ନିଜେ ଏଚଆଇଭି ପୀଡିତ, କିନ୍ତୁ ଏଡସ୍ ରୋଗୀଙ୍କୁ ବଂଚିବାର କଳା ଶିଖାଉଛନ୍ତି ବର୍ଷା

ନିଜେ ଏଚଆଇଭି ପୀଡିତ, କିନ୍ତୁ ଏଡସ୍ ରୋଗୀଙ୍କୁ ବଂଚିବାର କଳା ଶିଖାଉଛନ୍ତି ବର୍ଷା

Wednesday December 30, 2015,

3 min Read

ଯେଉଁ ମହିଳା ନିଜେ ଏଚଆଇଭି ଯୋଗୁଁ ଅବସାଦଗ୍ରସ୍ତ ଥିଲେ, ବର୍ତ୍ତମାନ ସେ ଅନ୍ୟ ଏଚଆଇଭି ପୀଡିତ ମହିଳାଙ୍କୁ ସେହି ଆବସାଦରୁ ମୁକ୍ତି ଦେବାକୁ ପ୍ରୟାସ କରୁଛନ୍ତି | ଯେଉଁ ମହିଳା କେବେ ବଂଚିବାର ଆଶା ଛାଡିଦେଇଥିଲେ, ଆଜି ଅନ୍ୟ ମହିଳାଙ୍କୁ ଆତ୍ମନିର୍ଭର କରାଉଛନ୍ତି | ଅହମଦାବାଦରେ ରହୁଥିବା ବର୍ଷା ପ୍ରାୟ ୨୦ ବର୍ଷ ହେଲାଣି ଏଚଆଇଭି ଭଳି ଗମ୍ଭୀର ରୋଗରେ ପୀଡିତ | କିନ୍ତୁ ରୋଗ ଆଗରେ ନଇଁ ଯାଇନାହାନ୍ତି ସେ | ରୋଗକୁ ଖାତିର କରିନାହାନ୍ତି | ଏହି ରୋଗକୁ ନେଇ ଲୋକଙ୍କୁ ସଚେତନ କରାଇବାର କାମରେ ଲାଗିଛନ୍ତି ବର୍ଷା |

image


ବର୍ଷାଙ୍କୁ ଯେତେବେଳେ ଡାକ୍ତର କହିଲେ ଜୀବନ କେବଳ ୨-୩ ବର୍ଷ ବାକି ଅଛି | ତେଣୁ ଯେମିତି ଜୀବନ ବଂଚିବାକୁ ଚାହୁଁଛନ୍ତି, ସେଭଳି କଟାଅ | ଏହି କଥା ଶୁଣି ସେ ଡିପ୍ରେସନ୍ ବା ଅବସାଦଗ୍ରସ୍ତ ହୋଇପଡିଥିଲେ | କାରଣ ସେ ଜାଣି ନଥିଲେ ଯେ ଏଚଆଇଭି କିଭଳି ରୋଗ | ଏହି ରୋଗ କିପରି ବ୍ୟାପେ ? ଏହାର ଚିକିତ୍ସା କେଉଁଠାରେ ହୁଏ ? ସେତେବେଳେ ଏହି ରୋଗ ସମ୍ପର୍କରେ କହିବାକୁ ଅଧିକ ଡାକ୍ତର ମଧ୍ୟ ନଥିଲେ | ଆରମ୍ଭରୁ ପ୍ରାୟ ତିନି ବର୍ଷ ପର୍ଯ୍ୟନ୍ତ ସେ ପ୍ରତିଦିନ ଡରି ଡରି ମରୁଥିଲେ ଯେ କେବେ ତାଙ୍କ ମୃତ୍ୟୁ ହୋଇଯିବ | ଏମିତିରେ ସେ କେତେବେଳେ ଔଷଧ ଖାଉଥିଲେ ତ ଆଉ କେତେବେଳେ ଭୁଲି ଯାଉଥିଲେ | ତାଙ୍କ ଦେହ ଖରାପ ହେବାକୁ ଲାଗିଲା | ଚେକ୍ ଅପ୍ କଲେ | ଏବେ ଲାଗିଲା କିଛି ଠୋସ୍ କାମ କରିବାକୁ ପଡିବ | ସେ ଏହା ପରେ ସିଭିଲ୍ ହସ୍ପିଟାଲ୍ ଗଲେ | ସେଠାରେ ତାଙ୍କର କାଉନସେଲିଂ କରାଗଲା | ସେଠାରେ ସେ ଜାଣିଲେ ଏହି ରୋଗରେ ତାଙ୍କ ଭଳି ଅନେକ ରୋଗ ପୀଡିତ ଅଛନ୍ତି | କେବଳ ସେ ଏଚଆଇଭି ଗ୍ରସ୍ତ ନୁହନ୍ତି | ସମସ୍ତେ ଭଲ ଭାବରେ ବଂଚୁଛନ୍ତି | ବିନା ଚିନ୍ତାରେ ଜୀବନ କାଟୁଛନ୍ତି |

ଏହି ସମୟରେ ସେ ଅନ୍ୟ କିଛି ଏଚଆଇଭି ପୀଡିତ ବ୍ୟକ୍ତିଙ୍କୁ ମଧ୍ୟ ଭେଟିଲେ| ଯେଉଁମାନେ ଅନେକ ବର୍ଷ ହେଲାଣି ଏଚଆଇଭି ଗ୍ରସ୍ତ ଥିଲେ | ବର୍ଷାଙ୍କୁ କାଉନସେଲର ଭରସା ଦେଲେ ଯେ ଠିକ୍ ଭାବେ ଚିକିତ୍ସା କରାଗଲେ, ଆଉ କିଛି ବର୍ଷ ସେ ଠିକ୍‌ ରେ ରହିପାରିବେ | ବର୍ଷା ଜାଣିଲେ ଯେମିତି ବ୍ଲଡ ସୁଗାର ଓ ଡାଇବେଟିସ୍ ରୋଗ, ସେହି ଭଳି ଏଚଆଇଭି ମଧ୍ୟ ଏକ ପ୍ରକାର ଭାଇରସ୍ | ଯେଉଁଥି ପାଇଁ ଠିକ୍ ସମୟରେ ଔଷଧ ଖାଇବା ଜରୁରୀ ଓ ନିୟମିତ ଯାଂଚ୍ ଜରୁରୀ | ସେ ବୁଝି ପାରିଥିଲେ ଯେ ଅନ୍ୟମାନଙ୍କ ଭଳି ସେ ବି ଜୀବନ ବଂଚି ପାରିବେ ଓ ଏଥିପାଇଁ ପ୍ରୟାସ କରିବେ | ଏହା ପରେ ସେ ‘ଆଧାର ଚାରିଟେବଲ ଟ୍ରଷ୍ଟ’ ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ସହ ସାମିଲ ହେଲେ | ଏହି ସଂସ୍ଥା ଏଚଆଇଭି ପୀଡିତ ଲୋକଙ୍କୁ ସାହାଯ୍ୟ କରୁଥିଲା | ବର୍ତ୍ତମାନ ବର୍ଷା ଏହି ସଂସ୍ଥାର ଅଧ୍ୟକ୍ଷ ଅଛନ୍ତି |

ସଂସ୍ଥାରେ ସାମିଲ ହେବା ପରେ ଅନେକ ଏଚଆଇଭି ପୀଡିତ ମହିଳାଙ୍କ ସହ ଭେଟିବାକୁ ସୁଯୋଗ ମିଳିଲା | ଏହି ସଂସ୍ଥା ଏବେ ସୁଦ୍ଧା ସାଢେ ତିନି ହଜାର ବ୍ୟକ୍ତିଙ୍କୁ ନିଜ ସହ ଯୋଡିପାରିଛି | ସେମାନଙ୍କୁ ଏଚଆଇଭି ସମ୍ପର୍କିତ ସଚେତନତା କରିବା ସହ ଆର୍ଥିକ ସମସ୍ୟା ଦୂରେଇବା ପାଇଁ ଉପାୟ ମଧ୍ୟ ଆରମ୍ଭ କରିଛି | ଏହି କାମ କରିବା ଲାଗି ଗୁଜରାଟ ଏଡସ୍ ନିୟନ୍ତ୍ରଣ ସୋସାଇଟି ଓ ଅହମ୍ମଦାବାଦ ମ୍ୟୁନିସିପାଲିଟି ଏଡସ୍ ନିୟନ୍ତ୍ରଣ ସୋସାଇଟି ଠାରୁ ସହଯୋଗ ପାଉଛନ୍ତି |

ଏହା ବ୍ୟତୀତ ବର୍ଷା ଗୋଟିଏ ଡ୍ରପିଂ ସେଂଟର ଚଲାଉଛନ୍ତି | ଏହା ମାଧ୍ୟମରେ ଘର ଘର ବୁଲି ଏହି ରୋଗ ପ୍ରତି ସଚେତନତା କରାଉଛନ୍ତି | ଏହା ମଧ୍ୟରେ ମହିଳାମାନଙ୍କ ସହ ଏକ ବୈଠକ ବସି ସେ ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ ସମ୍ପର୍କରେ ସୂଚନା ଦେଇଥିଲେ |

ମହିଳାମାନଙ୍କୁ ସଶକ୍ତ କରିବା ଲାଗି ତାଙ୍କ ସଂସ୍ଥା ଖାଇବା ପିଇବା ଦ୍ରବ୍ୟ ପ୍ରସ୍ତୁତ କରୁଛି | ଯେମିତିକି ସେଣ୍ଡୱିଚ୍, କାକରା, ସିଙ୍ଗଡା, ଶର୍ବତ ଆଦି | ଯେଉଁଠାରେ ଉତ୍ସବ ହୁଏ, ସେଠାରେ ସେ ଷ୍ଟଲ ଲଗାନ୍ତି | ବାହାଘର ଓ ଅନ୍ୟାନ୍ୟ ଘରୋଇ ଉତ୍ସବରେ ମଧ୍ୟ ସେମାନେ ଅର୍ଡର ପାଆନ୍ତି |

ତେବେ ଆଧାର ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷ ବର୍ଷାଙ୍କର ଏହି ଉଦ୍ୟମ ପ୍ରଥମେ ଛୋଟ ଥିଲା | କିନ୍ତୁ ଅର୍ଡର ବଢିବା ଦେଖି ସେମାନେ ଅନ୍ୟ କିଛି ମହିଳାଙ୍କୁ ମଧ୍ୟ ଏହି କାମରେ ଲଗାଇଛନ୍ତି | ଏ କାମ ଏତେ ସହଜ ନଥିଲା | ଏଚଆଇଭି ପୀଡିତମାନେ ଏହି ଖାଦ୍ୟ ତିଆରି କରୁଛନ୍ତି ବୋଲି ଲୋକଙ୍କ ମନରେ ପ୍ରଥମେ ଘୃଣା ଭାବ ଆସିଥିଲା| କିନ୍ତୁ ଏଡସ୍ ରୋଗୀ ଦ୍ୱାରା ତିଆରି ହୋଇଥିବା ଖାଦ୍ୟ ଖାଇଲେ କିମ୍ବା ତାଙ୍କ ସାଙ୍ଗରେ ଏକାଠି ଖାଇଲେ, ଏଡସ୍ ବ୍ୟାପେ ନାହିଁ ବୋଲି ସେମାନେ ଧୀରେ ଧୀରେ ବୁଝିବାକୁ ଲାଗିଥିଲେ | ଏବେ ଲୋକଙ୍କ ମନୋଭାବ ବଦଳି ଯାଇଛି |

ଏହା ବ୍ୟତୀତ ସ୍କୁଲ, କଲେଜ ଓ ବିଭିନ୍ନ ଉଦ୍ୟୋଗିକ ସଂସ୍ଥାକୁ ବର୍ଷାଙ୍କ ଅନୁଷ୍ଠାନ ଲୋକଙ୍କୁ ଏଡସ୍ ସମ୍ପର୍କରେ ସଚେତନ କରାଉଛି | ଏଡସ୍ ପୀଡିତଙ୍କ ମାନଙ୍କର ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବାରେ ସାହାଯ୍ୟ କରାଯାଉଛି | ସେହିଭଳି ସେମାନଙ୍କ ଶିକ୍ଷା ଓ ଚିକିତ୍ସା ସମ୍ବନ୍ଧୀୟ ସେବା ମଧ୍ୟ ଯୋଗାଇ ଦିଆଯାଉଛି | ପ୍ରକୃତରେ ବର୍ଷା ଏବେ ଏଡସ୍ ଓ ଏଚଆଇଭି ଗ୍ରସ୍ତ ମହିଳାଙ୍କ ପାଇଁ ମୁକ୍ତିର ଅମୃତ ବର୍ଷା କରି ଚାଲିଛନ୍ତି |

ମୂଳ ଲେଖା - ହରିଶ ବିଷ୍ଟ

ଭାଷାନ୍ତର - ଅଖଣ୍ଡ