ପ୍ରଶଂସନୀୟ ଉଦ୍ୟମ : ଶୁକ୍ରବାର ଝିଅ ଜନ୍ମ ହେଲେ ଡାକ୍ତରଖାନା ଖର୍ଚ୍ଚ ମାଗଣା

ପ୍ରଶଂସନୀୟ ଉଦ୍ୟମ : ଶୁକ୍ରବାର ଝିଅ ଜନ୍ମ ହେଲେ ଡାକ୍ତରଖାନା ଖର୍ଚ୍ଚ ମାଗଣା

Saturday January 23, 2016,

2 min Read

ଉତ୍ତର ପ୍ରଦେଶର ମିରଟ୍ ସହରରେ ଥିବା ଦୟାବତୀ ହସ୍ପିଟାଲର ଏକ ସ୍ୱତନ୍ତ୍ର ଏବଂ ପ୍ରଶଂସନୀୟ ପ୍ରଥା ରହିଛି । ପ୍ରତ୍ୟେକ ସପ୍ତାହର ଶୁକ୍ରବାରରେ ଏହି ଡାକ୍ତରଖାନାରେ ଜନ୍ମ ନେଉଥିବା ଶିଶୁ କନ୍ୟାମାନଙ୍କର ମାତାପିତାଙ୍କୁ ପ୍ରସବ ଖର୍ଚ୍ଚ ବାବଦକୁ ଡାକ୍ତରଖାନାକୁ କୌଣସି ଅର୍ଥ ଦେବାକୁ ପଡି ନଥାଏ । ଏହି ଦିନ ମାଗଣାରେ ଶିଶୁ କନ୍ୟାମାନଙ୍କର ଜନ୍ମ କରାଯାଏ । ଏପର୍ଯ୍ୟନ୍ତ ଏଭଳି ୧୨ ଜଣ ଶିଶୁ କନ୍ୟାଙ୍କୁ ଡାକ୍ତରଖାନା ପକ୍ଷରୁ ମାଗଣାରେ ଜନ୍ମ ଦିଆଯାଇ ସାରିଲାଣି ।

ସମସ୍ତଙ୍କ ସୂଚନା ପାଇଁ ଡାକ୍ତରଖାନାର କାନ୍ଥରେ ବ୍ୟାନର ମାଧ୍ୟମରେ ଏହାର ସୂଚନା ଦିଆଯାଇଛି । ସେଥିରେ ଲେଖାଯାଇଛି, “ଶୁକ୍ରବାର ଦୟାବତୀ ହସ୍ପିଟାଲରେ ଜନ୍ମ ନେଉଥିବା ଶିଶୁ କନ୍ୟାମାନଙ୍କର ପିତାମାତାଙ୍କୁ ଔଷଧ ଛଡା ଡାକ୍ତରଖାନାକୁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ । ” ଅନ୍ୟ ଦିନମାନଙ୍କରେ ଯେତେବେଳେ ଏକ ସାଧାରଣ ପ୍ରସବର ଖର୍ଚ୍ଚ ୫୦୦୦ ଓ ସିଜରିଆନର ଖର୍ଚ୍ଚ ୮୦୦୦ ରହିଥାଏ, ସେତେବେଳେ ଶୁକ୍ରବାର କନ୍ୟା ଶିଶୁଙ୍କ ଜନ୍ମ ସମ୍ପୂର୍ଣ୍ଣ ମାଗଣାରେ କରାଯାଇଥାଏ । ୪୫ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲର ନିର୍ଦ୍ଦେଶକ ପ୍ରମୋଦ ବଳିୟାନଙ୍କ ମତରେ “ପ୍ରଥମରେ ଯେତେବେଳେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ନିଷ୍ପତ୍ତି ନିଆଗଲା, ସେତେବେଳେ ଡାକ୍ତରମାନେ ଭୟଭୀତ ହୋଇଯାଇଥିଲେ । ସେମାନେ ଭାବିଥିଲେ ଏହି ଖର୍ଚ୍ଚ ସେମାନଙ୍କ ଦରମା ରାଶିକୁ କମ୍ କରାଯାଇ ଅସୁଲ୍ କରାଯିବ । କିନ୍ତୁ ଆମର ଯୋଜନା ସେଭଳି କିଛି ନଥିଲା । ହସ୍ପିଟାଲ୍ ବୋର୍ଡ ଏହି ପ୍ରସବଗୁଡିକର ଖର୍ଚ୍ଚ ନିଜେ ବହନ କରିଥାଏ । ଡାକ୍ତରଖାନା ବିଲରୁ ଡାକ୍ତରଙ୍କ ଫି, ନର୍ସିଂହୋମ୍ ଫି ଆଦି କାଟି ଦିଆଯାଇଥାଏ ।”

image


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ବେଟି ବଚାଓ ବେଟି ପଢ଼ାଓ’ ଅଭିଯାନରୁ ପ୍ରେରଣା ପାଇ ସେ ଏପରି କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ୪୨ ବର୍ଷୀୟ ପ୍ରମୋଦ ମତ ଦେଇଛନ୍ତି । ସେ କହିଛନ୍ତି, “ଅନେକ ଦିନ ହେଲା ହସ୍ପିଟାଲରେ କିଛି ସ୍ୱତନ୍ତ୍ର କରିବା ପାଇଁ ଚିନ୍ତା କରୁଥିଲି । ସେହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଏହି ଅଭିଯାନ ବିଷୟରେ ଶୁଣିଲି । ଏଥିରୁ ମୋତେ ପ୍ରେରଣା ମିଳିଲା । ଶେଷରେ ନିଜ ଡାକ୍ତରଖାନାରେ ଶୁକ୍ରବାର ଦିନ କନ୍ୟା ସନ୍ତାନମାନଙ୍କ ପ୍ରସବ ମାଗଣାରେ କରିବି ବୋଲି ନିଷ୍ପତ୍ତି ନେଲି । ଗତବର୍ଷ ନଭେମ୍ବର ୧ ତାରିଖରୁ ଏହି କାର୍ଯ୍ୟକ୍ରମ ହସ୍ପିଟାଲରେ ଆରମ୍ଭ କରିଛି ।” ତେବେ ସେ ଶୁକ୍ରବାରକୁ ଏଥିପାଇଁ ଚୟନ କରିବା ପଛରେ ମଧ୍ୟ ଏକ କାରଣ ରହିଛି । ହିନ୍ଦୁ ଏବଂ ମୁସଲିମ ସମ୍ପ୍ରଦାୟରେ ଶୁକ୍ରବାରକୁ ଏକ ପବିତ୍ର ଦିନ ଭାବେ ବିଶ୍ୱାସ କରାଯାଉଥିବାରୁ ଏହି ଦିନ ସେ କନ୍ୟା ସନ୍ତାନଙ୍କ ପ୍ରସବ ମାଗଣାରେ କରାଇବା ପାଇଁ ଚିନ୍ତା କରିଥିଲେ।