ଡିସେମ୍ବର ୨୦୧୫ ସୁଦ୍ଧା ଭାରତ ହେବ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଦେଶ

ଡିସେମ୍ବର ୨୦୧୫ ସୁଦ୍ଧା ଭାରତ ହେବ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଦେଶ

Monday December 07, 2015,

3 min Read

ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଇଣ୍ଟରନେଟ୍‍ ବ୍ୟବହାରକାରୀଙ୍କ ଦେଶ ହୋଇଥିବା ବେଳେ ଡିସେମ୍ବର ୨୦୧୫ ସୁଦ୍ଧା ଭାରତ ଏହାକୁ ଟପିଯିବ । ଭାରତ ଇଣ୍ଟରନେଟ୍‍ ଓ ମୋବାଇଲ ସଂଘ(ଆଇଏଏମ୍‍ଏଆଇ) ଏବଂ ଆଇଏମ୍‍ଆର୍‍ବି ଇଣ୍ଟରନାସନାଲ ପକ୍ଷରୁ ଜାରି ହୋଇଥିବା ‘ଇଣ୍ଟରନେଟ ଇନ୍‍ ଇଣ୍ଡିଆ ୨୦୧୫’ ରିପୋର୍ଟରେ ଏଭଳି ବହୁ ରୋଚକ ତଥ୍ୟ ପ୍ରକାଶ ପାଇଛି ।

image


ରିପୋର୍ଟ ଅନୁସାରେ, ଗତ ବର୍ଷ ତୁଳନାରେ ଏଥର ଡିସେମ୍ବର ସୁଦ୍ଧା ଭାରତରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୪୯ ପ୍ରତିଶତ ବୃଦ୍ଧିପାଇ ୪୦.୨ କୋଟିରେ ପହଞ୍ଚିବ । ଅକ୍ଟୋବରରେ ୩୧.୭ କୋଟି ଲୋକ ଭାରତରେ ଇଣ୍ଟରନେଟ ବ୍ୟବହାର କରିଛନ୍ତି । ବିଶ୍ୱରେ ଚୀନ ବର୍ତମାନ ଏ କ୍ଷେତ୍ରରେ ସର୍ବାଗ୍ରେ ରହିଛି । ସେଠାରେ ୬୦ କୋଟି ଲୋକ ଇଣ୍ଟରନେଟ ବ୍ୟବହାର କରୁଛନ୍ତି ।

ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ, କାରଣ ଏ ବୃଦ୍ଧି ପାଇଁ ମୋବାଇଲ ଫୋନ୍‍ ଦାୟୀ । ସହରୀ ଭାରତରେ ଗତ ବର୍ଷ ତୁଳନାରେ ୨୦୧୫ ଅକ୍ଟୋବର ସୁଦ୍ଧା ମୋବାଇଲ ଇଣ୍ଟରନେଟ୍‍ ବ୍ୟବହାରକାରୀଙ୍କ ସଂଖ୍ୟା ୬୫ ଶତାଂଶ ବୃଦ୍ଧି ପାଇ ୧୯.୭ କୋଟିରେ ପହଞ୍ଚିଥିଲା । ଗ୍ରାମୀଣ ଭାରତରେ ୨୦୧୫ ଡିସେମ୍ବର ସୁଦ୍ଧା ଏ ସଂଖ୍ୟଶ ୮.୭ କୋଟି ଏବଂ ୨୦୧୬ ଜୁନ ସୁଦ୍ଧା ୧୦.୯ କୋଟିରେ ପହଞ୍ଚିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି ।

ସହରୀ ଭାରତରେ ୯୪ ପ୍ରତିଶତ ଇଣ୍ଟରନେଟ୍‍ ବ୍ୟବହାରକାରୀ ମୋବାଇଲ ଫୋନ ମାଧ୍ୟମରେ ହିଁ ଏହା କରିଥାନ୍ତି । ତେବେ ୬୪ ପ୍ରତିଶତ ଲାପ୍‍ଟପ୍‍ ବା ଡେସ୍କଟପ୍‍ ବି ବ୍ୟବହାର କରିଥାନ୍ତି । ୯୦ ପ୍ରତିଶତ ବ୍ୟବହାରକାରୀ ନିଜର ମୋବାଇଲ ଫୋନ୍‍କୁ ସେମାନଙ୍କ ଇଣ୍ଟରନେଟ ବ୍ୟବହାରର ପ୍ରଧାନ ମାଧ୍ୟମ ବୋଲି ମନେକରନ୍ତି ।

ବିକ୍ରୟ, ସ୍ୱାସ୍ଥ୍ୟସେବା ଓ ଅର୍ଥଲଗାଣ ଭଳି ଖାଉଟି-ଆଶ୍ରୟୀ ବ୍ୟବସାୟ ଅନୁଷ୍ଠାନ ପାଇଁ ଏହା ଅବଶ୍ୟ ଏକ ଶୁଭ ଲକ୍ଷଣ । ଯେମିତି କି, ମୋବାଇଲ ୱାଲେଟ ଓ ଇ-କମର୍ସ କମ୍ପାନି ପେଟିଏମ୍‍ର ପ୍ରତିଷ୍ଠାତା ମୁଖ୍ୟ କାର୍ଯ୍ୟନିର୍ବାହୀ ବିଜୟ ଶେଖର ଶର୍ମା ତାଙ୍କ ଆଲେଖ ‘ଟେକ୍‍ ସ୍ପାର୍କ ୨୦୧୫ ରିପୋର୍ଟ - ଟେକ୍‍ ଫର ଏ ବିଲିଅନ୍‍’ରେ କହିଛନ୍ତି, “ଆଗାମୀ ୫ ବର୍ଷରେ ମୋବାଇଲରେ ବ୍ୟାଙ୍କିଙ୍ଗ ଉତ୍ପାଦ କିମ୍ବା ସମ୍ପୂର୍ଣ ବ୍ୟାଙ୍କ ବି ଉପଲବ୍ଧ ହେବ ବୋଲି ମୁଁ ଆଶା କରୁଛି । ଭାରତ ଏଭଳି ଯୁବକଙ୍କ ଦେଶରେ ଏଭଳି ନୂଆ ପ୍ରଣାଳୀ ପାଇଁ ଭଲ ପରୀକ୍ଷାଗାର । ଏଠାରେ ୫୦ ପ୍ରତିଶତ ଅଧିବାସୀଙ୍କ ବୟସ ୨୪ରୁ କମ । ଦିନକୁ ଦିନ ସ୍ମାର୍ଟଫୋନ୍‍ ଅଧିକ ଶକ୍ତିଶାଳୀ ହେଉଛି ।

image


ରିପୋର୍ଟରେ କୁହାଯାଇଛି, ସହରରେ ୭୭ ପ୍ରତିଶତ ଗୃହିଣୀ ଇଣ୍ଟରନେଟ ପାଇଁ ମୋବାଇଲ ଫୋନ୍‍ ବ୍ୟବହାର କରିଥାନ୍ତି । ଏହା ଇ-କମର୍ସ ବ୍ୟବସାୟୀଙ୍କ ପାଇଁ ଏକ ଶୁଭସଙ୍କେତ ।

ପ୍ରମୁଖ ୮ଟି ମେଟ୍ରୋ ସହର ନିୟମିତ ଭାବେ ଇଣ୍ଟରନେଟରେ ଆଗୁଆ ରହିଆସିଛି । ଇଣ୍ଟରନେଟ ବ୍ୟବହାରକାରୀଙ୍କ ମଧ୍ୟରୁ ୩୧ ଶତାଂଶ ଏହି ୮ ସହରରେ ରହନ୍ତି । ମୁମ୍ବାଇ ଓ ଦିଲ୍ଲୀରେ ସବୁଠୁ ଅଧିକ ବ୍ୟବହାରକାରୀ ଅଛନ୍ତି । ଜୟପୁର, ସୁରତ, ଲକ୍ଷ୍ନୌ ଭଳି କ୍ଷୁଦ୍ର ମେଟ୍ରୋରେ ମାସିକ ବ୍ୟବହାରକାରୀ(ଯେଉଁମାନେ ମାସକୁ ଅନ୍ତତଃ ଥରେ ଇଣ୍ଟରନେଟ ବ୍ୟବହାର କରନ୍ତି)ଙ୍କ ସଂଖ୍ୟଶ ଗତ ବର୍ଷ ୬୦ ଶତାଂଶ ବଢ଼ିଛି ।

ପୁରୁଷ ମହିଳା ବ୍ୟବହାରକାରୀଙ୍କ ମଧ୍ୟରେ ଆକାଶପାତାଳ ତଫାତ ରହିଛି । ଭାରତରେ ବ୍ୟବହାରକାରୀଙ୍କ ମଧ୍ୟରୁ ୭୧ ପ୍ରତିଶତ ପୁରୁଷ ହୋଇଥଇବା ବେଳେ ୨୯ ପ୍ରତିଶତ ମହିଳା । ଅବଶ୍ୟ ସହରରେ ଏ ବ୍ୟବଧାନ ସାମାନ୍ୟ କମ; ପୁରୁଷ ୬୨ ପ୍ରତିଶତ, ମହିଳା ୩୮ ପ୍ରତିଶତ । ଅଥଚ ଗ୍ରମୀଣ ଭାରତରେ ପୁରୁଷ ମହିଳା ଇଣ୍ଟରନେଟ ବ୍ୟବହାରକାରୀଙ୍କ ଅନୁପାତ ୮୮:୧୨ ।

ଗ୍ରାମୀଣ ଭାରତରେ ୭୫ ପ୍ରତିଶତ ବ୍ୟବହାରକାରୀଙ୍କ ବୟସ ସୀମା ୧୮-୩୦ ଏବଂ ୧୧ ପ୍ରତିଶତଙ୍କ ବୟସ ୧୮ ବର୍ଷରୁ କମ । ଗାଁରେ ୮ ପ୍ରତିଶତ ବ୍ୟବହାରକାରୀଙ୍କ ବୟସ ୩୧ରୁ ୪୫ ଭିତରେ । ସହରୀ ଭାରତରେ ୩୨ ପ୍ରତିଶତ ସର୍ବାଧିକ ଚଳଚଂଚଳ ବ୍ୟବହାରକାରୀ ହେଲେ କଲେଜ ଛାତ୍ର । ଇଣ୍ଟରନେଟ ବ୍ୟବହାରର ମୁଖ୍ୟ କାରଣ ଅନ୍‍ଲାଇନ୍‍ ସଂପର୍କ, ସୋସିଆଲ ନେଟୱର୍କ ଓ ମନୋରଂଜନ । ଅନ୍‍ଲାଇନ୍‍ କ୍ରୟ ପାଇଁ ସହରରେ ୨୪ ପ୍ରତିଶତ ଓ ଗାଁରେ ୫ ପ୍ରତିଶତ ବ୍ୟବହାରକାରୀ ଇଣ୍ଟରନେଟର ସହଯୋଗ ନେଇଥାନ୍ତି ।

ମୂଳ ଲେଖା - ରାଧିକା ପି ନାୟାର

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା