‘ନିରାମୟ’ ଔଷଧ ପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା, ଜିପିଏସ୍ ସୁବିଧା ସହିତ ଚାଲିଲା ୫୦ଟି ଗାଡି

‘ନିରାମୟ’ ଔଷଧ ପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା, ଜିପିଏସ୍ ସୁବିଧା ସହିତ ଚାଲିଲା ୫୦ଟି ଗାଡି

Thursday March 03, 2016,

2 min Read

ରୋଗୀଙ୍କୁ ମାଗଣା ଔଷଧ ଦେବା ଲକ୍ଷ୍ୟରେ ଗତ ୨୦୧୫ ମଇ ମାସରେ ଆରମ୍ଭ କରାଯାଇଥିଲା ନିରାମୟ ଯୋଜନା | ଏହି ଯୋଜନାରେ ରୋଗୀମାନଙ୍କୁ ସରକାରୀ ଡାକ୍ତରଖାନାରେ ପ୍ରାୟ କୌଣସି ଔଷଧ କିଣିବାକୁ ପଡିବ ନାହିଁ | କିନ୍ତୁ ଗ୍ରାମାଂଚଳରେ ଥିବା ଡାକ୍ତରଖାନାଗୁଡିକରେ ଔଷଧର ଅଭାବ ଥାଏ | ଫଳରେ ରୋଗୀମାନଙ୍କୁ ହଇରାମ ହରକତ ହେବାକୁ ପଡୁଛି | ଏହାର ଏକ ମୁଖ୍ୟ କାରଣ ହେଉଛି ଜିଲ୍ଲାସ୍ତରରେ ଥିବା ଔଷଧ ଗୋଦାମରୁ ଠିକ୍ ସମୟରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର(ପିଏଚସି) ଓ ଗୋଷ୍ଟୀ ସେବା କେନ୍ଦ୍ର(ସିଏଚସି)କୁ ଯାଇପାରେ ନାହିଁ | ଏହି ସମସ୍ୟାର ସମାଧାନ ପାଇଁ ପିଏଚସି ଓ ସିଏଚସିକୁ ଔଷଧ ଯୋଗାଇବା ଲାଗି ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରାଯାଇଛି | ରାଜ୍ୟ ଔଷଧ ନିଗମ ପକ୍ଷରୁ ୩୦ ଜିଲ୍ଲାରେ ୫୦ଟି ଗାଡିକୁ ନିୟୋଜିତ କରାଯାଇଛି |

ଏହି ସବୁ ଗାଡି ପ୍ରତି ମାସରେ ରାଜ୍ୟରେ ଥିବା ୩୭୭ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଶ୍ଚିତ ଭାବେ ଥରେ ଯିବେ | ସେହିପରି ୧୩୦୫ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଅନ୍ୟାନ୍ୟ ଡାକ୍ତରଖାନା, ସହରାଂଚଳରେ ଥିବା ଡାକ୍ତରଖାନାକୁ ପ୍ରତିମାସରେ ଥରେ ଯିବେ | ଏହି ଗାଡି ପ୍ରତିମାସରେ ପାଖାପାଖି ଦୁଇ ହଜାର କିଲୋମିଟର ବୁଲିବ |

image


ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ରୂପା ମିଶ୍ର କହିଛନ୍ତି,

ପୂର୍ବରୁ ଡାକ୍ତରଖାନାଗୁଡିକରେ ଠିକ୍ ଭାବେ ଔଷଧ ପଂହଚିପାରୁନଥିଲା | ଔଷଧ କେତେବେଳେ କେଉଁ ଗାଡିରେ ଯାଉଥିଲା, କେତେ ପରିମାଣର ଔଷଧ ଯାଉଥିଲା ତାର ହିସାବ ରଖିବାରେ ସମସ୍ୟା ହେଉଥିଲା | କିନ୍ତୁ ସେହି ଅସୁବିଧା ଦୂର ହୋଇଛି | ଔଷଧ ପରିବହନ ପାଇଁ ସ୍ୱତନ୍ତ୍ର ଗାଡି ହେବା ପରେ ଠିକ୍ ଭାବେ ଔଷଧ ଡାକ୍ତରଖାନାରେ ପଂହଚିବ | ଗାଡି ଗୁଡିକରେ ଜିପିଏସ୍ ଲାଗିଥିବାରୁ ଗାଡିର ଚଳାଚଳ ରେକର୍ଡ ମଧ୍ୟ ନିଗମ ପାଖରେ ରହିପାରିବ |

ନିଗମ ପକ୍ଷରୁ ବିଭିନ୍ନ ଡାକ୍ତରଖାନାଗୁଡିକୁ ୫୭୦ ପ୍ରକାର ଔଷଧ ଯୋଗାଣ ହେଉଛି | ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକୁ ୨୯୭ ପ୍ରକାର ଔଷଧ ଦିଆଯାଉଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୪୭୮ ପ୍ରକାର ଏବଂ ମେଡିକାଲ କଲେଜ୍ ଓ ହସ୍ପିଟାଲଗୁଡିକୁ ସବୁ ଅର୍ଥାତ୍ ୫୭୦ ପ୍ରକାର ଔଷଧ ଯୋଗାଇ ଦିଆଯାଉଛି | ଏତଦ୍ ବ୍ୟତୀତ କ୍ୟାନସର୍ ଔଷଧ ମଧ୍ୟ ଯୋଗାଣ ହେଉଛି |

ବର୍ତ୍ତମାନ ସୁଦ୍ଧା ୪୨୧ ପ୍ରକାର ଔଷଧ କିଣିବା ଲାଗି ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି | କମ୍ପାନୀଗୁଡିକ ୩୫୭ ପ୍ରକାର ଔଷଧ ଦେଇସାରିଲେଣି | ବାକି ଔଷଧ ମଧ୍ୟ ଖୁବ ଶୀଘ୍ର ଉପଲବ୍ଧ ହେବ | ତେବେ ଆସନ୍ତା ତିନିମାସ ମଧ୍ୟରେ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡିକରେ ସମସ୍ତ ଔଷଧ ଉପଲବ୍ଧ ହେବ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି |

image


ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଡା. ଏନ୍.କେ.ଦାସ କହିଛନ୍ତି,

ଡାକ୍ତରଖାନାରେ ଡାକ୍ତରମାନେ ଯେପରି ନିରାମୟ ଯୋଜନାରେ ଯୋଗାଇ ଦିଆଯାଉଥିବା ମାଗଣା ଔଷଧ ଲେଖିବେ, ସେଥିପାଇଁ ପେସ୍କ୍ରିପସନ୍ ବା ନିଦାନ ଚିଠାର ଅଡିଟ୍ ବ୍ୟବସ୍ଥା କରାଯାଇଛି | ସମସ୍ତ ରୋଗୀ ଯେପରି ଡାକ୍ତରଖାନାରୁ ଔଷଧ ପାଇପାରିବେ ତାହା ଉପରେ ବିଭାଗ ଗୁରୁତ୍ୱାରୋପ କରୁଛି |

ସରକାରୀ ତଥ୍ୟ ଅନୁସାରେ ଗତ ଜାନୁୟାରୀ ମାସ ଶେଷ ସୁଦ୍ଧା ନିରାମୟ ଯୋଜନାରେ ପ୍ରାୟ ୫୩ ଲକ୍ଷ ୨୩ ହଜାର ରୋଗୀ ଉପକୃତ ହୋଇଛନ୍ତି | ତେବେ ଔଷଧ ଯୋଗାଣ ପାଇଁ ସ୍ୱତନ୍ତ୍ର ଗାଡି ଚାଲିବା ପରେ ଏବେ ସବୁ ଡାକ୍ତରଖାନାରେ ଔଷଧ ଉପଲବ୍ଧ କରାଇବାରେ କିଛି ଅସୁବିଧା ହେବ ନାହିଁ ବୋଲି ଆଶା କରାଯାଉଛି |

ଏହିପରି ପ୍ରେରଣାଦାୟକ ଓ ସକାରାତ୍ମକ କାହାଣୀ ପଢିବା ପାଇଁ ଆମର Facebook ପେଜ like କରନ୍ତୁ। 

ପଢନ୍ତୁ ଆଉ କିଛି ସମ୍ବନ୍ଧିତ କାହାଣୀ - 

ସମସ୍ତଙ୍କୁ ମାଗଣା ଔଷଧ ଦେବାର ପ୍ରୟାସ : ‘ଇ-ଔଷଧୀ’ କରିବ ସହାୟତା

ଓଡ଼ିଶାରେ ପ୍ରଥମ: କୃତ୍ରିମ ହାତରେ କାର୍ଯ୍ୟକ୍ଷମ କ୍ଷୀରୋଦ ମିଶ୍ର

ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଓ ଇପିକଲ୍ ରେ ଇ-ଅଫିସ୍, ଗଦା ହୋଇ ରହିବ ନାହିଁ ଫାଇଲ୍