ଅନୁଗୁଳରେ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟ ପ୍ରତିଷ୍ଠା କରିବ ନାଲ୍‍କୋ

ଅନୁଗୁଳରେ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟ ପ୍ରତିଷ୍ଠା କରିବ ନାଲ୍‍କୋ

Friday December 25, 2015,

2 min Read

ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍‍କୋ), ଅନୁଗୁଳ ଠାରେ ଏକ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟ ପ୍ରତିଷ୍ଠା କରିବାକୁ ଯାଉଛି । ଦେଶର ପ୍ରସିଦ୍ଧ ଏଲ୍.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ (ଏଲ୍.ଭି.ପି.ଇ.ଆଇ.)ର ବୈଷୟିକ ସହାୟତାରେ ଏବଂ ୧୫ କୋଟି ଟଙ୍କାର ପ୍ରାରମ୍ଭିକ ବିନିଯୋଗରେ ଏହି ଚିକିତ୍ସାଳୟଟିର ସ୍ଥାପନା କରାଯିବ । ଉଲ୍ଲେଖଯୋଗ୍ୟ ଯେ ବିଶ୍ୱ ସ୍ୱାସ୍ଥ୍ୟ ଅନୁଷ୍ଠାନ (ଡବ୍ଲୁ୍ୟ.ଏଚ୍.ଓ)ର ସହବନ୍ଧନରେ ଏଲ୍.ଭି.ପି.ଇ.ଆଇ. ଅନ୍ଧତ୍ୱ ଦୂରୀକରଣ ପାଇଁ କାର୍ଯ୍ୟ କରୁଛି । ଅନଗୁଳରେ ସ୍ଥାପିତ ହେବାକୁ ଥିବା ଏହି ଚିକିତ୍ସାଳୟଟି ବିଶେଷ ଭାବେ ସ୍ଥାନୀୟ ଆର୍ଥିକ ଅନଗ୍ରସର ଶ୍ରେଣୀର ବ୍ୟକ୍ତିଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ କାର୍ଯ୍ୟ କରିବ । କମ୍ପାନୀ ଇତି ମଧ୍ୟରେ ଏହି ଚିକିତ୍ସାଳୟ ପାଇଁ ଜମି ଚିହ୍ନଟ କରିସାରିଛି ।

image


ନାଲ୍‍କୋ ପକ୍ଷରୁ ଅନୁଗୁଳ ଠାରେ ୩ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କେନ୍ଦ୍ର ଏବଂ ଗୋଟିଏ ବର୍ହିଚିକିତ୍ସା କେନ୍ଦ୍ର ପରିଚାଳିତ ହେଉଛି । ପାରିପାର୍ଶ୍ଵିକ ଗ୍ରାମବାସୀମାନଙ୍କୁ ଏହି ବ୍ୟବସ୍ଥା ଜରିଆରେ ପ୍ରତ୍ୟହ ମାଗଣାରେ ଔଷଧ ପ୍ରଦାନ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ପ୍ରତି ବର୍ଷ ଲାଭର ୨ ପ୍ରତିଶତ ଅର୍ଥ ବିଭିନ୍ନ ସି.ଏସ୍.ଆର୍. କାର୍ଯ୍ୟକ୍ରମ ଦିଗରେ ଖର୍ଚ୍ଚ କରିବା ସହ ନାଲକୋ ସମାଜିକ ବିକାଶ ନିମନ୍ତେ ଅତିରିକ୍ତ ୩୦୦ କୋଟି ଟଙ୍କା ବ୍ୟୟ ଅଟକଳ କରିଛି ।

ନାଲ୍‍କୋର ସ୍ମେଲ୍ଟର୍ ଏବଂ ନିଜସ୍ୱ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଉଭୟ ଅନୁଗୁଳ ଠାରେ ଅବସ୍ଥିତ । ଏହାକୁ ଆଖିରେ ରଖି କମ୍ପାନୀ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏହି କ୍ରମରେ, ନାଲ୍‍କୋ ପକ୍ଷରୁ ୧୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ସରକାରଙ୍କ ଗ୍ରାମୀଣ ଜଳଯୋଗାଣ ଓ ପରିମଳ ବିଭାଗ ଜରିଆରେ ୧୩ଟି ଗ୍ରାମକୁ ପାନୀୟ ଜଳଯୋଗାଣ ବ୍ୟବସ୍ଥାର ନବୀକରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।

ସ୍ୱଚ୍ଛ ଭାରତ ଅଭିଯାନ ଅଧିନରେ, ନାଲ୍କୋ ପକ୍ଷରୁ ଜିଲ୍ଲାର ୭୨ଟି ବିଦ୍ୟାଳୟରେ ୧୪୪ଟି ଶୌଚାଳୟ ନିର୍ମାଣ କରାଯାଇଛି । ଏତଦବ୍ୟତୀତ, କମ୍ପାନୀ ସହାୟତାରେ ଆଇଏପିଏଲ୍ ଛକରୁ ବେନ୍ତପୁର ପର୍ଯ୍ୟନ୍ତ ପକ୍କା ରାସ୍ତାର ନିର୍ମାଣ ସଂପ୍ରତି ଶେଷ ହୋଇଥିବା ବେଳେ କନିଆବେଡାରୁ କୁରୁଡୋଳ ରାସ୍ତାର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଏହା ଛଡା, ନାଲ୍‍କୋ ପକ୍ଷରୁ ଗିରାଙ୍ଗ ଠାରେ ଦୁଇଟି ଏବଂ କୁଲାଡ଼ ଓ କାଣ୍ଡସରରେ ଗୋଟିଏ ଲେଖାଏଁ ପୋଖରୀ ନିର୍ମାଣ ଓ ନବୀକରଣ କରାଯାଉଛି । କୁଲାଡ଼ ଗ୍ରାମକୁ ପାଇପ ଜଳ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ କମ୍ପାନୀ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।

Share on
close