ରକ୍ତଦାନ ଦ୍ଵାରା ରକ୍ତ ସମ୍ପର୍କ ଗଢିବାରେ ପ୍ରୟାସରତ ଦମ୍ପତି

ରକ୍ତଦାନ ଦ୍ଵାରା ରକ୍ତ ସମ୍ପର୍କ ଗଢିବାରେ ପ୍ରୟାସରତ ଦମ୍ପତି

Thursday November 19, 2015,

3 min Read

କିଛି ମହତ କାମ କରିବାର ଲକ୍ଷ୍ୟରେ ବିଗତ ତେର ବର୍ଷରେ ଅନେକ ଜୀବନ ବଞ୍ଚାଇଛନ୍ତି ନାଗପୁରର ପୋଆଚା ଦମ୍ପତ୍ତି। ସ୍ଵାମୀ ଖୁସ୍ରୂ ଭାରତୀୟ ରେଳବାଇରେ କାର୍ଯ୍ୟ କରୁଥିବା ବେଳେ ପତ୍ନୀ ଫେର୍ମିନ ଜଣେ ଶିକ୍ଷୟତ୍ରୀ। ରକ୍ତ ଆବଶ୍ୟକ କରୁଥିବା ଲୋକଙ୍କ ସହାୟତା କରିବା ପାଇଁ ଉଭୟ ଏହି ଦମ୍ପତ୍ତି Indianblooddonors.com ଓ Plateletdonors.orgନାମରେ ଦୁଇଟି ୱେବସାଇଟ ତିଆରି କରିଛନ୍ତି। ରକ୍ତ ଆବଶ୍ୟକ କରୁଥିବା ରୋଗୀମାନଙ୍କୁ ସେମାନଙ୍କ ପାଖାପାଖି ଅଞ୍ଚଳରେ ଥିବା ରକ୍ତଦାତାଙ୍କ ସହ ଯୋଡିବା ହେଉଛି ଏହି ଦୁଇ ୱେବସାଇଟର କାମ। Indianblooddonors୧୯୯୯ ମସିହାରେ ଆରମ୍ଭ ହୋଇଥିବା ବେଳେ and Plateletdonors୨୦୧୨ ମସିହାରେ କାମ କରିବା ଆରମ୍ଭ କରିଥିଲା। .

image


ନିଜ ବ୍ୟକ୍ତିଗତ ଜୀବନର କେତୋଟି ଘଟଣା ହିଁ ପୋଆଚା ଦମ୍ପତ୍ତିଙ୍କୁ ଏହି ୱେବସାଇଟ ତିଆରି କରିବା ପାଇଁ ପ୍ରେରଣା ଦେଇଥିଲା। ୧୯୯୪ ମସିହାରେ ଖୁସ୍ରୂଙ୍କ ଜେଜେମା ଗୁରୁତର ଭାବେ ଅସୁସ୍ଥ ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ ଖୁସ୍ରୂ ଡାକ୍ତରଖାନାରେ ଜଣେ ମହିଳା ରୋଗୀଙ୍କ ସମ୍ପର୍କୀୟମାନେ ଗଣ୍ଡଗୋଳ କରୁଥିବାର ଦେଖିଥିଲେ। ଏହାର କାରଣ ସମ୍ପର୍କରେ ସେ ଡାକ୍ତରଙ୍କୁ ପଚାରିଥିଲେ। ଡାକ୍ତର କହିଥିଲେ ଯେ ସମ୍ପୃକ୍ତ ମହିଳାଙ୍କ ପାଇଁ ରକ୍ତ ଦରକାର ଥିଲା ଓ ସେ ମହିଳାଙ୍କ ସମ୍ପର୍କୀୟମାନଙ୍କୁ ଏ ବିଷୟରେ ଜଣାଇ ମଧ୍ୟ ଥିଲେ। ଦୁର୍ଭାଗ୍ୟବଶତଃ ରକ୍ତ ଯୋଗାଡ ହୋଇ ପାରିଲା ନାହିଁ ଓ ହୃଦଘାତରେ ମହିଳାଙ୍କର ମୃତ୍ୟୁ ହେଲା। ଏହି ଘଟଣା ଖୁସ୍ରୂଙ୍କ ମନରେ ଗଭୀର ରେଖାପାତ କରିଥିଲା।

image


ଖୁସ୍ରୂଙ୍କ ଜୀବନରେ ଏହିପରି ଆଉ ଗୋଟିଏ ଘଟଣା ୧୯୯୯ ମସିହାରେ ଘଟିଥିଲା। ଏହି ସମୟରେ ଜଣେ ବ୍ୟକ୍ତିଙ୍କ ସହାୟତା ପାଇଁ ସେ ନାଗପୁରର ସମସ୍ତ ବ୍ଲଡ଼ବ୍ୟାଙ୍କରେ O-ve ଗ୍ରୁପର ରକ୍ତ ଖୋଜି ପାଇନଥିଲେ। ଏହି ଘଟଣା ତାଙ୍କୁ ପ୍ରଭାବିତ କରିଥିଲା ଓ ସେ ଗୋଟିଏ ସହରରୁ ଅନ୍ୟ ସହରରେ ଯାଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ଦୁଃଖ ବୁଝିପାରିଥିଲେ। କର୍କଟ, ଥାଲାସେମିଆ ପରି ରୋଗରେ ପୀଡିତ ରୋଗୀମାନଙ୍କୁ ନିରନ୍ତର ବ୍ୟବଧାନରେ ରକ୍ତ ଦରକାର ପଡିଥାଏ। ଖୁସ୍ରୂଙ୍କ ମତରେ ଏହି ରୋଗୀମାନଙ୍କ ଦୁର୍ଦଶା ତାଙ୍କ ଆଖି ଆଗରେ ନାଚି ଯାଇଥିଲା ଓ ସେ ଏହାର କିଛି ସମାଧାନ ସୂତ୍ର କାଢିବା ପାଇଁ ମନ ବଳାଇଥିଲେ।

ଖୁସ୍ରୂ ନିଜ ପତ୍ନୀଙ୍କ ସହ ଏ ବିଷୟରେ କଥା ହୋଇଥିଲେ। ଉଭୟ ପତି ପତ୍ନୀ ଏହି ସମସ୍ୟାର ସମାଧାନ କରିବା ପାଇଁ କିଛି କରିବାକୁ ଚାହୁଁଥିଲେ, ହେଲେ କଣ କରାଯାଇ ପାରିବ ସେ ବିଷୟରେ ଅଧିକ କିଛି ଭାବି ପାରୁନଥିଲେ। ଏହି ସମୟରେ ହିଁ ଭାରତରେ ଅନଲାଇନ କ୍ରାନ୍ତି ଆରମ୍ଭ ହୋଇଥିଲା ଓ ଅନେକ ଲୋକ ୱେବସାଇଟ ତିଆରି କରିବା ଆରମ୍ଭ କରିଥିଲେ। ଖୁସ୍ରୂ ମଧ୍ୟ କାନାଡାରେ ରହୁଥିବା ନିଜ ସମ୍ପର୍କୀୟଙ୍କ ସହ ଇମେଲ ମାଧ୍ୟମରେ ହିଁ ଯୋଗାଯୋଗ ରଖୁଥିଲେ। ଇଣ୍ଟରନେଟକୁ ବ୍ୟବହାର କରି ୱେବସାଇଟ ମାଧ୍ୟମରେ ରୋଗୀ ଓ ରକ୍ତଦାତାଙ୍କ ମଧ୍ୟରେ ଯୋଗସୂତ୍ର ବଢାଇବା ପାଇଁ ସେ ଚିନ୍ତା କଲେ।

image


ପୋଆଚା ଦମ୍ପତ୍ତି ଏହି କାମରେ ନିଜର ସମସ୍ତ ସଞ୍ଚିତ ଅର୍ଥ ବିନିଯୋଗ କରିଥିଲେ। ତାଙ୍କର ଜଣେ ସାଙ୍ଗଙ୍କର ଭାଇ ଗୋଟିଏ ଆଇଟି କମ୍ପାନୀରେ କାମ କରୁଥିଲେ। ସେ ଏହି ୱେବସାଇଟଟିକୁ ତିଆରି କଲେ ଓ ଏକ ମହତ କାମ ପାଇଁ ଉଦ୍ଦିଷ୍ଟ ହୋଇଥିବାରୁ ପୋଆଚା ଦମ୍ପତ୍ତିଙ୍କୁ ୧୫ ହଜାର ଟଙ୍କା ରିହାତି ମଧ୍ୟ ଦେଇଥିଲେ। ଖୁସ୍ରୂଙ୍କର ଅନ୍ୟ ଜଣେ ବନ୍ଧୁ ମଧ୍ୟ ଏହାର ବିଜ୍ଞାପନ ଓ ଲୋଗୋ ତିଆରି ପାଇଁ ସାହାଯ୍ୟ କରିଥିଲେ। ବର୍ତ୍ତମାନ ଆଉ ତିନିଟି କମ୍ପାନୀ ପୋଆଚା ଦମ୍ପତ୍ତିଙ୍କୁ ଏହି କାମରେ ସହାୟତା କରୁଛନ୍ତି। Net4Indiaଏଥିପାଇଁ ମାଗଣାରେ ହୋଷ୍ଟିଙ୍ଗ ସୁବିଧା ଯୋଗାଇ ଦେଇଥିଲା ବେଳେ Awaaz.de ମାଗଣା IVRS ନମ୍ବର 07961907766 ଓ Innoz.in ଏସଏମଏସ ହେଲ୍ପଲାଇନର ବ୍ୟବସ୍ଥା କରିଛି।

ରକ୍ତ ଆବଶ୍ୟକ କରୁଥିବା ରୋଗୀଟିଏ ପାଞ୍ଚଟିଉପାୟରେ ଆଗ୍ରହୀ ରକ୍ତଦାତାଙ୍କ ସହ ଯୋଗାଯୋଗ କରିପାରିବ। ସେଗୁଡିକ ହେଲା,Indian Blood Donorsମୋବାଇଲ ଆପ୍ଲିକେସନ ଡାଉନଲୋଡ କରି,07961907766ନମ୍ବରରେ ଫୋନ କରି,55444ନମ୍ବରକୁ BLOODଏସଏମଏସ କରି,9665500000ନମ୍ବରକୁ DONOR (ନିଜ ଅଞ୍ଚଳର ଏସଟିଡ଼ି କୋଡ) (ବ୍ଲଡ଼ ଗ୍ରୁପ)ଏସଏମଏସ କରି କିମ୍ବା 9665500000ନମ୍ବରକୁ DONOR PIN(ନିଜ ଅଞ୍ଚଳର ପିନକୋଡ)(ବ୍ଲଡ଼ ଗ୍ରୁପ)ଏସଏମଏସ କରି।

ଏହି ୱେବସାଇଟ ସାରା ଦେଶରେ ହଜାର ହଜାର ସଂଖ୍ୟାରେ ସ୍ଵେଚ୍ଛାସେବୀ ମଧ୍ୟ ସୃଷ୍ଟି କରିଛି। ଏହିୱେବସାଇଟରୁ ପୋଆଚା ଦମ୍ପତ୍ତିଙ୍କୁ କୌଣସି ଆର୍ଥିକ ଲାଭ ମିଳେ ନାହିଁ। ମାତ୍ର ଏଥିରୁ ସେମାନେ ପାଉଥିବା ମାନସିକ ଶାନ୍ତି ଅମୂଲ୍ୟ ବୋଲି ପୋଆଚା ଦମ୍ପତ୍ତି କୁହନ୍ତି।