ଡିସ୍ପ୍ଲେ ସିଷ୍ଟମ୍ ଡିଜାଇନରୁ ଅନଲାଇନ୍ ଚା’ ବିକ୍ରି : ଅଭିଜିତ ମଜୁମଦାରଙ୍କ ସଫଳତାର କାହାଣୀ

ଡିସ୍ପ୍ଲେ ସିଷ୍ଟମ୍ ଡିଜାଇନରୁ ଅନଲାଇନ୍ ଚା’ ବିକ୍ରି : ଅଭିଜିତ ମଜୁମଦାରଙ୍କ ସଫଳତାର କାହାଣୀ

Monday December 07, 2015,

3 min Read

ପୂର୍ବ ଦିଲ୍ଲୀର ଗୋଟେ ନିର୍ଜନ ଗଳିରେ ୨୦୧୨ ମସିହାରୁ ପ୍ରତିଦିନ ବିଭିନ୍ନ ପ୍ରକାରର ଚା’କୁ ନେଇ ବ୍ୟବସାୟ କରିଆସୁଛନ୍ତି ଅଭିଜିତ ମଜୁମଦାର । ଦୀର୍ଘ ୧୮ ବର୍ଷ ଧରି ଡିଜାଇନ ଶିଳ୍ପରେ କାମ କରିବା ପରେ ଆଉ ପର ଅଧୀନରେ ରହିବାକୁ ଚାହିଲେନି ଅଭିଜିତ ଓ ସେଇଠୁ ଏ ଚା’ ବ୍ୟବସାୟର ଆରମ୍ଭ ।

“ଖାଦ୍ୟ ହେଉଛି ମଣିଷର ପ୍ରଥମ ଚିନ୍ତା ବୋଲି ମୁଁ ଓ ମୋର ବନ୍ଧୁ ବୁଝିଲୁ । ସେଠୁ ମୁଁ ସହର ସାରା ବୁଲି ବିଭିନ୍ନ ଖାଦ୍ୟ ରୁଚି ଅନୁଧ୍ୟାନ କଲି । ଦୁଇ ବର୍ଷ ଯାଏଁ ପ୍ରତି ସପ୍ତାହ ଶେଷରେ ଆମେ ଦିଲ୍ଲୀରେ ବୁଲିଲୁ ଓ କ’ଣ ସୁବ ନୂଆ ଖାଦ୍ୟ ବିକ୍ରି ହେଉଛି ଦେଖିଲୁ ।”

ଅଭିଜିତ ସେତେବେଳର କଥା ମନେପକାଇ କହନ୍ତି, ‘ଆମେ ସବୁ ଦେଖିଲୁ- ସୁକୁମାରିଆ ଖାଦ୍ୟର ବିପଣି, ବିଭିନ୍ନ ଅଞ୍ଚଳ ଖାଦ୍ୟରୁଚି ଓ ରଙ୍ଗବେରଙ୍ଗ କଫି ସପ୍ । ଚା’ ଦୋକାନ ମଧ୍ୟ ଦେଖିଲୁ । ଆମ ଭାରତୀୟମାନେ ଚା’ ପସନ୍ଦ କରନ୍ତି; ଘର ତିଆରି ନହେଲେ ରାସ୍ତାକଡ଼ରେ । ଯେତେବେଳେ ରଙ୍ଗବେରଙ୍ଗ ସୁନ୍ଦର କଫି ସପ୍ ହୋଇପାରୁଛି, ତେବେ ଚା’ ପାଇଁ ବି ସେଭଳି କାହିଁକି ନହେବ? ଏଇଠୁ ଚା’ ଲାଉଞ୍ଜ୍ କରିବାକୁ ଆମେ ନିଷ୍ପତ୍ତି ନେଲୁ ।’

image


ଚା’ର ନିଶା

ଯେତେବେଳେ ସାମ୍ଟେଲ ସଂସ୍ଥାରେ ସେ ବିଭିନ୍ନ ଖାଉଟି ଦ୍ରବ୍ୟ, ଏୟାରବସ୍ ଓ ଏଫ୍-୧୬ ପାଇଁ ସିଆର୍ଟି ଡିସ୍ପ୍ଲେ ଡିଜାଇନ କରୁଥିଲେ ସେତେବେଳେ ଅଭିଜିତଙ୍କୁ ତାଙ୍କ ଚୀନ୍ ଓ ଜାପାନ ଗ୍ରାହକମାନେ ଚା’ ଉପହାର ଆଣି ଦେଉଥିଲେ । ସେମାନେ ଅନ୍ୟ କୌଣସି ଦେଶକୁ ଗଲାବେଳେ ନିଜ ଦେଶର ଐତିହ୍ୟ ଓ ସଂସ୍କୃତିକୁ ଏଇ ଚା’ ମାଧ୍ୟମରେ ବହନ କରୁଥିଲେ । କାଳକ୍ରମେ ଏଇ ସବୁ ଚା’ ଉପହାରରେ ଅଭିଜିତଙ୍କ ଥାକ ପୂରିଗଲା । ସେ କହନ୍ତି, ‘ମୋ ସହଯୋଗୀମାନେ ସେ ସବୁ ପ୍ରତି ଆକର୍ଷିତ ହେଲେ ଓ ବେଳେବେଳେ ନେଇ ଚା’ ତିଆରିଲେ । ଏଣୁ ମୁଁ ଚା’ ଲାଉଞ୍ଜ୍ କଥା ଚିନ୍ତା କଲାବେଳେ ଏ ବାବଦରେ ଅଧିକ ଶିଖିବାକୁ ଚାହିଁଲି ।’

ସେ ଚାକିରି ପାଇଁ ପୂରା ସମୟ ନଦେଇ ପ୍ରଥମେ ଜଣେ ସାମୟିକ କନ୍ସଲ୍ଟାଣ୍ଟ ଭାବେ କାର୍ଯ୍ୟ କଲେ ଓ ଚା’ ଗବେଷଣା ପାଇଁ ଅଧିକ ସମୟ ଦେଲେ । ସେ ବିବିଧ ଚା’ ଉପରେ ଜ୍ଞାନ ହାସଲ କଲେ ଓ ସେ ଉପରେ ଗବେଷଣା କଲେ । ନ୍ୟୁ ଗେ୍ଲେଙ୍କାର ଶିବ ଶରିଆ ଓ ମିତ୍ତଲ ଟିଜ୍ର ବିକ୍ରମ ମିତ୍ତଲଙ୍କୁ ନିଜର ପରାମର୍ଶଦାତା ଭାବେ ପାଇଲେ । ଶେଷରେ ସେ ସାମ୍ଟେଲ ଚାକିରି ଛାଡ଼ି ଆରମ୍ଭ କଲେ ଚା’ ଲାଉଞ୍ଜ୍ । ପୂର୍ବ ଦିଲ୍ଲୀରେ ସେ ଏଥିପାଇଁ ଜାଗା ପାଇଲେ ଓ ନିଜ ବନ୍ଧୁଙ୍କ ସହ ମିଶି କିଛି ପୁଞ୍ଜିଦାତା ବି ହାସଲ କଲେ ।

ମାଟି କାମୁଡ଼ିଲେ, ପୁଣି ଉଠିଲେ

ବିଭିନ୍ନ ଭିତ୍ତିଭୂମି ଅଭାବ କାରଣରୁୁ ଅଭିଜିତ ଓ ତାଙ୍କ ବନ୍ଧୁଙ୍କୁ ପ୍ରଥମେ ମାଟି କାମୁଡ଼ିବାକୁ ହେଲା । କିଛି ସଂଘର୍ଷ ପରେ ସେମାନେ ଟି ଲାଉଞ୍ଜ୍ ଯୋଜନାରୁ କ୍ଷାନ୍ତ ହୋଇ ଚା’ ପତି ବିକିବା ଆରମ୍ଭ କଲେ । ବିକ୍ରମ ମିତ୍ତଲ ତାଙ୍କୁ ଉତ୍ସାହିତ କଲେ ଓ ତାଙ୍କୁ ଚା’ ଯୋଗାଇବାକୁ ଇଛା ବ୍ୟକ୍ତ କଲେ । ଅନ୍ୟମାନଙ୍କ ପାଇଁ ବଡ଼ ବଡ଼ ଅର୍ଡର ରଖିବା ସହ ଅଭିଜିତ ନିଜ ଦୋକନରେ ବି ଖୁଚୁରା ବିକ୍ରି ଆରମ୍ଭ କଲେ ।

ଅଭିଜିତଙ୍କର ବଡ଼ ସଫଳତା ହେଲା, ସେ ନିଜର ଗ୍ରାହକମାନଙ୍କୁ ଏଭଳି ବ୍ୟବହାର କରନ୍ତି ଯେ ସେଇମାନେ ହିଁ ତାଙ୍କ ବ୍ୟବସାୟର ପ୍ରଚାର କରନ୍ତି । କିଛି ଲୋକ ଚା’ କିଣିବାକୁ ଆସନ୍ତି, ଆଉ କେତେକେ ସେଠରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଚା’ ପିଇବାକୁ ଭଲପାଆନ୍ତି ।

ଖୁଚୁରା ଓ ବୃହତ ଅର୍ଡର ସାଙ୍ଗକୁ ଅଭିଜିତ ଚାଇୱାଲା ପୋର୍ଟାଲ ଆରମ୍ଭ କଲେ, ଯେଉଁଠି ଅନଲାଇନ୍ ଚା’ ବିକ୍ରି ହେଲା । ଆମାଜନ୍ ଭଳି ପୋର୍ଟାଲ ସହଯୋଗରେ ସେ ନିଜର ବିକ୍ରି ଅଧିକ ବଢ଼ାଇଲେ । ଅନ୍ୟପଟେ ତାଙ୍କ ସ୍ଵପ୍ନର ଟି-ଲାଉଞ୍ଜ୍ ଆଗାମୀ ବର୍ଷରେ ଆରମ୍ଭ କରିବାକୁ ସେ ଲାଗି ପଡ଼ିଛନ୍ତି ।

ବିଭିନ୍ନ ଫୁଷ୍ପ ଚା’, ଚେରମୂଳି ଚା’ ଆଦି ବିକିବା ଓ ସେ ସମ୍ପର୍କରେ ଅଧିକ ଅଧ୍ୟୟନ କରିବାର ଅଭିଜ୍ଞତାରୁ ସେ କହନ୍ତି, ‘ମୁଁ ଏସବୁର ଔଷଧୀୟ ଶକ୍ତି ବାବଦରେ ଜାଣିଲି । ସାଫ୍ପ୍ଲାୱର ଓ ବୋରାଗୋ ଅଫିସିଆନାଲିସ୍ ଭଳି କିଛି ଚା’ ମିଶ୍ରଣ ଉପରେ ଏବେ ମୁଁ କାମ କରୁଛି ।’ ସେ ବିରଳ ପୁଷ୍ପଗୁଡ଼ିକର ବ୍ୟବସାୟିକରଣ ପାଇଁ ଚିନ୍ତା କରୁଛନ୍ତି । ସେ ଜଣେ ଆୟୁର୍ବେଦ ଔଷଧ ଦାତା ଭାବେ ବି କାମ କରୁଛନ୍ତି ।

ପ୍ରକୃତିକୁ ସମ୍ମାନ

ଅଭିଜିତ କହନ୍ତି, “ଆମେ ଲୋକଙ୍କୁ ପ୍ରକୃତିକ ହାଲକା ପତ୍ର ଚା’ ନେବାକୁ ଉତ୍ସାହିତ କରୁଛୁ । ସେମାନଙ୍କୁ ଚା’ର ବିଭିନ୍ନ ସ୍ଵାଦ ବାବଦରେ ବୁଝାଉଛୁ ।’ ଏବେ ସେ ସୌରିନ୍, ନାମରିଂ, ଗୋପାଳଧାରା, ସୁଙ୍ଗମ ଓ ଭାରତ ତଥା ଭାରତ ବାହାରେ କିଛି ଚା’ ନିଲାମଧାରୀ ତଥା ସ୍ଵାଧୀନ ଚା’ ବିତରକଙ୍କ ସହ ସୁସମ୍ପର୍କ ରଖିଛନ୍ତି ।

ମୂଳ ଲେଖା - ଇନ୍ଦ୍ରଜିତ ଡି. ଚୌଧୁରୀ

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା