେ ଦି ଗ୍ରୀନ୍ ଷ୍ଟୋର ଚ୍ୟାଲେଞ୍ଜ୍ ପ୍ରତିଯୋଗିତା ପାଇଁ ପଠାଇଥିଲେ । ସେ ବିଜୟୀ ହେଲେ, ତାଙ୍କୁ ବୃତ୍ତି ମିଳିଲା ଓ ଜର୍ମାନୀରେ ଯାଇ ଅଧିକ ଗବେଷଣା ପାଇଁ ସୁଯୋଗ ମିଳିଲା । ତେବେ ଅତ୍ୟଧିକ ଖର୍ଚ୍ଚର ଭୟ ଏବଂ ପିତାମାତାଙ୍କ ଅନିଚ୍ଛା ଯୋଗୁ ସେ ଯାଇ ପାରିନଥିଲେ ।

ତେବେ ଶୃତିଙ୍କ ଭିତରେ କୁହୁଳୁଥିବା ରୁହ୍ ନିଆଁ ଶେଷରେ ତାଙ୍କ ନିଜ ସହରରେ ହିଁ ବ୍ୟାପକ ହେଲା । ରୁହ୍-ସର୍ଭ ମାଧ୍ୟମରେ ଏବେ ମହିଳା ଶିଳ୍ପୀମାନଙ୍କୁ ରୋଜଗାରର ମାଧ୍ୟମ ମିଳିଛି । ବିଭିନ୍ନ କଳାତ୍ମକ ଓ ଲୋକଶିଳ୍ପ ମାଧ୍ୟମରେ ରୁହ୍-ସର୍ଭ ଗ୍ରାହକଙ୍କ ପ୍ରିୟଭାଜନ ହୋଇପାରିଛି । ପ୍ରଥମେ ପ୍ରଥମେ ତାଙ୍କ ବୟସ ଓ ପିଲାଳିଆମି ଚେହେରା ଯୋଗୁ ଲୋକେ ତାଙ୍କୁ ଗୁରୁତ୍ୱ ଦେଉନଥିଲେ । ଏଥିପାଇଁ ସେ ନିଜ ପୋଷାକରେ ପରିବର୍ତନ ଆଣି କେମିତି ବୟସ୍କ ଦିଶିବେ ଚେଷ୍ଟା କଲେ । ୨୦୧୪ ସେପ୍ଟେମ୍ବରରେ ଆରମ୍ଭ ହୋଇଥିବା ରୁହ୍ ପ୍ରଥମରୁ ମାସକୁ ୧୦ ଅର୍ଡର ପାଉଥିବା ବେଳେ ଏବେ ଦୈନିକ ୭-୧୦ ଅର୍ଡର ମିଳୁଛି । ବିକ୍ରି ବଢ଼ିଛି । ୯ ଜଣିଆ ଦଳରେ ୬ ଜଣ ଶିଳ୍ପୀ ଏବଂ ଶୃତିଙ୍କ ଭିନ୍ନ ଆଉ ଦୁଇ କର୍ମଚାରୀ ଅଛନ୍ତି ।

ଶୃତି କହନ୍ତି, ‘ରୁହ୍ କେବଳ ସେମାନଙ୍କୁ କାମ ଆଉ ରୋଜଗାର ଦେଉନାହିଁ । ବରଂ ସେମାନଙ୍କୁ ଏମିତି କିଛି ଦେଉଛି ଯାହା ସେମାନଙ୍କୁ ଭବିଷ୍ୟତରେ ଏକ ସ୍ଥାୟୀ ରୋଜଗାରର ମାଧ୍ୟମ ଦେବ ।’

ନିଜର ସହଯୋଗୀମାନଙ୍କ ଆଧାର କାର୍ଡ କରାଇବା ସହ ସେମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜନଧନ ଯୋଜନାରେ ସାମିଲ କରିଛନ୍ତି ଶୃତି । ସେମାନଙ୍କୁ ଟେଲରିଂ ଓ ଡିଜାଇନ୍ ଶିକ୍ଷା ମଧ୍ୟ ଦେଇଛନ୍ତି ।

ରୁହ୍ ର ଅନ୍ୟତମ ସଦସ୍ୟ ରୀନାଙ୍କୁ ମୁଁ ଯେତେବେଳେ କଥା ହେବାକୁ ଚାହିଁଲି ସେ ଲାଜେଇଗଲେ । ତେବେ ଯେତେବେଳେ ସେ କହିବା ଆରମ୍ଭ କଲେ ତାଙ୍କ ସ୍ଵରରେ ବେଶ୍ ଆଶା ଦିଶିଲା । ଜଣେ ପତି ପରିତ୍ୟକ୍ତା ଭାବେ ସେ ପୂର୍ବରୁ ବହୁ ଘରୋଇ ହିଂସାର ଶିକାର ହୋଇଥିଲେ । ନିଜ ବାପାମା’ ବି ତାଙ୍କୁ ବୋଝ ଭାବୁଥିଲେ । ତେବେ ରୁହ୍ ଯୋଗଦେବା ପରେ ତାଙ୍କ ଜୀବନ ବଦଳିଗଲା । ଏବେ ସେ ନିଜ ଭାଇମାନଙ୍କ ଠାରୁ ଅଧିକ ରୋଜଗାର କରୁଛନ୍ତି । ଘରର ବିରୋଧ ସତ୍ତ୍ୱେ ପୁଣି ବିବାହ କରିବାକୁ ଚାହୁଛନ୍ତି ।

ରୁହ୍ ମାଧ୍ୟମରେ ଏଇମିତି ପରିବର୍ତନର ହିଁ ସ୍ଵପ୍ନ ଦେଖିଥିଲେ ଶୃତି । ସ୍ଥାନୀୟ ବଜାରରୁ କ୍ରମଶଃ ଲୋପ ପାଉଥିବା କିଛି ପାରମ୍ପରିକ ଉତ୍ପାଦକୁ ଏବେ ରୁହ୍ ମାଧ୍ୟମରେ ବିକ୍ରି କରିବାକୁ ଉଦ୍ରମ ଆରମ୍ଭ କରିଛନ୍ତି ଶୃତି । ଏବେ ରୁହ୍-ସର୍ଭ eBay’ରେ ମଧ୍ୟ ପଞ୍ଜୀକୃତ ହୋଇଛି । ଇବେ’ର ‘ସି ମିନ୍ସ ବିଜିନେସ୍’ ପ୍ରତିଯୋଗିତାରେ ସେ ବିଜୟୀ ମଧ୍ୟ ହୋଇଛନ୍ତି ।

ଶୃତି କହନ୍ତି, ରୁହ୍ ତାଙ୍କର ସନ୍ତାନ । ଖୁବ୍ ଶୀଘ୍ର ସେ ବିବାହ କରିବାକୁ ଯାଉଛନ୍ତି, ତେବେ ଏହା ତାଙ୍କ ଅନୁଷ୍ଠାନକୁ ପ୍ରଭାବିତ କରିବନି ବୋଲି ସେ କହିଛନ୍ତି । ମୁଁ ତାଙ୍କୁ ପଚାରିଲି, ବାହାଘର ପରେ ଆପଣଙ୍କର ଦାୟିତ୍ୱର ପ୍ରାଥମିକତା ଅନ୍ୟଆଡ଼କୁ ବଦଳିଯିବନି ତ?

ସେ ଉତ୍ତରଦେଲେ, ଏଭଳି ପ୍ରଶ୍ନ ପୁରୁଷଙ୍କୁ ତ କେବେ ପଚରାଯାଏନା ।

ଶୃତିଙ୍କୁ ଦେଖିଲେ ରୁମିଙ୍କର ଗୋଟେ କଥା ମନେଫନିଯାଏ, ‘ଯେତେବେଳେ ତମେ ନିଜ ଆତ୍ମାକୁ ଲଗାଇ କିଛି କାମ କର, ନିଜ ଭିତରେ ଗୋଟେ ନଦୀ ପ୍ରବାହ ଅନୁଭବ କରିବ, ଏକ ଆନନ୍ଦ ପାଇବ ।’

ଉର୍ଦ୍ଧୁ ଓ ଫରାସୀ ଶବ୍ଦ ରୁହ୍ ଅର୍ଥ ହେଉଛି ଆତ୍ମା । ସତରେ ରୁହ୍-ସର୍ଭରେ ଯାହା ତିଆରି ହୁଏ ତାହା କାରିଗରମାନଙ୍କ ଆତ୍ମାରୁ ହିଁ ଆସିଥାଏ ।

ମୂଳ ଲେଖା - ଶାରିକା ନାୟାର

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା