ଆଧୁନିକ ଯୁଗର ଭଗିରଥ: ମହାଲିଙ୍ଗ ନାଏକ

1

ମହାଲିଙ୍ଗ ନାଏକଙ୍କ ବାବଦରେ କିଛି ଲେଖିବା ଆଗରୁ, ଆପଣମାନଙ୍କୁ ମୁଁ ଟିକେ ପୁରାଣର ଭଗିର‌ଥ ଚରିତ୍ର କଥା ମନେ ପକେଇ ଦଉଛି।

ସଗର ବଂଶର ଅନ୍ୟତମ ପ୍ରସିଦ୍ଧ ରାଜା ଥିଲେ ଭଗିରଥ। ସଗରଙ୍କର ସେ ଥିଲେ ନାତି। ଅଭିଶପ୍ତ ୬୦ ସହସ୍ର ସଗରପୁତ୍ରଙ୍କୁ ମୋକ୍ଷ ଦେବା ଲାଗି ଘୋର ତପସ୍ୟା କରି ଭଗିରଥ ଶିବଙ୍କୁ ସନ୍ତୁଷ୍ଟ କରିଥିଲେ ଓ ଗଙ୍ଗାଙ୍କୁ ସ୍ବର୍ଗରୁ ଧରା ପୃଷ୍ଠକୁ ଆଣିଥିଲେ। ହିମାଳୟରେ ଶିବଙ୍କ ଜଟାରୁ ଗଙ୍ଗା ବାହାରିଥିଲେ। ଆଗେ ଆଗେ ରଥରେ ଯାଇଥିଲେ ଭଗିରଥ। ପଛରେ ଗଙ୍ଗା ତାଙ୍କୁ ଅନୁସରଣ କରିଥିଲେ। ଷାଠିଏ ସହସ୍ର ସଗର ପୁତ୍ରଙ୍କ ଚିତା ଭସ୍ମ ଯେଉଁଠି ଯେଉଁଠି ପଡ଼ିଥିଲା ସେଇ ବାଟେ ଭଗିରଥ ଯାଇଥିଲେ। ଗଙ୍ଗାଙ୍କ ଜଳ ସ୍ପର୍ଶରେ ସଗରପୁତ୍ରମାନେ ମୋକ୍ଷ ପାଇଥିଲେ। ଗଙ୍ଗାଙ୍କୁ ପୃଥିବୀକୁ ଆଣିବାରେ ଭଗିରଥ ଯେଉଁ ଅସମ୍ଭବ କଷ୍ଟ ସ୍ବୀକାର କରିଥିଲେ ତାହା ଆପଣ ରାମାୟଣ ନପଢ଼ିଲେ ଅନୁଭବ କରି ପରିବେ ନାହିଁ।

ମହାଲିଙ୍ଗ ନାୟକଙ୍କ ସଂଘର୍ଷର କାହାଣୀ ଭଗିରଥଙ୍କ ଠାରୁ କିଛି କମ ନୁହେଁ। ଗୋଟେ ଜଳହୀନ ଟାଙ୍ଗରା ପାହାଡ଼ିଆ ଭୂଇଁରେ ପାଣି ଧାରଟିଏ ପାଇବାକୁ ତାଙ୍କର ୪ ବର୍ଷର ନିଷ୍ଠା ଓ ସଂଘର୍ଷ କାହାଣୀ ପଢ଼ିଲେ ଆପଣଙ୍କୁ ଦଶରଥ ମାଂଝୀଙ୍କ କଥା ମନେ ପଡ଼ିଯିବ।

ଏବେ ଆସନ୍ତୁ ଜାଣିବା ପାହାଡ଼ିଆ ଟାଙ୍ଗରା ଭୂଇଁକୁ ସବୁଜ କ୍ଷେତରେ ବଦଳେଇଥିବା ମହାଲିଙ୍ଗ ନାୟକଙ୍କ ଜଳ ସନ୍ଧାନର ସଂଘର୍ଷମୟ କାହାଣୀ।

କର୍ଣ୍ଣାଟକର ଦକ୍ଷିଣ କନଡ଼ ଜିଲ୍ଲା ଅମାଇ ଗାଁ ବାସିନ୍ଦା ମହାଲିଙ୍ଗଙ୍କର ବୟସ ଏବେ ୭୦ ବର୍ଷ। ୪୧ ବର୍ଷ ତଳେ, ଯେତେବେଳେ ତାଙ୍କର ବୟସ ମାତ୍ର ୨୯ ବର୍ଷ ଭୂମିହୀନ ମହାଲିଙ୍ଗଙ୍କ କଠିନ ପରିଶ୍ରମରେ ଖୁସି ହୋଇ ଜଣେ ସ୍ଥାନୀୟ ଜମିଦାର ମହାବଳ ଭଟ୍ଟ ତାଙ୍କୁ କିଛି ଅନୁର୍ବର ଜମି ଦାନ କରିଥିଲେ। ସେତେବେଳେ ମହାଲିଙ୍ଗଙ୍କ ପାଖରେ ନିଜର ଘର କିମ୍ବା ଜମି ନଥିଲା। ଜମିଟି ଏକ ପାହାଡ଼ ଉପରେ ଥିଲା। ସେଇଠି କଷ୍ଟେମଷ୍ଟେ କୁଡ଼ିଆ ଘରଟିଏ ବସାଇଲେ ମହାଲିଙ୍ଗ। ଘର କରିବା ପରେ ତାଙ୍କର ପ୍ରଥମ ଚିନ୍ତା ଥିଲା ପାଣି। କୂଅ ଖୋଳିବା ପାଇଁ ତାଙ୍କ ପାଖରେ ଅର୍ଥ ନଥିଲା। ପାଣି ପାଇଁ ତାଙ୍କ ପତ୍ନୀ ଲଳିତାଙ୍କୁ ପାହାଡ଼ ତଳକୁ ଅଧ କିଲୋମିଟର ଚାଲିଚାଲି ଯିବାକୁ ପଡ଼ୁଥିଲା। ତାଙ୍କ ଘର ଚାରିପାଖେ ଉଚ୍ଚ ପାହାଡ଼ ଥିଲା। ଦିନେ ଗୋଟେ ଚମତ୍କାର ଚିନ୍ତା ତାଙ୍କ ମନକୁ ଯୁଟିଲା। ଉଚ୍ଚ ପାହାଡ଼ ଭିତରେ ନିଶ୍ଚୟ ଜଳ ଉତ୍ସ ଥିବ ଓ ଯଦି ସେ ସୁଡ଼ଙ୍ଗ ଖୋଳି ପାହାଡ଼ ଭିତରକୁ ଯିବେ ତେବେ ପାଣି ଧାରକୁ ଘର ପାଖକୁ ଆଣି ପାରିବେ। ତାଙ୍କର ଏଭଳି ଚିନ୍ତାଧାରା ଶୁଣି ପ୍ରଥମେ ତାଙ୍କର ବନ୍ଧୁମାନେ ଏହାକୁ ପାଗଳାମୀ ବୋଲି କହିଥିଲେ। ସେ କିନ୍ତୁ ନିଜ ଜିଦରେ ଅଟଳ ଥିଲେ।

ଦିନ ବେଳେ ମହାଲିଙ୍ଗ ଏକ ଏକ ନଡ଼ିଆ ଓ ଗୁଆ ବଗିଚାରେ କାମ କରୁଥିଲେ। ଏଣୁ ରାତିରେ କାମ କରିବା ଆରମ୍ଭ କଲେ। ଘର ଠାରୁ ଉଚ୍ଚ ସ୍ତରରେ ଥିବା ପାହାଡ଼ରେ ସୁଡ଼ଙ୍ଗ ଖୋଳିବା ଆରମ୍ଭ କଲେ ମହାଲିଙ୍ଗ। ପ୍ରଥମେ ଘର ପାଖରେ ସେ ସୁଡ଼ଙ୍ଗ ଖୋଳିଲେ। କିରାସିନି ଦୀପ ଜାଳି ସେ କାମ ଚାଲୁ ରଖିଲେ। ଗୋଟେ ମଣିଷ ଗଳି ଯିବା ଭଳି ପ୍ରାୟ ୬-୭ ଫୁଟ ଉଚ୍ଚତା ଓ ଦୁଇ ଫୁଟ ଓସାରର ସୁଡ଼ଙ୍ଗ ଖୋଳିଲେ। ସବୁ ଦିନ ରାତିରେ ଖାଇବା ସାରି ସେ ସୁଡ଼ଙ୍ଗ ଭିତରକୁ ଯାଇ ଖୋଳିବା ଚାଲୁ ରଖନ୍ତି। ଏ ଭିତରେ ଗୋଟିଏ ବର୍ଷ ବିତି ଯାଇଥିଲା। ସୁଡ଼ଙ୍ଗ ଏତେ ପତଳା ଯେ ବେଳେବେଳେ ଦୀପ ଲିଭିଯାଏ, ବେଳେବେଳେ ପ୍ରଶ୍ବାସ ନେବାକୁ ବି ଅସୁବିଧା ହୁଏ। ସେତେବେଳେ ସେ ସୁଡ଼ଙ୍ଗ ବାହାରକୁ ଚାଲି ଆସନ୍ତି ଓ ପୁଣି ଭିତରକୁ ଯାଇ କାମ ଆରମ୍ଭ କରନ୍ତି। ଦୈନିକ ମାତ୍ର କିଛି ଇଞ୍ଚ ହିଁ ଖୋଳି ପାରୁଥିଲେ ମହାଲିଙ୍ଗ। ତାଙ୍କର ସାଥୀ ଏକ ଶାବଳ, ଏକ କୋଦାଳ, ଏକ ଗାଣ୍ଡୁଆ ଆଉ ଏକ କିରାସିନି ଦୀପ। ମାଟି ବୋଝେ ହେଲେ ତାକୁ ସୁଡ଼ଙ୍ଗ ବାହାରକୁ ଆଣି ଫିଙ୍ଗୁଥିଲେ ଓ ପୁଣି ଭିତରକୁ ଯାଉଥିଲେ। ବର୍ଷେ ପରେ ବି ଜଳର ଦେଖା ନଥିଲା। ତଥାପି ଆଶା ଛାଡ଼ି ନଥିଲେ ସେ। କିରାସିନି ଦୀପ ଯୋଗୁଁ ଧୂଆଁ ଅଧିକ ହେଉଥିବାରୁ ଓ ଶ୍ବାସକ୍ରିୟାରେ ଅସୁବିଧା ଉପୁଜିବାରୁ ସେ ନଡ଼ିଆ ତେଲ ବ୍ୟବହାର କଲେ। ସାଙ୍ଗରେ ଏକ ଛୋଟ ବୋତଲରେ ସେ ଅଧିକ ନଡ଼ିଆ ତେଲ ନେଉଥିଲେ ଓ ଦୀପରୁ ତେଲ ଶେଷ ହେଲେ ଢାଳୁଥିଲେ। ସୁଡ଼ଙ୍ଗ କାନ୍ଥରେ ଛୋଟ ଗାତଟିଏ କରି ସେଇଠି ଦୀପ ରଖୁଥିଲେ ଓ ମାଟି ଖୋଳିବାରେ ଲାଗି ଯାଉଥିଲେ। ସୁଡ଼ଙ୍ଗ ଏପରି ସିଧା ଖୋଳୁଥିଲେ ଯେ ତାଙ୍କୁ ବାହାରୁ ତାଙ୍କ ସ୍ତ୍ରୀ ଲଳିତା ଦେଖି ପାରୁଥିଲେ। ଲଳିତା ମଝିରେ ମଝିରେ ଆସି ତାଙ୍କୁ ଅନେଇ ଦେଇ ଯାଉଥିଲେ। ବର୍ଷାଧିକ କାଳ ପରିଶ୍ରମ ପରେ ସୁଡ଼ଙ୍ଗରୁ ପାଣି ନମିଳିବାରୁ ସେ ଆଶା ଛାଡ଼ିଦେଲେ, କିନ୍ତୁ ଚେଷ୍ଟା ଛାଡ଼ିଲେନି। ସେ ସୁଡ଼ଙ୍ଗରୁ ବାହାରି ନୂଆ ସ୍ଥାନରେ ଦ୍ବିତୀୟ ସୁଡ଼ଙ୍ଗ ଖୋଳିବା ଆରମ୍ଭ କଲେ ମହାଲିଙ୍ଗ। ପୁଣି ବର୍ଷାଧିକ କାଳ ବିତିଗଲା। ପାହାଡ଼ ଭିତରକୁ ୬୦ ଫୁଟର ସୁଡ଼ଙ୍ଗ ଖୋଳି ସାରିଥିଲେ ସେ। ତଥାପି ଜଳର ସନ୍ଧାନ ନଥିଲା।

ଏଣିକି ଲୋକେ ତାଙ୍କୁ ପାଗଳ କହିବା ଆରମ୍ଭ କଲେ। ଶୁଭଚିନ୍ତକ ଚିହ୍ନାଜଣା ଲୋକେ ଉପଦେଶ ଦେଲେ, ସୁଡ଼ଙ୍ଗ ଖୋଳା ବନ୍ଦ କର। ଜଳ ଦୂରର କଥା, ଓଦା ମାଟି ଟିକେ ବି ତାଙ୍କୁ ମିଳିଲାନି। ପୁଣି ଏକ ସାହସିକ ନିଷ୍ପତ୍ତି ନେଲେ ମହାଲିଙ୍ଗ। ଦ୍ବିତୀୟ ସୁଡ଼ଙ୍ଗ ଛାଡ଼ି ତୃତୀୟ ସ୍ଥାନରେ ସୁଡ଼ଙ୍ଗ ଖୋଳିବା ଆରମ୍ଭ କଲେ। ଏଥର ଅଧିକ ଉତ୍ସାହ, ଅଧିକ ସମୟ ଓ ଅଧିକ ବଳ ଦେଇ ସେ କାମ କଲେ। ମାତ୍ର ଦୁଇ ମାସରେ ୩୦ ଫୁଟର ସୁଡ଼ଙ୍ଗ ଖୋଳିଦେଲେ ମହାଲିଙ୍ଗ। ୯୦ ଫୁଟ ଭିତରକୁ ଯିବା ପରେ ଓଦା ମାଟିର ସନ୍ଧାନ ମିଳିଲା।

ମହାଲିଙ୍ଗ କହନ୍ତି, 'ତୃତୀୟ ସୁଡ଼ଙ୍ଗରେ ଯଦିଓ ଜଳର ଆଭାସ ମିଳୁଥିଲା, ମୋତେ ଲାଗିଲା ମୁଁ ଯେତିକି ପରିମାଣର ପାଣି ଖୋଜୁଛି ତାହା ଏଠାରେ ନାହିଁ। ମୋତେ କୌଣସି ବିଜ୍ଞାନ ଜଣା ନଥିଲା। କିନ୍ତୁ କାହିଁକି କେଜାଣି ମୋ ମନ କହିଲା, ଆଉ ପରିଶ୍ରମ କରି ଲାଭ ନାହିଁ। ମୁଁ ସେଇ ୯୦ ଫୁଟରୁ ପଛକୁ ଫେରିଲି। ଯେତେବେଳେ ତମେ ଏକା ଗୌଣସି ରାସ୍ତାରେ ଯାଉଥିବା ମନକୁ ପ୍ରଶ୍ନ ଆସିବ ତମେ ଭୁଲ ରାସ୍ତାରେ ଯାଉନ ତ? ହୁଏତ ମୁଁ ଭୁଲ ରାସ୍ତାରେ ଯାଉଥିଲି। ୩ ବର୍ଷର ପରିଶ୍ରମ ପରେ କେବଳ ମାଟି ଆଉ ଝାଳ ଛଡ଼ା ମୁଁ କିଛି ପାଇ ନଥିଲି। ତେଣୁ ଅନ୍ୟ ସାଧାରଣ ଜନତାଙ୍କ ଭଳି ମୁଁ ଖୋଲା ଆକାଶ ତଳେ କୂଅ ଖୋଳିବା ଆରମ୍ଭ କଲି। କିଛି ମାସ ଖୋଳିଲା ପରେ ମୁଁ ଥକିଗଲି। ବିଶେଷ କିଛି ଖୋଳି ପାରି ନଥିଲି। ମୋତେ ଲାଗୁଥିଲା ମୁଁ ଏଯାଏଁ କିଛି ବି କରି ପାରିଲିନି। ପାଣି ପାଇଁ ଆମେ ସେମିତି ପାହାଡ଼ ତଳକୁ ଯାଉଥିଲୁ। ମୁଁ ବିରକ୍ତ ହୋଇ ଦିନେ କୂଅ ଖୋଳା ବି ଛାଡ଼ିଦେଲି। ମୁଁ ଭାବିଲି ସୁଡ଼ଙ୍ଗ ଖୋଳିବା ହିଁ ମୋ ଭାଗ୍ୟରେ ଲେଖା। ଦେଖିବା କଣ ହେଉଛି।'

ପତ୍ନୀଙ୍କ ସହ ମିଶି ଏଥର ଚତୁର୍ଥ ସୁଡ଼ଙ୍ଗ ଖୋଳିବା ଆରମ୍ଭ କଲେ ମହାଲିଙ୍ଗ। ୭୦ ଫୁଟ ଖୋଳିବା ପରେ ଗୋଟେ ବଡ଼ ପଥର ପଥ ଓଗାଳିଲା। ଆଗରୁ ଅନ୍ୟ ସୁଡ଼ଙ୍ଗରେ ଏଭଳି ପଥର କେବେ ପଡ଼ିନଥିଲା। ଏତେ ପଡ଼ ପଥର ଖୋଳି ଆଗକୁ ଯିବା ସମ୍ଭବ ନଥିଲା। ଅମାଇ ଅଞ୍ଚଳରେ ତାଙ୍କ ବାରମ୍ବାର ବିଫଳତା ବାବଦରେ ସମସ୍ତେ ଜାଣି ସାରିଥିଲେ। ସମସ୍ତେ ଉପଦେଶ ଦେଲେ, ପାଗଳାମୀ ବହୁତ ହେଲା, ଏବେ ଖୋଳାଖୋଳି ଛାଡ଼।

ମହାଲିଙ୍ଗ କହନ୍ତି, '୪ ବର୍ଷରୁ ଅଧିକ ସମୟ ବିତି ଯାଇଥିଲା। ଲୋକେ ମୋତେ ପାଗଳ କହିବା ଆରମ୍ଭ କରିଦେଲେ। କେହି କେହି ମୋତେ ଦୟା କଲେ, କେହି କେହି ଟାହିଟାପରା କଲେ। ଏମିତି କି ମୋତେ ଜଣେ କହିଲେ, ଏ ଟାଙ୍ଗରା ଭୂଇଁକୁ ପାଣି ଆଣିବାର ଏକମାତ୍ର ଉପାୟ, ନିଜେ ପରିସ୍ରା କରି ଦେ। ସେତେବେଳେ ମୋ ପିଲାମାନେ ଛୋଟ ଥିଲେ। ମୁଁ ସେମାନଙ୍କୁ ଏମିତି ଟାଙ୍ଗରା ଭୂଇଁରେ ବିନା ପାଣିରେ ବଡ଼ ହେବା ଚାହୁ ନଥିଲି। ମୋ ଭଳି ସେମାନେ କେମିତି ଜଳକଷ୍ଟ ନ ଭୋଗିବେ ସେ ଚିନ୍ତା ମୋତେ ଘାରୁଥିଲା। ମୁଁ ପାଣି ଟିକେ ପାଇଗଲେ ମୋର ଶୁଖିଲା ଟାଙ୍ଗରା ଭୂଇଁ ସବୁଜିମାରେ ଭରି ଯାଆନ୍ତା। ମୋ ପିଲାମାନେ ଛାଇ ଟିକେ ପାଆନ୍ତେ। ତେଣୁ ମୁଁ ସବୁ କିଛି ଈଶ୍ବରଙ୍କ ଉପରେ ଛାଡ଼ି ଦେଇ ପଞ୍ଚମ ସୁଡ଼ଙ୍ଗ ଖୋଳିବାକୁ ବାହାରିଲି।'

୪ ଗୋଟି ସୁଡ଼ଙ୍ଗରେ ବିଫଳତା ସାମନା କରିଥିବା ମହାଲିଙ୍ଗଙ୍କ ଉତ୍ସାହ ମରିନଥିଲା। ପଞ୍ଚମ ସୁଡ଼ଙ୍ଗରେ ଦୁଇ ମାସ ଭିତରେ ୫୦ ଫୁଟ ଖୋଳିବା ପରେ ସାମାନ୍ୟ କାଦୁଆ ମାଟି ଦେଖାଗଲା। ସେଥିରୁ ସେ ଅନୁମାନ ଳଗାଇଲେ ଯଦି ଆଉ ସାମାନ୍ୟ ଉପରକୁ ସେ ସୁଡ଼ଙ୍ଗ ଖୋଳନ୍ତେ ତେବେ ଜଳ ପାଖରେ ପହଞ୍ଚିବା ନିଶ୍ଚିତ। ପଞ୍ଚମ ସୁଡ଼ଙ୍ଗ ଛାଡ଼ି ଏଥର ଷଷ୍ଠ ସୁଡ଼ଙ୍ଗ ଆଡ଼କୁ ମୁହାଁଇଲେ ମହାଲିଙ୍ଗ। ତାଙ୍କ ସ୍ତ୍ରୀ ବି ତାଙ୍କୁ ପ୍ରେରଣା ଦେଉଥିଲେ। ପୁଣି କିଛି ମାସର ପରିଶ୍ରମ ପରେ ସେ ୭୫ ଫୁଟର ଷଷ୍ଠ ସୁଡ଼ଙ୍ଗ ଖୋଳିବାରେ ସମର୍ଥ ହେଲେ। ଶେଷରେ ତାଙ୍କର ଶ୍ରମ ସାର୍ଥକ ହେଲା। ଷଷ୍ଠ ସୁଡ଼ଙ୍ଗରେ ସେ ଏକ ଜଳ ସ୍ରୋତ ପାଇଲେ। ଅଧିକ ଜଳ ସନ୍ଧାନ ଲକ୍ଷ୍ୟରେ ସେଇ ସ୍ଥାନରୁ ସେ ଅନ୍ୟ ଏକ ଦିଗରେ ସପ୍ତମ ସୁଡ଼ଙ୍ଗ ଖୋଳିଲେ। ଏ ସୁଡ଼ଙ୍ଗ ଭିତରେ ପ୍ରଶ୍ବାସ ନେବା କଷ୍ଟ କର ଥିଲା। ତଥାପି ୬୫ ଫୁଟ ପରେ ଶେଷରେ ସେ ପାଣି ପାଇଲେ। ଗୋଟିଏ ସିଗାରେଟ୍‌ ଓସାରର ପାଣି ଧାର ହିଁ ତାଙ୍କ ଆଶା ପୂରଣ କରିବାରେ ସମର୍ଥ ହେଲା।

୪ ବର୍ଷରୁ ଅଧିକ କାଳ ପରିଶ୍ରମ ପରେ ଶେଷରେ ଭଗିରଥ ପରି ସେ ପାଣିକୁ ଟାଙ୍ଗରା ଭୂଇଁରେ ପହଞ୍ଚାଇ ପାରିଲେ। ଜଣେ ପୂଜକଙ୍କୁ ଡାକି ଜଳ ସୁଡ଼ଙ୍ଗର ଶୁଭାରମ୍ଭ କରିଲେ। ଖବର ପାଇ ତଳୁ ଗାଁ ଲୋକମାନେ ତାଙ୍କୁ ଶୁଭେଚ୍ଛା ଜଣେଇବାକୁ ଆସିଲେ। ସେଠାରୁ ବହି ଆସୁଥିବା ପାଣିକୁ ବାନ୍ଧି ରଖିବା ପାଇଁ ଟାଙ୍ଗରା ଭୂଇଁରେ ଏକ ଛୋଟ ପୋଖରୀ ତିଆରି କଲେ ମହାଲିଙ୍ଗ।

ଏବେ ସେ ପୋଖରୀ ଚାରିପାଖରେ ସିମେଣ୍ଟ ପ୍ରାଚୀର। ଯଦି ଆପଣ କେବେ ମହାଲିଙ୍ଗଙ୍କୁ ଭେଟିବାକୁ ଯିବେ ଆପଣ ସେ ଟାଙ୍ଗରା ଭୂଇଁରେ ଏକ ସବୁଜ ଜଙ୍ଗଲ ଦେଖିବେ। ଏବେ ଦାନ ସୂତ୍ରରେ ପାଇଥିବା ସେଇ ଟାଙ୍ଗରା ଅନୁର୍ବର ଭୂଇଁରେ ମହାଲିଙ୍ଗ ନଡ଼ିଆ, ଗୁଆ, କାଜୁ, କଦଳି ଓ ବିଭିନ୍ନ ପ୍ରକାରର ପନିପରିବା ଚାଷ କରିଛନ୍ତି। ସେଇ ସିଗାରେଟ୍‌ ଓସାରର ଜଳ ସ୍ରୋତ ଏବେ ତାଙ୍କୁ ଦୈନିକ ୬୦ ହଜାର ଲିଟର ପାଣି ଦେଉଛି। ଏବେ ମହାଲିଙ୍ଗଙ୍କ ସାଧନା ସ୍ଥଳୀ କୃଷକଙ୍କ ପାଇଁ ତୀର୍ଥ ପାଲଟିଛି। ୨୦୦୯ରେ କର୍ଣ୍ଣାଟକ ସରକାର ତାଙ୍କୁ କୃଷି ପଣ୍ଡିତ ସମ୍ମାନ ପ୍ରଦାନ କରିଛନ୍ତି। ତାଙ୍କ ଫାର୍ମରେ ଏବେ ୩୦୦ ଗୁଆ ଗଛ, ୭୫ ନଡ଼ିଆ ଗଛ, ୧୫୦ କାଜୁ ଗଛ, ୨୦୦ କଦଳୀ ଚାରା ସମେତ ବିଭିନ୍ନ ମସଲା ଓ ପନିପରିବା ଗଛ ରହିଛି।

ଅଦମ୍ୟ ସାହସ, ପରିଶ୍ରମ ଓ ଇଛା ଶକ୍ତି ଆଗରେ ପ୍ରକୃତି ବି ହାର ମାନେ, ଏକଥା ପ୍ରମାଣ କରିଛନ୍ତି ମହାଲିଙ୍ଗ। ଅ‍ାପଣ ଅ‍ାଜି ବି ଅମାଇର ସେଇ ଏକଦା ଟାଙ୍ଗର ଅ‍ାଉ ଏବେ ସବୁଜିମା ଭରା ମହାଲିଙ୍ଗଙ୍କ ଜମି ଚାରିପାଖ ପାହାଡ଼ରେ ୭ଟି ଯାକ ସୁଡ଼ଙ୍ଗ ଦେଖିବାକୁ ପାଇବେ

ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା subhransupanda@yahoo.co.in ରେ ଯୋଗାଯୋଗ କରାଯାଇ ପାରିବ।