ଓଡ଼ିଶାର ନୂଆ ଇକୋ-ଟୁରିଜିମ୍ ହବ୍ 'ମାଛବନ୍ଧ’

ଓଡ଼ିଶାର ନୂଆ ଇକୋ-ଟୁରିଜିମ୍ ହବ୍ 'ମାଛବନ୍ଧ’

Monday March 28, 2016,

2 min Read

ଇକୋ-ଟୁରିଜିମ୍ରେ ଓଡ଼ିଶାକୁ ଏକ ନୂଆ ପରିଚୟ ମିଳିଛି । ରାଜ୍ୟରେ ଏଭଳି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଅନେକ ସୁଯୋଗ ରହିଛି । ଯେଉଁ ନୂଆ ସ୍ଥାନକୁ ଇକୋ-ଟୁରିଜିମ୍ ହବ୍ ଭାବେ ବିକଶିତ କରାଯିବ ତାହା ହେଉଛି ମୟୁରଭଂଜ ଜିଲ୍ଲାରେ ଥିବା ମାଛବନ୍ଧ । ପ୍ରକୃତିର ଅପରୂପ ଶୋଭାକୁ ଉପଭୋଗ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଏହି ନୂଆ ପର୍ଯ୍ୟଟନ ସ୍ଥଳକୁ ଆସିଲେ ବିମୋହିତ ହୋଇପଡ଼ିବେ ।

image


ମାଛବନ୍ଧକୁ ଇକୋ-ଟୁରିଜମ୍ ହବ୍ ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।

ମୟୁରଭଂଜ ଜିଲ୍ଲାର ବାରିପଦା ସହରଠାରୁ ମାତ୍ର ଚାରି କିଲୋମିଟର ଦୂରରେ ରହିଛି ମାଛବନ୍ଧ ଜଙ୍ଗଲ । ଏହା ଶାଳ ଗଛକୁ ନେଇ ସୃଷ୍ଟି ହୋଇଥିବା ଏକ ଘଂଚ ଜଙ୍ଗଲ । ୧୧୦ ହେକ୍ଟର ଜମିରେ ବ୍ୟାପିଛି ଏହି ଜଙ୍ଗଲ । ପ୍ରତି ମାସରେ ପାଖାପାଖି ୨ ହଜାର ପର୍ଯ୍ୟଟକ ଏଠାକୁ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସୁଛନ୍ତି । ମାଛବନ୍ଧର ସବୁଠୁ ବଡ ଆକର୍ଷଣ ହେଉଛି ଏଠାରେ ପ୍ରକୃତିର ସୌନ୍ଦର୍ଯ୍ୟ ଅକ୍ଷତ ଥିବା ଭଳି ମନେ ହୁଏ । ଯେଭଳି ଭଗବାନ ନିଜ ରଙ୍ଗ ତୁଳୀ ଧରି ଏହି ଅପୂର୍ବ ଶୋଭାକୁ ଆଙ୍କିଛନ୍ତି । କେହି ସେହି ସୌନ୍ଦର୍ଯ୍ୟକୁ ବିଗାଡ଼ିବା ପାଇଁ ହାତ ମାରିବାକୁ ସାହସ କରିନାହାନ୍ତି।

ମାଛବନ୍ଧର ଜଙ୍ଗଲ ଅଧିକାରୀମାନେ ଏବେ ଏହି ଅଂଚଳକୁ ଏକ ଇକୋ ଟୁରିଜିମ୍ ହବ୍ ଭାବେ ବିକଶିତ କରିବାକୁ ଦାବି କରୁଛନ୍ତି । ଏହା ହେଲେ ମାସିକ ପର୍ଯ୍ୟଟକ ସଂଖ୍ୟା ୫ ହଜାରକୁ ବୃଦ୍ଧି ପାଇବ । ପର୍ଯ୍ୟଟକଙ୍କ ରହଣୀ ପାଇଁ ବ୍ୟବସ୍ଥା କରିବାକୁ ଦାବି ହେଉଛି ।

ନିକଟରେ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ ଓଡ଼ିଶାରେ ୪୦ଟି ଇକୋ ଟୁରିଜିମ୍ ହବ୍ ବିକଶିତ କରାଯିବ । ଏହାର କିଛି ଦିନ ପରେ ମାଛବନ୍ଧକୁ ବିକଶିତ କରାଯିବ ବୋଲି ଘୋଷଣା କରାଯାଇଥିବାରୁ ରାଜ୍ୟବାସୀମାନେ ଆନନ୍ଦିତ ହୋଇଛନ୍ତି । ଆଗାମୀ ଦିନରେ ଦେଶ ତଥା ବିଦେଶର ପର୍ଯ୍ୟଟକମାନେ ମାଛବନ୍ଧର ଶୋଭାକୁ ଉପଭୋଗ କରୁଥିବା ଦେଖିବାକୁ ମିଳିବ । ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ମଧ୍ୟ ଏହି ପ୍ରକଳ୍ପ ବହୁ ଆଗକୁ ବଢ଼ାଇ ନେବ ବୋଲି ଆଶା କରାଯାଉଛି । ମୟୁରଭଂଜ ଅର୍ଥନୀତିରେ ଏହାର ବୃହତ ଯୋଗଦାନ ହୋଇପାରିବ ।

ମାଛବନ୍ଧକୁ ଇକୋ ଟୁରିଜିମ୍ ହବ୍ ରେ ପରିଣତ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ, ଜଙ୍ଗଲର ଏକ ନିର୍ଦ୍ଧିଷ୍ଟ ଅଂଶକୁ ପର୍ଯ୍ୟଟନ ପାଇଁ ବ୍ୟବହାର କରାଯିବ । କୌଣସି ପରିସ୍ଥିତିରେ ମାଛବନ୍ଧ ଜଙ୍ଗଲର ପ୍ରାକୃତିକ ଶୋଭାକୁ ନଷ୍ଟ ହେବାକୁ ଦିଆଯିବ ନାହିଁ । ପର୍ଯ୍ୟଟକମାନଙ୍କ ବୁଲିବା ପାଇଁ ଜଙ୍ଗଲ ମଧ୍ୟରେ ସ୍ୱତନ୍ତ୍ର ରାସ୍ତା ବିକଶିତ କରାଯିବ । ସେମାନଙ୍କ ରହଣୀ ଓ ନିରାପତ୍ତା ପାଇଁ ବ୍ୟବସ୍ଥା ହେବ । ପଶୁ ଓ ପକ୍ଷୀ ପ୍ରେମୀଙ୍କ ପାଇଁ ଏହା ନିଶ୍ଚିତ ପକ୍ଷେ ଶୁଭ ଖବର । ସେମାନେ ବିଭିନ୍ନ ପ୍ରକାର ଅଜଣା ପଶୁ ପକ୍ଷୀଙ୍କୁ ନିଜ ଆଖିରେ ଦେଖିବାର ସୁଯୋଗ ହାସଲ କରିପାରିବେ । ଜଙ୍ଗଲରେ ଥିବା ଏକ ପ୍ରାକୃତିକ ଜଳାଶୟକୁ ବୋଟିଂ ପାଇଁ ପ୍ରସ୍ତୁତ କରାଯିବ । ଏହି ଜଳାଶୟରେ ପର୍ଯ୍ୟଟକମାନେ ନିଜ ପ୍ରିୟଜନଙ୍କ ସହ ବୋଟ୍ ଚଳାଇବାର ମଜା ନେଇପାରିବେ ।

ମାଛବନ୍ଧ ଇକୋ ଟୁରିଜିମ୍ ହବ୍ ବିକଶିତ ହୋଇଯିବା ପରେ ଏହା ନିକଟରେ ଥିବା ଶିମିଳିପାଳ ବାଘ ଅଭୟାରଣ୍ୟ ଉପରେ ରହୁଥିବା ଚାପ ସାମାନ୍ୟ ଦୂର ହୋଇପାରିବ ବୋଲି ଆଶା କରାଯାଉଛି ।