ଏସିଡ୍ ମାଡରେ ହାରିନାହାନ୍ତି, ବଂର ଫାଇଟର୍ ରୂପ ନେଇଛନ୍ତି ରୂପା

ଏସିଡ୍ ମାଡରେ ହାରିନାହାନ୍ତି, ବଂର ଫାଇଟର୍ ରୂପ ନେଇଛନ୍ତି ରୂପା

Wednesday December 30, 2015,

4 min Read

ଗତବର୍ଷ ଏସିଡ୍ ମାଡରେ ନା କେବଳ ସେହି ଝିଅର ଜୀବନ ପ୍ରଭାବିତ ହୋଇଥିଲା, ବଂର ପୁରା ପରିବାରକୁ ଶକ୍ତ ଧକ୍କା ଲାଗିଥିଲା | କାରଣ ଏସିଡ୍ ମାଡ ପରେ ପୂରା ପରିବାରକୁ ଦୁଃଖ ସହିବାକୁ ପଡେ | ତେବେ ସୁପ୍ରିମକୋର୍ଟଙ୍କ କଡା ରାୟ ପରେ ଏହି ଘଟଣା କମିବାରେ ଲାଗିଛି | କିନ୍ତୁ ଏବେ ବି କେଉଁଠି ନା କେଉଁଠି ଏପରି ଜଘନ୍ୟ ଘଟଣା ସାମ୍ନାକୁ ଆସୁଛି | ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସିଡ ବିକ୍ରି ଉପରେ କଟକଣା ଲାଗି ଯାଇଛି |

image


ଆଜି ଆମେ ଆପଣଙ୍କୁ ଏମିତି ଏକ ଜଣେ ପୀଡିତାଙ୍କ କଥା କହିବୁ, ଯିଏ ଏସିଡ୍ ମାଡର ଶିକାର ହୋଇଛନ୍ତି | କିନ୍ତୁ ଜୀବନରେ କିଛି କରିବାର ଲକ୍ଷ୍ୟ ରଖିଛନ୍ତି | ଆଉ ନିଜ ସ୍ୱପ୍ନକୁ ସାକାର ରୂପ ଦେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି | ନିଜ ପରିବାରରେ ହିଁ ସେ ଏସିଡ୍ ମାଡର ସମ୍ମୁଖୀନ ହୋଇଥିଲେ | ଆଉ କେହି ନୁହେଁ, ତାଙ୍କ ସାବତ ମା ୨୦୦୮ରେ ତାଙ୍କ ଉପରେ ଏସିଡ୍ ମାଡ କରି ମାରିଦେବାକୁ ଚେଷ୍ଟା କରିଥିଲେ | ତାଙ୍କୁ ସେତେବେଳେ ହୋଇଥିଲା ମାତ୍ର ୧୪ ବର୍ଷ | କିନ୍ତୁ ରଖେ ହରି, ମାରେ କିଏ | ରୂପାଙ୍କ ସାବତ ମାଙ୍କ ଚେଷ୍ଟା ବିଫଳ ହୋଇଥିଲା | ବଂଚି ଯାଇଥିଲେ ରୂପା | ଏବେ ତାଙ୍କୁ ୨୨ ବର୍ଷ | ନିଜ ଶରୀର ଓ ମନରେ ଆଘାତ ସହି ଗତ ୭ ବର୍ଷ ଧରି ସେ କଠିନ ପରିସ୍ଥିତିରେ ଦିନ କାଟିଛନ୍ତି | କିନ୍ତୁ ଆଜିର ରୂପା ଜଣେ ପୀଡିତା ନୁହଁନ୍ତି ଜଣେ ଫାଇଟର (ଯୋଦ୍ଧା) | ନିଜକୁ ସେ ଏସିଡ୍ ଆଟାକ୍ ଫାଇଟର ବୋଲି କହନ୍ତି |

ରୂପାଙ୍କର ଜନ୍ମ ଉତ୍ତରପ୍ରଦେଶର ମୁଜଫରନଗର ପାଖରେ ହୋଇଥିଲା | କିନ୍ତୁ କମ୍‌ ବୟସରେ ହିଁ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା ଓ ତାଙ୍କ ବାପା ପୁଣି ଥରେ ବିବାହ କରିଥିଲେ | କିନ୍ତୁ ସାବତ ମା ରୂପାକୁ ସହି ପାରିଲେ ନାହିଁ | ଏଭଳିକି ଦିନେ ରୂପାକୁ ମାରିବା ପାଇଁ ସେ ଏସିଡ୍ ଆଟାକ୍ କଲେ | ଏହା ପରେ ରୂପାର ଜୀନବରେ ବଡ ଦୁଃଖ ଆସିଯାଇଥିଲା | ସେ ଫରିଦାବାଦରେ ରହୁଥିବା ତାଙ୍କ ଦାଦାଙ୍କ ପାଖକୁ ଚାଲି ଆସିଲେ | ସେ ସୁବୁବେଳେ ଉଦାସ ରହୁଥିଲେ | ଖେଳକୁଦ ବୟସରେ ହିଁ ସେ ଗଭୀର ଯନ୍ତ୍ରଣା ସମୁଦ୍ରରେ ବୁଡି ଯାଇଥିଲେ | ଏହି ଶକ୍ତ ଧକ୍କାରୁ ବାହାରିବା ଲାଗି ବହୁତ ଦିନ ଲାଗିଗଲା | ରୂପାଙ୍କ ସର୍ଜରୀ କରାଗଲା | ତାଙ୍କ ଦାଦା ସବୁ ଖର୍ଚ୍ଚ ବହନ କଲେ | ଏସିଡ୍ ଆଟାକ୍ ପୀଡିତ ଭଳି ଜୀବନ କଟାଉଥିବା ରୂପାଙ୍କ ଜୀବନରେ ଦିନେ ନୂଆ ମୋଡ ଆସିଲା |

ଷ୍ଟପ୍ ଏସିଡ୍ ଆଟାକ୍ କ୍ୟାମ୍ପେନ୍ ବିଷୟରେ ସେ ଜାଣିଲେ | ଏହା ସହ ଯୋଡିହେବା ପରେ ତାଙ୍କ ଭିତରେ ନୂଆ ଜୋସ୍ ଆସିଥିଲା ଓ ତାଙ୍କ ସ୍ୱପ୍ନ ପୁଣି ଥରେ ଉଜାଗର ହେବାକୁ ଲାଗିଲା | କ୍ୟାମ୍ପେନରେ ତାଙ୍କର କାଉନସିଲିଂ କରାଗଲା | ପୁଣି ଅନେକ ଟ୍ରେନିଂରେ ଭାଗନେଲେ | ଏହା ପରେ ସେ ଜଣେ ପୀଡିତ ନୁହେଁ, ଏସିଡ୍ ଆଟାକ୍ ବିରୋଧରେ ଜଣେ ଫାଇଟର୍ ହୋଇ ସାରିଥିଲେ | ଲାଗୁଥିଲା ସତେ ଯେମିତି ରୂପାଙ୍କ ପୁନର୍ଜନ୍ମ ହେଲା | ସମୟକ୍ରମେ ତାଙ୍କର ଆତ୍ମବିଶ୍ୱାସ ବଢିବାକୁ ଲାଗିଲା ଓ ସେ ଆତ୍ମନିର୍ଭର ହେବାର ଯେଉଁ ସ୍ୱପ୍ନ ଦେଖୁଥିଲେ ତାକୁ ପୂର୍ଣ କରିବାକୁ ଦିନରାତି ପରିଶ୍ରମ କରିବାକୁ ଲାଗିଲେ |

ସେ ଜାଣିଥିଲେ ଆର୍ଥିକ ସ୍ୱତନ୍ତ୍ରତା ପାଇବା ପରେ ତାଙ୍କ ଭିତରେ ନୂଆ ଶକ୍ତି ଆସିବ | ଏଥିପାଇଁ ସେ ସିଲେଇ ଟ୍ରେନିଂ ନେଲେ | ଏହି ସମୟରେ ତାଙ୍କ ଭିତରେ ଲୁଚି ରହିଥିବା ଡିଜାଇନର୍ ଗୁଣ ସାମ୍ନାକୁ ଆସିଥିଲା | ଆଉ ଷ୍ଟପ୍ ଏସିଡ୍ କ୍ୟାମ୍ପେନ୍ ମଧ୍ୟ ତାଙ୍କୁ ଜଣେ ଡିଜାଇନର୍ ହେବାକୁ ପ୍ରୋତ୍ସାହିତ କଲା | ଏହା ପରେ ରୂପା ନିଜେ ଡିଜାଇନ୍ ତିଆରି କଲେ ଓ ଏହାର ଭଲ ଭାବେ ଫୋଟୋ ସୁଟ୍ କରାଗଲା | ରୂପାଙ୍କ ପରିଶ୍ରମ ସଫଳ ହେବାକୁ ଲାଗିଥିଲା | ତାଙ୍କ ପ୍ରଥମ ଡିଜାଇନ ଲୋକଙ୍କୁ ବେଶ୍ ଭଲ ଲାଗିଥିଲା | ଏଥିରେ ଉତ୍ସାହିତ ହୋଇ ସେ ନିଜର ଫେସନ୍ ବ୍ରାଣ୍ଡ ତିଆରି କଲେ | ରୂପା କ୍ରିଏସନ୍ ନାମରେ ନିଜେ ଡିଜାଇନ୍‌ କରିଥିବା ପୋଷାକ ଏବେ ବଜାରରେ ବିକ୍ରି ହେଉଛି | ବର୍ତ୍ତମାନ ଆଗ୍ରାରେ ଥିବା ସିରୋଜ୍ ହ୍ୟାଂଗଆଉଟ୍ ଜରିଆରେ ତାଙ୍କ ଦ୍ଵାରା ଡିଜାଇନ୍ ପୋଷାକ ବିକ୍ରି ହେଉଛି | ସିରୋଜ୍ ହ୍ୟାଂଗଆଉଟ୍ ହେଉଛି ଏମିତି ଏକ କଫି ସପ୍ ଯାହାକୁ ଏସିଡ୍ ଆଟାକ୍ ଶିକାର ହୋଇଥିବା ପାଂଚଜଣ ମହିଳା ଚଳାଉଛନ୍ତି | ରୂପା ଏପର୍ଯ୍ୟନ୍ତ ରିଟେଲର୍ ଙ୍କ ଜରିଆରେ ନିଜ ଜିନିଷ ବିକ୍ରି କରିପାରିନାହାନ୍ତି | ତେବେ ସେ ଇ-କମର୍ସ ଜରିଆରେ ଏସବୁ ବିକ୍ରି ପାଇଁ ଯୋଜନା କରୁଛନ୍ତି | ସିରୋଜ୍ ହ୍ୟାଂଗଆଉଟ୍ ଜରିଆରେ ଜିନିଷ ବିକ୍ରି କରି ତାଙ୍କୁ ମାସକୁ ୨୦ ହଜାର ଟଙ୍କା ମିଳିଯାଉଛି | ଭବିଷ୍ୟତ ସମ୍ପର୍କରେ ସେ ୟୋରଷ୍ଟୋରୀକୁ କୁହନ୍ତି,

"ମୁଁ ଚାହୁଛି ମୋର ନିଜର ଅନଲାଇନ୍ ପୋର୍ଟାଲ୍ ହେଉ, ଯାହା ଦ୍ୱାରା ଲୋକେ ମୋ ଦ୍ୱାରା ପ୍ରସ୍ତୁତ ଜିନିଷ କିଣିବେ ଓ ମୋ ଉଦ୍ୟମକୁ ଦେଖିବେ | ମୁଁ ଚାହେଁ ଦେଶର ଲୋକମାନେ ମୋର ଏଇ ବ୍ରାଣ୍ଡ ବିଷୟରେ ଜାଣନ୍ତୁ |"

ରୂପା ନିଜର ସଂଗ୍ରାମର ଯାତ୍ରା ଏଇଠି ଶେଷ କରିବାକୁ ଚାହାନ୍ତି ନାହିଁ | ତାଙ୍କର ଏକ ମହାନ୍ ଲକ୍ଷ୍ୟ ରହିଛି | ସେ କହନ୍ତି,

"ମୁଁ କୌଶଳ ବିକାଶ ସ୍କୁଲ ଖୋଲିବାକୁ ଚାହୁଁଚି, ଯାହା ଫଳରେ ମୋ ଭଳି ଝିଅ ମାନେ ଆତ୍ମନିର୍ଭର ହେବା ପାଇଁ ଟ୍ରେନିଂ ପାଇପାରିବେ | ଏହା ଦ୍ୱାରା ସେମାନଙ୍କୁ ଆର୍ଥିକ ସ୍ୱତନ୍ତ୍ରତା ମିଳିବା ସହ ସମାଜରେ ଆତ୍ମସମ୍ମାନ ମିଳିପାରିବ|"

ରୂପା ଆଜି ବି ସେହି ଭୟଙ୍କର ଘଟଣାକୁ ମନେ ପକାଇ କହନ୍ତି, ଯଦି ମୋର ଦାଦା ଠିକ୍ ସମୟରେ ଚିକିତ୍ସା ଓ ସହଯୋଗ କରିନଥାନ୍ତେ, ହୁଏତ ମୁଁ ଏ ଦୁନିଆରେ ନଥାନ୍ତି | ଆପଣଙ୍କ ଭିତରେ ଇଛାଶକ୍ତି ଓ କିଛି କରିବାର ଲକ୍ଷ୍ୟ ଥିଲେ, କେହି ଆପଣଙ୍କୁ ଆପଣଙ୍କ ସ୍ୱପ୍ନ ସାକାର ହେବାରେ ରୋକିପାରିବେ ନାହିଁ | ରୂପା ହେଉଛନ୍ତି ଏହାର ବଳିଷ୍ଠ ଉଦାହରଣ | ପ୍ରକୃତରେ ସେ ଜଣେ ଫାଇଟର୍ |