ଜଣେ ସାମାଜିକ କର୍ମୀଙ୍କ ଛୋଟ ପ୍ରୟାସ, ସବୁ ରେଳବଗିରେ ରହିବ ବାୟୋ ଟଏଲେଟ୍, ୨୦୨୨କୁ ଅପେକ୍ଷା କରିଛନ୍ତି ଦେଶବାସୀ

ଜଣେ ସାମାଜିକ କର୍ମୀଙ୍କ ଛୋଟ ପ୍ରୟାସ, ସବୁ ରେଳବଗିରେ ରହିବ ବାୟୋ ଟଏଲେଟ୍, ୨୦୨୨କୁ ଅପେକ୍ଷା କରିଛନ୍ତି ଦେଶବାସୀ

Wednesday March 02, 2016,

4 min Read

image


ସାରା ଦେଶ ଅପରିସ୍କାର ହେବାରୁ ବଂଚିବ

୫୦ ହଜାର ବଗିରେ ଲଗାଇବାକୁ ହେବ ବାୟୋ-ଟଏଲେଟ୍

ଚାରି ବର୍ଷ ହେଲା ଉଦ୍ୟମ କରିଆସୁଛନ୍ତି ମାନବାଧିକାର କର୍ମୀ ଅଖଣ୍ଡ

କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି ରେଳ ବିଭାଗ

ସ୍ୱାସ୍ଥ୍ୟ ଓ ପରିମଳକୁ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି | ଯେପରି କେହି ବାହାରେ ମଳତ୍ୟାଗ ନ କରିବେ, ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି | କିନ୍ତୁ ଆମ ଦେଶରେ ସବୁଠୁ ବଡ ଖୋଲା ପାଇଖାନା ଭାବେ ଦେଖାଦେଇଛି ଟ୍ରେନ୍ ରେ ଥିବା ପାଇଖାନା | ଏହି ଖୋଲା ପାଇଖାନାରେ ଝାଡା ବସିବା ଖୋଲାରେ ମଳତ୍ୟାଗ କରିବା ସହ ସମାନ | ଖୋଲାରେ ଯେପରି ପରିବେଶ ଅପରିସ୍କାର ହୋଇଥାଏ, ଟ୍ରେନ ବଗିରେ ଥିବା ଏହି ପାଇଖାନା ଦ୍ୱାରା ମଧ୍ୟ ଟ୍ରେନ୍ ଯାଉଥିବା ସବୁ ଅଂଚଳ ପରିବେଶ ନଷ୍ଟ ହୋଇଥାଏ | ବିଶେଷ କରି ଷ୍ଟେସନରେ ଏପରି ମଳମୂତ୍ର ପଡିବା ଯୋଗୁଁ ସଂକ୍ରମଣର ଆଶଙ୍କା ଅଧିକ | ଖୋଲାରେ ଝାଡା ବସୁଥିବା ଲୋକ ଶଙ୍କାରେ ଅନ୍ତତଃ ଜନଗହଳି ସ୍ଥାନରେ ମଳତ୍ୟାଗ କରିବ ନାହିଁ, କିନ୍ତୁ ଯେତେ ସଚେତନତା ଓ ସତର୍କ କରାଇଲେ ମଧ୍ୟ ଟେନ୍ ପାଇଖାନାରୁ ଷ୍ଟେସନରେ ମଳତ୍ୟାଗ କରିବାକୁ ରୋକାଯାଇପାରିନାହିଁ | ଯାହା ଆପଣ ଷ୍ଟେସନ୍ ଗୁଡିକ ଅବସ୍ଥାରୁ ଜାଣିପାରୁଥିବେ |

ଏହାର କଣ କିଛି ସମାଧାନ ନାହିଁ ? ହଁ, ଏହାର ସବୁଠୁ ଭଲ ସମାଧାନ ହେଉଛି ସବୁ ଟ୍ରେନ୍ ବଗିରେ ବାୟୋ-ଟଏଲେଟ୍ ବସିବ | ଏହା ଫଳରେ ସିଧାସଳଖ ଝାଡାପରିସ୍ରା ଖୋଲାରେ ପଡିବ ନାହିଁ | ଏହାକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ କାଢିହେବ ଏବଂ ସୁରକ୍ଷିତ ଭାବେ ଫୋପଡା ଯାଇପାରିବ | ଏହା ହୋଇପାରିଲେ ଅଯଥାରେ ସାରା ଭାରତ ଅପରିଷ୍କାରରୁ ବଂଚି ଯାଇପାରନ୍ତା | ଏହା ଚିନ୍ତା କରି ଓଡିଶାର ଜଣେ ସାମାଜିକ କର୍ମୀ ଶ୍ରୀ ଅଖଣ୍ଡ ୨୦୧୩ରେ ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖିଥିଲେ | କିନ୍ତୁ ଏହାର ଉତ୍ତର ଆସିଲା ନାହିଁ | ପୁଣି ସେ ତଥ୍ୟ ସଂଗ୍ରହ କଲେ ଯେ ରେଳବାଇ ବାୟୋ- ଟଏଲେଟ୍ ଲଗାଇବା ବ୍ୟବସ୍ଥା ଆରମ୍ଭ କରିଛି | କିନ୍ତୁ ତାହା ଅତ୍ୟନ୍ତ ଧିମା ଗତିରେ ଚାଲିଛି | ପୁଣି କେବେ ସୁଦ୍ଧା ସବୁ ଟ୍ରେନ୍ ରେ ଏଭଳି ଟଏଲେଟ୍ ଲାଗିପାରିବ, ତାର କୌଣସି ଲକ୍ଷ୍ୟ ଧାର୍ଯ୍ୟ କରାଯାଇନାହିଁ |

ସେ ସମୟରେ ସେ ଦେଶର ବିଭିନ୍ନ ସ୍ଥାନକୁ ଗଲାବେଳେ ଷ୍ଟେସନ୍ ଗୁଡିକର ଅବସ୍ଥା ମଧ୍ୟ ଦେଖିଥିଲେ | କିଭଳି ମଳମୂତ୍ରରେ ସେଗୁଡିକ ଭାସୁଛି, ତାର ଚିତ୍ର ତାଙ୍କ ଆଖିରେ ସବୁବେଳେ ନାଚି ଉଠୁଥିଲା | ରେଳବାଇ ଠାରୁ ଏ ସମ୍ପର୍କରେ କୌଣସି ଉତ୍ତର ନପାଇବାରୁ ସେ ନିରାଶ ହୋଇପଡିଥିଲେ| ସେ ଏହାକୁ ମାନବାଧିକାର ଦିଗରୁ ଚିନ୍ତାକଲେ | ଅଖଣ୍ଡ ନିଜେ ଜଣେ ମାନବାଧିକାର କର୍ମୀ ହୋଇଥିବାରୁ ଏହି ପ୍ରସଙ୍ଗ ଏକ ମାନବାଧିକାର ଉଲଂଘନ ଭାବେ ବିବେଚିତ ହୋଇପାରିବ ବୋଲି ଦୃଢ ନିଶ୍ଚିତ ଥିଲେ | ତେଣୁ ଏ ସମ୍ପର୍କରେ ସେ ନୂଆଦିଲ୍ଲୀସ୍ଥ ଜାତୀୟ ମାନବାଧିକାର କମିଶନଙ୍କ ଅଧ୍ୟକ୍ଷଙ୍କୁ ଅବଗତ କରାଇଲେ |

image


ଏ ସମ୍ପର୍କରେ ଅଖଣ୍ଡ କୁହନ୍ତି 

ମୁଁ ଦର୍ଶାଇଥିଲି ଟ୍ରେନ୍ ରେ ଖୋଲା ପାଇଖାନା ଯୋଗୁଁ ଯାତ୍ରୀମାନଙ୍କର ମଳମୂତ୍ର ସାରା ଦେଶରେ ପଡି ପରିବେଶକୁ ଅପରିଷ୍କାର କରୁଛି | ଷ୍ଟେସନରେ ଏପରି ମଳମୂତ୍ର ଯୋଗୁଁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି | ଏହା ଦ୍ୱାରା ଯାତ୍ରୀ ଓ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଦେଖାଦେଇଛି ଓ ସେମାନଙ୍କର ମାନବାଧିକାର ଉଲଂଘନ ହୋଇଛି | ଏହା ବିଚାର ପାଇଁ ଗ୍ରହଣ ହୋଇଥିଲା |

କମିଶନ ଏହି ପ୍ରସଙ୍ଗରେ ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ | ରେଳବାଇ ନୋଟିସର ଉତ୍ତର ଦେବା ଲାଗି ସମୟ ଗଡାଇ ଚାଲିଥିଲେ | ଅଖଣ୍ଡ କିନ୍ତୁ ଛାଡିବାର ନଥିଲେ | ସେ ବାରମ୍ବାର କମିଶନଙ୍କୁ ଗୁହାରି କରିଥିଲେ | ପରେ କମିଶନ ବାରମ୍ବାର ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ରିମାଇଣ୍ଡର ଦେଇଥିଲେ | ଯାହା ଫଳରେ ରେଳବାଇ ତାର ରିପୋର୍ଟ ଦେଲା | ଏହି ରିପୋର୍ଟରେ କୁହାଯାଇଥିଲା –

image


୨୦୧୭ ପରେ ପ୍ରସ୍ତୁତ ହେଉଥିବା ସବୁ ଟ୍ରେନରେ ବାୟୋ-ଟଏଲେଟ୍ ଫିଟିଂ କରାଯିବ | ତେବେ ପୁରୁଣା ଟ୍ରେନଗୁଡିକରେ ପର୍ଯ୍ୟାୟକ୍ରମେ ବାୟୋ-ଟଏଲେଟ୍ ଲଗାଯିବ | ତେବେ ୨୦୨୨ ସୁଦ୍ଧା କୌଣସି ଟ୍ରେନରେ ଖୋଲା ପାଇଖାନା ରହିବ ନାହିଁ |

ରେଳବାଇର ପ୍ରତିଶ୍ରୁତି ପରେ ଜାତୀୟ ମାନବାଧିକାର କମିଶନ ଏହି ମାମଲାଟିକୁ ବନ୍ଦ କରିଦେଇଥିଲେ | ଅଖଣ୍ଡ କିନ୍ତୁ ତାଙ୍କର ପ୍ରୟାସ ଜାରି ରଖିଛନ୍ତି | ରେଳବାଇର ପ୍ରତିଶ୍ରୁତିକୁ ବାରମ୍ବାର ରେଳବିଭାଗକୁ ସେ ମନେପକାଇ ଦେଉଛନ୍ତି | ଏଇ ନିକଟରେ ଏ ସମ୍ପର୍କରେ ସେ ସୂଚନା ଅଧିକାର ଆଇନ ବଳରେ ରେଳ ମନ୍ତ୍ରଣାଳୟକୁ ତଥ୍ୟ ମାଗିଥିଲେ | ୨୦୨୨ ସୁଦ୍ଧା ସବୁ ଟ୍ରେନ୍ ରେ ବାୟୋ-ଟଏଲେଟ୍ ବସାଇବା ପାଇଁ ରେଳବାଇ କିପରି ଯୋଜନା କରିଛି ଓ ପ୍ରତି ବର୍ଷ କେତେ ପରିମାଣର ବାୟୋ-ଟଏଲେଟ୍ ବସାଇବାର ଯୋଜନା କରାଯାଇଛି ତାହା ସେ ଜାଣିବାକୁ ଚାହିଁଥିଲେ | ତେବେ ରେଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟ ତାଙ୍କୁ ନିରାଶ କରିଛି | ବର୍ଷ ୱାରି କୌଣସି ଯୋଜନା ବା ଟାର୍ଗେଟ୍ ସମ୍ପର୍କିତ କୌଣସି ସୂଚନା ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି |

ଏ ସମ୍ପର୍କରେ ଅଖଣ୍ଡ କହନ୍ତି –

ରେଳ ମନ୍ତ୍ରଣାଳୟ ବର୍ଷ ୱାରି କେତେ ଟଏଲେଟ୍ ବସାଇବ ତାର ଆକଳନ ଜାତୀୟ ମାନବାଧିକାର କମିଶନଙ୍କୁ ଦେଉ ବୋଲି ମୁଁ କହିଥିଲି | ତେବେ ରେଳବାଇ ୨୦୨୧-୨୨ ସୁଦ୍ଧା ସବୁ ଟ୍ରେନ୍ ରୁ ଖୋଲା ପାଇଖାନା ଉଠାଇ ବାୟୋ-ଟଏଲେଟ୍ ବସାଇବ ବୋଲି କହିବା ପରେ କମିଶନ ମାମଲାକୁ ବନ୍ଦ କରିଥିଲେ | ଏବେ ସୂଚନା ଅଧିକାର ଆଇନ ବଳରେ ବାର୍ଷିକ ଲକ୍ଷ୍ୟ ନଥିବା କଥା ଜଣାପଡିବା ପରେ କମିଶନଙ୍କ ନିକଟରେ ଏକ ସାନି ପିଟିସନ୍ ଫାଇଲ୍ କରାଯିବ | ରେଳ ମନ୍ତ୍ରୀ ଓ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ବି ଏ ବିଷୟରେ ମୁଁ ପୁଣି ଲେଖିବି |

ବର୍ତ୍ତମାନ ଦେଶରେ ପ୍ରାୟ ୮,୭୦୦ଟି ଟ୍ରେନ୍ ଚଳାଚଳ କରୁଛି | ପ୍ରାୟ କୋଟିଏ ଲୋକ ପ୍ରତିଦିନ ଏଥିରେ ଯିବା ଆସିବା କରୁଛନ୍ତି | ସେମାନଙ୍କ ମଳମୂତ୍ର ସାରା ଦେଶ ଯାକ ପଡି ପରିବେଶକୁ ଅପରିସ୍କାର କରିବାରେ ଲାଗିଛି | କିନ୍ତୁ ଏସବୁରେ ବାୟୋ-ଟଏଲେଟ୍ ଲଗାଇବା କାମ ଅତ୍ୟନ୍ତ ଧୀମା ଗତିରେ ଚାଲିଛି | ୨୦୧୩ ସୁଦ୍ଧା ମାତ୍ର ୨୭୭୪ଟି କୋଚ୍ ରେ ପ୍ରାୟ ୭୦୦୦ ବାୟୋ-ଟଏଲେଟ୍ ଲାଗିଥିଲା | 2015 ମାର୍ଚ୍ଚ ସୁଦ୍ଧା ସତର ହଜାର ବାୟୋ-ଟଏଲେଟ୍ ଲାଗିଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ଏହି ଗତିରେ କାମ ଚାଲିଲେ ଆହୁରି ୧୦ ବର୍ଷରେ ବି ସବୁ ଟ୍ରେନ୍ ରେ ଏହି ଟଏଲେଟ୍ ବ୍ୟବସ୍ଥା ସମ୍ଭବ ହେବ ନାହିଁ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଅଖଣ୍ଡ |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ସ୍ୱଚ୍ଛ ଭାରତ ଅଭିଯାନଙ୍କୁ ନିଜେ ଅଧିକ ଗୁରୁତ୍ୱ ଦେଉଛନ୍ତି | ତେବେ ତାଙ୍କ ସରକାର ଅମଳରେ ସବୁ ଟ୍ରେନ୍ ରେ ବାୟୋ-ଟଏଲେଟ୍ ବସି ପାରିଲେ, ଏହା ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ଏକ ବଳିଷ୍ଠ ପଦକ୍ଷେପ ହେବ | ଏହା ହୋଇପାରିଲେ ଦେଶର ପ୍ରାୟ ୭୦୦୦ ଷ୍ଟେସନ୍ ଅପରିସ୍କାର ହେବ ନାହିଁ | ସାରା ଦେଶରେ ଖୋଲାରେ ମଳପଡି ପରିବେଶ ଅପରିଷ୍କାର ହେବ ନାହିଁ | ଯାତ୍ରୀ, ସାଧାରଣ ଲୋକେ ଓ ବିଶେଷକରି ଶିଶୁମାନେ ସଂକ୍ରମଣରୁ ରକ୍ଷା ପାଇପାରିବେ | ଅଖଣ୍ଡଙ୍କର ଏହି ଛୋଟ ପ୍ରୟାସ ଦ୍ୱାରା ରେଳବାଇ ବାୟୋ-ଟଏଲେଟ୍ ବସାଇବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି | ଏହା ଦ୍ୱାରା ଦେଶର କୋଟି କୋଟି ଜନତା ସିଧାସଳଖ ଉପକୃତ ହେବେ | ପୁଣି ଏବେ ବୁଲେଟ୍ ଟ୍ରେନ୍ ଚଲାଇବା କଥା ଉଠିଲାଣି | ଏହା ସହିତ ବର୍ତ୍ତମାନ ଟ୍ରେନ୍ ଗୁଡିକରେ ଟଏଲେଟ୍ ବ୍ୟବସ୍ଥାକୁ ଉନ୍ନତ କରାଯିବାର ମଧ୍ୟ ଆବଶ୍ୟକତା ରହିଛି | ବାୟୋ-ଟଏଲେଟ୍ ବ୍ୟବସ୍ଥା ପାଇବା ଲାଗି ଦେଶବାସୀ ୨୦୨୨ ମସିହାକୁ ହିଁ ଅପେକ୍ଷା କରିଛନ୍ତି |