ଓଡିଆ କଳାକୁ ବିଶ୍ଵ ଦରବାରରେ ପହଞ୍ଚାଇବାର ପ୍ରୟାସ- ରାକେଶଙ୍କର Thoomri.com

ଓଡିଆ କଳାକୁ ବିଶ୍ଵ ଦରବାରରେ ପହଞ୍ଚାଇବାର ପ୍ରୟାସ- ରାକେଶଙ୍କର Thoomri.com

Tuesday April 19, 2016,

3 min Read

ଗୋଟିଏ ପ୍ରତିଷ୍ଠିତ ବୈଷୟିକ ମହାବିଦ୍ୟାଳୟରୁ ସେ ସଫଳତାର ସହ ସମ୍ପୂର୍ଣ୍ଣ କରିଥିଲେ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ। ଏହାପରେ ଏମବିଏ ଓ ଅନ୍ୟମାନଙ୍କ ଭଳି ସେ ମଧ୍ୟ ଆକର୍ଷଣୀୟ ଦରମାରେ କର୍ପୋରେଟ କ୍ଷେତ୍ରରେ ଆରମ୍ଭ କରିଥିଲେ ନିଜ କ୍ୟାରିଅର। ପ୍ରଥମ କିଛି ଦିନ ସବୁ କିଛି ଠିକ ଚାଲିଥିଲା। ନିଜ ପିଢୀର ଅନ୍ୟାନ୍ୟ ସଫଳ ପ୍ରଫେସନାଲଙ୍କ ଭଳି ତାଙ୍କ ପାଖରେ ବି ଥିଲା ସୌଖୀନ ଗାଡି, ଅତ୍ୟାଧୁନିକ ଫୋନ ଓ ବିଳାସ ସାମଗ୍ରୀ। ହେଲେ ମନ ତାଙ୍କର ମାନୁ ନଥିଲା। ସେ ସବୁ ବେଳେ ଚାହୁଁଥିଲେ ଭିନ୍ନ କିଛି କରିବାକୁ ଆଉ ନିଜର ନିଆରା ଛାପ ଛାଡିଯିବାକୁ। ଛୋଟ ବେଳୁ ତାଙ୍କର କଳା, କଳାକାର ଓ କଳାତ୍ମକ ଜିନିଷ ପ୍ରତି ଥିଲା ଗଭୀର ଅନୁରକ୍ତି। ଆଉ ଭିନ୍ନ କିଛି କରିବାର ନିଶା ତାଙ୍କୁ ଏହି ଅନୁରକ୍ତିକୁ ଉଦ୍ୟୋଗରେ ରୂପାନ୍ତରିତ କରିବାର ପ୍ରେରଣା ଦେଲା। ଏ ହେଉଛି Thoomri.comର ପ୍ରତିଷ୍ଠାତା ଯୁବ ଉଦ୍ୟୋଗୀ ରାକେଶ ପରିଡାଙ୍କ କାହାଣୀ। ହାତ ତିଆରି ଶାଢୀ ଠାରୁ ଆରମ୍ଭ କରି ବିଶ୍ଵ ପ୍ରସିଦ୍ଧ ଧୋକ୍ରା କାରିଗରୀ- ଓଡିଶାର ଏ ସମସ୍ତ କଳାତ୍ମକ ଦ୍ରବ୍ୟକୁ ଗ୍ରାହକ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସେ ଆରମ୍ଭ କରିଛନ୍ତି Thoomri.com

image


ନିଜ ନିଆରା ପ୍ରୟାସ ଉପରେ ମତ ରଖି ରାକେଶ କୁହନ୍ତି ଯେ,

ଓଡିଶା ହେଉଛି କଳାର ରାଜ୍ୟ। ଶାଢୀ ଠାରୁ ଆରମ୍ଭ କରି ପଟ୍ଟଚିତ୍ର ଓ ଢୋକ୍ରା ଯାଏ, ସବୁଥିରେ ଓଡିଆ କରିଗରୀର ସ୍ଵତନ୍ତ୍ର୍ୟ ଓ ଉତ୍କର୍ଷତା ରହିଛି। ଏହି ସବୁ ଜିନିଷର ଓଡିଶା ବାହାରେ ବ୍ୟାପକ ଚାହିଦା ମଧ୍ୟ ରହିଛି। ମାତ୍ର ଏହି ସବୁ କଳାର କଳାକାର ଓ ଶିଳ୍ପୀ ମାନେ ଅବହେଳିତ। ଏହି କଳାକାର ମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ହିଁ Thoomri.comର ପରିକଳ୍ପନା। 
image


କଟକର ତାରକସି ହେଉ କି ରଘୁରାଜପୁରର ପଟ୍ଟଚିତ୍ର ସୋନପୁର ଓ ସମ୍ବଲପୁରର ଶାଢୀ ହେଉକି ଢେଙ୍କାନାଲର ଢୋକ୍ରା କଳା, ଏ ସମସ୍ତ ଜିନିଷ Thoomri.comରେ ଉପଲବ୍ଧ। Thoomri.com ଭଳି ଏକ ଅଭିନବ ପ୍ରୟାସ କାହିଁକି ଆରମ୍ଭ କଲେ ପ୍ରଶ୍ନର ଉତ୍ତର ଦେଇ ରାକେଶ କୁହନ୍ତି,

ଏହି ସବୁ ଜିନିଷ ପ୍ରତି ଗ୍ରାହକମାନଙ୍କର ଏକ ସ୍ଵତନ୍ତ୍ର ଆକର୍ଷଣ ରହିଛି। ଅନେକ ଓଡିଆ ଲୋକଙ୍କୁ ମୁଁ ବିଭିନ୍ନ ଅନ୍ତରାଷ୍ଟ୍ରୀୟ ୱେବସାଇଟରୁ ଏହି ସବୁ ଜିନିଷ ଅଧିକ ଟଙ୍କାରେ କିଣିବାର ଦେଖିଛି। ଗୁଣାତ୍ମକ କଳାକୃତିକୁ ଲୋକଙ୍କ ପାଖରେ ସଠିକ ଦାମରେ ପହଞ୍ଚାଇବା ପାଇଁ ହିଁ ଏହି ଉଦ୍ୟମ ଆରମ୍ଭ କରଯାଇଥିଲା।
image


୨୦୧୧ ମସିହାରେ ଚାକିରି ଛାଡିବା ପରେ ରାକେଶ ପ୍ରାୟ ଦେଢ ବର୍ଷ ଏହା ଉପରେ ପ୍ରାରମ୍ଭିକ କାମ କରିଥିଲେ। ଏଇ ସବୁ କଳାକୃତି ତିଆରି ହେଉଥିବା ସ୍ଥାନ ମାନଙ୍କୁ ସେ ନିଜେ ଯାଇଥିଲେ ଓ କଳାକାରମାନଙ୍କ ସହ ସିଧାସଳଖ କଥା ହେଇଥିଲେ। ତାଙ୍କର ଏହି ପ୍ରୟାସରେ ତାଙ୍କର ଦୁଇ ଭଉଣୀ ଶିଳ୍ପା ଓ ରିଚା ମଧ୍ୟ ବହୁତ ସାହାଯ୍ୟ କରିଥିଲେ ବୋଲି ରାକେଶ କୁହନ୍ତି। କଳାକାରମାନଙ୍କ ସହ କଥା ହେଲା ବେଳେ ରାକେଶ ବୁଝି ପାରିଥିଲେ ଯେ ଓଡିଶାରେ ଏମିତି ଅନେକ କଳାକୃତି ଅଛି ଯାହାର ସଠିକ ପ୍ରଚାର ପ୍ରସାର ଏଯାବତ ହୋଇପାରି ନାହିଁ। ଏହି କଳାକୃତି ଗୁଡିକୁ ନିଜ ୱେବସାଇଟ ମାଧ୍ୟମରେ ଲୋକଲୋଚନକୁ ଆଣିବା ପାଇଁ ମଧ୍ୟ ସେ ପ୍ରୟାସ କରୁଛନ୍ତି। ଏହାଛଡା କଳାକାର ମାନଙ୍କର ଜୀବନଶୈଳୀରେ ସୁଧାର ଆଣିବା ମଧ୍ୟ ତାଙ୍କର ଲକ୍ଷ୍ୟ ବୋଲି ରାକେଶ କୁହନ୍ତି।

ବର୍ତ୍ତମାନ, ଭାରତ ଭିତରେ ଯେକୌଣସି ସ୍ଥାନରେ ଗ୍ରାହକଙ୍କ ପାଖରେ ଏହି ଓଡିଆ କଳାକୃତିକୁ Thoomri.com ପହଞ୍ଚାଉଛି। ନିକଟ ଭବିଷ୍ୟତରେ ବିଦେଶକୁ ଏହି କଳାକୃତି ସବୁ ପଠାଇବାର ଯୋଜନା ରଖିଛନ୍ତି ବୋଲି ରାକେଶ ମତ ଦିଅନ୍ତି। ବର୍ତ୍ତମାନ Thoomri.com ଟିମରେ ୧୫ ଜଣ କାମ କରୁଛନ୍ତି। ବାଙ୍ଗାଲୋର, କୋଲକାତା ଓ ଅନ୍ୟାନ୍ୟ ଭାରତୀୟ ସହରରେ ଏହି ସବୁ କଳାକୃତିର ବହୁଳ ଚାହିଦା ଅଛି ବୋଲି ରାକେଶ କୁହନ୍ତି। Thoomri.com ତାଙ୍କ ପାଇଁ ଏକ ନିଆରା ପରିଚୟ ସୃଷ୍ଟି କରିବା ସହ ତାଙ୍କୁ ଜଣେ ଗର୍ବିତ ଓଡିଆ ଭାବେ ପ୍ରତିପାଦିତ କରିପାରିଛି ବୋଲି ରାକେଶ ମତ ଦିଅନ୍ତି।