ପିଲାଙ୍କୁ ପାଠ ପଢାଇବାକୁ ଖାଲି ପାଦରେ ଦୌଡୁଛନ୍ତି ବିନ୍ଦୁ

ପିଲାଙ୍କୁ ପାଠ ପଢାଇବାକୁ ଖାଲି ପାଦରେ ଦୌଡୁଛନ୍ତି ବିନ୍ଦୁ

Sunday November 08, 2015,

3 min Read

ଗ୍ରାମାଞ୍ଚଳ ପିଲାମାନେ ସ୍କୁଲ ଯିବେ ଆଉ ପାଠ ପଢିବେ । ଖାସ୍ ଏମିତି ଏକ ମହତ୍ ଇଚ୍ଛା ପାଇଁ ନିଜ ସଉକକୁ ଲକ୍ଷ୍ୟ କରି ଆଗେଇ ଚାଲିଲେ ବିନ୍ଦୁ ଉପାଧ୍ୟାୟ । ପିଲାଙ୍କୁ ଶିକ୍ଷା ଦେବାକୁ ଅର୍ଥ ଯୋଗାଡ କଲେ । ଲକ୍ଷ୍ୟରେ ପହଞ୍ଚିବାକୁ ସେ ଖାଲି ପାଦରେ ହାଫ୍ ମାରାଥନ୍ ଦୌଡିଲେ । ସେବେଠୁ ସେ ଆଉ ପଛକୁ ଚାହିଁନାହାନ୍ତି । କୁନି କୁନି ଗରିବ ପିଲାଙ୍କୁ ପାଠପଢା ପାଇଁ ଅର୍ଥ ଯୋଗାଡ କରିବା ଓ ସେମାନଙ୍କୁ ମୁହଁରେ ହସ ଦେବାକୁ ସେ ସେବେଠାରୁ ଦୌଡି ଚାଲିଛନ୍ତି । ଖାଲି ଦୌଡୁ ନାହାନ୍ତି ସମାଜ ପାଇଁ ଏକ ନିଆରା ଉଦାହରଣ ଛାଡିଛନ୍ତି । ସେ ଗତ ୭ ମାସ ହେବ ସେ ଖାଲି ପାଦରେ ଦୌଡୁଛନ୍ତି । ସେ ୱିପ୍ରୋ ହାଫ୍ ମାରାଥନ ସମ୍ପୂର୍ଣ୍ଣ କରି ସାରିଛନ୍ତି ।

image


ବିନ୍ଦୁ ଉପାଧ୍ୟାୟ ଜଣେ ଉଚ୍ଚ ଅଭିଳାଷ ରଖୁଥିବା ଝିଅ । ସେ ଦୌଡିବାକୁ ଭଲ ପାଆନ୍ତି । ଆଇଆଇଟି ମାଡ୍ରାସରେ ପଢିବା ବେଳେ ସେ ସେଠାକାର ଏକ ରନିଂ ଗ୍ରୁପ୍ ଫରେଷ୍ଟ ଗମ୍ପର ସଦସ୍ୟ ଥିଲେ । ହେଲେ ସେତିକିରେ ସେ ସନ୍ତୁଷ୍ଟ ନଥିଲେ । ନିଜ ଦୌଡିବା ସଉକକୁ ନିଜ ଇଚ୍ଛା ଭିତରେ ସୀମିତ ନ ରଖି ସମାଜ ପାଇଁ କିଛି କରିବାକୁ ସେ ଚିନ୍ତା କଲେ ।

ସେ ତାମିଲନାଡୁର ଗ୍ରାମାଞ୍ଚଳରେ ଥିବା ଗରିବ ପିଲାଙ୍କୁ ପାଠ ପଢିବାକୁ ଅର୍ଥ ସଂଗ୍ରହ କରିବାକୁ ଚେଷ୍ଟା କଲେ । ଏହି ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଦେଇ ଭଲ ନାଗରିକ କରିବା ଉଦ୍ଧେଶ୍ୟରେ ସେ ଆଗେଇ ଚାଲିଲେ । ଏ ବିଷୟରେ ବିନ୍ଦୁ ହସି ହସି କୁହନ୍ତି, ମୋତେ ଯିଏ ବି ଦେଖିବ, ମୁଁ ମାରାଥନ୍ ଦୌଡୁଛି ବୋଲି କେବେବି ବିଶ୍ୱାସ କରିବନି । ମୁଁ ଟିକିଏ ଗୋଲଗାଲ । ହେଲେ ମୋଟା କି ପତଳା ନୁହେଁ, ନିଜ ଶରୀରର ଫିଟନେସ୍ ଉପରେ ଦୌଡିବା ସାମର୍ଥ୍ୟ ନିର୍ଭର କରେ ।

image


ବିନ୍ଦୁ ହାଫ୍ ମାରାଥନ ଦୌଡିବାକୁ ପସନ୍ଦ କରନ୍ତି । ମାତ୍ର ଭାରତର ବହୁ କମ୍ ସହରରେ ଏହି ହାଫ୍ ମାରାଥନ୍ ହୁଏ। ତେବେ ବାଙ୍ଗାଲୋରରେ ହେଉଥିବା ହାଫ୍ ମାରାଥନକୁ ସେ ଅଧିକ ପସନ୍ଦ କରନ୍ତି । ଏଠାରେ ଦୌଡିବାକୁ ଟେକନିକ୍ ଉପରେ ବହୁ ପ୍ରଶିକ୍ଷଣ ଦିଆଯାଏ । ଏବେସୁଦ୍ଧା ସେ ମାରାଥନରେ ସଫଳ ହୋଇ ୬୬ହଜାର ୫୯୫ ଟଙ୍କା ସଂଗ୍ରହ କରି ସାରିଲେଣି । ଆଗାମୀ ଦୁଇ ମାସ ଭିତରେ ବିନ୍ଦୁ ଦେଢ ଲକ୍ଷ ଟଙ୍କା ସଂଗ୍ରହ କରିବାକୁ ଟାର୍ଗେଟ୍ କରିଛନ୍ତି । ଏହି ଟଙ୍କାରେ ସେ ଗାଁ ଗହଳିର ପିଲାଙ୍କୁ ପଢିବାରେ ସହାୟତା କରିବାର ଯୋଜନା କରିଛନ୍ତି ।

ପିଲାଙ୍କୁ ଶିକ୍ଷା ଦେବା ଉପରେ କାମ କରୁଥିବା ୟୁରେକା ଚାଇଲ୍ଡ ଫାଉଣ୍ଡେସନ ଠାରୁ ସେ ଏ ଦିଗରେ ଅଧିକ କାମ କରିବାକୁ ପ୍ରେରଣା ପାଇଥିଲେ । ତାମିଲନାଡୁର ଗ୍ରାମାଞ୍ଚଳ ପିଲାଙ୍କୁ ଶିକ୍ଷା ପ୍ରଦାନ କରିବାକୁ ଏହି ଫାଉଣ୍ଡେସନ୍ ଚ୍ୟାରିଟି ସଂଗ୍ରହ କରେ । ବିନ୍ଦୁ କୁହନ୍ତି, ବହୁ ପିଲା ଅର୍ଥାଭାବରୁ ପଢି ପାରୁନାହାନ୍ତି । ଛୋଟ ପିଲା ହାତରେ ଶସ୍ତା ସାମଗ୍ରୀ ଧରି ଗଳି କନ୍ଦିରେ ବୁଲି ବୁଲି ବିକୁଥିବାର ମୁଁ ଦେଖିଛି । ଏହା ନ କରି ସେମାନେ ଗୋଟିଏ ଦିନ ସ୍କୁଲରେ ପାଠପଢି ବହୁ ମୂଲ୍ୟବାନ ଜ୍ଞାନ ପାଇପାରିବେ । ସ୍କୁଲର ଏମିତି କିଛି ଦିନ ହିଁ ସେମାନଙ୍କ ପୂରା ଭବିଷ୍ୟତକୁ ବଦଳାଇ ଦେଇପାରେ । ସେପ୍ଟେମ୍ବର ୨୧ରେ ବିନ୍ଦୁ ୱିପ୍ରୋ ହାଫ୍ ମାରାଥନ୍ ସମ୍ପୂର୍ଣ୍ଣ କରିଛନ୍ତି । ଆଗକୁ ଅକ୍ଟୋବର ୧୯ରେ ବାଙ୍ଗାଲୋରରେ ହେବାକୁ ଥିବା ମାରାଥନ୍ ଓ ଡିସେମ୍ବର ୭ରେ ୱିପ୍ରୋ ଚେନ୍ନାଇ ମାରାଥନ୍ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ।

image


ତେବେ ମାରାଥନରେ ଦୌଡିବା ଇଚ୍ଛା ବିଷୟରେ ସେ କୁହନ୍ତି, ସ୍ୱାସ୍ଥ୍ୟ ଓ ଫିଟନେସ୍ କୁ ନେଇ ମୁଁ ବହୁତ ସଚେତନ। ମୋ ହିସାବରେ ସବୁ ଲୋକେ ନିଜ ସ୍ୱାସ୍ଥ୍ୟକୁ ନେଇ ଯଥେଷ୍ଟ ସଚେତନ ହେବା ଦରକାର । ଫଲରେ ସମସ୍ତେ ସୁସ୍ଥ ଜୀବନଯାପନ କରିପାରିବେ । ସେହିପରି ସୁଯୋଗ ଓ ଅର୍ଥ ଅଭାବରୁ ପାଠପଢି ପାରୁନଥିବା ଛୋଟ ପିଲାଙ୍କ ପଢାଇବା ଓ ସମସ୍ତଙ୍କୁ ଏ ବିଷୟରେ ସଚେତନ କରିବାକୁ ମୁଁ ଚେଷ୍ଟା କରିଥିଲି ।

ତେବେ ବିନ୍ଦୁ ସ୍ୱାସ୍ଥ୍ୟକୁ ନେଇ ଏତେ ସିରିୟସ୍ ହେବାର ଆଉ ଏକ କାରଣ ବି ଥିଲା । ଡାକ୍ତର ବିନ୍ଦୁଙ୍କୁ ପରୀକ୍ଷା କରି ଥାଇରଏଡ୍ ଅସନ୍ତୁଳନ ଥିବା ରିପୋର୍ଟ ଦେଇଥିଲେ । ସେବେଠୁ ସେ ଦୌଡିବା ଆରମ୍ଭ କରିଥିଲେ । ପ୍ରଥମେ ୨୦୦ ମିଟର ଲମ୍ବା ଦୌଡରେ ସେ ହାଲିଆ ହୋଇ ଯାଉଥିଲେ । ପରେ ସେ ନିଜ ଅଭ୍ୟାସ ଜାରି ରଖିଥିଲେ । ଏହାର ଦୁଇ ବର୍ଷ ପ୍ରଶିକ୍ଷଣ ପରେ ବିନ୍ଦୁ ୧୦କିଲୋମିଟର ଲମ୍ବା ଦୌଡ ଓ ୫ଟି ହାଫ୍ ମାରାଥନ୍(୨୧.୧ କିଲୋମିଟର) ସମ୍ପୂର୍ଣ୍ଣ କରିଥିଲେ । ମନ ଭଲ ରଖିବାକୁ ସେ ନିୟମିତ ଦୌଡ ଓ ଶାରୀରିକ ବ୍ୟାୟମ କରନ୍ତି ।

ସବୁଠୁ ବଡ କଥା ହେଉଛି, ସବୁ ଲୋକେ ନିଜ ଇଚ୍ଛା ବା ଆବେଗକୁ ସମାଜର ମହତ୍ କାମରେ ବଦଳାଇ ପାରନ୍ତିନି। ହେଲେ ବିନ୍ଦୁ ଉପାଧ୍ୟାୟ ଏହାକୁ ସମ୍ଭବ କରି ଦେଖାଇଥିଲେ । ନିଜର ଶାରୀରିକ ସୁସ୍ଥତା ଚିନ୍ତା ଓ ପିଲାଙ୍କୁ ପାଠ ପଢାଇବା ଭଳି ମହତ୍ ଉଦ୍ଧେଶ୍ୟ ପାଇଁ କିଛି ବଞ୍ଚିତ ଶ୍ରେଣୀର ପିଲା ପାଠ ପଢିପାରୁଛନ୍ତି ।