୧୯୪୭ରେ ଭାରତ ସ୍ଵାଧୀନତା ଲାଭ କରିବା ପରଠାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମୀଣ ଅଞ୍ଚଳର ବିକାଶ ପାଇଁ ଅନେକ ଯୋଜନା ଆରମ୍ଭ କରିଆସିଛନ୍ତି ଏବଂ ତାକୁ ଉଭୟ ସ୍ତରରେ ଯୋଡ଼ିବାର ପ୍ରୟାସ ମଧ୍ୟ କରିଛନ୍ତି। ଯଦିଓ ଏହି ଉଦ୍ୟମ ବଡ଼ ଧରଣର ସଫଳତା ଦେଖିପାରିନାହିଁ କିନ୍ତୁ ଅନେକ ସଫଳ କାହାଣୀ ଅଛି ଯାହା କହିବା ଯୋଗ୍ୟ। ସମ୍ବଲପୁର ଜିଲ୍ଲାର ସରଡା ପଞ୍ଚାୟତର କାହାଣୀ ସେଥିରୁ ଗୋଟିଏ।
ଜମନକିରା ବ୍ଲକର ଏକ ପଛୁଆ ପଞ୍ଚାୟତ ହିସାବରେ ଗଣାଯାଏ ସରଡା। ସରଡା, ତିଳେଇମାଳ, ପଥୁରିଆ, ପୋଡାଡ଼ିହି ଓ ସାଲୋଇ ଗାଁକୁ ମିଶେଇ ମୋଟ ଲୋକସଂଖ୍ୟା ହେଲେ ମାତ୍ର ୧୨୪୩। ଏଠାରେ ରହୁଥିବା ଆଦିବାସୀ ସମ୍ପ୍ରଦାୟଙ୍କର ପ୍ରାଥମିକ ରୋଜଗାରର ପନ୍ଥା ହେଲା ଶାଳ ମଞ୍ଜି ଓ ମହୁଲ ସଂଗ୍ରହ କରିବା।
ଏଠାକାର ବାସିନ୍ଦା ୪୨ ବର୍ଷୀୟ ଲଧା ଦ୍ରାମ କହନ୍ତି,
“ଜଙ୍ଗଲି ଏବଂ ପାହାଡିଆ ଅଞ୍ଚଳ ଯୋଗୁଁ ଏହି ପଞ୍ଚାୟତର ଲୋକମାନେ ପ୍ରାୟ ୬୦ ବର୍ଷ ଧରି ବାହାର ଦୁନିଆ ଠାରୁ ପ୍ରାୟ ବିଛିନ୍ନ ହୋଇ ରହିଛନ୍ତି। ଜିଲ୍ଲା ପ୍ରଶାସନର ଦୃଷ୍ଟି ଏହି ପଞ୍ଚାୟତ ଉପରେ ପଡୁନାହିଁ। ତେଣୁ ଏହା ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ଅଛି।“
ଏଠାରେ ପକ୍କା ରାସ୍ତା ନଥିଲା କି ବିଦ୍ୟୁତ ଯୋଗାଣ ମଧ୍ୟ ହୋଇନଥିଲା। ସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ଥିଲେ ଏଠାକାର ଲୋକେ। ଅତ୍ୟନ୍ତ ଦାରିଦ୍ର୍ୟ ଥିବା ସତ୍ତ୍ୱେ ପଞ୍ଚାୟତ ରେକର୍ଡ ଅନୁସାରେ ମାତ୍ର ୮ଟି ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ଥିବାର ଉଲ୍ଲେଖ ଥିଲା। ୧୯୮୪ରେ ଏହି ପଞ୍ଚାୟତରେ ଥିଲା ମାତ୍ର ଦୁଇଟି ଟିଉବୱେଲ ଥିଲା ଯେଉଁଥିରୁ ଲୋକେ ପିଇବା ପାଣି ନେଉଥିଲେ। ଅନ୍ୟ ଚାରିଟି ଗାଁରେ ଗୋଟିଏ ଝର ଓ ଗୋଟିଏ ମାତ୍ର କୂଅ ଛଡ଼ା ଅନ୍ୟ କୌଣସି ଜଳର ଉତ୍ସ ନଥିଲା। ଝରର ଗୋଳିଆ ପାଣି ଓ କୂଅର ପ୍ରଦୂଷିତ ପାଣି ପିଇବା ଯୋଗ୍ୟ ନଥିଲା। ଗାଁର ସ୍ତ୍ରୀ ଲୋକ ମାନେ ନିତି ୩-୪ କିଲୋମିଟର ଚାଲି ଘରର ବ୍ୟବହାର ପାଇଁ ପାଣି ବୋହିକରି ଆଣୁଥିଲେ। ପ୍ରଦୂଷିତ ଜଳ ଯୋଗୁଁ ଏହି ଅଞ୍ଚଳରେ ଜଳଦ୍ଵାରା ବ୍ୟାପୁଥିବା ରୋଗ ଯେମିତିକି ଡାଇରିଆ, ଟାଇଫଏଡ଼, କାମଳର ପ୍ରାଦୁର୍ଭାବ ଥିଲା।
୧୯୯୦ ମସିହାରେ ସରଡା ପାଖରେ ଥିବା ଏକ ନକ୍ସଲ ହତିଆର ତିଆରି ୟୁନିଟର ସନ୍ଧାନ ମିଳିଥିବାରୁ ସମ୍ବଲପୁରର ତତ୍କାଳୀନ ପୁଲିସ ଅଧିକ୍ଷକ ଗୋପବନ୍ଧୁ ମଲ୍ଲିକ ଏଠାକୁ ପରିଦର୍ଶନ କରିଆସିଥିଲେ। ସରଡାର ଇତିହାସରେ ଜଣେ ସରକାରୀ ଅଫିସର ପରିଦର୍ଶନ ପାଇଁ ଆସିବା ପ୍ରଥମ ଥିଲା। ତାଙ୍କର ଆସିବାର ବର୍ଷଟିଏ ଭିତରେ ସେଠାକାର ନକ୍ସଲ ସମସ୍ଯାର ଅବସାନ ଘଟିଥିଲା।
୨୦୧୩-୧୪ରେ ଆତ୍ମାଶକ୍ତି ନାମକ ଏକ ଏନଜିଓର କିଛି ସଦସ୍ୟ ଏହି ପଞ୍ଚାୟତକୁ ଯାଇ ସେଠାକାର ସାମାଜିକ ଓ ଅର୍ଥନୈତିକ ଅବସ୍ଥା ସମ୍ବନ୍ଧରେ ଏକ ସର୍ଭେ କରିଥିଲେ। ସର୍ଭେରୁ ଜଣା ପଡିଲା ଏଠାରେ ରହୁଥିବା ଲୋକେ ନିହାତି ଖରାପ ଅବସ୍ଥାରେ ଅଛନ୍ତି। ଅନେକ ଗ୍ରାମବାସୀ କର୍ମସନ୍ଧାନରେ ଅନ୍ୟ ଜାଗାକୁ ଚାଲିଯାଉଛନ୍ତି। ଡାଇରିଆ, ଟାଇଫଏଡ଼, କାମଳ ଓ ମାଲେରିଆ ଭଳି ରୋଗର ପ୍ରାଦୁର୍ଭାବ ଥିବାରୁ ଲୋକଙ୍କର ଏ ବାବଦରେ ଖର୍ଚ୍ଚ ମଧ୍ୟ ବେଶି ହେଉଛି। ଏସବୁ ଦେଖିବା ପରେ ଆତ୍ମଶକ୍ତି ଏଠାକାର ଲୋକଙ୍କୁ ଏକାଠି କରି ମୌଳିକ ସେବା ପାଇବାର ଦାବୀ କରିବା ପାଇଁ ପ୍ରେରିତ କଲା।
ପଞ୍ଚାୟତବାସୀ ଏହି ସର୍ଭେ ରିପୋର୍ଟକୁ ସମ୍ବଲପୁରର ଜିଲ୍ଲାପାଳ ବଳବନ୍ତ ସିଂଙ୍କୁ ନେଇ ଦେଖାଇଲେ। ୨୦୧୪ର ଶେଷ ସୁଦ୍ଧା ଜିଲ୍ଲାପାଳଙ୍କ ଉଦ୍ୟମରେ ସରଡା ଗ୍ରାମପଞ୍ଚାୟତକୁ ସଂସଦ ଆଦର୍ଶ ଗ୍ରାମ ଯୋଜନା ଅନ୍ତର୍ଭୁକ୍ତ କରାଇଲେ ଏବଂ ଧୀରେ ଧୀରେ ସମସ୍ତ ସରକାରୀ ଯୋଜନାକୁ ଏଠାରେ କାର୍ଯ୍ୟକାରୀ କରାଇବାରେ ସାହାଯ୍ୟ କଲେ। RWSSର ଯୋଜନା ଅନୁଯାୟୀ ଏଠାକାର ଗାଁ ଗୁଡ଼ିକୁ ପିଇବା ପାଣିର ସୁବିଧା ଯୋଗାଇ ଦିଆଗଲା। ସୋଲାର ଜଳ ୟୁନିଟ ସହାୟତାରେ ହ୍ୟାଣ୍ଡପମ୍ପ ଓ ୫୦,୦୦୦ ଲିଟରର ୱାଟର ଟ୍ୟାଙ୍କ ନିର୍ମାଣ ହେଲା ଯଦ୍ୱାରା ପ୍ରତିଟି ଘରକୁ ପିଇବା ପାଣି ଯୋଗାଇଦିଆଗଲା।
RWSSର ସଫଳତା ପରେ ଜିଲ୍ଲା ପ୍ରଶାସନଅନ୍ୟାନ୍ୟ ଯୋଜନା ଯେପରିକି OLM, NRHM, MGNREGA ଯୋଜନା କାର୍ଯ୍ୟକାରୀ କରିବାରେ ଜୋର ଦେଲା। ବିଭିନ୍ନ ଯୋଜନା ଏକା ସାଙ୍ଗରେ ପରସ୍ପର ସହ ମିଶି କାମ କରିବାକୁ ଲାଗିଲେ। ଗ୍ରାମବାସୀ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଗାଁ ରେ ୩.୨୬ କୋଟି ଟଙ୍କାର ସମ୍ବଳ ଏକାଠି ହେଇ ସ୍କୁଲ, ହଷ୍ଟେଲ, ଗୋଷ୍ଠୀ କେନ୍ଦ୍ର, ଏକ ପୋଲ, କିଛି ବ୍ୟକ୍ତିଙ୍କ ପାଇଁ ଘର ଏବଂ ପୋଖରୀ ଖୋଳାହେବା ସହ ଚାଷ ଓ କୁକୁଡ଼ା ଓ ଛେଳି ଫାର୍ମ ପାଇଁ ମଧ୍ୟ ଜମି ପ୍ରସ୍ତୁତ ହେଲା।
ଏହା ବ୍ଯତୀତ ଯୁବାବର୍ଗଙ୍କୁ ଟ୍ରେନିଂଦେବା ପାଇଁ ଗାଁରେ ଦକ୍ଷତା ବିକାଶ କେନ୍ଦ୍ର ମଧ୍ୟ ଖୋଲାଗଲା। ଖୋଲାରେ ମଳତ୍ୟାଗ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତ୍ଯେକ ଘରେ ଶୌଚାଳୟ ନିର୍ମାଣ ପାଇଁ ସହାୟତା ଯୋଗାଇଦେଲା। ଏଠାକାର ଲୋକଙ୍କର ଦାବୀ ଯୋଗୁଁ ଜିଲ୍ଲାପାଳ ଏଠାରେ ଥିବା ହାତୀ ଅଭୟାରଣ୍ୟ ମଧ୍ୟ ଦେଇ ୧୦ କିଲୋମିଟରର ପକ୍କା ରାସ୍ତା ସହ ବିଦ୍ୟୁତ ବ୍ୟବସ୍ଥା ଯୋଗାଇଦେବାର ପ୍ରତିଶ୍ରୁତି ଦେଇଛନ୍ତି।
ଉପରେ ଦିଆଯାଇଥିବା ସମସ୍ତ କାର୍ଯ୍ୟକଳାପ ସମ୍ଭବ ହେଇପାରିଥିଲା ମାତ୍ର ଏକ ବର୍ଷର ସମୟ ମଧ୍ୟରେ। ଏହା ଦେଖି ପାଖାପାଖି ଗ୍ରାମର ଲୋକଙ୍କ ମନରେ ବିଶ୍ଵାସ ଆସିଛି ଯେ ନିଜେ ଉଦ୍ୟମ କରିଲେ ଏବଂ ମିଳିମିଶି କାମ କରିଲେ ବିକାଶ ନିଶ୍ଚେ ଆସିବ।
“ଗାଁ ଲୋକଙ୍କ ସ୍ଵପ୍ନ ସତ ହେଇଛି। ଯେଉଁମାନେ ଆଗରୁ ଏ ଗାଁ ଛାଡ଼ି ଚାଲିଯାଇଥିଲେ ସେଥିରୁ ୯୦% ଲୋକ ପୁଣିଥରେ ନିଜ ଗାଁକୁ ଫେରିଆସିଛନ୍ତି। ଗାଁ ଛାଡ଼ିଯିବା କଥା ଆଉ କାହା ମନରେ ନାହିଁ,” ସରଡାର ସରପଞ୍ଚ ପ୍ରଭାଶାରି ବାଗ କୁହନ୍ତି।