Aura Herbals - ଅର୍ଗାନିକ ଫ୍ୟାଶନର ସାରଥୀ

Aura Herbals - ଅର୍ଗାନିକ ଫ୍ୟାଶନର ସାରଥୀ

Saturday November 21, 2015,

3 min Read

ଆପଣ କଅଣ ସତୁରୀ ଦଶକର ସେ ଡିଜାଇନ୍ କଥା ମନେ ଅଛି?ଯୋଉ ସମୟରେ ମେଟାଲିକ୍ ଟପ୍ ଓ ପଲିଷ୍ଟର୍ ଟ୍ରାଉଜରର ଖୁବ୍ ଚାହିଦା ଥିଲା? ସେ ସମୟର ପ୍ରସିଦ୍ଧ ସିନେ ତାରକା ମାନେ ଏହାକୁ ପରିଧାନ କରୁଥିଲେ ଓ ଏହା ଯୁବା ପୀଢୀ ମଧ୍ୟରେ ବହୁଳ ଭାବେ ପ୍ରଚଳିତ ଥିଲା। କିନ୍ତୁ ଧିରେ ଧିରେ ଏହାର ପ୍ରଚଳନ କମିବାରେ ଲାଗିଲା। କାରଣ ଏହା ପରିବେଶ ଅନୁକୁଳ ଓ ଶରୀର ପାଇଁ ହିତକର ନଥିଲା। କିନ୍ତୁ ଏବେ ପୁଣି ଏହାର ପ୍ରଚଳନ ଆରମ୍ଭ ହେଇଛି। କିନ୍ତୁ ଏକ ନୂଆଁ ରୁପରେ। ଏହା ଏବେ ସୂତା ଓ ପ୍ରାକୃତିକ ଫାଇବରରେ ନିର୍ମିତ ହେଉଛି। ଏହାକୁ ଅନେକ ଅର୍ଗାନିକ୍ କ୍ଳୋଦିଙ୍ଗ ବୋଲି କହୁଛନ୍ତି।

image


ଏବେ ସୂତା ଚାଷରେ ଅଧିକ ପରିମାଣରେ କୀଟନାଶକ ଓ ସାର ଦିଆଯିବାରୁ ଲୋକେ ଅର୍ଗାନିକ୍ ସୂତାରୁ ତିଆରି ପୋଷାକ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ଏହି ପ୍ରକାରର ବ୍ୟବସାୟକୁ ପ୍ରୋତ୍ସାହନ ଦେବା ନିମନ୍ତେ Aura Herbal ଟେକ୍ସଟାଇଲ ୨୦୦୧ ରେ ଜନ୍ମ ନେଲା। ଏଠାରେ ସେମାନେ ମଧ୍ୟ ପ୍ରଦେଶ ଓ ଦକ୍ଷିଣ ଭାରତରୁ କୃଷକ ମାନଙ୍କ ଠାରୁ ପ୍ରାକୃତିକ ଫ୍ୟାବ୍ରିକ ଓ ଡାଇ ସଂଗ୍ରହ କରି ଏଥିରୁ ପୋଷାକ ନିର୍ମାଣ କରିବାକୁ ଲାଗିଲେ। ଏହାର ପ୍ରତିଷ୍ଠାତ୍ରୀ ସୋନାଲ୍ ବୈଦ୍ୟ କହନ୍ତି, " ଆମେ ରାସାୟନିକ ରଙ୍ଗ ଓ ଫ୍ୟାବ୍ରିକ ଆଦିର କୁପରିଣାମ ଦେଖିଲୁ। ଏହା ସହଜରେ ପାଣି ବା ମାଟିରେ ମିଳାଏ ନାହିଁ, ଫଳରେ ପରିବେଶ ପ୍ରଦୂଷଣ ହୁଏ। କିନ୍ତୁ ଆମେ ଜଣେ ବ୍ୟକ୍ତିଙ୍କ ଠାରୁ ପ୍ରାଚୀନ ଭାରତରେ ପୋଷାକ ତିଆରିର ଶୈଳୀ ଜାଣିବାକୁ ପାଇଲୁ ଯାହାକି ହସ୍ତନିର୍ମିତ ଥିଲା। ଏଥିରୁ ଆମେ ଏହାକୁ ଆହୁରି ବ୍ୟାପକ କରିବାକୁ ନିଷ୍ପତ୍ତି ନେଲୁ।

୨୦୧୨ରେ Aura Herbal ଏହାର ପ୍ରଥମ ଶୋରୁମ୍ ଅହମଦାବାଦ ଠାରେ ଖୋଲିଲା। ଏହି ଶୋରୁମରେ ଏହା ହର୍ବାଲ ଟି-ଶର୍ଟ୍, ଟ୍ରାଉଜର୍, ଅନ୍ତର୍ବାସ, ଯୋଗ ପୋଷାକ, ସ୍ପା ସାମଗ୍ରୀ ଆଦି ବିକ୍ରୀ କରୁଛି। ଏହା ବ୍ୟତୀତ ବିଶ୍ଵ ପ୍ରସିଦ୍ଧ Levis ଓ Espirit କମ୍ପାନୀ ମଧ୍ୟ ଏହି ହର୍ବାଲ ପୋଷାକର କଞ୍ଚାମାଲ Auraଠାରୁ କିଣିବା ଆରମ୍ଭ କଲେ। Aura ମଧ୍ୟ ଏହାର ବ୍ୟବସାୟକୁ ଆହୁରି ସମ୍ପ୍ରସାରିତ କରିବାର ଲକ୍ଷ୍ୟ ରଖିଛି। ଏହା ଆହୁରି ୬ଟି ଶୋରୁମ ଖୋଲିବାର ଲକ୍ଷ୍ୟ ରଖିଛି।

image


Auraର ସବୁଠାରୁ ଖାସ୍ କଥା ହେଉଛି ଏହାର ହର୍ବାଲ ଡାଇଂ ପ୍ରକ୍ରିୟା। ସୂତା ଗଛ ବଢ଼ିବା ଠାରୁ ତିଆରି ହେବା ପର୍ଯ୍ୟନ୍ତ କୌଣସି ଜାଗାରେ ରାସାୟନିକ ସାର ବା କୀଟନାଶକର ପ୍ରୟୋଗ କରାଯାଏ ନାହିଁ। ଏହାଦ୍ଵାରା ପ୍ରଦୂଷଣ ଆଦୌ ହୁଏନାହିଁ ବୋଲି ସେ କହନ୍ତି। ସେ କହନ୍ତି ଯେ ପ୍ରଥମେ ଦିନକୁ ୨୦୦୦ ଖଣ୍ଡ ପୋଷାକ ଆମେ ତିଆରି କରୁଥିଲୁ, ଯାହାକୁ ପରେ ଚାହିଦା ବଢିବାରୁ ୫୦୦୦କୁ ବଢାଇଲୁ। କିନ୍ତୁ ବର୍ତ୍ତମାନ ଆମେ ୧୦,୦୦୦ଖଣ୍ଡ ବସ୍ତ୍ର ଦିନକୁ ତିଆରି କରୁଛୁ। ଏଠାରେ ୮୦ ଜଣ ଲୋକ ମଧ୍ୟ କାମ କରୁଛନ୍ତି। ସେ ସମସ୍ତଙ୍କ ମଧ୍ୟରେ ଆମେ କାମ ବାଣ୍ଟି ଦେଇଛୁ, ମାନ ନିୟନ୍ତ୍ରଣ ଠାରୁ ଆରମ୍ଭକରି ପ୍ୟାକିଂଗ୍ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଅତି ଯତ୍ନର ସହ କରାଯାଏ ଓ ଆମେ କେବେ ହେଲେ ପୋଶାକର ମାନ ସହ ବୁଝାମଣା କରିନାହୁଁ ବୋଲି ବୈଦ୍ୟ କହନ୍ତି।

Aura ପାଖରେ ଆଜି ଅମେରିକାର ଓ ଭାରତର ଏକାଧିକ ହର୍ବାଲ ଡାଇଂ ପେଟେନ୍ଟ ରହିଛି। ଏହା ମଧ୍ୟ ଗ୍ଲୋବଲ୍ ଅର୍ଗାନିକ୍ ଟେକ୍ସଟାଇଲ୍ ଷ୍ଟାଣ୍ଡାର୍ଡ (ଗୋଟସ) ଦ୍ଵାରା ସ୍ଵୀକୃତିପ୍ରାପ୍ତ ଅଟେ ଯାହା ଏହାର ଶୁଦ୍ଧତାର ପ୍ରମାଣ ଅଟେ। ୟୁରୋପ୍ ଅଷ୍ଟ୍ରେଲିଆ ଓ ଏସିଆରେ ଏହାର ୫୦୦ ରୁ ଅଧିକ ଗ୍ରାହକ ଅଛନ୍ତି।

ହର୍ବାଲ ଡାଇଙ୍ଗ ବିଷୟରେ ସେ କହନ୍ତି, " ଆମେ ସେହି ପ୍ରଣାଳୀରେ ଡାଇ ତିଆରି କରୁ ଯାହା ପୁରାତନ ସିନ୍ଧୁ ସଭ୍ୟତାରେ ତିଆରି ହେଉଥିଲା। ଏହା ସମ୍ପୁର୍ଣ୍ଣ ପ୍ରାକୃତିକ ହୋଇଥିବାରୁ ଏଥିରେ କୌଣସି ସ୍ତରରେ ରାସାୟନିକ ପଦାର୍ଥ ବ୍ୟବହାର ହୁଏ ନାହିଁ। ଫଳରେ ଏହା ସମ୍ପୁର୍ଣ୍ଣ ଭାବେ ଶରୀର ଓ ପରିବେଶ ଅନୁକୂଳ ଅଟେ। ଏହାର ଲୋକପ୍ରିୟତା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ଏକ ଅନୁମାନ ଅନୁସାରେ ଏହି ହର୍ବାଲ ପୋଷାକର ମାର୍କେଟ୍ ଆଗାମୀ ୫ ବର୍ଷ ମଧ୍ୟରେ ୨.୮ ବିଲିଅନ୍ ଡଲାରରେ ପହଂଚିବ। ପୋଷାକ ଦୁନିଆରେ ଏହା ଏକ ନୂତନ ଧାରା ସୃଷ୍ଟି କରିବାରେ ସମର୍ଥ ହୋଇଛି ଯାହା ଆଗକୁ ଆହୁରି ବ୍ୟାପକ ହେବ ଓ ଲୋକାମାନଙ୍କ ମନରେ ପରିବେଶ ସଚେତନତା ସୃଷ୍ଟି କରିବାରେ ମଧ୍ୟ ଏକ ଗୁରୁତ୍ତ୍ଵପୁର୍ଣ୍ଣ ଭୂମିକା ନିର୍ବାହ କରିବ।" 

ଅଧିକ ଜାଣିବା ପାଇଁ Aura Herbalsର ୱେବସାଇଟ ଦେଖନ୍ତୁ।

ମୂଳ ଲେଖା - ମାରିଆନ ହେଇନିକ

ଭାଷାନ୍ତର - ପରଥାସାରଥୀ ମହାନ୍ତି