ନୂଆ ଦିଲ୍ଲୀରେ ପ୍ରବାସୀ ରଜ ମହୋତ୍ସବ

“କଂସ ଦରବାରରେ ପାଳିତ ହେଲା ଓଡିଶାର ଲୋକପ୍ରିୟ ପର୍ବ”

ନୂଆ ଦିଲ୍ଲୀରେ  ପ୍ରବାସୀ ରଜ ମହୋତ୍ସବ

Monday June 13, 2016,

2 min Read

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ ।

ରାଶିରୁ ଛାଡ଼ିଲା ଚୋପା, ଗୋଡ଼ରେ ନାଇଛୁ ସରୁ ଅଳତା ଲୋ, ମଥାରେ ସିନ୍ଦୂର ଟୋପା ।

ପ୍ରଥମ ବର୍ଷା....ଭିଜା ମାଟିର ବାସ୍ନା ନେଇ ଆସେ ରଜପର୍ବ। ଦୋଳି ଖେଳ, ନୂଆ ଜାମାପଟା ଆଉ ନାନା ରକମର ପିଠାପଣା। ରଜ ଆସିଲେ ଏସବୁର ମହକ ଆଗେ ଆସେ। କର୍ମ ଅନ୍ଵେଷଣ ଯୋଗୁଁ ଅନେକ ଓଡିଆ ଓଡିଶା ଛାଡି ଅନ୍ୟ ରାଜ୍ୟରେ ବସବାସ କରୁଛନ୍ତି। କିନ୍ତୁ ସେଇ ଭିଜା ମାଟିର ବାସ୍ନା ଭୁଲିନାହାନ୍ତି। ନୂଆ ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡିଆ ସମାଜ ପାଳନ କରିଛି ରଜପର୍ବ। 

ଦିଲ୍ଲୀସ୍ଥିତ ପ୍ରବାସୀ ବୁଦ୍ଧିଜୀବୀ ଓଡିଆ ସଂଗଠନ “ଦି ଇଣ୍ଟେଲେକ୍ଟସ୍‌” ଓ “ଇପ୍ରୋକ” ଆନୁକୂଲ୍ୟରେ ଗତକାଲି ସିରି ଫୋର୍ଟ ଅଡିଟୋରିୟମ୍‌" ପରିସରରରେ ଏକ ବର୍ଣ୍ଣାଢ ପରିବେଶରେ ସମସ୍ତ ପାରମ୍ପରିକ ରୀତିରେ ଓଡିଶାର ଲୋକପ୍ରିୟ ପର୍ବ ରଜ ମହୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଛି। ଏହି ଅବସରରେ ବରଗଡର ପ୍ରସିଦ୍ଧ ଧନୁଯାତ୍ରାର କଂସ ମହାରାଜ ତାଙ୍କର ପାରିଷଦ ବର୍ଗଙ୍କ ସହିତ ଅନୁଷ୍ଠାନର ନିମନ୍ତ୍ରଣ ରକ୍ଷାକରି ଦିଲ୍ଲୀରେ ପ୍ରଥମ ଥର ପାଇଁ ଦରବାର ବସାଇଥିଲେ। ତାଙ୍କରି ଦରବାରରେ ପାଳିତ ହୋଇଯାଛି ଏହି ରଜ ପର୍ବ। 

ଏହି ଅବସରରେ ପ୍ରବାସୀ ଓଡିଆ ଗୃହିଣୀଙ୍କ ମଧ୍ୟରେ ପୋଡ ପିଠା ଓ ପାନ ଭଙ୍ଗା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଓ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମକୁ ରାଜ୍ୟସଭା ସଦସ୍ୟ ତଥା ବିଶିଷ୍ଠ ଗାନ୍ଧିବାଦୀ ଶ୍ରୀଯୁକ୍ତ ଏ. ଭି. ସ୍ବାମୀ, ପୂର୍ବତନ ସାସଂଦ ଶ୍ରୀଯୁକ୍ତ ରାମଚନ୍ଦ୍ର ଖୁଣ୍ଟିଆ, ଭାରତ ସରକାରଙ୍କ ପୂର୍ବତନ ସୂଚନା ଅଧିକାରୀ ଶ୍ରୀଯୁକ୍ତ ସତ୍ୟାନନ୍ଦ ମିଶ୍ର ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଇତ୍ୟବସରରେ “ଦି ଇଣ୍ଟେଲେକ୍ଟସ ରିଭିଉ” ନାମକ ଏକ ୱେବ୍‌ ପୋର୍ଟାଲ ଉନ୍ମୋଚନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋକ ସେବକ ମଣ୍ଡଳର ସଭାପତି ଶ୍ରୀଯୁକ୍ତ ଦୀପକ ମାଲବ୍ୟ ଯୋଗଦେଇ ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ଓ “ଦି ଇଣ୍ଟେଲେକ୍ଟସ୍‌” ତରଫରୁ ପ୍ରଦାନ କରାଯାଉଥିବା “ଆମ ଗୌରବ ସମ୍ମାନ” ସାଂସଦ ଶ୍ରୀଯୁକ୍ତ ସ୍ବାମୀଙ୍କୁ ପ୍ରଦାନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ମୂରଲୀ ଶର୍ମା, ରବି ପାଣି, କିଶୋର ଦ୍ବିବେଦୀ, ସୁବାଷ ଖୁଣ୍ଟିଆ, ପ୍ରସନ୍ନ ଦାସ, ସୁଶାନ୍ତ ସାବତ, ପ୍ରମୁଖ ଅନ୍ୟତମ। 

କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂପାଦକ ଶ୍ରୀଯୁକ୍ତ ସଂଗ୍ରାମ ଧର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଓ ଅଧ୍ୟକ୍ଷ ଶ୍ରୀ ଦେବେନ୍ଦ୍ର ରାଉତ ପ୍ରବାସୀ ରଜମହୋତ୍ସବ ମାଧ୍ୟମରେ ସମସ୍ତ ଓଡିଆ ଭାଇ ଭଉଣୀଙ୍କୁ ଏକତାର ରଜ୍ଜୁରେ ବାନ୍ଧିରଖିବାର ପ୍ରୟାସ କରାଯାଉଛି ବୋଲି ପ୍ରକାଶ କରିଥିଲେ। 

ଓଡିଆ ଭାଷାକୁ ଦିଲ୍ଲୀ ମହାନଗରୀରେ ଲୋକପ୍ରିୟ କରିବା ପାଇଁ ଚାଲିଥିବା ପ୍ରୟାସ “ଆସ ଶିଖିବା ଆମରି ଭାଷାର ଛାତ୍ର ଛାତ୍ରୀମାନେ “ଆମେ ଓଡିଆ” ଶୀର୍ଷକ କ୍ଷୁଦ୍ର ଏକାଙ୍କିକାକୁ କଂସ ଦରବାରରେ ମଞ୍ଚସ୍ଥ କରାଇ ଉଭୟ ଦର୍ଶକ ଓ କଂସ ମହାରାଜଙ୍କୁ ଅଭିଭୁତ କରାଇଥିଲେ। 

ଓଡିଶାର ପ୍ରସିଦ୍ଧ ଧନୁଯାତ୍ରାକୁ ଦିଲ୍ଲୀ ଦରବାରେ ଦେଖିବାର ସୁଯୋଗ ମିଳିଥିବାରୁ ବହୁ ସଂଖ୍ୟାରେ ପ୍ରବାସୀ ଓଡିଆ ଯୋଗଦେଇ ଓଡିଶାର ସୁସ୍ବାଦୁ ଖାଦ୍ୟର ମଜା ନେଇଥିଲେ। ଏହି ଦରବାରରେ କଣ୍ଠଶିଳ୍ପୀ ଅନିନ୍ଦିତା ଦାଶ, ମଧୁସ୍ମିତା ଲେଙ୍କା, କାବେରୀ ବେହେରା, ଶିଶୁ କଣ୍ଠଶିଳ୍ପୀ ଦେବାଶୀଂ ଦାସ ପ୍ରମୁଖ ଗୀତ ପରିବେଷଣ କରିଥିଲେ। ନୃତ୍ୟଗୁରୁ ଚନ୍ଦ୍ରକାନ୍ତ ସୁତାରଙ୍କ ଛାତ୍ରୀମାନେ ବିଭିନ୍ନ ପ୍ରକାର ନୃତ୍ୟ ପରିବେଶଣ କରି ଦର୍ଶକ ମାନଙ୍କୁ ମୁଗ୍ଧ କରି ଥିଲେ। 

ଏହି କାର୍ଯ୍ୟକ୍ରମକୁ ପରଂବ୍ରହ୍ମ ତ୍ରିପାଠୀ, ଦେବରାଜ ମହାନ୍ତି, ସହସ୍ରାଶୁଂ ମହାପାତ୍ର, ଭକ୍ତବନ୍ଧୁ ନାୟକ, ସଞ୍ଜୟ କୁମାର ପରିଡା, ଅନିରୁଦ୍ଧ ନାୟକ, ସୁଜିତ କୁମାର ବିଶ୍ବାଳ, ମାନସ ରଞ୍ଜନ ମହାପାତ୍ର, ଆଦିତ୍ୟ ମହାନ୍ତି, ସୁଶୀଲ ବେହୁରା, ପ୍ରତାପ ପରିଡା, ଅନୁସୂୟା ନାୟକ, ପଙ୍କଜମାଳା ଷଡଙ୍ଗୀ, ସ୍ମୃତିଧାରା ରାଉତ, ପ୍ରାଚୀ ମହାନ୍ତି, ମାନସୀ ମହାପାତ୍ର, ରୀତା ପାତ୍ର ଓ ସ୍ବର୍ଣ୍ଣପ୍ରଭା ପତି ପରିଚାଳନା କରିଥିଲେ।