ପାଇ ନ ଥିଲି ବୋଲି କ୍ଷୋଭ ନଥିଲା , ପାଇବି ବୋଲି ଅହଂକାର ନାହିଁ : ବିଭୂତି ପଟ୍ଟନାୟକ

ଓଡିଆ ସାହିତ୍ୟରେ ଯେଉଁ କେତେ ଜଣଙ୍କ ରଚନା ନୂତନ ପାଠକ ସୃଷ୍ଟି କରିଛନ୍ତି ସେମାନଙ୍କ ମଧ୍ୟରେ ବିଭୂତି ପଟ୍ଟନାୟକ ଅନ୍ୟତମ । ପୁରସ୍କାର ପାଇବା ଆଶାରେ ରଚନା ନ କରି ନିଜ ଲେଖା ପାଇଁ ସେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ନାଟକକୁ ବାଦ୍ ଦେଇ ପ୍ରାୟ ସବୁଥିରେ ସେ ସୃଷ୍ଟି କରିଛନ୍ତି ଅନେକ ସୃଜନ । ନିଜର ଗଳ୍ପ ସଂକଳନ ମହିଷାସୁର ର ମୁହଁ ପାଇଁ ସେ ମନୋନୀତ ହୋଇଛନ୍ତି ଚଳିତ ବର୍ଷର ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ।

ପାଇ ନ ଥିଲି ବୋଲି କ୍ଷୋଭ ନଥିଲା , ପାଇବି ବୋଲି ଅହଂକାର ନାହିଁ : ବିଭୂତି ପଟ୍ଟନାୟକ

Friday January 08, 2016,

4 min Read

ଓଡିଆ ସାହିତ୍ୟରେ ଯେଉଁ କେତେ ଜଣଙ୍କ ରଚନା ନୂତନ ପାଠକ ସୃଷ୍ଟି କରିଛନ୍ତି ସେମାନଙ୍କ ମଧ୍ୟରେ ବିଭୂତି ପଟ୍ଟନାୟକ ଅନ୍ୟତମ । ପୁରସ୍କାର ପାଇବା ଆଶାରେ ରଚନା ନ କରି ନିଜ ଲେଖା ପାଇଁ ସେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ନାଟକକୁ ବାଦ୍ ଦେଇ ପ୍ରାୟ ସବୁଥିରେ ସେ ସୃଷ୍ଟି କରିଛନ୍ତି ଅନେକ ସୃଜନ । ନିଜର ଗଳ୍ପ ସଂକଳନ ମହିଷାସୁର ର ମୁହଁ ପାଇଁ ସେ ମନୋନୀତ ହୋଇଛନ୍ତି ଚଳିତ ବର୍ଷର ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ । ତାଙ୍କ ସହ ହୋଇଥିବା ଆଳାପର କିଛି ଅଂଶ ...

image


ପୁସ୍ତକ ମହିଷାସୁରର ମୁହଁ ସଂପର୍କରେ କଣ କହିବେ ?

ମହିଷାସୁରର ମୁହଁରେ ସମାଜର ବ୍ୟବସ୍ଥା ବିରୁଦ୍ଧରେ ସାଧାରଣ ନାଗରିକର ପ୍ରତିବାଦ ଦେଖାଯାଇଛି । ରାଜନୈତିକ ବ୍ୟକ୍ତିଙ୍କ ଅନୁଗତ ଦ୍ୱାରା ବାରମ୍ବାର ପ୍ରତାରିତ ହେବା ପରେ ସବୁ ବାଧାବିଘ୍ନ ଅତିକ୍ରମ କରି ସେ ଶେଷରେ ପହଂଚିଛି ମନ୍ତ୍ରୀ ପାଖରେ , ସେଠି ବି ସେ ନ୍ୟାୟ ପାଇ ନାହିଁ । ତା ପରେ ସେ ପ୍ରତିଶୋଧ ନେବା ପାଇଁ ଯାହା ସବୁ କରିଛି ତାହା ପୁସ୍ତକରେ ରହିଛି ।

ଲୋକପ୍ରିୟତାର ଶୀର୍ଷରେ ପହଂଚି ସାରିଥିଲେ ବି ବହୁତ ବିଳମ୍ବରେ ଏ ସମ୍ମାନ ପାଇଲେ , ଏ ନେଇ କିଛି କ୍ଷୋଭ ରହିଛି କି ?

ପୁରସ୍କାର ଚୟନ ପ୍ରକ୍ରିୟା ସହ ମୁଁ ଅତୀତରେ ପ୍ରତ୍ୟକ୍ଷ ଭାବରେ ଜଡିତ ଥିଲି । ମୋ ଲେଖା ସମାଜର ବିଭିନ୍ନ ଘଟଣା ସହ ରାଜନୈତିକ ପୃଷ୍ଠଭୂମି ଉପରେ ପର୍ଯ୍ୟବେସିତ ଥିବାରୁ ୧୯୬୫ରେ ଗଡଜାତ ଆନ୍ଦୋଳନ ଉପରେ ରଚିତ ଚପଳଛନ୍ଦା , ୨୦୦୮ ନକ୍ସଲ ଝିଅ ଉପରେ ରଚିତ ‘ଦିନକାଳ’କୁ ବି ଅଣ ଦେଖା କରାଯାଇଥିଲା । ଜୁରୀ କମିଟିର କେତେଜଣ ହାତଗଣତି ସଦସ୍ୟ ଉପରେ ଏହା ର୍ନିଭର କରିଥାଏ ତେଣୁ ପୁରସ୍କାର ପାଇଥିବାରୁ ଅହଂକାର ନାହିଁ । ଏତେ ଦିନ ହେଲା ପାଇ ନଥିଲି , ସେଥିପାଇଁ କ୍ଷୋଭ ବି ନାହିଁ ।

ଅସହିଷ୍ଣୁତାକୁ ନେଇ ପୁରସ୍କାର ଫେରା ପର୍ବ ଚାଲିଥିବା ସମୟରେ ଆପଣଙ୍କୁ ଏ ସମ୍ମାନ ମିଳିଛି , ସେ ନେଇ କଣ ମତ ରଖିବେ ?

ଅସହିଷ୍ଣୁତାକୁ ନେଇ ପୁରସ୍କାର ଫେରାଇବା ଅନେକ ଲେଖକଙ୍କ ବ୍ୟକ୍ତିଗତ ନିଷ୍ପତି । ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତ୍ୟେକଙ୍କ ଭାବାବେଗକୁ ସମ୍ମାନ ଦେବା ଆମର କର୍ତବ୍ୟ । ମୁଁ ପୁରସ୍କାର ଫେରାଇବି ନାହିଁ , ଗ୍ରହଣ କରିବି ବୋଲି ନିଷ୍ପତି ନେଇଛି ।

ଆପଣଙ୍କ ଠାରୁ କନିଷ୍ଠ ଲେଖକ ମାନେ ଏହି ସମ୍ମାନ ପାଇ ସାରିଛନ୍ତି , ଆପଣ ବହୁତ ପରେ ପାଇଲେ ?

ନାଁ ସେମିତି କିଛି ନୁହେଁ । କେନ୍ଦ୍ର ସାହିତ୍ୟ ଏକାଡେମୀର ସଦସ୍ୟ ହୋଇ ସାରିବା ପରେ ଏହାର ପାଂଚ ବର୍ଷ ପର୍ଯ୍ୟନ୍ତ ସେହି ଲେଖକଙ୍କ ପୁସ୍ତକକୁ ପୁରସ୍କାର ପାଇଁ ବିଚାରକୁ ନିଆ ଯାଏ ନାହିଁ । ତେଣୁ ସେ ସମୟରେ ମିଳି ନଥିଲା । ହଁ, ଅନେକ ସମୟରେ ବିଚାରକଙ୍କ ଦ୍ୱାରା ଯୋଗ୍ୟ ବିବେଚିତ ହୋଇଥିବା ପୁସ୍ତକକୁ କ୍ଷମତାସୀନ ରାଜନୈତିକ ବ୍ୟକ୍ତି ପୁରସ୍କାରରୁ ବାଦ୍ ଦେଉଥିଲେ । ଯେଉଁଥିପାଇଁ ରାଜ୍ୟରେ ଏକାଡେମୀ ପୁରସ୍କାର ପାଇଁ ଆଗ୍ରହ ପ୍ରକାଶ କରେ ନାହିଁ ।

ଅନ୍ୟ କୌଣସି ପୁସ୍ତକକୁ ପୁରସ୍କାର ନ ମିଳିବା ଆପଣଙ୍କୁ ବ୍ୟଥିତ କରିଛି କି ?

ବସନ୍ତ କୁମାରୀ ପଟ୍ଟନାୟକଙ୍କ ଅମଡା ବାଟ ଏକ ବହୁ ଚର୍ଚ୍ଚିତ ଉପନ୍ୟାସ । ପୁରସ୍କାର ପାଇଁ ହକଦାର, କିନ୍ତୁ ମିଳି ପାରିଲା ନାହିଁ । ଏଥି ପାଇଁ କାହାକୁ ବା ଦୋଷ ଦେବା ? ତେଣୁ ଏ ବିଷୟରେ ଆଲୋଚନା ନ କରିବା ଭଲ ।

ଓଡିଆ ସାହିତ୍ୟ ଜଗତରେ ଅନ୍ୟ କାହା ଲେଖା ପଢ଼ିବାକୁ ଭଲ ଲାଗିଥାଏ ?

ମନୋଜ ଦାସଙ୍କର ମୁଁ ଜଣେ ବିଦଗ୍ଧ ପାଠକ । ତାଙ୍କର ସବୁ ଗପ ପଢ଼ିଛି । ସୁରେନ୍ଦ୍ର ମହାନ୍ତି , ରବି ପଟ୍ଟନାୟକଙ୍କୁ ପଢ଼ିବାକୁ ଭଲ ଲାଗେ ।

ଓଡିଆ ପାଠକ ବେଶୀ ପରିମାଣରେ ସୃଷ୍ଟି ହେଉନାହାନ୍ତି , ଏ ସଂପର୍କରେ କଣ କହିବେ ?

କଣ ବା କହିବି ମୋଟ ଉପରେ କହିବାକୁ ଗଲେ ରାଜ୍ୟ ସରକାରଙ୍କ ପୁସ୍ତକ ବିରେଧୀ ମନେଭାବ ପୋଷଣ କରୁଛନ୍ତି । ବହି ଛପାଇବା ଠାରୁ ଆରମ୍ଭ କରି ବିଭିନ୍ନ ପାଠାଗାରକୁ ବହି ଦେବା ନିୟମ ତ୍ରୁଟିପୂର୍ଣ୍ଣ ତେଣୁ ଅଧିକ ଆଶା କରିବା ବୃଥା ।

ଅସହିଷ୍ଣୁତା ବିବାଦ ହେଉ ଅଥବା କଲେଜିୟମ୍ ବ୍ୟବସ୍ଥା, FTIIରେ ନିର୍ଦ୍ଧେଶକ ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ବିବାଦୀୟ । ସାହିତ୍ୟ ଏକାଡେମୀରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି କି?

ଆଜିକାଲି ସବୁଠାରେ ରାଜନୈତିକ ହସ୍ତକ୍ଷେପ ଦେଖିବାକୁ ମିଳୁଛି । କେନ୍ଦ୍ର ସାହିତ୍ୟ ଏକାଡେମୀ ଯେ, ଏଥିରୁ ମୁକ୍ତ ଏକଥା ମୁଁ ଜୋର ଦେଇ କହିପାରିବି ନାହିଁ । ମାତ୍ର ଅତୀତରେ ଜବାହାରଲାଲ ନେହେରୁ , ମୌଲାନା ଆଜାଦ୍, ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ପ୍ରମୁଖ ବ୍ୟକ୍ତି ରାଜନୀତିଠାରୁ ଏକାଡେମୀକୁ ଅଲଗା ରଖିବା ପାଇଁ ଚେଷ୍ଟା କରିଛନ୍ତି । ସେମାନଙ୍କ ମତରେ ସୃଜନ ରାଜନୀତିଠାରୁ ବହୁ ଉଦ୍ଧ୍ୱର୍ରେ ।

ଓଡିଆ ଚଳଚ୍ଚିତ୍ର ଅନ୍ୟାନ୍ୟ ଭାଷାରୁ ନକଲ ଚାଲିଛି, ଆପଣଙ୍କୁ ଲାଗୁନାହିଁ କି ଏ ସମୟରେ ଓଡିଆ ଉପନ୍ୟାସ , ଗଳ୍ପ ଉପରେ ସିନେମା ନିର୍ମାଣ ହେଉ ବୋଲି?

ଉପନ୍ୟାସ କି କାହାଣୀ ଉପରେ ଚଳଚ୍ଚିତ୍ର ନିର୍ମାଣ ହେବା ଭଲ କିନ୍ତୁ ବର୍ତ୍ତମାନ ସେ ସମୟ ନୁହେଁ । ଏବେ ଦର୍ଶକ ମନୋରଂଜନଧର୍ମୀ ସିନେମା ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି । ଏସବୁକୁ ବାଦ୍ ଦେଇ ବି କ୍ରାନ୍ତିଧାରା, ଶଲାବୁଢ଼ା, ଆଦିମ ବିଚାର ସିନେମାର ବି ଯଥେଷ୍ଟ ଗୁରୁତ୍ୱ ରହିଛି ।

କିଛି ଅବଶୋଷ ରହିଯାଇଛି କି?

ନାଁ ଅବଶୋଷ ନାହିଁ । ଅନ୍ୟମାନଙ୍କଠାରୁ ଅଲଗା ଲେଖିବାକୁ ଚେଷ୍ଟା କରିଛି । କରୁଥିବି ମଧ୍ୟ ।

ସଂକ୍ଷେପରେ ବିଭୂତି

୧୯୩୭ ଅକ୍ଟୋବର ମାସ ୨୫ତାରଖରେ ଜଗତ୍ସିଂହପୁରର ଡିଙ୍ଗେଶ୍ୱରରେ ବିଭୂତି ପଟ୍ଟନାୟକଙ୍କ ଜନ୍ମ । ପ୍ରଜାତନ୍ତ୍ରର ମୀନା ବଜାରରେ ତାଙ୍କର ପ୍ରଥମ କବିତା ପ୍ରକାଶିତ ହୁଏ । ପ୍ରଥମ ଗପ ‘ନାରୀ ଓ ପୁରୁଷ’ ୧୯୫୪ ଝଙ୍କାରରେ । ତାଙ୍କ ରଚିତ ପ୍ରଥମ ଉପନ୍ୟାସ “ଶେଷ ବସନ୍ତ’ ଯାହା ୧୯୫୬ରେ ପ୍ରକାଶିତ ହୋଇଥିଲା । ତାଙ୍କ କାହାଣୀ ଉପରେ ଆଧାରିତ ଚର୍ଚ୍ଚିତ ସିନେମା “ମାୟାମିରିଗ’ ଜାତୀୟ ସ୍ତରରେ ରଜତ କମଳ ପୁରସ୍କାର ପାଇଥିଲା। ରାଜ୍ୟ ସ୍ତରରେ “ହାକିମ୍ ବାବୁ’ ଓ “ଶୀତ ରାତି’ ମଧ୍ୟ ପୁରସ୍କୃତ । ସୀମା ଆନ୍ଦୋଳନରେ ତାଙ୍କ ଭୂମିକାକୁ ବାଦ୍ ଦିଆଯାଇ ନପାରେ । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ପୂର୍ବରୁ ସେ ଓଡିଶା ସାହିତ୍ୟ ଏକାଡେମୀ ସମ୍ମାନ, ପ୍ରାଚୀନ କଳାପରିଷଦ ସାହିତ୍ୟ ସମ୍ମାନ(କୋଲକାତା), ବିଷୁବ ପୁରସ୍କାର, ସାରଳା ପୁରସ୍କାର ସାହିତ୍ୟ ଭାରତୀ ପୁରସ୍କାର ପାଇସାରିଛନ୍ତି ।


Jyoti Prakash Mohapatra and Chidananda Jena