ଇରାନର ‘Wall of Kindness’ ଆଜି ଉତ୍ତର ଭାରତରେ ସଫଳ

ଇରାନର ‘Wall of Kindness’ ଆଜି ଉତ୍ତର ଭାରତରେ ସଫଳ

Thursday January 19, 2017,

2 min Read

Wall of Kindness ବା ଉଦାରତାର କାନ୍ଥ ପ୍ରଥମେ ଇରାନରେ ଆରମ୍ଭ ହେଇଥିଲା ଓ ଖୁବଶୀଘ୍ର ଦେଶ ସାରା ବ୍ୟାପୀ ଯାଇଥିଲା। ଏକ ଦାତବ୍ୟ ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ଭାବେ ଏହାର ଆରମ୍ଭ ହେଇଥିଲା। ଏଥିରେ ନାନା ସର୍ବସାଧାରଣ ଅନୁଷ୍ଠାନ ସାମନାରେ, ଘର ଓ ଗୋଷ୍ଠୀ କେନ୍ଦ୍ରରେ ଗୋଟିଏ କାନ୍ଥରେ ହାଙ୍ଗର ମାନ ଟାଙ୍ଗୀ ଦିଆଯାଏ। ଆବଶ୍ୟକରେ ଥିବା ଲୋକ ଏବଂ ପଛୁଆ ବର୍ଗର ଲୋକଙ୍କ ପାଇଁ ଏଠାରେ ଅନ୍ୟମାନେ ପିନ୍ଧିବା ଲୁଗା ସହ ଅନ୍ୟାନ୍ୟ ଜିନିଷ ଟାଙ୍ଗିଦେଇଥାନ୍ତି। ଏହାକୁ କୁହନ୍ତି ଉଦାରତାର କାନ୍ଥ।

Source: <a href=

Source:

Pradesh18a12bc34de56fgmedium"/>

ବର୍ତ୍ତମାନ ଉତ୍ତର ଭାରତର ଅନେକ ସହର ଏବଂ ଟାଉନରେ ଏହି କାନ୍ଥ ଆରମ୍ଭ ହେଇଛି। ଏହାର ନାମ ଦିଆଯାଇଛି ‘ନେକି କି ଦୀୱାର’। ଖୁବ ସୁନ୍ଦର ଭାବେ ରଙ୍ଗ ଦିଆଯାଇଛି ଏହି କାନ୍ଥ ଗୁଡ଼ିକୁ ଓ ନିୟମିତ ଭାବେ ସଫସୁତୁରା କରାଯାଉଛି। ଲୋକମାନେ ତାଙ୍କର ଅଦରକାରୀ ଓ ଅବ୍ୟବହୃତ ପୋଷାକ ଓ ଅନ୍ୟାନ୍ୟ ବ୍ୟବହାରଯୋଗ୍ୟ ଜିନିଷ ଏଠାରେ ଲଗାଯାଇଥିବା ହାଙ୍ଗରରେ ଟାଙ୍ଗିଦେଇପାରିବେ। ଆବଶ୍ୟକରେ ଥିବା ଗରୀବ ଲୋକେ ଏହି କାନ୍ଥରୁ ନିଜ ଆବଶ୍ୟକତା ଅନୁସାରେ ଜିନିଷ ନେଇଯାଇପାରିବେ। ମୂଳତଃ ଏହାର ଅନୁଷ୍ଠାନିକ ସ୍ଲୋଗାନ ହେଲା – “ଯାହା ଆବଶ୍ୟକ ନେଇଯାଅ, ଆବଶ୍ୟକତା ଠାରୁ ଅଧିକ ଯାହା ଅଛି ଏଠାରେ ଛାଡିଯାଅ”।

ଅଳ୍ପଦିନ ମଧ୍ୟରେ ଉତ୍ତର ଭାରତର ଅନେକ ସ୍ଥାନରେ ଏହି କାନ୍ଥ ଗଢା ସରିଲାଣି। ବର୍ତ୍ତମାନ ଭିଲୱାରାରେ ଗୋଟିଏ, ଜୟପୁରରେ ତିନୋଟି ଓ ଆଲ୍ଲାହାବାଦ, ଦେହରାଦୂନ ଓ କୋର୍ବାରେ ଅନେକ ଉଦାରତାର କାନ୍ଥ ତିଆରି ସରିଛି। Times of India ଏକ ରିକ୍ସାବାଲାଙ୍କ ସହ ଏଇ କାନ୍ଥ ବିଷୟରେ କଥାବାର୍ତ୍ତା କରିଥିଲା। ସେ କହିଲେ,

ମୁଁ ରିକ୍ସା ଚଳାଏ। ନିଜ ସ୍ତ୍ରୀ ପିଲାଙ୍କ ପାଇଁ ଭଲ ଖଣ୍ଡେ ଜାମାପଟା କିଣିବା ଭଳି ରୋଜଗାର ମୋର ନାହିଁ। ଜଣେ ସାଙ୍ଗ ମୋତେ ଏଇ କାନ୍ଥ ବିଷୟରେ କହିଲା। ମୁଁ ସେଠାରେ ଯାଇ ମୋ ପରିବାର ପାଇଁ ଭଲ ଲୁଗାପଟା ଆଣିଲି। ମୋ ମନ ବହୁତ ଖୁସି।

ଭୋପାଳରୁ ଆସିଥିବା ମହେଶ ଅଗ୍ରୱାଲ ‘ନେକି କି ଦୀୱାର’ ପ୍ରତିଷ୍ଠାତାଙ୍କ ମଧ୍ୟରୁ ଜଣେ। ସେ ଏକ ସାକ୍ଷାତକାରରେ Hindusthan Timesକୁ କୁହନ୍ତି,

ପ୍ରଥମେ ପ୍ରଥମେ ଆମେ ବିଶେଷ ଆଶା ରଖିନଥିଲୁ। କିନ୍ତୁ ବର୍ତ୍ତମାନ ଲୋକେ ଏହାକୁ ଯେଉଁଭଳି ପ୍ରତିକ୍ରିୟା ଦେଉଛନ୍ତି ଆମେ ସେଥିରେ ଅତ୍ୟନ୍ତ ଆନନ୍ଦିତ। ଲୋକମାନେ ବିନା କୌଣସି ଅନୁରୋଧରେ ଆପଣା ଛାଏଁ ଆସି ଏଠାରେ ଜିନିଷ ଦାନ କରୁଛନ୍ତି। ଆବଶ୍ୟକରେ ଥିବା ଲୋକଙ୍କୁ ଆମେ ଏଠାରେ ଆସି ନିଜର ଆବଶ୍ୟକ ଥିବା ଜିନିଷ ନେଇ ବାକି ଜିନିଷ ଅନ୍ୟମାନଙ୍କ ପାଇଁ ଛାଡ଼ିଯିବାକୁ ଉତ୍ସାହିତ କରୁଛୁ। ଏହାର ସଫଳତା ଦେଖି ଆମେ ସହର ପାଖାପାଖି ସ୍ଥାନରେ ମଧ୍ୟ ‘ନେକି କି ଦୀୱାର’ ନିର୍ମାଣ କରିବାର ଯୋଜନା କରୁଛୁ।

କୌଣସି ସଂସ୍ଥା ବା ପ୍ରଶାସନିକ ବ୍ୟବସ୍ଥା ଏଠାରେ ଆସୁଥିବା ଲୋକ ବା ଜିନିଷର ରେକର୍ଡ ରଖୁନାହିଁ। ଏହା ଦାନ କରିପାରୁଥିବା ଏବଂ ଦାନର ମନୋବୃତି ରଖୁଥିବା ଲୋକ ଏବଂ ଆବଶ୍ୟକରେ ଥିବା ଲୋକଙ୍କ ମଧ୍ୟରେ ଆଦାନପ୍ରଦାନର ଏକ ଖୁବ ସରଳ ସେତୁ ଭାବେ କାମ କରୁଛି। କୌଣସି ପ୍ରକାର ହିସାବ ନାହିଁ। ସିନେମା ପୋଷ୍ଟର ଲାଗିଥିବା ଓ ପାନ ଛେପ ପଡିଥିବା କାନ୍ଥର ଦୃଶ୍ୟ ଆମ ପାଇଁ ନିତିଦିନିଆ କଥା। ଏହିପରି କାନ୍ଥ ମାନଙ୍କର ଭିଡ଼ ଭିତରେ ଏପରି ଏକ କାନ୍ଥ ଯେଉଁଠାରେ ଉଦାରତା ଓ ସହୃଦୟତାର ଛବି ଲଟକିଛି, ତାହା ନିଶ୍ଚୟ ଭାବେ ଆତ୍ମା ପାଇଁ ଏକ ସୁନ୍ଦର ଦୃଶ୍ୟ। ଉତ୍ତର ଭାରତର କିଛି ନାଗରିକଙ୍କର ଏ ପ୍ରକାର ସୁନ୍ଦର କାମ ଦେଶସାରା ପ୍ରସାର ହେଉ ଏତିକି ଆମର କାମନା।