ଜଳବାୟୁ ପରିବର୍ତ୍ତନ: ପ୍ୟାରିସରେ ଐତିହାସିକ ଚୁକ୍ତି

By Pravat Pattnaik

ଜଳବାୟୁ ପରିବର୍ତ୍ତନ: ପ୍ୟାରିସରେ ଐତିହାସିକ ଚୁକ୍ତି

Monday December 14, 2015,

4 min Read

ବିପଦରେ ମଣିଷ ସମାଜ । ବିପଦରେ ପୃଥିବୀ । ତାପମାତ୍ରା ବଢ଼ୁଛି । ମେରୁ ଅଂଚଳରେ ବରଫ ତଳରୁଛି । ପ୍ରତିବର୍ଷ ବନ୍ୟା ଓ ଭୂକମ୍ପରେ ହଜାର ହଜାର ଲୋକଙ୍କ ପାଣହାନି ହେଉଛି । ଅଦିନିଆ ବର୍ଷା । ବର୍ଷା ଦିନେ ପ୍ରଚଣ୍ଡ ଖରା । ଖରା ଦିନେ ଅସହ୍ୟ ଗୁଳୁଗୁଳି ।

ଏଭଳି ଅନେକ ସମସ୍ୟାକୁ ଦୂର କରିବାକୁ ମଣିଷ ସମାଜ ଆଗେଇ ଆସିଛି । ଏଥର ଖାମଖିଆଲି ଭାବେ ନୁହେଁ ସମ୍ପୂର୍ଣ୍ଣ ଶକ୍ତି ସହ ମଣିଷ ସମାଜ ଏହି ସମସ୍ୟାର ମୁକାବିଲା କରିବାକୁ ମନ ସ୍ଥିର କରିଛି ।

ପ୍ୟାରିସଠାରେ ବିଶ୍ୱର ୧୯୫ଟି ରାଷ୍ଟ୍ର ଏକଜୁଟ୍ ହୋଇ ବିଶ୍ୱର ଦ୍ରୁତ ଗତିରେ ବଢ଼ୁଥିବା ତାପମାତ୍ରାକୁ କିଭଳି ନିୟନ୍ତ୍ରଣ ମଧ୍ୟରେ ରଖାଯାଇପାରିବ ତାହା ଉପରେ ଗୁରୁତ୍ୱର ସହ ଆଲୋଚନା କରିବା ପରେ ଏକ ଐତିହାସିକ ଚୁକ୍ତି ସ୍ୱାକ୍ଷର ହୋଇଛି । ଏହାକୁ ଏଥିପାଇଁ ଐତିହାସିକ ବୋଲି କୁହାଯାଉଛି କାରଣ ପ୍ରଥମ ଥର ପାଇଁ ଭାରତ ଭଳି ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଏଥିରେ ପ୍ରାଧାନ୍ୟ ଦିଆଯାଇଛି । ସମସ୍ତ ରାଷ୍ଟ୍ର ବିଶ୍ୱ ତାପମାତ୍ରା ବୃଦ୍ଧିକୁ ୨ ଡିଗ୍ରି ସେଲ୍ସିୟସରୁ କମ ରଖିବା ପାଇଁ ନିଜର ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଛନ୍ତି । ଭାରତ ପକ୍ଷରୁ ପ୍ୟାରିସ୍ ସମ୍ମିଳନୀର ଚୁକ୍ତିକୁ ସନ୍ତୁଳିତ ବୋଲି କୁହାଯାଇଛି ।

image


କଣ ନିଷ୍ପତି ହୋଇଛି?

ବିଶ୍ୱ ତାପମାତ୍ରା ବୃଦ୍ଧିକୁ ୨ ଡିଗ୍ରି ସେଲ୍ସିୟସଠାରୁ କମ ରଖିବାକୁ ସହମତି ପ୍ରକାଶ ପାଇଛି । ଏହି ଲକ୍ଷ୍ୟ ହାସଲ କରିବା ନିଶ୍ଚିତପକ୍ଷେ କଷ୍ଟକର ହେବ । ଜଳବାୟୁ ପରିବର୍ତ୍ତନ ପାଇଁ ଯେଉଁ ଚିଠା ନୀତି ପ୍ରସ୍ତୁତ କରାଯାଇଛି, ସେଥିରେ ଏହା ସ୍ପଷ୍ଟ କରିଦିଆଯାଇଛି ଯେ ଲକ୍ଷ୍ୟକୁ ଲକ୍ଷ୍ୟ ଭାବେ ବିଚାରକୁ ନେଇ ତାହାକୁ ହାସଲ କରିବାକୁ ପଡ଼ିବ । ଏହାକୁ କେବଳ ସମ୍ମିଳନୀର ଚୁକ୍ତି ବୋଲି ହାଲୁକା ଭାବେ ଗ୍ରହଣ କରାଯାଇପାରିବ ନାହିଁ । ମାର୍କୋନେସିଆରେ ଥିବା ମାର୍ସଲ୍ ଦ୍ୱୀପ ପାଇଁ ତାପମାତ୍ରା ବୃଦ୍ଧିର ସମୀା ୧.୫ ଡିଗ୍ରି ସେଲ୍ସିଅସ୍ ଧାର୍ଯ୍ୟ କରାଯାଇଛି। ଏହି ଚୁକ୍ତିରେ ରହିଥିବା ଅନ୍ୟ ବଡ଼ ଦିଗଟି ହେଉଛି ସମ୍ବେଦନଶୀଳ ରାଷ୍ଟ୍ରଗୁଡ଼ିକୁ ପ୍ରଦାନ କରାଯାଇଥିବା ରିହାତି । ସମସ୍ତ ରାଷ୍ଟ୍ର ନିଜ ନିଜର ଜଳବାୟୁ ପରିବର୍ତନ ନିୟନ୍ତ୍ରଣ ଯୋଜନା ଦାଖଲ କରିବେ । ପ୍ରତି ୫ ବର୍ଷରେ ତାହାର ସମୀକ୍ଷା ମଧ୍ୟ କରାଯିବ । କିନ୍ତୁ ଧନୀ ଓ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପ୍ରତି ସମ୍ମିଳନୀରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ସେମାନଙ୍କ ପାଇଁ କଡ଼ା ଟାର୍ଗେଟ୍ ଧାର୍ଯ୍ୟ କରାଯାଇଛି । ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ରୋକିବା ପାଇଁ ପାଣ୍ଠି, ବୈଷୟିକ ଜ୍ଞାନକୌଶଳ ଓ ସମ୍ବଳ ଯୋଗାଇ ଦେବାକୁ ସେମାନଙ୍କୁ କୁହାଯାଇଛି । ବିଶେଷ କରି ଆଫ୍ରିକା ଭଳି ରାଷ୍ଟ୍ର ପାଇଁ ଅକ୍ଷୟ ଶକ୍ତି ଉତ୍ସ ସୃଷ୍ଟି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି।

ଭାରତ କଣ କହୁଛି?

ଭାରତର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ପ୍ୟାରିସ୍ ଚୂଡ଼ାନ୍ତ ଚିଠାକୁ ସନ୍ତୁଳିତ ବୋଲି କହିଛନ୍ତି । ଭାରତର ଚିନ୍ତାଗୁଡ଼ିକୁ ବିଶେଷ ଧ୍ୟାନ ଦିଆଯାଇଥିବା ସେ କହିଛନ୍ତି । ଭାରତ ପକ୍ଷରୁ ଦାବି କରାଯାଇଥିଲା ଯେ ତାପମାତ୍ରା କମ କରିବା ଲକ୍ଷ୍ୟ ବିକାଶିତ ରାଷ୍ଟ୍ରଗୁଡ଼ିକ ଉପରେ କଠୋର ଭାବେ ଲାଗୁ କରାଯାଉ । କାରଣ ଆଜି ବିଶ୍ୱରେ ଯେଉଁ ତାପମାତ୍ରା ବୃଦ୍ଧି ଦେଖାଦେଇଛି ସେଥିପାଇଁ ବିକଶିତ ଓ ଧନୀ ରାଷ୍ଟ୍ରମାନେ ଦାୟୀ । ସେମାନେ ବିଗତ ୫୦-୭୦ ବର୍ଷ ମଧ୍ୟରେ ଶିଳ୍ପାୟନ ନାମରେ ବିଶ୍ୱର ତାପମାତ୍ରାକୁ ବଢ଼ାଇଛନ୍ତି । ସେମାନଙ୍କ ଦୋଷର ଫଳ ଏବେ ଗରିବ ଓ କମ ଆୟବର୍ଗକାରୀ ରାଷ୍ଟ୍ରମାନେ ଭୋଗୁଛନ୍ତି । ତେଣୁ ଗରିବ ଓ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ନିଜ ଜଳବାୟୁକୁ ନିୟନ୍ତ୍ରଣରେ ରଖିବା ପାଇଁ ଧନୀ ରାଷ୍ଟ୍ରଗୁଡ଼ିକ ପାଣ୍ଠି ଓ ଜ୍ଞାନକୌଶଳ ଯୋଗାଇ ଦେବା ଦରକାର ।

image


ଆଗକୁ କଣ ହେବ?

ଯେଉଁ ସମସ୍ତ ରାଷ୍ଟ୍ର ପ୍ୟାରିସ୍ ଜଳବାୟୁ ପରିବର୍ତନ ସମ୍ମିଳନୀରେ ଭାଗ ନେଇଥିଲେ, ସେମାନଙ୍କୁ ଚିଠା ନୀତିକୁ ଆପଣେଇବାକୁ ପଡ଼ିବ । ଅବଶ୍ୟ ପରିବେଶ ବିଶେଷଜ୍ଞମାନେ ଆଗୁଆ ସତର୍କ କରାଇ ଦେଇଛନ୍ତି ଯେ, ପ୍ରତି ଥର ଭଳି ଏଥର ମଧ୍ୟ ଶେଷ ସମୟରେ ଚୁକ୍ତିକୁ ନେଇ ଯେଭଳି କୌଣସି ଅଡୁଆ ସ୍ଥିତି ସୃଷ୍ଟି ନ ହେଉ । ସେମାନେ କହିଛନ୍ତି ଯେ ଏହି ଚିଠା ନୀତିକୁ ନେଇ ଅନେକ ରାଷ୍ଟ୍ର ଯୁକ୍ତି ବାଢ଼ିବେ । ଯାହା ଚୁକ୍ତିକୁ ପୁଣି ଶୀତଳ ଭଣ୍ଡାରକୁ ଠେଲି ଦେଇପାରେ ।

ଏକ ଭିନ୍ନ ଚୁକ୍ତି

୧୯୯୭ରେ ଜାପାନରେ କ୍ୟୋଟୋ ପ୍ରେଟୋକଲ୍ ସ୍ୱାକ୍ଷରିତ ହୋଇଥିଲା । ଏହା ପରଠାରୁ ଜଳବାୟୁ ପରିବର୍ତନକୁ ନେଇ କୌଣସି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇନାହିଁ । ପୂର୍ବରୁ ଯେଉଁ ସମସ୍ତ ଚିଠା ପ୍ରସ୍ତୁତ କରାଯାଇଥିଲା ଓ ଏଥର ଯେଉଁ ଚିଠା ନୀତି ପ୍ରସ୍ତୁତ ହୋଇଛି ତାହା ଭିତରେ ସବୁଠୁ ବଡ଼ ଅନ୍ତର ହେଉଛି ଏହାର ବିଶ୍ୱାସଯୋଗ୍ୟ ଲକ୍ଷ୍ୟ । ଲକ୍ଷ୍ୟ ଧାର୍ଯ୍ୟ କରିବା ପାଇଁ ୨୦୫୦ ପର୍ଯ୍ୟନ୍ତର ଲମ୍ବା ସମୟ ସୀମା ପ୍ରଦାନ କରାଯାଇଛି । ପୂର୍ବରୁ ଏତେ ଲମ୍ବା ସମୟ କେବେ ବି ପ୍ରଦାନ କରାଯାଇ ନ ଥିଲା । ଏଥିରେ କୁହାଯାଇଛି ଯେ ଯଦି କୌଣସି ରାଷ୍ଟ୍ର ଦେଇଥିବା ଯୋଜନା ଅନୁସାରେ ଅଙ୍ଗାରକାମ୍ଳ ନିର୍ଗମନକୁ ନିୟନ୍ତ୍ରଣରେ ରଖିବାରେ ବିଫଳ ହେବ, ତେବେ ସେଥିପାଇଁ ସେହି ରାଷ୍ଟ୍ରକୁ ଦାୟୀ କରାଯିବ । ରାଷ୍ଟ୍ରଗୁଡ଼ିକରେ ଉପରେ ଜଳବାୟୁକୁ ନିୟନ୍ତ୍ରଣରେ ରଖିବାର ଚାପ ରହିବ । ସେମାନଙ୍କୁ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ । ବିକାଶଶୀଳ୍ପ ଓ ସ୍ପଳ୍ପ ଆୟକାରୀ ରାଷ୍ଟ୍ରଗୁଡ଼ିକୁ ଧନୀ ରାଷ୍ଟ୍ରମାନେ ଆର୍ଥିକ ଓ ବୈଷୟିକ ସହାୟତା ପ୍ରଦାନ କରିବାକୁ ଚିଠାରେ କୁହାଯାଇଛି । ଏହି ଦାବି ଭାରତ ପକ୍ଷରୁ ବହୁ ଦିନରୁ କରାଯାଉଥିଲା । ଶେଷରେ ଭାରତର କଥା ରହିଛି ।

ଶେଷ ସମୟରେ କିଛି ବଦଳିଯିବନି ତ?

ଯଦି ବିିଭିନ୍ନ ରାଷ୍ଟ୍ର ଏହି ଚୁକ୍ତିରେ ସ୍ୱାକ୍ଷର କରିବେ ତେବେ ସେମାନେ ଏହାକୁ ଆଇନଗତ ଭାବେ ଗ୍ରହଣ କଲେ ବୋଲି ବିଚାର କରାଯିବ । ଯଦି ଏଥିରେ ସେମାନେ କୌଣସି ପ୍ରକାର ଖିଲାପ କରିବେ ତାହା ଆଇନ ଉଲ୍ଲଘଂନ ଭାବେ ଧରାଯିବ । ତେଣୁ ସମସ୍ତ ରାଷ୍ଟ୍ର ନିଶ୍ଚିତପକ୍ଷେ ଏହାକୁ ଗୁରୁତ୍ୱ ପ୍ରଦାନ କରିବେ । କିନ୍ତୁ କିଛି ପରିବେଶବିତ୍ କହିଛନ୍ତି ଯେ ପ୍ୟାରିସ୍ ଚିଠା ହେଉଛି ବହୁତ ଦୁର୍ବଳ ଓ ଏହା ବିଳମ୍ବିତ ମଧ୍ୟ ।