ଓଡ଼ିଶାରେ ୨ ଲକ୍ଷ ମହିଳା ଉଦ୍ୟୋଗୀ: ୪ ଜଣଙ୍କ ପ୍ରେରଣାଦାୟୀ କାହାଣୀ

ଓଡ଼ିଶାରେ ୨ ଲକ୍ଷ ମହିଳା ଉଦ୍ୟୋଗୀ:  ୪ ଜଣଙ୍କ ପ୍ରେରଣାଦାୟୀ କାହାଣୀ

Monday March 07, 2016,

3 min Read

ମହିଳାମାନେ ଆଉ ଘର କାମ ଧନ୍ଦା ଭିତରେ ସୀମିତ ରହି ନାହାନ୍ତି । ଆଜିର ଆଧୁନିକ ଯୁବ ସମସ୍ତଙ୍କ ପାଇଁ ଆଗକୁ ବଢ଼ିବା ନିମନ୍ତେ ସୃଷ୍ଟି କରିଥିବା ସୁଯୋଗକୁ ସେମାନେ ମଧ୍ୟ ହାସଲ କରିଛନ୍ତି । ଅନେକ ବାଧାବିଘ୍ନ ସତ୍ୱେ ନିଜ ସ୍ୱପ୍ନକୁ ଅନୁସରଣ କରିବାକୁ ଭୁଲି ନଥିବା ଓଡ଼ିଶାର କିଛି ସଫଳ ମହିଳା ଉଦ୍ୟୋଗୀଙ୍କ ବିଷୟରେ ଆମେ ଏହି କାହାଣୀରେ ପଢ଼ିବା ।

image


Gender Disparity ରିପୋର୍ଟର ଏକ ସର୍ବେକ୍ଷଣ ମୁତାବକ ଓଡ଼ିଶାରେ ୨,୦୦,୦୦୦ ମହିଳା ଉଦ୍ୟୋଗୀ ରହିଛନ୍ତି । ସେମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଓଡ଼ିଶାରେ ସ୍ୱଂୟ ସହାୟକ ଗୋଷ୍ଠୀ (ଏସ୍ଏଚଜି) ଜରିଆରେ ମହିଳାମାନେ ଅଧିକ ଉଦ୍ୟୋଗ ଜଗତ ପ୍ରତି ଆକର୍ଷିତ ହୋଇଛନ୍ତି। ଏହି ସର୍ଭେରୁ ଜଣାପଡ଼ିଛି ଯେ ରାଜ୍ୟର ମହିଳାମାନେ ଉଦ୍ୟୋଗୀ ହେବାରେ ଭିନ୍ନ ଭିନ୍ନ ବିଷୟ ଗୁରୁତ୍ୱ ରଖୁଛି । କିଏ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ବ୍ୟବସାୟ ଜଗତରେ ପାଦ ଦେଇଥିବା ବେଳେ ଅନ୍ୟ କେହି ନିଜ ପସନ୍ଦ ଅନୁସାରେ ଉଦ୍ୟୋଗ ଜଗତରେ ପ୍ରବେଶ କରିଛନ୍ତି ।

ତାରା ଦାସ, ୬୩ ବର୍ଷ, ରାଜାମଣି ଫୁଡ୍ସର ପ୍ରତିଷ୍ଠାତା

Tara Das

Tara Das


ରାଜ୍ୟର ଜଣେ ସଫଳ ମହିଳା ଉଦ୍ୟୋଗପତି ହେଉଛନ୍ତି ତାରା ଦାସ । ତାଙ୍କୁ ଏବେ ୬୩ ବର୍ଷ ବୟସ । ସେ ରାଜାମଣି ଫୁଡ୍ସ ପ୍ରତିଷ୍ଠା କରିଛନ୍ତି । ତାରା କହନ୍ତି ଯେତେବେଳେ ସେ ବ୍ୟବସାୟ କରିବାକୁ ଆରମ୍ଭ କଲେ ତାଙ୍କ ଆର୍ଥିକ ଅବସ୍ଥା ବହୁତ ଖରାପ ଥିଲା । ତାଙ୍କ ସ୍ୱାମୀଙ୍କୁ ସେ ହରାଇ ସାରିଥିଲେ । ସ୍ୱାମୀଙ୍କ କିଡନୀ ପ୍ରତିରୋପଣ ଚିକିତ୍ସା ବିଫଳ ହେବାରୁ ସେ ପରଲୋକ ଗମନ କରିଥିଲେ । ଏହି ଘଟଣାରେ ତାରା ସମ୍ପୂର୍ଣ୍ଣ ମର୍ମାହତ ହୋଇପଡ଼ିବା ସହ ନିରାଶ ହୋଇପଡ଼ିଥିଲେ । ସ୍ୱାମୀଙ୍କ ଚିକିତ୍ସା ବାବଦରେ ଅନେକ ଅର୍ଥ ଖର୍ଚ୍ଚ ହୋଇଯାଇଥିଲା । ସେ ଶାରିରୀକ, ମାନସିକ ଓ ଆର୍ଥିକ ଭାବେ ଭାଙ୍ଗି ପଡ଼ିଥିଲେ । ସେ ନିଜର କାରବାର ୨ କିଲୋ ଚାଉଳ ଓ ଦେଶୀ ଗୁଡ଼କୁ ନେଇ ଆରମ୍ଭ କରିଥିଲେ । ସେଥିରୁ ସେ ଆରିସା କରି ବିକ୍ରି କରିଥିଲେ । ତାଙ୍କ ଆରିସାର ଚାହିଦା ବଢ଼ିବାରୁ ସେ ଅଧିକରୁ ଅଧିକ ଅର୍ଥ ସେଥିରେ ନିବେଶ କଲେ । ଦୀର୍ଘ ୬ ବର୍ଷର ସଂଘର୍ଷ ପରେ ତାଙ୍କ ଦ୍ୱାରା ପ୍ରସ୍ତୁତ ଆରିସା ସାରା ରାଜ୍ୟ, ଦେଶ ଏଭଳିକି ବିଦେଶରେ ଚର୍ଚ୍ଚିତ ହୋଇସାରିଲାଣି ।

Indira Mohapatra

Indira Mohapatra


ଇନ୍ଦୀରା ମହାପାତ୍ର, ୫୭, ମାଲିକ, ସ୍ମୃତି ଗ୍ୟାସ୍

ମହିଳାମାନେ କିଭଳି ସ୍ୱାବଲମ୍ବୀ ହେବା ଦରକାର ତାହା ଇନ୍ଦୀରା ମହାପାତ୍ରଙ୍କ କାହାଣୀ ପଢ଼ିଲେ ପ୍ରେରଣା ମିଳିଥାଏ । ସେ ଜଣେ ସାହସୀ, ସ୍ୱାବଲମ୍ବୀ ଓ ସ୍ୱାଧୀନ ଚେତନା ଥିବା ମହିଳା । ୧୯୮୫ରେ ସେ ଯେତେବେଳେ ନିଜର ବିତରଣ ଏଜେନ୍ସି ଆରମ୍ଭ କରିଥିଲେ ତାଙ୍କୁ ବହୁ ସମସ୍ୟା ସାମ୍ନା କରିବାକୁ ପଡ଼ିଥିଲା । ଜଣେ ବିତରକଙ୍କୁ ସରକାର ଯେଉଁ ସହାୟତାଯୋଗାଇ ଦେବା କଥା ତାହା ଦେଇ ନଥିଲେ । ନିଜେ ସେ ବିଭିନ୍ନ ସରକାର ଅଫିସ୍ ଦୌଡ଼ିଥିଲେ ସିଲିଣ୍ଡର ରଖିବା ପାଇଁ ଗୋଦାମ ଘର ଖଣ୍ଡିଏ ପାଇବାକୁ । ସେ କହନ୍ତି ଏ ପୁରୁଷ ପ୍ରଧାନ ସମାଜରେ ମହିଳାଙ୍କୁ କିିଛି ବି ଜିନିଷ ସହଜରେ ମିଳେ ନାହିଁ । ସରକାରଙ୍କ ପକ୍ଷରୁ ତାଙ୍କୁ ସହାୟତା ମିଳିଲା ନାହିଁ । କିନ୍ତୁ ହାର ମାନି ନ ଥିଲେ ଇନ୍ଦୀରା । ଏକ ବ୍ୟାଙ୍କରୁ ଋଣ ନେଇ ଜମି କିଣି ସେ ନିଜର ଗୋଦାମ ପ୍ରତିଷ୍ଠା କରିଥିଲେ ।

Supreeti Mishra

Supreeti Mishra


ସୁପ୍ରୀତି ମିଶ୍ର, ନିର୍ଦେଶକ ଇସିପି ଇଣ୍ଡଷ୍ଟ୍ରିଜ୍

ସୁପ୍ରୀତି ମିଶ୍ର ହେଉଛନ୍ତି ଇସିପି ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ନିର୍ଦ୍ଦେଶିକା । ସେ ନିଜ ବାପାଙ୍କ କାରବାରରେ ପ୍ରଥମେ ସହାୟତା କରିବା ପରେ ନିଜର ବ୍ୟବସାୟ ଖୋଲିଥିଲେ । ଦୁଗ୍ଧ କ୍ଷେତ୍ରର ବିକାଶ ପାଇଁ ସେ ନିଜର ସଂସ୍ଥା “ଗୋ ବିକାଶ’ ଆରମ୍ଭ କରିଥିଲେ । ସୁପ୍ରୀତି କହନ୍ତି ଯେ ନିଜର କାରବାର ଆରମ୍ଭ କରିବାର ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଗରିବ ଚାଷୀଙ୍କୁ ଜୀବନ ଜୀବିକାର ଏକ ଉତ୍କୃଷ୍ଟ ମାଧ୍ୟମ ପ୍ରଦାନ କରିବା । ବିଶେଷ କରି ମହିଳା ଚାଷୀ ଓ ଗ୍ରାମୀଣ ମହିଳାଙ୍କୁ ସେ ସଶକ୍ତ କରିବାକୁ ଚାହୁଁଥିଲେ । ସେ ନର୍ଥ ଓଡ଼ିଶା ଫାରମର୍ ମଲ୍ଟି ପରପସ୍ କୋଅପରେଟିଭ୍ ସୋସାଇଟି ଗଠନ କରିଛନ୍ତି । ଏହି କୋଅପରେଟିଭ୍ ସୋସାଇଟି ମହିଳା ଓ ଚାଷୀମାନେ ଉତ୍ପାଦନ ଓ ପ୍ରସ୍ତୁତ କରୁଥିବା ସାମଗ୍ରୀଗୁଡ଼ିକର ବିଜ୍ଞାପନ କରିବା ସହ ତାହାର ବିକ୍ରି ଓ ରପ୍ତାନି କରୁଛି । ତାଙ୍କ ସଂସ୍ଥା ପାଇଁ କାମ କରୁଥିବା ୮୦% ମହିଳା ହେଉଛନ୍ତି ଉପେକ୍ଷିତ ଓ ବିଧବା ।

Jagi Mangat Panda

Jagi Mangat Panda


ଜାଗି ମଙ୍ଗତ୍ ପଣ୍ଡା, ପରିଚାଳନା ନିର୍ଦେଶିକା, ଓରଟେଲ୍ କମୁ୍ୟନିକେସନ୍

ଓଡ଼ିଶା କେବୁଲ୍ ଟିଭି କ୍ଷେତ୍ରରେ ବିପ୍ଳବ ଆଣିଥିଲା ଓରଟେଲ୍ କମୁ୍ୟନିକେସନର ସଫଳତା ପଛରେ ରହିଛନ୍ତି ଜଣେ ମହିଳା । ସେ ହେଉଛନ୍ତି କଂପାନିର ପରିଚାଳନା ନିର୍ଦେଶିକା ଜାଗି ମଙ୍ଗତ ପଣ୍ଡା । ବଜାର ଓ ଲୋକମାନଙ୍କ ଆବଶ୍ୟକତାକୁ ଭଲ ଭାବେ ବୁଝିବା ସହ ସେ କେବୁଲ୍ ଟିଭିକୁ ରାଜ୍ୟର ଘରେ ଘରେ ପହଂଚାଇ ପାରିଛନ୍ତି । ତାଙ୍କ ଉଦ୍ୟମରେ ଓରଟେଲ୍ ଏବେ ଡିଜିଟାଲ୍ ସେଟ୍ ଟପ୍ ବକ୍ସଠାରୁ ଆରମ୍ଭ କରି କେବୁଲ୍ ଜରିଆରେ ଇଂଟରନେଟ୍ ଆଦି ସୁବିଧା ଲୋକମାନଙ୍କୁ ପ୍ରଦାନ କରୁଛି । ସହରାଚଂଳ ବିଶେଷ କରି ଭୁବନେଶ୍ୱରରେ ଓରଟେଲ୍ କମୁ୍ୟନିକେସନ୍ ଘରେ ଘରେ ଏକ ପରିଚିତ ନାମ ।