ବାଲ୍ୟବିବାହକୁ ବିରୋଧ କଲେ ଓଡ଼ିଆ ବାଳିକା

0
ରଶ୍ମିତା ପ୍ରଧାନ
ରଶ୍ମିତା ପ୍ରଧାନ

ବାଲ୍ୟବିବାହ ପ୍ରଥା ବହୁ କାଳରୁ ହଟିଯାଇଥିଲେ ବି ସମ୍ପୂର୍ଣ୍ଣ ସତ୍ତା ହରାଇନାହିଁ । ଏବେ ବି ଗ୍ରାମାଞ୍ଚଳମାନଙ୍କରେ ବହୁ ସଂଖ୍ୟାରେ ୧୮ ବର୍ଷରୁ କମ୍ ବୟସର ଝିଅଙ୍କ ବିବାହ ହେଉଛି । ଅଧିକାଂଶ କ୍ଷେତ୍ରରେ ଦାରିଦ୍ର୍ୟ ହିଁ ଏହାର ମୁଖ୍ୟ କାରଣ । କିନ୍ତୁ ପାଠପଢ଼ୁଆ ଓ ସ୍ଵଚ୍ଛଳ ବର୍ଗଙ୍କ ପରିବାରରେ ବି ଏକଥା ଘଟୁଛି । ମୋର ମନେଅଛି, ମୁଁ ସ୍କୁଲରେ ପଢ଼ୁଥିବା ବେଳେ ମୋର ବହୁ ସହପାଠିନୀଙ୍କ ବିବାହ ହୋଇଯାଇଥିଲା । ଏମିତି କି ମାଟ୍ରିକ ପରୀକ୍ଷା ଦେବାର ବହୁ ପୂର୍ବରୁ ଆମର ଜଣେ ପଡେ଼ାଶୀଙ୍କ ଝିଅ ଉତ୍ତରପ୍ରଦେଶର ଜଣେ ବୟସ୍କ ମୃତଦାରର ଦ୍ୱିତୀୟ ପତ୍ନୀ ହୋଇ ଚାଲିଯାଇଥିଲା । ମୋର ଆଉ ଜଣେ ବାନ୍ଧବୀ ଯେ କି ସ୍ଵଚ୍ଛଳ ପରିବାରରୁ ଆସିଥିଲା, ଦଶମ ଶ୍ରେଣୀ ପରୀକ୍ଷା ଶେଷ ହେଉହେଉ ମାତ୍ର ୧୫ ବର୍ଷ ବୟସରେ ବିବାହ କରି ଯାଇଥିଲା । ମୋର ଜଣେ ଦୂର ସମ୍ପର୍କୀୟ ତାଙ୍କ ଝିଅକୁ, ଆମମାନଙ୍କର ବାରମ୍ବାର ବାରଣ ସତ୍ତ୍ୱେ, ମାତ୍ର ୧୪ ବର୍ଷ ବୟସରେ ଶାଶୂଘର ପଠାଇ ଦେଇଥିଲେ। 

କେବଳ ଝିଅ ନୁହନ୍ତି, ପୁଅ ମଧ୍ୟ କମ ବୟସରେ ବିବାହ କରିବାର ନଜିର ରହିଛି । ମୋର ବାପାଙ୍କର ଜଣେ ବନ୍ଧୁ ଯେ କି ଶିକ୍ଷକତା କରୁଥିଲେ, ତାଙ୍କର ଏକମାତ୍ର ପୁଅକୁ ମାତ୍ର ୧୭ ବର୍ଷରେ ବିବାହ ଦେଇଥିଲେ । ଭାବନ୍ତୁ, ତାଙ୍କ ବୋହୂକୁ କେତେ ବୟସ ହୋଇଥିବ! କିଛି ବର୍ଷ ତଳେ ରାଜ୍ୟର ଜଣେ ଜଣାଶୁଣା ପୂର୍ବତନ ମନ୍ତ୍ରୀ ନିଜର ଝିଅର ବାଲ୍ୟବିବାହ କରାଇ ଦେଇଥିଲେ, ପରେ ସେ ବିବାହ ଅସଫଳ ହେବାରୁ ଉଭୟ ପିତାପୁତ୍ରୀ ଚର୍ଚ୍ଚାକୁ ଆସିଥିଲେ । ନିକଟ ଅତୀତରେ ଭୁବନେଶ୍ୱର ମଧ୍ୟରେ ଥିବା ସାଲିଆ ସାହିରେ ଏକ ବାଲ୍ୟବିବାହକୁ ସ୍ଵେଚ୍ଛାସେବୀ ସଙ୍ଗଠନ କର୍ମକର୍ତା ଓ ପୁଲିସ ପହଞ୍ଚି ବନ୍ଦ କରିବା ଘଟଣା ଗଣମାଧ୍ୟମରେ ଶିରୋନାମ ପାଲଟିଥିଲା ।

ଏ ତାଲିକା ବହୁତ ଲମ୍ବା । ଆମ ଅଲକ୍ଷ୍ୟରେ, ମୁଖ୍ୟସ୍ରୋତ ଆଢ଼ୁଆଳରେ ଏଭଳି ହଜାର ହଜାର ଘଟଣା ଘଟୁଛି । ବିଶେଷ କରି ଆଦିବାସୀ, ଦରିଦ୍ର ଓ ସମାଜର ମୁଖ୍ୟସ୍ରୋତରୁ ଦୂରରେ ଥିବା ଲୋକଙ୍କ ମଧ୍ୟରେ ଏବେ ବି ଏ ପରମ୍ପରା ବହୁଳ ଭାବେ ବଳବତ୍ତର । ୨୦୧୨ ମସିହାରେ ୟୁନିସେଫ୍ ରିପୋର୍ଟ ଅନୁସାରେ ଓଡ଼ିଶାରେ ୩୭.୨ ପ୍ରତିଶତ ନାବାଳିକା ବିବାହ କରୁଛନ୍ତି । ଅନେକ କ୍ଷେତ୍ରରେ ଶିଶୁସୁଲଭ ଚପଳାମୀରେ ସେମାନେ ବିବାହ ପାଇଁ ରାଜି ହେଉଛନ୍ତି ତ ବହୁ କ୍ଷେତ୍ରରେ ଅନିଚ୍ଛା ଥିଲେ ବି ବିରୋଧ କରିବାର ସାହସ ଯୁଟାଇ ପାରୁନାହାନ୍ତି ।

କିନ୍ତୁ ଓଡ଼ିଆ ଝିଅ ରଶ୍ମିତା ପ୍ରଧାନ ସେମିତି ନଥିଲେ । ସେ ବାଲ୍ୟବିବାହକୁ ରୋକଠୋକ ମନା କରିଦେଲେ । ପିତାମାତାଙ୍କ ଚାପ ବଢ଼ିବାରୁ ନିଜେ ସ୍ଵେଚ୍ଛାସେବୀ ସଙ୍ଗଠନର ଦ୍ୱାରସ୍ଥ ହୋଇ ଚର୍ଚ୍ଚାକୁ ଆସିଲେ । ଗତ ବର୍ଷର ଘଟଣା । ନିଜ ନିଷ୍ପତ୍ତିରେ ଅଟଳ ରଶ୍ମିତା ସବୁ ବାଧାବିଘ୍ନକୁ ସାମନା କରି ଶେଷରେ ସଫଳ ବି ହେଲେ ।

ଗଞ୍ଜାମ ଜିଲ୍ଲା ଶିଖରପଲ୍ଲୀ ଗାଁରେ ରଶ୍ମିତାଙ୍କ ଘର । ବିବାହଯୋଗ୍ୟ ଆଇନସ୍ଵୀକୃତ ବୟସ ପୂର୍ବରୁ ତାଙ୍କୁ ବାହାଦେବାକୁ ସ୍ଥିର କଲେ ପରିବାର ଲୋକ । ସେ ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ ଓ ଆଗକୁ ଉଚ୍ଚଶିକ୍ଷା କରିବାକୁ ଆଗ୍ରହୀ ଥିଲେ । କିନ୍ତୁ ତାଙ୍କୁ ସ୍କୁଲ ଯିବାକୁ ଅଟକାଇଲେ ତାଙ୍କ ମା’ । ପରିବାର ଲୋକ ପାତ୍ର ଠିକ କରି ସାରିଥିଲେ, ମା’ ବିବାହ ପାଇଁ କଥା ଦେଇ ସାରିଥିଲେ । ପଡେ଼ାଶୀ ପରିବାରର ଯୁବକ ଜଣକ ପାଠଶାଠ ପଢ଼ିନଥିଲେ ଓ ଗୁଜୁରାଟର ସୁରତର କୌଣସି କାରଖାନାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ପରିବାର ଆଖିରେ ଏହା ଠାରୁ ଭଲ ବରପାତ୍ର ଆଉ ନଥିଲା ।

ରଶ୍ମିତା କହନ୍ତି,

ମୁଁ ଜାଣିଥିଲି ବାହା ହେଲି ମାନେ ମୋ ଜୀବନ ଓ ପାଠପଢ଼ା ସବୁ ନଷ୍ଟ ହୋଇଯିବ । ମୋ ମନକୁ ନାନାଦି ଦୁଶ୍ଚିନ୍ତା ଆସୁଥିଲା । ମୁଁ ଜାଣିଥିଲି ମୋ ଅନୁରୋଧ କେହି ରଖିବେନି । କାରଣ ମୋର ଯେତେଶୀଘ୍ର ବାହାଘର ସାରିବେ ପରିବାର ଲୋକ ମୋ ସାନଭଉଣୀର ବିବାହ କରାଇ ଦାୟିତ୍ୱ ମୁକ୍ତ ହେବାକୁ ଚାହୁଁଥିଲେ । ମୁଁ ଏୟା ବି ଜାଣିଥିଲି ଯେ, ମୋର ଏ ନିଷ୍ପତ୍ତି ପାଇଁ ମୋ ମା’ ସମାଜରେ ନିନ୍ଦା ଶୁଣିବେ ।

କିନ୍ତୁ ବିବାହ ବନ୍ଦ କରିବା ଭିନ୍ନ ତାଙ୍କ ପାଖରେ ଆଉ କିଛି ଉପାୟ ନଥିଲା । ସେ ପୁଣି କହନ୍ତି, “ସାତ ବର୍ଷ ତଳେ ବାପାଙ୍କ ମୃତ୍ୟୁ ପରେ ଆମକୁ ବଢ଼ାଇବାରେ ମା’ ବହୁତ କଷ୍ଟ ସହିଛି । ତାକୁ ପୁଣି ଆଉ କଷ୍ଟ ଦେବାକୁ ମୁଁ ଚାହୁନଥିଲି । କିନ୍ତୁ ଅନ୍ୟପଟେ, ମୁଁ ବିବାହ କରି ମୋ ଜୀବନ ବରବାଦ କରିବାକୁ ବି ଚାହୁନଥିଲି ।”

ବାହାଘର ତାରିଖ ଯେତେ ପାଖେଇ ଆସୁଥିଲା, ପ୍ରସ୍ତୁତି ଯେତେ ଆଗେଇ ଚାଲିଥିଲା ସେତେସେତେ ଭାଙ୍ଗି ପଡ଼ୁଥିଲେ ରଶ୍ମିତା । ବାହାଘର ବନ୍ଦ କରିବା ପାଇଁ କିଛି ବି ଉପାୟ ପାଉନଥିଲେ ସେ । ଘର ଛାଡ଼ି କେଉଁଆଡେ଼ ଚାଲିଯିବାକୁ ବି ସାହସ ହେଉ ନଥିଲା । ଶେଷରେ ସ୍ଥାନୀୟ ଏକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସହ ସଂପୃକ୍ତ ଥିବା ଜଣେ ମହିଳା ନେତ୍ରୀ ରୀନା ନାହାକଙ୍କୁ ଭେଟି ସାହସର ସହ ନିଜର ମନକଥା ବ୍ୟକ୍ତ କଲେ ରଶ୍ମିତା । ରୀନା ବି ତାଙ୍କ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଲେ । ଗୋଟେ ମହିଳା ମଣ୍ଡଳ ସଭାକୁ ରଶ୍ମିତାର ମା’ଙ୍କୁ ଡକାଇଲେ ରୀନା । ବାଲ୍ୟ ବିବାହ ସହ ଯୋଡ଼ି ହୋଇ ରହିଥିବା ସମସ୍ୟା ବାବଦରେ ସେ ରଶ୍ମିତାଙ୍କ ମା’ଙ୍କୁ ବୁଝାଇବାକୁ ଚେଷ୍ଟାକଲେ । ବାରମ୍ବାର ତାଙ୍କ ଡକାଇ ବୁଝାଇବା ଓ ପରିବାରର ଅନ୍ୟ ଲୋକଙ୍କୁ ସଚେତନ କରାିବା ପରେ ଶେଷରେ ରଶ୍ମିତାଙ୍କ ବିବାହ ବନ୍ଦ କରାଇବାରେ ସଫଳ ହେଲେ ରୀନା ।

ରଶ୍ମିତା କହନ୍ତି, “ଯେତେବେଳେ ବିବାହ ବାତିଲ କରିବାକୁ ମା’ ରାଜି ହୋଇଗଲେ, ମୁଁ ବହୁତ ଖୁସି ହୋଇଥିଲି । ଏ କଥା କହୁ କହୁ ସେ କାନ୍ଦି ପକାଇଥିଲେ । ପୁଣି କହିଥିଲେ, ‘ନା, ମୁଁ କାନ୍ଦୁନି । ମୁଁ ବେଶ୍ ଖୁସି ।’

ଝିଅଟିଏ ୠତୁମତୀ ହେବା ପରେ ପରେ ଯେଉଁଠି ବିବାହ ଏକ ସାଧାରଣ କଥା, ସେ ଭଳି ସ୍ଥାନରେ ନିଜର ବିବାହ ବାତିଲ କରାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ବାଲ୍ୟ ବିବାହ କେବଳ ଆଇନ ବିରୁଦ୍ଧ ତା ନୁହେଁ । ବାଲ୍ୟବିବାହ ଦ୍ୱାରା ଝିଅଟିଏ ମାନସିକ ଓ ଶାରୀରିକ ସମସ୍ୟାର ସମ୍‍ୁଖୀନ ହୁଏ । ତା’ର ଚପଳତା, ଖୁସି ଓ ସ୍ଵାସ୍ଥ୍ୟ ସବୁ କାନ୍ତାରରେ ପଡ଼ିଯାଏ । ଏପରିକି ଅଧିକାଂଶ କ୍ଷେତ୍ରରେ ଦୁନିଆକୁ ଜାଣିବାର ବୟସ ଛୁଇଁବା ଆଗରୁ ସେମାନେ ଘରୋଇ ହିଂସାର ଶିକାର ହୁଅନ୍ତି । ଯଦି ସମାଜର ତାଡ଼ନା ଓ ପରିବାରର ସମ୍ମାନକୁ ଖାତିର ନକରି ରଶ୍ମିତା ବାଲ୍ୟବିବାହ ବିରୋଧରେ ନିଜେ ମୁହଁ ଖୋଲି ନଥାନ୍ତେ ତେବେ ଏହା ସମ୍ଭବ ହୋଇନଥାନ୍ତା ।

ଆଜି ରଶ୍ମିତା ଏକ ଉଦାହରଣ ଓ ଅନ୍ୟ ଝିଅମାନଙ୍କ ଲାଗି ପ୍ରେରଣା ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା subhransupanda@yahoo.co.in ରେ ଯୋଗାଯୋଗ କରାଯାଇ ପାରିବ।