Olaର ଉଚ୍ଚାଭିଳାଷୀ ଯୋଜନା: ଆସନ୍ତା ୩ ବର୍ଷ ମଧ୍ୟରେ ୫୦ହଜାର ମହିଳାଙ୍କୁ ଚାଳକ ଉଦ୍ୟୋଗୀ ଭାବେ ସଶକ୍ତୀକରଣ କରିବା

0

ବିଗତ ବର୍ଷଗୁଡ଼ିକରେ, ମହିଳାମାନେ, ବିଶେଷତଃ ଏକୁଟିଆ ଯାତ୍ରା କରୁଥିବା ସମୟରେ ସେମାନଙ୍କ ସୁରକ୍ଷାକୁ ନେଇ ଉଠୁଥିବା ଅନେକ ପ୍ରଶ୍ନ ଉଠିଛି । ଏହାକୁ ଦୃଷ୍ଟିରେ ରଖି ମହିଳା ଗାଡ଼ିଚାଳକଙ୍କ ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଅନେକ ଯାତ୍ରୀବାହୀ ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକ ମହିଳା ଗାଡ଼ିଚାଳକଙ୍କୁ ନିୟୋଜିତ କରି ଉଭୟ ଗାଡ଼ିଚାଳକ ଏବଂ ଯାତ୍ରୀଙ୍କ ସଶକ୍ତୀକରଣ ପାଇଁ କାମ କରୁଛନ୍ତି ।

ଓଲା, ଏହି ଉଦ୍ୟମକୁ ନିଜର ଅଣୁ ଉଦ୍ୟୋଗୀ ମଡେଲ୍ ମାଧ୍ୟମରେ ଆଉ କିଛି ପାଦ ଆଗକୁ ନେବାକୁ ଚେଷ୍ଟା କରିଛି । ସେମାନେ କେବଳ ମହିଳା ଗାଡ଼ି ଚାଳକ ସୃଷ୍ଟି କରିବାକୁ ଚାହିଁନାହାନ୍ତି ବରଂ ଏକ ଓଲା ମହିଳା ଉଦ୍ୟୋଗୀ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି । ଓଲାର ମାର୍କେଟିଂ କମ୍ୟୁନିକେସନର ନିର୍ଦ୍ଧେଶକ ଆନନ୍ଦ ସୁବ୍ରମନ୍ୟମ୍ କହନ୍ତି, “ଚାଳକ ପାରିପାର୍ଶ୍ଵିକ ବ୍ୟବସ୍ଥାରେ ମହିଳାଙ୍କୁ ସଶକ୍ତୀକରଣ କରିବା ଆମର ଯୋଜନା । ଏକ ସ୍ଥାୟୀ ମଡେଲ୍ ନିର୍ମାଣ କରି ଏହି ମହିଳାମାନଙ୍କୁ ଏକ ଆତ୍ମନିର୍ଭରଶୀଳ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିବା ଆମର ଲକ୍ଷ୍ୟ ରହିଛି ।”

କିଛି ମାସ ପୂର୍ବେ, ଓଲା କ୍ୟାବ୍ ‘ଓଲା ପିଂକ୍’ର ଶୁଭାରମ୍ଭ କରିଥିଲା । ଏହା ନିୟୋଜିତ କରିବା ଓ ପ୍ରଶିକ୍ଷିତ କରିବା ଭଳି ଏକ ନିର୍ଦ୍ଧିଷ୍ଟ ବିଭାଗର ପ୍ରଚେଷ୍ଟା ଥିଲା । ନିକଟରେ, ଏନ୍ଏସ୍ଡିସିର ଏକ ନିବେଶକାରୀ କଂପାନୀ ଏମ୍ପପାୱାର୍ ପ୍ରଗତି(ଇପି), ଅଟୋମେଟିଭ୍ ସ୍କିଲ୍ସ ଡେଭ୍ଲାପ୍ମେଂଟ୍ କାଉନ୍ସିଲ୍ ଫର୍ ଟ୍ରେନିଂ ସହ ଓଲା ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ କରି ମହିଳା ଗାଡ଼ିଚାଳକଙ୍କ ଦକ୍ଷତାର ବିକାଶ ଓ ସଶକ୍ତୀକରଣ ପାଇଁ ଏକ ଭିତ୍ତିଭୂମୀ ସୃଷ୍ଟି କରିଛି ।

ପ୍ରଶିକ୍ଷଣ ଓ ଦକ୍ଷତାର ବିକାଶ

ପିଂକ୍ କ୍ୟାବ୍ ପ୍ରଚେଷ୍ଟା, ଗାଡ଼ି ଚାଳନାକୁ ମହିଳାଙ୍କ ମଧ୍ୟରେ ଏକ ବୃତ୍ତିଗତ ବିକଳ୍ପ ଭାବେ ଉପସ୍ଥାପିତ କରିବାକୁ ଓଲା ଲକ୍ଷ୍ୟ ରଖିଛି । ମହିଳାମାନଙ୍କୁ ବିଶେଷତଃ ସମାଜର ପଛୁଆବର୍ଗର ମହିଳାଙ୍କୁ ଏଥିରେ ସାମିଲ କରିବାକୁ ପ୍ରମୁଖତା ଦିଆଯାଉଛି । ପ୍ରଶିକ୍ଷଣରେ, ଗାଡ଼ିଚାଳନା ସଂପର୍କରେ ଜ୍ଞାନ ଓ ପ୍ରଶିକ୍ଷଣ, ମୌଳିକ ଯାନ୍ତ୍ରିକ ଦକ୍ଷତା ଓ ମାନଚିତ୍ର ପଠନ ଆଦି ସାମିଲ ରହିଛି । ଏହା ବ୍ୟତୀତ ମହିଳାଙ୍କୁ ଯୋଗାଯୋଗର କୌଶଳ, ଇଂରାଜି କଥନ, ବୈଷୟିକ ଶିକ୍ଷା, ବ୍ୟବହାର, ରାସ୍ତା ନିରୂପଣ ଆଦି ସଂପର୍କରେ ମଧ୍ୟ ଶିକ୍ଷା ଦିଆଯାଏ ।

ମୌଳିକ ଚୟନ ପ୍ରକ୍ରିୟାରେ ଯେଉଁ ମହିଳାଙ୍କ ନିକଟରେ ବୈଧ ପ୍ରମାଣପତ୍ର ଓ ବାଣିଜ୍ୟିକ ବ୍ୟାଜ୍ ରହିଛି ତାଙ୍କୁ ପ୍ରାଥମିକତା ଦିଆଯାଇଥାଏ । ଆନନ୍ଦ କହନ୍ତି, “ଓଲା ସେମାନଙ୍କୁ ବୈଷୟିକ କ୍ଷେତ୍ର ଦ୍ୱାରା ଭିତ୍ତିଭୂମୀ, ବିତ୍ତ ବିକଳ୍ପ ଓ କ୍ରମାଗତ ରାଜସ୍ୱ ଆଦିର ଯେଭଳି ସହଜରେ ପ୍ରାପ୍ତି ହୋଇପାରିବ ସେନେଇ ସହାୟତା ଦେଇଥାଏ । ଅପ୍ରଶିକ୍ଷିତ ମହିଳା ଗାଡ଼ିଚାଳିକଙ୍କୁ ଓଲାର ଗାଡ଼ିଚଳାଇବା ପୂର୍ବରୁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଇଥାଏ ।” ଅନ୍ୟ ଗାଡ଼ିଚାଳକଙ୍କ ଭଳି ମହିଳା ଗାଡ଼ିଚାଳକମାନଙ୍କର ମଧ୍ୟ ସେମାନଙ୍କ ବୃତ୍ତିଗତ ଓ ବ୍ୟକ୍ତିଗତ ନଥିପତ୍ରରେ କେୱାଇସିର ଆବଶ୍ୟକତା ହୋଇଥାଏ ।

ସଂପୂର୍ଣ୍ଣ ସୁରକ୍ଷା ଓ ସ୍ୱଚ୍ଛତା ରକ୍ଷା କରିବାକୁ, ଓଲା ନିଜର ଓଲା ଆପ୍(ଆପ୍ଲିକେସନର କ୍ଷୁଦ୍ର ଉକ୍ତି) ଜରିଆରେ ପଂଜିକୃତ କରିଥିବା ସମସ୍ତ ଗାଡ଼ିଚାଳକଙ୍କ ଅପରାଧିକ ଯାଂଚ ଓ ପୁଲିସ ଅନୁସନ୍ଧାନ ବାଧ୍ୟତାମୂଳକ କରିଥାଏ । ଆନନ୍ଦ କହନ୍ତି, “ଏଥିପାଇଁ, ଆମେ ଭାରତର ସବୁଠାରୁ ନାମୀ ପ୍ରଚ୍ଛଦପଟ୍ଟ ସତ୍ୟାପନ କରୁଥିବା ସଂସ୍ଥା ଅଥବ୍ରିଜର ସହାୟତା ନେଇଛୁ । କେବଳ ଏହାନୁହେଁ ଏହି ସଂସ୍ଥା ଆଇଏସ୍ଓ ଓ ଆଇଏସ୍ଓ-ଆଇଏସ୍ଏମ୍ଏସ୍ ପ୍ରମାଣ ପତ୍ରପାଇଥିବା ଅଳ୍ପ କେତେକ ସଂସ୍ଥା ମଧ୍ୟରୁ ଗୋଟିଏ ଅଟେ ।

ସଫଳତାକୁ ନିଶ୍ଚିତ କରିବା

ଜଣେ ଦକ୍ଷ ଗାଡ଼ିଚାଳକ ହେବାପାଇଁ ବ୍ୟାପକ ପ୍ରଶିକ୍ଷଣ କରିବା ବ୍ୟତୀତ, ଏହି ମହିଳା ଗାଡ଼ିଚାଳକଙ୍କୁ ଦୈନିକ କିସ୍ତି ଶୁଝିବା ବ୍ୟବସ୍ଥାରେ ଋଣ ପ୍ରଦାନରେ ସହାୟତା କରିଥାଏ । ଏଭଳି ଋଣ ବ୍ୟବସ୍ଥା, ଆର୍ଥିକ ଅନୁଷ୍ଠାନ ଏସବିଆଇ, ଶ୍ରୀରାମ ଟ୍ରାନ୍ସପୋର୍ଟ ଫାଇନାନ୍ସ କଂପାନୀ ଓ ମହୀନ୍ଦ୍ରା ଫାଇନାନ୍ସ ପକ୍ଷରୁ ଦିଆ ଯାଉଥିବା ସାଂପ୍ରତିକ ମାସିକ ଅର୍ଥ କିସ୍ତି (ଇଏମ୍ଆଇ) ଭଳି ନୁହେଁ । ଜଣେ ଗାଡ଼ିଚାଳକଙ୍କୁ ଉଦ୍ୟୋଗୀରେ ପରିବର୍ତିତ କରିବାକୁ ଓଲା ୧୦୦କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରିଛି ଫଳରେ ଗାଡ଼ିଚାଳକମାନେ ନିଜର ଗାଡ଼ି କିଣିପାରିବେ ।

ଜଣେ ସଫଳ ମହିଳା ଗାଡ଼ିଚାଳକ ଉଦ୍ୟୋଗୀ ରେଣୁକା ଦେବୀ କହନ୍ତି ଯେ ସେ ସର୍ବଦା ଜଣେ ସ୍ୱାଧୀନ ମହିଳା ହେବାକୁ ଚାହୁଁଥିଲେ ଏବଂ ଓଲା ତାଙ୍କୁ ଏଥିରେ ସହାୟତା ପ୍ରଦାନ କରିଛି । ଦୁଇ ବର୍ଷ ପୂର୍ବେ ସେ ଗୋଟିଏ କାରକୁ ନେଇ ନିଜର ବ୍ୟବସାୟ ଆରମ୍ଭ କରିଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କ ନିକଟରେ ୭ଟି କାର୍ ଅଛି ଓ ସମସ୍ତ କାର୍ ଓଲା ସହ ଅନୁବନ୍ଧିତ ରହିଛି । ଯେଉଁକାମକୁ ସେ ଆୟର ଅତିରିକ୍ତ ସ୍ରୋତ ଭାବେ ଆରମ୍ଭ କରିଥିଲେ, ବର୍ତ୍ତମାନ ତାହା ଏକ ବଡ଼ ବ୍ୟବସାୟରେ ପରିଣତ ହୋଇଛି ଏବଂ ରେଣୁକାଙ୍କ ପରିବାରର ପ୍ରମୁଖ ଆୟର ସ୍ରୋତ ଭାବେ ପ୍ରତିବାଦିତ ହୋଇଛି ।

ସେ କହନ୍ତି, “ ମୁଁ ବହୁତ ଖୁସୀ ଯେ ଓଲା ସହ ଅନୁବନ୍ଧିତ ରହିଛି, କାରଣ ମୁଁ ପର୍ଯ୍ୟାପ୍ତ ସହାୟତା ପାଉଛି ଓ ଗାଡ଼ିଚାଳକମାନେ ପ୍ରଯୁକ୍ତି ବିଷୟରେ ଜ୍ଞାନ ଅର୍ଜନ କରିବା ସହ ଗ୍ରାହକଙ୍କୁ ଯୋଗାଡ଼ କରିବାରେ ସହାୟକ ହେଉଛି ।”

ଗାଡ଼ିଚାଳକ ଓ ଗ୍ରାହକଙ୍କ ସୁରକ୍ଷାକୁ ନିଶ୍ଚିତ କରିବାକୁ, ଓଲା ବିଭିନ୍ନ ପ୍ରକାରର ସୁରକ୍ଷାର ଅନେକ ସ୍ତରକୁ ଗୋଟିଏ ସ୍ଥାନରେ ଏକଯୁଟ କରିଛି । ଆପରେ ଏସ୍ଓଏସ୍(ଆପାତକାଳୀନ ସୁରକ୍ଷା ଆହ୍ୱାନ) ବ୍ୟବସ୍ଥା ରହିଛି, ଯାହା ବାସ୍ତବିକ ସମୟର ସମସ୍ତ ଯାତ୍ରାର ସୂଚନା ସହ ପୂର୍ବାନୁବନ୍ଧିତ ବନ୍ଧୁ ଓ ପରିବାରର ସଦସ୍ୟଙ୍କ ନିକଟକୁ ଜିପିଏସ୍ ଦ୍ୱାରା ସ୍ଥାନର ସଠିକ୍ ସୂଚନା ଏସ୍ଏମ୍ଏସ କିମ୍ବା ଇମେଲ୍ ଦ୍ୱାରା ପହଂଚିଯାଏ । ଏନେଇ ଆନନ୍ଦ କହନ୍ତି, “ଓଲାର ୨୪ଘଂଟିଆ କଲ୍ ସେଂଟର ରହିଛି, ଏହାଦ୍ୱାରା ଆବଶ୍ୟକତା ସମୟରେ ଗ୍ରାହକଙ୍କୁ ସହାୟତା ଯୋଗାଇଦିଆଯାଇଥାଏ । ଏହା ସହ ଓଲା ଦ୍ୱାରା ସମସ୍ତ ଗାଡ଼ିର ଯାତ୍ରା ସୂଚନା ମଧ୍ୟ ସଂଗ୍ରହ କରାଯାଇଥାଏ । ସେହିଭଳି ପ୍ରତିକ୍ରିୟା ସୂଚକାଙ୍କ ବ୍ୟବସ୍ଥା ମଧ୍ୟ ରହିଛି ଯାହାଦ୍ୱାରା ଉଚ୍ଚମାନର ଅଭିଜ୍ଞତା ଅର୍ଜନ କରାଯାଇପାରିବ।”

କୌଣସି ସମୟରେ ମହିଳା ଗାଡ଼ିଚାଳକମାନେ ଅସୁବିଧାରେ ପଡ଼ନ୍ତି, ସେମାନେ କୌଣସି ବୁକିଂକୁ ନାକଚ କରିବାର ସ୍ୱାଧୀନତା ରହିଛି । ଆନନ୍ଦ କହନ୍ତି, “ସେମାନେ ୨୪ଘଂଟିଆ ଗାଡ଼ିଚାଳକ ସହାୟତା ଟିମକୁ ଯୋଗାଯୋଗ କରି ସହାୟତା କିମ୍ବା ପରାମର୍ଶ ନେଇପାରିବେ । ସେହିଭଳି ଅତିରିକ୍ତ ସୁରକ୍ଷା ବ୍ୟବସ୍ଥାଗୁଡ଼ିକ ମଧ୍ୟ ଭବିଷ୍ୟତରେ ଲାଗୁ କରିବା ଯୋଜନା ରହିଛି ।”

ଓଲାର ଅନ୍ୟଜଣେ ମହିଳା ଉଦ୍ୟୋଗୀ ଶିବା କହନ୍ତି, “ଗତ ଦୁଇମାସରେ, ମୁଁ ଓଲାରେ ଯୋଗ ଦେବା ପରେ ମୁଁ ଯେତିକି ଲୋକଙ୍କ ବୁକିଂ ପାଇଛି ତାକୁ ଦେଖି ମୁଁ ବହୁତ ଖୁସୀ ଅଛି । ମୁଁ ସେଠାରେ ଭଲ ବ୍ୟବହାର ପାଉଛି ଓ ଯେତେବେଳେ ମୁଁ ଚାହିଁଛି ସେତେବେଳେ କାମ କରିବାର ସ୍ୱାଧୀନତା ପାଇଛି । ଏହାଦ୍ୱାରା କାମ-ଜୀବନ ମଧ୍ୟରେ ସମତୁଲ ରକ୍ଷା କରିପାରିଛି ।”

ଓଲାରେ କାମ କରୁଥିବା ୭୦ ପ୍ରତିଶତ ଗାଡ଼ିଚାଳକ ଉଦ୍ୟୋଗୀ ଅଟନ୍ତି, ଅନେକ ଓଲା ଦ୍ୱାରା ଟାଟା, ନିସାନ୍, ମାରୁତି, ଫର୍ଡ ଓ ମହୀନ୍ଦ୍ରା ଆଦି କଂପାନୀ ଠାରୁ ଗାଡ଼ି କିଣିବା ପାଇଁ ସହାୟତା ପାଇବା ପରେ ଏଠାରେ ଯୋଗ ଦେଇଛନ୍ତି । ଓଲା ମଧ୍ୟ ଗାଡ଼ିନିର୍ମାଣକାରୀ ସଂସ୍ଥା ଓ ଆର୍ଥିକ ଅନୁଷ୍ଠାନ ମଧ୍ୟରେ ଏକ ଦୃଢ଼ ଯୋଗସୂତ୍ର ସ୍ଥାପନ କରିଛି ଯଦ୍ୱାରା ଗାଡ଼ିଚାଳକମାନେ ବଜାର ଦରଠାରୁ କମ୍ ଦରରେ ଗାଡ଼ି କିଣିପାରିବେ । ସେମାନେ ଦାବିକରିଛନ୍ତି ଯେ ବର୍ତମାନ ସୁଦ୍ଧା ସମଗ୍ର ଦେଶରେ ୧୫ହଜାର ଗାଡ଼ିଚାଳକ ଏହି ବ୍ୟବସ୍ଥା ଦ୍ୱାରା ସୁବିଧା ପାଇଛନ୍ତି ।

ଉହିଳା ଗାଡ଼ିଚାଳକଙ୍କ ପାଇଁ, ଆସନ୍ତା ତିନି ବର୍ଷ ମଧ୍ୟରେ ଓଲା ୫୦ହଜାର ମହିଳା ଗାଡ଼ିଚାଳକଙ୍କୁ ନିଜର କ୍ଷେତ୍ର ମଧ୍ୟକୁ ଆଣିବାକୁ ଯୋଜନା ରଖିଛି । ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ସେମାନେ ଉଭୟ ଜାତୀୟ ଏବଂ ସ୍ଥାନୀୟ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି । ଏହି ଯୋଜନାରେ ଦିଲ୍ଲୀର ଅଲ୍ ଇଣ୍ଡିଆ ୱିମ୍ୟାନ୍ସ ଏଜୁକେସନ ଫଣ୍ଡ୍ ଆସୋସିଏସନ୍(ଏଆଇଡବ୍ଲୁଇଏଫ୍ଏ), ଚେନ୍ନାଇର ଆସୋସିଏସ୍ନ ଫର୍ ନନ୍ ଟ୍ରେଡିସନାଲ ଇମ୍ପ୍ଲୋଏମେଂଟ୍ ଫର୍ ୱିମ୍ୟାନ୍(ଏଏନ୍ଇଡବ୍ଲୁ) ଓ ବାଙ୍ଗାଲୁରର ଆଂଜେଲ୍ ସିଟି କ୍ୟାବ୍ ସର୍ଭିସ୍ ସହ ମିଳିତ ଭାବେ କାମ କରୁଛନ୍ତି ।

ଆନନ୍ଦ କହନ୍ତି, “ ଓଲା, ଇପି ଓ ଏଏସ୍ଡିଏସ୍ ମିଳିତ ଭାବେ କାମ କରିବା ଦ୍ୱାରା ମହିଳା ଗାଡ଼ିଚାଳକ ଉଦ୍ୟୋଗୀଙ୍କ ପାଇଁ ଏକ ଉନ୍ନତ ଭବିଷ୍ୟତର ନିର୍ମାଣ ହୋଇପାରିବ । ଏହାଦ୍ୱାରା ସେମାନେ ଏକ ସ୍ଥାୟୀ କର୍ମସଂସ୍ଥାନ ଓ ଆୟ ଯୋଗାଡ଼ କରିପାରିବେ ।”