ତିନୋଟି ଝିଅଙ୍କୁ ଦିନେ ପାଇଁ ମନ୍ତ୍ରୀ ପଦ ଦେଲେ

0

୨୪ ଜାନୁଆରୀ ଦିନ ସଂପୂର୍ଣ୍ଣ ଦେଶ ଜାତୀୟ କନ୍ୟା ଦିବସ ପାଳନ କରୁଥିଲା। କିନ୍ତୁ ରାଜସ୍ଥାନରେ ଏହି ଅବସରରେ ଏହି ଦିବସକୁ ସମ୍ମାନ ଦେବା ପାଇଁ ଏକ ଏପରି ଘଟଣା ଘଟିଲା ଯାହାକୁ ରାଜ୍ୟବାସୀ ସବୁ ସମୟରେ ମନେ ପକାଇବେ। ପ୍ରଥମ ଥର ପାଇଁ ତିନି ଜଣ ଝିଅଙ୍କୁ ଗୋଟିଏ ଦିନ ପାଇଁ ମନ୍ତ୍ରୀ ପଦ ଦିଆଯାଇଥିଲା।

Anita Bhadel, Source- NDTV
Anita Bhadel, Source- NDTV

ଗରୀମା ବାଳିକା ସଂରକ୍ଷଣ ସମ୍ମାନ ନାମରେ ରାଜସ୍ଥାନର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନିତା ଭାଡେଲ ଗୋଟିଏ ଦିନ ପାଇଁ ନିଜ ମନ୍ତ୍ରୀ ପଦ ଦେଇଥିଲେ। ରାଜଷ୍ମାଣ୍ଡର ଯଶୋଦା ଗାମେତି, ଟୋଙ୍କର ସୋନା ବଇରବା ଓ ରାଜାବତର ପ୍ରୀତି କଆଁରଙ୍କୁ ଏହି ସମ୍ମାନ ମିଳିଥିଲା। ଏହି ଝିଅ ମାନେ ମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଅଙ୍ଗନବାଡି କର୍ମୀ ମାନଙ୍କ ପାଇଁ ୧୦,୫୦୦ ମୋବାଇଲ ଫୋନ ଓ ୨୮୨ ଜଣ ମହିଳା ସୁପରଭାଇଜରଙ୍କୁ iPad ବଣ୍ଟନ କରିବା ଯୋଜନାକୁ ଅନୁମୋଦନ ଦେଇଥିଲେ। (ସୂତ୍ର – ପିଟିଆଇ)

ଏହି ତିନିଜଣ ଝିଅ ବାଲ୍ୟ ବିବାହ ବିରୁଦ୍ଧରେ ନିଜର ସ୍ଵର ଉତ୍ତୋଳନ କରିଥିବାରୁ ରାଜ୍ୟ ସାରା ତାଙ୍କ ସାହସର ଚର୍ଚ୍ଚା ଥିଲା ଓ ସେମାନଙ୍କୁ ଅନେକ ବାହାବା ମିଳିଥିଲା। ଏହି ଦିନିକିଆ ମନ୍ତ୍ରିତ୍ଵ ଦିନ ଭାଡେଲ ସେମାନଙ୍କୁ ମନ୍ତ୍ରାଳୟ କିପରି ଭାବେ କାର୍ଯ୍ୟ କରେ ସେ ସମ୍ପର୍କରେ ବୁଝାଇଥିଲେ।

“ଆମେ ଏକ ସନ୍ଦେଶ ଦେବାକୁ ଚାହୁଁଥିଲୁ ଯେ ଝିଅ ମାନେ ପୁଅ ମାନଙ୍କ ଠାରୁ କୌଣସି ଭାବେ କମ ନୁହନ୍ତି। ଉପଯୁକ୍ତ ସ୍ଵାଧୀନତା ପାଇଲେ ସେମାନେ ଅନେକ ଉଚ୍ଚକୁ ଯାଇପାରିବେ। ସମାଜରେ ଝିଅ ମାନଙ୍କୁ ସମାନ ସୁଯୋଗ ଓ ଅଧିକାର ମିଳିବ ଉଚିତ। ଏହାଦ୍ବାରା ସେମାନଙ୍କର ନିଜ ଉପରେ ଥିବା ପ୍ରତ୍ୟୟ ମଧ୍ୟ ବଢିବ,” 

                                                                           - ଭାଡେଲ କୁହନ୍ତି।

Shafaqnaର ଏକ ରିପୋର୍ଟ ଅନୁସାରେ ଏହି ଘୋଷଣା ପୂର୍ବରୁ ମନ୍ତ୍ରୀ ଜଣକ ବିଏମ ବିର୍ଲା ଅଡିଟରିୟମ ଠାରେ ଆୟୋଜିତ ହୋଇଥିବା ଏକ ସମ୍ମିଳନୀରେ କନ୍ୟା ମାନଙ୍କ ପ୍ରତି ସମାଜର ମାନସିକତା ସମ୍ପର୍କରେ ଧ୍ୟାନ ଆକର୍ଷଣ କରିଥିଲେ। ତାଙ୍କ ନେତୃତ୍ଵରେ ସରକାର ମହିଳା ମାନଙ୍କ ପାଇଁ ବିଭିନ୍ନ ଯୋଜନା ଅନ୍ତର୍ଗତ କାମ ଉପରେ ଜୋର ଦେଇ ସେ ଆଲୋଚନା କରିଥିଲେ।

ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ କୁଲଦୀପ ରାଙ୍କା, ICDSର ନିର୍ଦ୍ଦେଶକ ସମିତ ଶର୍ମା ଓ ବିଭିନ୍ନ ଅଣଲାଭକାରୀ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଜାତୀୟ କନ୍ୟା ସନ୍ତାନ ଦିବସ ପ୍ରତିବର୍ଷ ଜାନୁୟାରୀ ୨୪ରେ ଦେଶ ସାରା ପାଳିତ ହୁଏ। ଆମ ଦେଶ ଓ ସମାଜରେ କନ୍ୟା ସନ୍ତାନ ମାନେ ସାମନା କରୁଥିବା ବୈଷମ୍ୟ ସମ୍ପର୍କରେ ଜନତାକୁ ସଚେତନ କରାଇବା ପାଇଁ ଏହା ଏକ ଉଦ୍ୟମ। 

Related Stories