ବିଭିନ୍ନ Taboo ସମ୍ପର୍କୀୟ ଜିଜ୍ଞାସାର ଉତ୍ତର AdviceAdda.com

ବିଭିନ୍ନ Taboo ସମ୍ପର୍କୀୟ ଜିଜ୍ଞାସାର ଉତ୍ତର AdviceAdda.com

Monday November 23, 2015,

4 min Read

ନିଜ ଜୀବନରେ ଅନେକ ଦ୍ୱନ୍ଦ୍ୱ ଓ ସମସ୍ୟା ଦେଇ ଗତି କରୁଥିବା ତରୁଣଙ୍କ ପାଇଁ ବିଭିନ୍ନ କିସମର ପ୍ରସଙ୍ଗ ସଂପର୍କରେ ପରାମର୍ଶ ଦେଉଥିବା ୱେବ୍ ପୋର୍ଟାଲ୍ AdviceAdda.comର ପ୍ରତିଷ୍ଠାତା ହେଉଛନ୍ତି ବିବେକ ସତ୍ୟ ମିତ୍ରମ୍ । ସେ ଜଣେ ପୂର୍ବତନ ସାମ୍ବାଦିକ, ଖବରଦାତା, ଚ୍ୟାନେଲ୍ ମୁଖ୍ୟ ଓ ଆଉଟପୁଟ ମୁଖ୍ୟ ଭାବେ ତଥା ପିଟିଆଇ, ଷ୍ଟାର୍ନ୍ୟୁଜ୍, ସାହାରା ସମୟ, ଇଣ୍ଡିଆ ନ୍ୟୁଜ୍ ଓ NWSରେ କାମ କରିଛନ୍ତି । ସେ ନିଜର ଯାତ୍ରାକୁ ‘ଖୁବ ସଫଳ’ ବୋଲି ଅଭିହିତ କରନ୍ତି । ସେ କହନ୍ତି, “ମୁଁ ମୋର ଲୋକଙ୍କ ପାଇଁ, ଦେଶ ପାଇଁ ଓ ମୋର ପିଢ଼ି ପାଇଁ କିଛି ସାମାଜିକ କାମ କରିବାକୁ ଚାହୁଁଥିଲି । ମୁଁ ଯୁବକଙ୍କୁ ସେମାନଙ୍କ ସମସ୍ୟାରୁ ମୁକ୍ତ କରିବା ନିମନ୍ତେ ସହାୟତା ଦେବାକୁ ଚାହୁଁଥିଲି ।”

image


ବିବେକ ବର୍ଣ୍ଣନା କରନ୍ତି, “ଅନେକ ତରୁଣ ସମାନ ଶାରୀରିକ, ମାନସିକ ଓ ମନସ୍ତାତ୍ୱିକ ପରିବର୍ତନ ଦେଇଗତି କରିଥାନ୍ତି । ଏହାଦ୍ୱାରା ଅନେକ ପ୍ରଶ୍ନ ଓ ସନ୍ଦେହ ଅସମାହିତ ରହିଯାଏ ।” ଦୀର୍ଘ ସମୟ ପରେ, ଏହି ପ୍ରଶ୍ନଗୁଡ଼ିକର ସଠିକ୍ ଉତ୍ତର ମିଳିନଥିବାରୁ ଅନେକ ଅସଂଗତି ଧାରଣାର ସୃଷ୍ଟି ହୋଇଥାଏ । ଫଳରେ ସେମାନଙ୍କ ବ୍ୟକ୍ତିଗତ ଓ ବୃତିଗତ ଯୁବ ଜୀବନ ପ୍ରଭାବିତ ହୋଇଥାଏ ।

image


ବିବେକ କହନ୍ତି, “ଭାରତରେ, ବର୍ତ୍ତମାନ ସୁଦ୍ଧା ଯୌନ ପ୍ରସଙ୍ଗରେ ଖୋଲାଖୋଲି ଭାବେ କେହି ଆଲୋଚନା କରନ୍ତିନାହିଁ, ଯଦିଓ ଏହାଦ୍ୱାରା ସେମାନେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । AdviceAdda.com ଏହି ସମସ୍ତ ପ୍ରସଙ୍ଗ ସଂପର୍କରେ ଯାହା ତରୁଣଙ୍କ ଜୀବନର ଏକ ଅଂଶ ବିଶେଷ ଆଲୋଚନା କରିଥାଏ । ଆମେ ଯୌନ ପ୍ରସଙ୍ଗ ସଂପର୍କରେ ଆଲୋଚନା କରିଥାଉ । ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବାକୁ ଏହି ସୂଚନା ପ୍ରଦାନ କରାଯାଇଥାଏ, କିନ୍ତୁ କୌଣସି ଆମୋଦ ପାଇଁ ନୁହେଁ ।”

image


ଏହି ୱେବ୍ସାଇଟରେ ମନସ୍ତତ୍ୱବିଦ୍, ଯୌନ ବିଶେଷଜ୍ଞ, ସ୍ତ୍ରୀରୋଗ ବିଶେଷଜ୍ଞ, ଚର୍ମରୋଗ ବିଶେଷଜ୍ଞ, ଡାକ୍ତର, ବୃତି ପରାମର୍ଶଦାତା, ମୋଟିଭେସନାଲ୍ ସ୍ପିକର, ସୌନ୍ଦର୍ଯ୍ୟ ବିଶେଷଜ୍ଞ, ଫିଟ୍ନେସ୍ ଟ୍ରେନର୍, ଫାଇନାନ୍ସିଆଲ୍ ଆଡ୍ଭାଇଜର, ଓକିଲ ଆଦିଙ୍କ ପରାମର୍ଶକୁ ସ୍ଥାନିତ କରାଯାଇଥାଏ । ବିବେକ କହନ୍ତି, “ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ସଂପୃକ୍ତି କାରଣରୁ ବ୍ୟବହାରକାରୀମାନେ ଅନେକ ପ୍ରସଙ୍ଗ ଉପରେ ସୂଚନା ପାଇପାରିଥାନ୍ତି ।”

ଏହି ସେବା ଦେୟମୁକ୍ତ ଅଟେ ଓ ବ୍ୟବହାରକାରୀଙ୍କ ସମସ୍ତ ତଥ୍ୟ ଓ ପରିଚୟକୁ ଗୋପନ ରଖାଯାଇଥାଏ । ବିବେକଙ୍କ କହିବାନୁସାରେ, AdviceAdda.com ହେଉଛି ଭାରତର ପ୍ରଥମ ଏଭଳି ୱେବ୍ସାଇଟ୍ । ସେ କହନ୍ତି, “ ଅନ୍ୟ ୱେବ୍ସାଇଟ ଗୁଡିକ ସମାନ ସହାୟତା ଦେଇଥାନ୍ତି, କିନ୍ତୁ ସେଗୁଡ଼ିକ ବ୍ୟବସାୟିକ ଓ ଦେୟ ଯୁକ୍ତ ଅଟେ, ଫଳରେ ଲୋକମାନେ ଅନେକ ପରିମାଣରେ ହତୋତ୍ସାହ ହୋଇପଡ଼ିଥାନ୍ତି । ମୁଁ ଅନ୍ଲାଇନ୍ ପରାମର୍ଶ ସେବାକୁ ସଂପୂର୍ଣ୍ଣ ଦେୟମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲି ।”

ବ୍ୟବହାରକାରୀଙ୍କ ଗୋପନୀୟତା ରକ୍ଷା କରାଯାଉଥିବାରୁ ସେମାନେ ନିଜର ସନେ୍ଦହକୁ ବିନାଦ୍ୱିଧାରେ ପଚାରିଥାନ୍ତି, “ଥରେ ଆମେ ପ୍ରଶ୍ନ ଗ୍ରହଣ କରିବାପରେ, ସଂପୃକ୍ତ ବିଶେଷଜ୍ଞଙ୍କ ନିକଟକୁ ୨୪ଘଂଟା ମଧ୍ୟରେ ପଠାଇଦିଆଯାଇଥାଏ । ଏହାପରେ ପ୍ରାପ୍ତ ପରାମର୍ଶକୁ ସଂପୃକ୍ତ ପ୍ରଶ୍ନକାରୀଙ୍କ ଆକାଉଂଟକୁ ପଠାଇଦିଆଯାଇଥାଏ ଓ ଏହା ସହ ସେହି ପରାମର୍ଶକୁ ଆମର ୱେବ୍ସାଇଟରେ ପ୍ରକାଶିତ କରାଯାଏ, ଯଦ୍ୱାରା ଲୋକମାନେ ସମାନ ପ୍ରସଙ୍ଗରେ ସହାୟତା ପାଇପାରିବେ ।”

ସେ କହନ୍ତି, “ AdviceAdda.com ଆସୁଥିବା ଅଧିକାଂଶ ପ୍ରଶ୍ନ ଶିକ୍ଷା, ବୃତ୍ତି, ସଂପର୍କ, ଅବସାଦ ଓ ଯୌନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ । ବ୍ୟବହାରକାରୀମାନେ ସାଧାରଣତଃ ୧୮ରୁ ୨୫ବର୍ଷ ବୟସର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ପୁରୁଷ ଓ ୪୦ ପ୍ରତିଶତ ମହିଳା ଅଟନ୍ତି । ସବୁଠାରୁ ଆଗ୍ରହର ବିଷୟ ହେଲା ଆମର ଗ୍ରାହକମାନେ ନିୟମିତ ଭାବେ ସଂପର୍କ ରକ୍ଷା କରିଥାନ୍ତି ।” ବିବେକ କହନ୍ତି, “ ଯେଉଁ ବ୍ୟବହାରକାରୀମାନେ ପ୍ରଶ୍ନ ପଚାରିଥାନ୍ତି ସେମାନେ ପୁଣି ନୂତନ ସମସ୍ୟା ନେଇ ଆମପାଖକୁ ଆସିଥାନ୍ତି ।”

ବିବେକ ସ୍ୱୀକାର କରନ୍ତି ଯେ ବ୍ୟବହାରକାରୀଙ୍କ ଆନୁଗତ୍ୟ ସବୁଠାରୁ ବଡ଼ ପ୍ରେରଣାଦାୟକ ଅଟେ । “ଆମେ ୫ମାସ ପୂର୍ବେ ଆରମ୍ଭ କରିଥିଲୁ ଏବଂ ବର୍ତ୍ତମାନ ସୁଦ୍ଧା ଆମର ୱେବ୍ସାଇଟକୁ ୩ଲକ୍ଷ ଲୋକ ଦେଖିସାରିଛନ୍ତି । ଦୈନିକ ଆମର ୱେବ୍ସାଇଟକୁ ହାରାହାରି ୫ରୁ ୭ହଜାର ପାଠକ ଆସିଥାନ୍ତି । ବର୍ତ୍ତମାନ ସୁଦ୍ଧା ୨ହଜାର ଲୋକ ୱେବ୍ସାଇଟ୍ ଜରିଆରେ ପଂଜିକୃତ କରିଛନ୍ତି ।” ସେ ଆହୁରି ମଧ୍ୟ କହନ୍ତି ଯେ AdviceAdda.comର ଏହି ସଫଳତା କୌଣସି ବିଜ୍ଞାପନ ପ୍ରଚାରପ୍ରସାର ଦ୍ୱାରା ହୋଇନାହିଁ ।

ବର୍ତମାନ ୱେବ୍ସାଇଟ୍ କୌଣସି ରାଜସ୍ୱ ଆୟ କରୁନାହିଁ, ତେବେ ଟିମ୍ ଏହାର ବୃଦ୍ଧି ପାଇଁ ଚିନ୍ତା କରୁଛନ୍ତି । ବିବେକ କହନ୍ତି ଯେ ଦୁଇଟି ପ୍ରମୁଖ ପ୍ରକଳ୍ପ ବର୍ତମାନ ପ୍ରସ୍ତୁତ ହୋଇଛି; ସ୍କୁଲ, କଲେଜ ଓ କର୍ପୋରେଟ୍ କାର୍ଯ୍ୟାଳୟରେ ୱାର୍କସପ୍ ଏବଂ ବ୍ୟକ୍ତିଗତସ୍ତରରେ ବୃତ୍ତି, ମନସ୍ତାତ୍ୱିକ ସମସ୍ୟା, ସଂପର୍କ ଜଟିଳତା ଆଦି ପ୍ରସଙ୍ଗ ଉପରେ ଅନ୍ଲାଇନ୍ ପରାମର୍ଶ ଯୋଜନା ।

ବିବେକ କହନ୍ତି ଯେ ଆଡ୍ଭାଇସ୍ ଆଡ୍ଡା ବର୍ତମାନ ପୁଂଜିନିବେଶ ପାଇଁ ସୁଯୋଗ ଏବଂ ସମଚିନ୍ତାଧାରାର ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ଠାରୁ ସହାୟତା ଅପେକ୍ଷା କରୁଛି । ସେ ଯୁକ୍ତି କରନ୍ତି ଯେ ୱେବ୍ସାଇଟ୍ ଏକ ଲାଭଦାୟକ ବ୍ୟବସାୟରେ ପରିବର୍ତ୍ତିତ ହେବାର କ୍ଷମତା ରଖିଛି କାରଣ ଏହାଦ୍ୱାରା ସମସ୍ତ ପ୍ରକାରର ସାମଗ୍ରୀ, ଉପ୍ତାଦ, ସେବାକୁ ଯୁବଗୋଷ୍ଠୀଙ୍କ ନିକଟରେ ସହଜରେ ପହଂଚାଯାଇପାରିବ ।

କୌଣସି ଭଲ ଉଦ୍ୟୋଗପତିଙ୍କ ଭଳି ବିବେକ ମଧ୍ୟ ସ୍ୱପ୍ନ ଦେଖିଛନ୍ତି, “ମୁଁ ଏହି ୱେବ୍ସାଇଟ୍ ଦେଶର ୭୫କୋଟି ଯୁବ ଭାରତୀୟଙ୍କୁ, ଯେଉଁମାନଙ୍କ ଠାରେ ସେମାନଙ୍କ ମସ୍ତିଷ୍କରେ ସୃଷ୍ଟି ହେଉଥିବା ପ୍ରଶ୍ନ ଓ ସନ୍ଦେହ ମୋଚନ ପାଇଁ କୌଣସି ସୁବିଧା ନାହିଁ ସହାୟତା କରିବାକୁ ଆରମ୍ଭ କରିଥିଲି । ବର୍ତମାନ, ମୁଁ ଦେଖିବାକୁ ଚାହେଁ ଯେ AdviceAdda.com Twitter ଓ ଫେସବୁକ ଠାରୁ ମଧ୍ୟ ଅଧିକ ଲୋକପ୍ରିୟ ହେଉ କାରଣ ଏହା କେବଳ ନିଜର ଆବେଗ ଓ ଅନୁଭବକୁ ଆବଂଟନ କରିବାନୁହେଁ; ଏହା ହେଉଛି ନିଜର ସମସ୍ୟାକୁ ଜଣାଇବା ଓ ଏହାର ସମାଧାନ ପାଇବାର ଏକ ମାଧ୍ୟମ ।”

ବିବେକ ନିଜର ଅନ୍ତିମ ସୂଚନାରେ ଏକ ବିରାଟ ଚିତ୍ରର ରୂପରେଖ ଦିଅନ୍ତି, “ଆମେ ବିଶ୍ୱର ସବୁଠାରୁ ଯୁବ ଦେଶ ଭାବେ ଗର୍ବ କରୁ ଏବଂ ଆମର ପ୍ରଧାନମନ୍ତ୍ରୀ ମଧ୍ୟ ଏହି ମାନବଶକ୍ତିକୁ ବିନିଯୋଗ କରିବାକୁ ଅନ୍ୟ ଦେଶକୁ ଆହ୍ୱାନ କରିଛନ୍ତି । ତେବେ ବର୍ତମାନ ଏହି ମାନବଶକ୍ତି କିଭଳି ଗଠନମୂଳକ ହୋଇପାରିବ ଯଦି ପ୍ରତିବର୍ଷ ୫୦ହଜାର ଯୁବକ ବିଭିନ୍ନ ସମସ୍ୟା ପାଇଁ ଆତ୍ମହତ୍ୟା କରନ୍ତି । ସେମାନେ ନିଜର ସମସ୍ୟାକୁ ଅନ୍ୟ କହା ସହ ବାଂଟିପାରନ୍ତି ନାହିଁ( ବିଶେଷ ଭାବେ ପାରିବାରିକ ସମସ୍ୟା, ଆର୍ଥିକ ଅନଟନ ଓ ପ୍ରେମ ବ୍ୟାପାର) । ଆସନ୍ତୁ ଦେଶର ଯୁବଶକ୍ତିକୁ ମାନସିକ ଚାପରୁ ମୁକ୍ତ କରିବା । ସେହିସମୟରେ ହିଁ ସେମାନେ ଆମ ଦେଶକୁ ବିଶ୍ୱଗୁରୁ ଭାବେ ପ୍ରତିଷ୍ଠିତ କରିପାରିବେ ।”

ମୂଳ ଲେଖା - ଫ୍ରାନ୍ସେସା ଫରାରିଓ

ଭାଷାନ୍ତର - ଲମ୍ବୋଦାର ପ୍ରସାଦ ଦାଶ