ବାପା ବହି ବନ୍ଧାଳି, ପୁଅ ଓଜେଇଇ ଟପର

ବାପା ବହି ବନ୍ଧାଳି, ପୁଅ ଓଜେଇଇ ଟପର

Saturday June 04, 2016,

2 min Read

ଦାରିଦ୍ର୍ୟ ପ୍ରତିଭା ପାଇଁ ସତେ ଯେମିତି ଏକ କଷଟି ପଥର। ସୁନା କୁ ଯେମିତି ନିଆଁରେ ଦେଖେଇଲେ ଆଉ ଟିକେ ଝକମକ କରେ ଠିକ ସେମିତି ଆର୍ଥିକ ସ୍ତରରେ ଅଭାବ ଅସୁବିଧା ଗୁଡିକ ପ୍ରତିଭାକୁ ଆଉ ଜୋରରେ ଆଗକୁ ମାଡି ଚାଲିବାକୁ ଜିଦର ଖୋରାକ ଯୋଗାଇଦିଏ। ଏହା ପ୍ରମାଣ କରି ଦେଖାଇଛନ୍ତି କେନ୍ଦ୍ରାପଡାର ବଡହାଟର ବାସିନ୍ଦା ସଦାବ ଅନୱର। ସଦ୍ୟ ପ୍ରକାଶିତ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ରେ ଏମବିଏ ବିଭାଗରେ ସଦାବ ହେଇଛନ୍ତି ଟପ୍ପର।

Facebook">PC - Facebook

ବାପା ଶେଖ ଫୌଲାଲୁଦ୍ଦିନ ପେସାରେ ଜଣେ ବହି ବନ୍ଧାଳି। ପରିବାରରେ ଅଛନ୍ତି ମା’ ବୁସ୍ରା ଖାତୁନ, ଦୁଇ ଭାଇ ଇଜାଜ ଅନୱର ଓ ଭଉଣୀ ନୌସିନ ଫିର୍ଦୋଶ। ପୁରା ପରିବାର ରୁହନ୍ତି କେନ୍ଦ୍ରାପଡାର ବଡହାଟରେ। ପରିବାରର ଏକ ମାତ୍ର ରୋଜଗାରିଆ ହେଲେ ସଦାବଙ୍କ ବାପା। ରୋଜଗାରର ମୁଖ୍ୟ ଉତ୍ସ ହେଲା ସେଇ ବହି ବାଇଣ୍ଡିଙ୍ଗ କାମ। ଆଜିର ଅନଲାଇନ ଯୁଗରେ ଛପା ବହିର ଚାହିଦା ଧୀରେ ଧୀରେ କମି ଆସିଲାଣି। ଖାତା ଓ କିଛି ରେଜିଷ୍ଟର ବନ୍ଧେଇ କମ ନିୟମିତ ଭାବରେ ଆସେ। କେଉଁ ମାସ ଟଙ୍କା ଦଶ ରୁ ବାର ହଜାର ମିଳେ ତ କେଉଁ ମାସ ତା’ଠାରୁ କମ। ତଥାପି ଫୌଲାଲୁଦ୍ଦିନ ଭାଙ୍ଗି ନପଡି ନିଜ ଛୁଆ ମାନଙ୍କ ପାଇଁ ଉଚିତ ଶିକ୍ଷାର ବନ୍ଦୋବସ୍ତ କରିଛନ୍ତି। ଯେତେ କଷ୍ଟ ପଡୁ ପଛେ ଶିକ୍ଷାରେ କୌଣସି ପ୍ରକାର ଅବହେଳା କରିନାହାନ୍ତି। ତିନୋଟି ଯାକ ପିଲାଙ୍କୁ ଇଂରାଜୀ ମିଡିୟମ ସ୍କୁଲରେ ପଢେଇଛନ୍ତି। ପତ୍ନୀ ବୁସ୍ରା ମଧ୍ୟ ଘରୋଇ ଭାବେ ଟିଉସନ କରି ତାଙ୍କୁ ଆର୍ଥିକ ଭାବେ କିଛି ସହଯୋଗ କରନ୍ତି।

ସଦାବ ସେଣ୍ଟ ଯୋଶେଫ ସ୍କୁଲରୁ ଭଲ ନମ୍ବର ରଖି ପାସ କଲା ପରେ କେନ୍ଦ୍ରାପଡା ସ୍ଵୟଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଏବଂ ପରେ ଯୁକ୍ତ ତିନି ବାଣିଜ୍ୟ ଅଧ୍ୟୟନ କରିଥିଲେ। ତାଙ୍କ ମହାବିଦ୍ୟାଳୟର ସବୁଠାରୁ ମେଧାବୀ ବାଣିଜ୍ୟ ଛାତ୍ର ଭାବେ ଜଣା ଥିଲେ ସଦାବ। ପରେ ଭୁବନେଶ୍ବରରେ ରହି ଓଜେଇଇ ପାଇଁ ପ୍ରସ୍ତୁତି କରୁଥିଲେ।

ଫୌଲାଲୁଦ୍ଦିନ କହନ୍ତି

ପିଲାଟି ବେଳୁ ସଦାବ ଭଲ ପାଠ ପଢୁଥିଲା। ସ୍କୁଲ ଓ କଲେଜ ସବୁଠାରେ ଭଲ ନମ୍ବର ରଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିଲା। ମୋର ଆଉ ଗୋଟିଏ ପୁଅ ଓ ଝିଅ ମଧ୍ୟ ଅଛନ୍ତି। ଆର୍ଥିକ ପରିସ୍ଥିତି ଖରାପ ହେବାରୁ ପିଲାଙ୍କ ପାଠପଢା ଖର୍ଚ୍ଚ ତୁଲାଇବାପାଇଁ ଟାଉନ ଅଞ୍ଚଳରେ ଥିବା କିଛି ଜମି ମଧ୍ୟ ବିକ୍ରି କରିବାକୁ ବାଧ୍ୟ ହେଇଥିଲି। କିନ୍ତୁ ଜମି ବିକାର ଯେତିକି କଷ୍ଟ ଓ ଗ୍ଳାନି ମନରେ ଥିଲା ସେସବୁ ସଦାବ ଟପ୍ପର ହେବା ସହ ମିଳେଇଗଲା।

ସଦାବ କହନ୍ତି

ସଫଳତା ପାଇଁ କିଛି ଶର୍ଟ କଟ ନାହିଁ। ପରିଶ୍ରମ କଲେ ସଫଳତା ମିଳେ। ମୁଁ ମୋର ପାଠପଢା ପ୍ରତି ଧ୍ୟାନ ଦେଉଥିଲି। ଏଣ୍ଟ୍ରାଂସ ପରୀକ୍ଷାରେ ଟପ କଲାପରେ ସଫଳତାର ଶୀର୍ଷକୁ ଯିବା ପାଇଁ ଆହୁରି ଅଧିକ ପ୍ରେରଣା ମିଳିଛି। ଏମବିଏ ଶେଷ କଲା ପରେ ଭଲ ଚାକିରୀ କରିବାର ଆଶା ରଖିଛି। ମୋ ବାପା ସବୁବେଳେ ସହଯୋଗ କରିଆସିଛନ୍ତି।

କେନ୍ଦ୍ରାପଡ଼ା କଲେଜର ଅଧ୍ୟକ୍ଷ ଶ୍ରୀ ସଚ୍ଚିଦାନନ୍ଦ ଷଡଙ୍ଗୀ ଅନେକ ପ୍ରଶଂସା କରି କହିଛନ୍ତି

ସଦାବ କଲେଜ ପାଇଁ ଗୌରବ ଆଣିଛନ୍ତି। ସ୍ୱଳ୍ପ ରୋଜଗାର କରୁଥିବା ଏକ ପରିବାରରୁ ଆସି ଏପରି ସଫଳତା ପାଇବା ଏପରି ଅନେକ ଛାତ୍ରଛାତ୍ରୀ ବିଶେଷ କରି ସଂଖ୍ୟାଲଘୁ ସଂପ୍ରଦାୟର ଶିକ୍ଷାର୍ଥୀ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।