ବିସ୍ମୟ ବାଳିକା ଚନ୍ଦ୍ରଜା: ୧୪ ବର୍ଷରେ ଦିନେ ବି ସ୍କୁଲ ବନ୍ଦ କରି ନାହାନ୍ତି

ବିସ୍ମୟ ବାଳିକା ଚନ୍ଦ୍ରଜା: ୧୪ ବର୍ଷରେ ଦିନେ ବି ସ୍କୁଲ ବନ୍ଦ କରି ନାହାନ୍ତି

Friday March 04, 2016,

2 min Read

image


ଆମ ଜାଣିବାରେ ଏମିତି କେହି ଛାତ୍ର କିମ୍ବା ଛାତ୍ରୀ ନାହାନ୍ତି ଯାହାକୁ କେବେ ସ୍କୁଲ ଯିବାକୁ ଭୟ ଲାଗି ନାହିଁ । କୌଣସି ନା କୌଣସି କାରଣ ପାଇଁ ସ୍କୁଲ ନ ଯିବା ଏକ ସାଧାରଣ କଥା । କିଛି ନ ହେଲେ ଦେହ ଖରାପ ହୋଇଗଲେ ସ୍କୁଲ ଯିବା ବନ୍ଦ ହୋଇଯାଏ । କିନ୍ତୁ ଆମ ଦେଶରେ ଏଭଳି ଜଣେ ବିସ୍ମୟ ବାଳିକା ରହିଛନ୍ତି ଯିଏ ଦୀର୍ଘ ୧୪ ବର୍ଷ ହେଲା ଦିନଟିଏ ବି ସ୍କୁଲ ବନ୍ଦ କରିନାହାନ୍ତି । ତାଙ୍କ ନାମ ହେଉଛି ଚନ୍ଦ୍ରଜା ଗୁହା ।

image


ଏହା ଜାଣିଲେ କେହି ବିଶ୍ୱାସ କରିପାରିବେ ନାହିଁ ଯେ ଯେ ନିରନ୍ତର ଭାବେ ଏବେ ବର୍ଷ ହେଲାଣି ଦିନଟିଏ ବି ସ୍କୁଲ ବନ୍ଦ କରି ନାହାନ୍ତି । କିନ୍ତୁ ତାହା ସତ । ତାଙ୍କର ଏହି ନିଷ୍ଠା ପାଇଁ ନିକଟରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେ କୋଲକାତାର ଦମଦମ୍ ଠାରେ ଥିବା ଅକ୍ଜିଲିୟମ୍ କନ୍ଭେନ୍ଟ ସ୍କୁଲରେ ପାଠ ପଢ଼ୁଛନ୍ତି । ଏବେ ସେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ।

ନର୍ସରିଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ୧୪ ବର୍ଷ ଭିତରେ ସେ ଦିନେ ହେଲେ ସ୍କୁଲ ବନ୍ଦ କରି ନଥିବା ତାଙ୍କ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ କହିଛନ୍ତି । ସେ କେବଳ ଉପସ୍ଥାନକୁ ନେଇ ସ୍କୁଲରେ ଯେତିକି ଚର୍ଚ୍ଚାରେ ରହିଛନ୍ତି ତାଠାରୁ ଅଧିକ ନିଜ ପାଠପଢ଼ା ପାଇଁ । ସେ ଜଣେ ମେଧାବୀ ଛାତ୍ରୀ । ସବୁ ବେଳେ ଏ ଗ୍ରେଡ୍ ରେ ପାସ୍ ହେଉଛନ୍ତି । ଆଜି ପର୍ଯ୍ୟନ୍ତ ସେ କେବେ ବି ୯୦% ରୁ କମ ମାର୍କ ରଖି ନାହାନ୍ତି ।

ଚନ୍ଦ୍ରଜାଙ୍କ ଶିକ୍ଷୟିତ୍ରୀ ଅମୃତା ଚାଟାର୍ଜୀ କହିଛନ୍ତିି ଯେ, ଚନ୍ଦ୍ରଜାଙ୍କୁ ତାଙ୍କ ସ୍କୁଲ ବହୁତ ଭଲ ଲାଗେ । ସେଥିପାଇଁ ସେ ଦିନେ ବି ଅନୁପସ୍ଥିତ ରହି ନାହାନ୍ତି । ଚନ୍ଦ୍ରଜାଙ୍କଠାରୁ ଦେଶର ଛାତ୍ରଛାତ୍ରୀମାନେ ଉପସ୍ଥାନକୁ ନେଇ ଶିକ୍ଷା ଗ୍ରହଣ କରିବା ଉଚିତ ବୋଲି ଅମୃତା କହନ୍ତି । ସେ କହିଛନ୍ତି ଯେ ଚନ୍ଦ୍ରଜାଙ୍କ କିଛି ସାଙ୍ଗ ସ୍କୁଲ ଦିନେ ଦିନେ ବନ୍ଦ କରି ଦେଉଥିଲେ । କିଛି ସାଙ୍ଗ ଏକାଧିକ ଦିନ ସ୍କୁଲରେ ଅନୁପସ୍ଥିତ ରହୁଥିଲେ । କିନ୍ତୁ ଚନ୍ଦ୍ରଜାଙ୍କ ରେକର୍ଡ ଦେଖିବା ପରେ ସେମାନେ ମଧ୍ୟ ନିୟମିତ ସ୍କୁଲରେ ଉପସ୍ଥିତ ରହିବାର ଅଭ୍ୟାସ କରିନେଲେଣି ।

ଚନ୍ଦ୍ରଜାଙ୍କୁ ନେଇ କେବଳ ତାଙ୍କ ସହପାଠୀ ନୁହନ୍ତି ପଡୋଶୀମାନେ ମଧ୍ୟ ଗର୍ବିତ । ତାଙ୍କ ପଡ଼ୋଶୀ ରୀତା ଦାସ କହିଛନ୍ତି ଯେ ଚନ୍ଦ୍ରଜାଙ୍କ ସ୍କୁଲ ପ୍ରେମକୁ ଦେଖି ତାଙ୍କ ପୁଅ ମଧ୍ୟ ପ୍ରତିଦିନ ସ୍କୁଲ ଯାଉଛି । ଚନ୍ଦ୍ରଜାଙ୍କ ସକାରାତ୍ମକ ପ୍ରଭାବ ଯୋଗୁଁ ଏଭଳି ଅବିଶ୍ୱାସନୀୟ କାର୍ଯ୍ୟ ସମ୍ଭବପର ହୋଇଛି ବୋଲି ରୀତା କୁହନ୍ତି ।

ଚନ୍ଦ୍ରଜାଙ୍କ ମା ଡଲି ଗୁହା ଓ ବାପା କ୍ଷିତୀଶରଂଜନ ଗୁହାଙ୍କର ମଧ୍ୟ ଚନ୍ଦ୍ରଜାଙ୍କ ଉପରେ ଗଭୀର ବିଶ୍ୱାସ ରହିଛି । ସେମାନେ ନିଜ ଝିଅକୁ ନେଇ ଆଜି ଗର୍ବିତ । ଚନ୍ଦ୍ରଜାଙ୍କ ବିଷୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପଶ୍ଚିମବଙ୍ଗର ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ତାଙ୍କୁ ବିକାଶ ଭବନକୁ ଆମନ୍ତ୍ରଣ କରିଥିଲେ । ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ତାଙ୍କୁ ଏକ ସାର୍ଟିଫିକେଟ୍ ଓ ଉପହାର ପ୍ରଦାନ କରାଯାଇଥିଲା । ଭବିଷ୍ୟତରେ ସରକାର ଚନ୍ଦ୍ରଜାଙ୍କୁ ସବୁ ପ୍ରକାର ସହାୟତା ଦେବେ ବୋଲି ପାର୍ଥ କହିଥିଲେ ।