ଦୁଇ ଟଙ୍କାର କତାରୁ ଦୁଇ କୋଟିର ଉଦ୍ୟୋଗ

ଦୁଇ ଟଙ୍କାର କତାରୁ ଦୁଇ କୋଟିର ଉଦ୍ୟୋଗ

Sunday August 28, 2016,

2 min Read

ଗୋଟିଏ ଘରେ ସମସ୍ତେ ଏକାଠି କାମ କରୁଛନ୍ତି । ଘରଘର, ଚରଚର ଶବ୍ଦରେ ଅହରହ ଚାଲିଛି ମେସିନ୍ । ଆଉ କାମରେ ଲାଗିପଡିଛନ୍ତି ମହିଳାମାନେ । ଏମାନଙ୍କୁ ନଜର ରଖୁଛନ୍ତି ଜଣେ ମଧ୍ୟବୟସ୍କା ମହିଳା । ଯିଏ ସମସ୍ତଙ୍କର ପ୍ରିୟ ଶ୍ରୀମତୀ ଦିଦି । ପେଟକୁ ମୁଠେ ଦାନା ଯୋଗାଡ଼ରେ କେତେ କଷଣ, କେତେ ନିର୍ଯ୍ୟାତନା ସହି ସଂଗ୍ରାମ କରୁଥିବା ସ୍ଵାମୀ ପରିତ୍ୟକ୍ତା, ଅସହାୟ, ବିଧବା ଏବଂ ଭିନ୍ନକ୍ଷମ ମହିଳାଙ୍କୁ ବଞ୍ଚିବା ପାଇଁ ରାହା ଦେଖାଉଛନ୍ତି ଶ୍ରୀମତୀ ।

ଶ୍ରୀମତୀଙ୍କ କାହାଣୀ

ନିଜର ଚେଷ୍ଟା ଆଉ ନିଷ୍ଠା ବଳରେ ମାତ୍ର ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ଶ୍ରୀମତୀ ଦୁଇ ଶହରୁ ଅଧିକ ଅସହାୟ ମହିଳାଙ୍କ ସାହା ଭରସା ପାଲଟିଛନ୍ତି । ଦୁଇ ଟଙ୍କାରୁ ଆରମ୍ଭ କରିଥିବା ସାଇକଲ ରିମ୍ ରୁ ନଡ଼ିଆ କତାଶିଳ୍ପ ଏବେ ଅତ୍ୟାଧୁନିକ ଦୁଇକୋଟି ଟଙ୍କାର ମେସିନ୍ ବସାଇ କାମ କରୁଛନ୍ତି । ଏବେ ଶ୍ରୀମତୀଙ୍କ ବାର୍ଷିକ ଆୟ ୩୦ ଲକ୍ଷ ଟଙ୍କାରେ ପହଞ୍ଚିଛି । ଅଳ୍ପ ପାଠପଢି ଥିବା ଶ୍ରୀମତୀ ନାୟକଙ୍କୁ ଏବେ ୫୫ ବର୍ଷ । ୧୯୮୦ ମସିହାରୁ କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ କାର୍ଯ୍ୟାଳୟର ଏକ ପରିତ୍ୟକ୍ତ ଘରେ ଆରମ୍ଭ କରିଥିଲେ ନଡ଼ିଆକତା ଶିଳ୍ପ । ସ୍ଥାନୀୟ କିଛି ମହିଳାଙ୍କୁ ନେଇ ପାପୋଛ, ରଶି, ଗାଲିଚା, ଏବଂ କଣ୍ଢେଇ ଆଦି କାମ କରିବା ଆରମ୍ଭ କରି ବିକ୍ରି କରୁଥିଲେ । ପରେ ସରକାରଙ୍କ ନିକଟକୁ ମାତ୍ର ୯ ହଜାର ଟଙ୍କାର ଋଣ ଆଣି ସେ ଶିଳ୍ପ ଆରମ୍ଭ କରିଥିଲେ । ୧୯୯୬ ମସିହାରେ ବାୟାବାବା ମହିଳା ନଡ଼ିଆ କତା ଶିଳ୍ପ ସମବାୟ ସମିତି ନାମରେ ନିଜର ଶିଳ୍ପ ସଂସ୍ଥାକୁ ପଞ୍ଜୀକରଣ କରାଇଛନ୍ତି । ଅସହାୟ ମହିଳାମାନେ ପ୍ରତିଦିନ ତାଙ୍କ କର୍ମ ସଂସ୍ଥାନରେ କାମ କରି ଦିନକୁ ( କାର୍ଯ୍ୟକୁ ନେଇ ) ଦୁଇରୁ ତିନିଶହ ଟଙ୍କାର ରୋଜଗାର କରୁଛନ୍ତି । ଅନେକ ସ୍ଵାମୀ ପରିତ୍ୟକ୍ତା ତାଙ୍କ କର୍ମ ସଂସ୍ଥାନରେ ଅଛନ୍ତି । ପାପୋଛ, ରଶି, ମ୍ୟାଟ୍ ଏବଂ କଣ୍ଢେଇ ଆଦି ଓଡ଼ିଶାର ବିଭିନ୍ନ ସ୍ଥାନରେ ବିକ୍ରି କରୁଛନ୍ତି । ଏହି ସବୁ କାର୍ଯ୍ୟର ଚାହିଦା ମଧ୍ୟ ବହୁତ୍ ରହିଛି । ବିଭିନ୍ନ ସ୍ଥାନରେ ପଲ୍ଲିଶ୍ରୀ ମେଳାରେ ମଧ୍ୟ ତାଙ୍କ ଷ୍ଟଲର ନାଁ ରହିଛି । ଏଥି ପାଇଁ ତାଙ୍କୁ ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟ ମିଳିଛି । ଶ୍ରୀମତୀଙ୍କ ଦୀର୍ଘ ୩୬ ବର୍ଷର ସାଧନା ଆଉ ଉଦ୍ୟମ ଫଳରେ ସରକାରଙ୍କ ପ୍ରଦତ୍ତ ଜମିରେ ଆଖୁଳିପଡା ଗ୍ରାମରେ ଗଢି ଉଠିଥିବା ଶିଳ୍ପ ସଂସ୍ଥାରେ ଏବେ ଦୁଇଶହ ଅସହାୟ ମହିଳାଙ୍କୁ ଆତ୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି କରିଛନ୍ତି । ଶ୍ରୀମତୀ କହନ୍ତି ଘରର ଆର୍ଥିକ ସ୍ଥିତିକୁ ଦେଖି ରୋଜଗାର ପାଇଁ ମୁଁ ପଦାକୁ ଗୋଡ଼ କାଢିଥିଲି । ଏଥିପାଇଁ ଅନେକ ଟାହି ଟାପରା ସହିଥିଲି । ଶେଷରେ ମୋ ଲକ୍ଷ୍ୟକୁ ମୁଁ ପୂରଣ କରିପାରିଛି । ସମାଜରେ ଅବହେଳିତ ମହିଳାଙ୍କ ଆର୍ଥିକ ଦୁଃସ୍ଥିତିକୁ ଦୂରକରିବା ପାଇଁ ମୋର ଉଦ୍ୟମ ହୋଇପାରନ୍ତା । 

ଏବେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରୁ ନଡ଼ିଆକତା (ପାରୁ) କିଣୁଛୁ । ଯଦି ସରକାର ଆମକୁ ଗୋଟିଏ ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମର ଯୋଗାଇ ଦେଇପାରନ୍ତେ, ତାହାହେଲେ ଆମେ ସ୍ଥାନୀୟ ଅଞ୍ଚଳର ନଡ଼ିଆ ଚୋପାରୁ ପାରୁ ବାହାର କରିପାରନ୍ତୁ । ଏହାଦ୍ୱାରା ଅଧିକ ମହିଳା ମଧ୍ୟ କାମ ପାଇପାରନ୍ତେ ବୋଲି ଶ୍ରୀମତୀ କହିଛନ୍ତି । ବିଶେଷକରି ଶିଳ୍ପ ବିହୀନ କେନ୍ଦ୍ରପଡା ଜିଲାରେ ନିଜ ଉଦ୍ୟମରେ ନିର୍ମିତ ଶ୍ରୀମତୀ ନାୟକଙ୍କ ଶିଳ୍ପ ସଂସ୍ଥା କେବଳ ଅସହାୟ ମହିଳାଙ୍କ ଆଶାର ଆଲୋକ ନୁହେଁ; ଆମ ସମସ୍ତେ ପାଇଁ ଏକ ଆହ୍ଵାନ ।