ଏବେ ବି ଚରଖା ଚକରେ ଘୂରୁଛି ଜୀବନ

0

ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଗ୍ରାମ ସ୍ଵରାଜ ସ୍ଵପ୍ନର ସବୁଠୁ ବଡ଼ ଆଧାର ଥିଲା ଖଦୀ ଓ ଗ୍ରାମୋଦ୍ୟୋଗ । ଯଦିଓ ତୁଳାଭିଣା ଚରଖାରେ ପ୍ରସ୍ତୁତ ଖଦୀ ସୂତାର ଓ ତନ୍ତବୁଣା ଖଦୀ ଲୁଗାର ଚାହିଦା କମିକମି ଆସୁଛି, ତଥାପି ଆଶା ଛାଡ଼ିନାହାନ୍ତି ଓଡ଼ିଆ ଖଦୀ କାରିଗର । ଏବେ ବି ଚରଖା ଚକ ଉପରେ ନିର୍ଭର କରି ଚଳୁଛନ୍ତି ଓଡ଼ିଆ ବୁଣାକାର । ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଏବେ ବି ଘୂରିଚାଲିଛି ଚରଖାର ଚକ । ସେମିତି ଏକ ଗାଁ ହେଉଛି ଗଞ୍ଜାମର ପଦ୍ମନାଭପୁର ।

A member of PWCS in Padmanabhapur is busy with her Charkha.
A member of PWCS in Padmanabhapur is busy with her Charkha.

ପଦ୍ମନାଭପୁରର ଚରଖା

ଏ ଗାଁରେ ଘରେ ଘରେ ଚରଖା ବୁଲେ ଆଉ ହାତତନ୍ତରେ ଲୁଗା ବୁଣାଯାଏ । ୨୦୦ ବର୍ଷ ଧରି ଏ ଗାଁର ପ୍ରମୁଖ ବେଉସା ଭାବେ ପରିଚିତ ଏହି ଐତିହ୍ୟସମ୍ପନ୍ନ ତନ୍ତ କାରିଗରୀ । ଗାନ୍ଧିଙ୍କ ଅମଳରେ ସ୍ଵଦେଶୀ ଓ ଖଦୀ ବିପ୍ଳବର ଆହ୍ୱାନରେ ଏ ଗାଁ ଉଦ୍ବୁଦ୍ଧ ହୋଇଥିଲା । ୧୯୪୬ ଅଗଷ୍ଟ ୬ ତାରିଖରେ ଏଠାରେ ପ୍ରତିଷ୍ଠା ହୋଇଥିଲା ପଦ୍ମନାଭପୁର ତନ୍ତୁବାୟ ସମବାୟ ସମିତି(PWCS) । ସେତେବେଳେ ସ୍ଥାନୀୟ ସରପଞ୍ଚ ଥିବା ସମାଜିକ କର୍ମୀ ଏସ୍ ରାମେୟା ଗାନ୍ଧିଜୀଙ୍କ ଡାକରାରେ ଉଦବୁଦ୍ଧ ହୋଇ ସମବାୟର ସ୍ଵପ୍ନ ଦେଖିଥିଲେ । ପ୍ରାକ ସ୍ଵାଧୀନତା ଅମଳରେ ନିକଟସ୍ଥ ଭୀଷ୍ମଗିରି, ଟିକରପଡ଼ା, ନିମଖଣ୍ଡି ଆଦି ଗାଁ କପା ଚାଷ ଲାଗି ନାଁ କରିଥିଲା ।

୭୦ ବର୍ଷ ପରେ ବି ଚଳଚଞ୍ଚଳ

ବିଦେଶୀ ବସ୍ତ୍ର ଆଉ ଆଧୁନିକ ଯନ୍ତ୍ରପାତିର ପ୍ରତିଯୋଗିତାମୟ ପୃଥିବୀରେ ଏବେ ହାତଚଲା ଚରଖା ଓ ତନ୍ତ ନିଜର ପରିଚୟ ହରାଇବାକୁ ବସିଥିବା ବେଳେ ପଦ୍ମନାଭପୁରବାସୀ ଏହାକୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ।

PWCSର ବର୍ତମାନ ସଂପାଦକ ଥିବା ଏସ୍ ନୀଳକଣ୍ଠ କହନ୍ତି,

ବର୍ତମାନ ଗାଁର ୧୩୫ ପରିବାର ସମ୍ପୂର୍ଣ ଭାବେ କପାସୂତାରେ ଲୁଗା ପ୍ରସ୍ତୁତ କରି ଗୁଜୁରାଣ ମେଣ୍ଟାଉଛନ୍ତି । ତେବେ ପରିତାପର ବିଷୟ ଆମ ଗାଁର ଆଉ କେତେକ ପରିବାର ଏ କୂଳ ବେଉସାକୁ ଛାଡ଼ି ସାରିଲେଣି । ପାରମ୍ପରିକ ଭାବେ ତନ୍ତ କୁ ବେଉସା କରିଥିବା ଓଡ଼ିଆ ପାଟରା ପରିବାର ଏବଂ ପ୍ରାୟ ୩୦୦ ବର୍ଷ ତଳେ ଆନ୍ଧ୍ରରୁ ଆସିଥିବା ଡେରା ପରିବାର ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ତନ୍ତ ବେଉସା କରୁଛନ୍ତି ।

କପା ସୂତାକୁ ବଞ୍ଚାଇ ରଖିଛନ୍ତି

ବ୍ରହ୍ମପୁରରେ ଦେରା ପରିବାର ସିଲ୍କ ବୁଣୁଥିବା ବେଳେ ପଦ୍ମନାଭପୁରରେ ସେମାନେ ଏବେ ବି କପା ଉପରେ ନିର୍ଭର କରୁଛନ୍ତି । PWCS ସଂପାଦକଙ୍କ କହିବା ଅନୁସାରେ ପଦ୍ମନାଭପୁର ଗାଁର ପାଟରା ପରିବାର କୂଳ ବେଉସା ଛାଡ଼ି ଅନ୍ୟ କାମ କରୁଥିବା ବେଳେ ଦେରା ପରିବାର ଏବେ ବି ସୂତା କାଟୁଛନ୍ତି । ଗାଁର ୟୁ ଜାନକୀ ରାଓଙ୍କ ଭଳି ମହିଳା କୌଣସି ଶିକ୍ଷାଗତ ଯୋଗ୍ୟତା ନଥାଇ ମଧ୍ୟ ପାରମ୍ପରିକ ଦକ୍ଷତା ଉପଯୋଗ କରି ଗୁଜୁରାଣ ମେଣ୍ଟାଉଛନ୍ତି । ଏବେ ବି ସେମାନେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମ୍ପୂର୍ଣ ପାରମ୍ପରିକ ଶିଳ୍ପ ବ୍ୟବହାର କରୁଛନ୍ତି । ଗାଁକୁ କୌଣସି ଆଧୁନିକ ତନ୍ତ ଯନ୍ତ୍ର ଏଯାଏଁ ଆସିନାହିଁ ।

ରୋଜଗାର ଆଶା ମଉଳୁଛି

ପଦ୍ମନାଭପୁରରେ ପ୍ରସ୍ତୁତ ସୂତା ଶାଢ଼ୀର ବେଶ ଚାହିଦା ରହିଛି । ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ଦିଲ୍ଲୀ ଓ କୋଲକାତାରେ ମଧ୍ୟ ଏଠାରୁ ଶାଢ଼ୀ ଯାଇ ବିକ୍ରି ହେଉଛି । କିନ୍ତୁ ଏହା ରୋଜଗାର ବଢ଼ାଇବାରେ ସହାୟକ ହେଉନି । ଏ ଗାଁର ବିଜୟଲକ୍ଷ୍ମୀ ଓ ତାଙ୍କ ସ୍ଵାମୀ ନାଗେଶ୍ୱରଙ୍କ କହିବା ମୁତାବକ ସାରା ପରିବାର ଦିନଟିଏ ଲାଗିଲେ ଗୋଟିଏ ଶାଢ଼ୀ ପ୍ରସ୍ତୁତ ହେଉଛି । ଏଭଳି ଶାଢ଼ୀଟିଏ ପାଇଁ ସମବାୟ ସମତିରୁ ସେମାନଙ୍କୁ ୪୧୨ ଟଙ୍କା ମଳିୁଛି । ମାସକୁ ଅତି ବେଶୀରେ ଗୋଟିଏ ପରିବାର ୨୫ଟି ଶାଢ଼ୀ ବୁଣୁଛନ୍ତି । ମାସକୁ ୧୦ ହଜାର ଟଙ୍କା ଆୟରେ ପୂରା ପରିବାର ପ୍ରତିପୋଷଣ କରିବା କାଠିକର ହୋଇପଡ଼ୁଛି । ଫଳରେ ନୂଆ ପିଢ଼ିର ଯୁବକମାନେ ଏବେ ତନ୍ତ ଛାଡ଼ି ଅନ୍ୟ କର୍ମସଂସ୍ଥାନ ଖୋଜିବାକୁ ଆଗ୍ରହ ଦେଖାଉଛନ୍ତି ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା subhransupanda@yahoo.co.in ରେ ଯୋଗାଯୋଗ କରାଯାଇ ପାରିବ।

Author, Journalist, Nomad. Also shows interest in documentary film making and social service. Can be reached at: subhransupanda@yahoo.co.in / +91 9338655845

Related Stories