ଅଢେଇ ଟଙ୍କା ସ୍କୁଲ ଫିସ ଦେଇପାରିନଥିଲେ, ଆଜି ୬ ମିଲିୟନ ଡ଼ଲାର ସମ୍ପତ୍ତିର ମାଲିକ – ଦି ଗ୍ରେଟ ଖଲିଙ୍କର ଅସାଧାରଣ କାହାଣୀ

0

ତାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ତାଙ୍କର କୃତି ଭାରତକୁ ନେଇ ବିଶ୍ଵ ମାନଚିତ୍ରରେ ପ୍ରସିଦ୍ଧ କରାଇଥିଲା। ଗ୍ରେଟ ଖଲିଙ୍କର ଜୀବନ କାହାଣୀ କୌଣସି ରୋଲର କୋଷ୍ଟର ରାଇଡ ଠାରୁ କମ ନୁହେଁ। ଆଜି ତାଙ୍କର ଜୀବନ ଉପରେ ନଜର ପକାଇ ଅପାର ସଫଳତା ଗୁଡ଼ିକୁ ଦେଖିବା ବେଳେ ଆଦୌ ବିଶ୍ଵାସ କରିହେବନି ଯେ ଦିନେ ତାଙ୍କର ଦାରିଦ୍ର୍ୟଗ୍ରସ୍ତ ବାପା ମା’ ତାଙ୍କୁ ସ୍କୁଲ ପଠେଇବା ପାଇଁ ମାତ୍ର ଅଢେଇ ଟଙ୍କା ସ୍କୁଲ ଫିସ ଦେଇପାରିନଥିବାରୁ ତାଙ୍କୁ ସ୍କୁଲ ଛାଡ଼ିବାକୁ ପଡ଼ିଥିଲା। ଖଲି ଓରଫ ଦଲିପ ସିଂହ ରାଣାଙ୍କୁ ମାତ୍ର ଆଠ ବର୍ଷର କୋମଳମତି ବୟସରେ ସ୍କୁଲ ଛାଡ଼ି ଗାଁରେ ମଜୁରୀରେ କାମ କରିବାକୁ ପଡ଼ିଥିଲା। ସେ ଚାରା ରୋପିବା କାମ କରୁଥିଲେ ଓ ସେଥିପାଇଁ ତାଙ୍କୁ ଦିନକୁ ପାଞ୍ଚ ଟଙ୍କା ଲେଖାଏଁ ମଜୁରୀ ମିଳୁଥିଲା।

Source : Youtube
Source : Youtube

ନିଜର ବିଶାଳ ବପୁ ପାଇଁ ଅନେକ ଥଟ୍ଟାତାମସାର ଶିକାର ହେବାକୁ ପଡ଼ୁଥିଲା ତାଙ୍କୁ। କିନ୍ତୁ ସେ ତାକୁ ଦେହକୁ ନ ନେଇ କୁସ୍ତି ପ୍ରତି ଥିବା ତାଙ୍କର ଆବେଗକୁ ଛାଡିନଥିଲେ। କୁସ୍ତି ଅଭ୍ଯାସ ନିରନ୍ତର ଜାରି ରଖିଥିଲେ। ଫଳ ସ୍ୱରୂପ ସେ ଏପରି କିଛି କରି ଦେଖାଇଲେ ଯାହା ଏହା ପୂର୍ବରୁ କୌଣସି ଭାରତୀୟ କରିପାରିନଥିଲେ। ସେ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧ କୁସ୍ତି ଖେଳ ପ୍ରତିଯୋଗୀତା WWEରେ ପ୍ରବେଶ କରିପାରିଲେ।

ବିନୀତ କେ ବଂଶଲଙ୍କ ଦ୍ଵାରା ଲିଖିତ "The Man Who Became Khali"ରେ ସେ ଖଲିଙ୍କର ପିଲାବେଳର ସଂଘର୍ଷ ଠାରୁ ଆରମ୍ଭ କରି ବିଶ୍ଵ ହେଭିୱେଟ ଚାମ୍ପିୟନଶିପର ବିଜେତା ହେବା ପର୍ଯ୍ଯନ୍ତ ସମସ୍ତ କାହାଣୀ ପାଠକ ମାନଙ୍କ ଆଗରେ ଖୋଲି ରଖିଦେଇଛନ୍ତି। ସେ କେବଳ କିଛି ପ୍ରତିଯୋଗୀତା ନୁହେଁ ବରଂ ନିଜ ଭିତରର ଦୈତ୍ୟ ଏବଂ ନାନା ଶାରୀରିକ ବ୍ୟତିକ୍ରମ ଗୁଡ଼ିକୁ ମଧ୍ୟ ଜିତି ପାରିଥିଲେ। ଏହା ହେଉଛି ଦଲିପ ସିଂ ରାଣା ଙ୍କର ଖଲି ହେବାର କାହାଣୀ ହେଉଛି ।

ପିଟିଆଇର ଏକ ରିପୋର୍ଟ ଅନୁସାରେ ମହାନ ଖଲି ସ୍କୁଲରେ ଯେଉଁ କିଛିଦିନ ବିତାଇଥିଲେ ସେ ସମୟରେ ଅନେକ କଷ୍ଟକର ପରିସ୍ଥିତି ମଧ୍ୟ ଦେଇ ଗତି କରିଥିଲେ। ସହପାଠୀ ମାନେ ତାଙ୍କ ଉପରେ ହସନ୍ତି, ଶିକ୍ଷକ ପଢାଉଥିବା ପାଠ ସେ ବୁଝିପାରନ୍ତି ନାହିଁ ଏବଂ ତା’ ଉପରେ ତାଙ୍କ ବାପା ମା’ ତାଙ୍କ ସ୍କୁଲ ଫିସ ମଧ୍ୟ ଭରିପାରୁନଥାନ୍ତି।

୧୯୭୯ର ଗ୍ରୀଷ୍ମ, ମୌସୁମୀକୁ ଅପେକ୍ଷା ଚାଲିଥାଏ। ଫସଲ ସବୁ ଶୁଖିଯାଇଥିବାରୁ ପାଖରେ ଆଦୌ ଟଙ୍କାପଇସା ନଥାଏ। ସ୍କୁଲର ଫିସ ଦେବା ପାଇଁ ପଇସା ନଥାଏ। ମୁଁ ଦ୍ଵିତୀୟ ଶ୍ରେଣୀକୁ ଯିବାର ମାସଟିଏ ମାତ୍ର ହେଇଥାଏ। ହେଡମାଷ୍ଟର ପ୍ରତିଦିନ ମୋତେ ବକେୟା ସ୍କୁଲ ଫିସ ବାବଦରେ ପଚାରନ୍ତି। ତା’ପରେ ଦିନେ ମୋର ଶ୍ରେଣୀ ଶିକ୍ଷକ ପୁରା ଶ୍ରେଣୀ ଆଗରେ ମୋତେ ଫିସ ଦେଇ ନଥିବାରୁ ଅପମାନ କଲେ। ବାକି ଛାତ୍ର ମାନେ ମୋ ଉପରେ ହସିଲେ, ତିରସ୍କାର କଲେ।

ପେଙ୍ଗୁଇନ ରାଣ୍ଡମ ହାଉସ ଦ୍ଵାରା ପ୍ରକାଶିତ ନିଜ ବହିରେ ଖଲି ଲେଖନ୍ତି। ଏହି ଘଟଣା ପରେ ସେ ସ୍କୁଲ ଛାଡ଼ିବାର ନିଷ୍ପତ୍ତି ନେଲେ। ସେ କୁହନ୍ତି,

ମୋର ସ୍କୁଲର ଦିନ ସରିଲା। ବସ୍ତାନିରେ ଡୋର ବନ୍ଧା ହେଲା। ତା’ପରେ ମୋ ମନରେ କାମ ଛଡ଼ା ଆଉ କିଛି ନଥିଲା। କିପରି କାମ କରି ନିଜ ପରିବାରକୁ ଆର୍ଥିକ ରୂପେ ସାହାଯ୍ୟ କରିବି କେବଳ ସେହି ଚିନ୍ତା ଥିଲା।

ଏହି ସମୟରେ ଦାରିଦ୍ର୍ୟର କଷ୍ଟ ତାର ଶେଷ ସୀମାରେ ଯାଇ ପହଞ୍ଚିଥିଲା। ସେ ଲେଖନ୍ତି,

ଦିନେ ମୁଁ ବାପାଙ୍କ ସହ ଥାଏ, ଗାଁର ଗୁମାସ୍ତା ଶ୍ରେଣୀୟ ଜଣେ ବ୍ୟକ୍ତି ଦେଖାହେଲେ ଏବଂ କହିଲେ ଗାଁରେ ଚାରା ରୋପିବାର କାମ ମିଳୁଛି। ଦିନକୁ ପାଞ୍ଚ ଟଙ୍କା ଲେଖେ ମଜୁରୀ ମିଳିବ। ଶୁଣିବା ସଙ୍ଗେ ସଙ୍ଗେ ମୋ ଆଖିରେ ଚମକ ଆସିଗଲା। ଦିନକୁ ପାଞ୍ଚ ଟଙ୍କା ମୋ ପାଇଁ ସେତେବେଳେ କାହିଁରେ କେତେ। ସ୍କୁଲରେ ଅଢେଇ ଟଙ୍କା ଫିସ ଭରିବାକୁ ପଇସା ଆମ ପାଖରେ ନଥିଲା। ସେସମୟରେ ଦିନକୁ ପାଞ୍ଚ ଟଙ୍କା ମାନେ ସତେ ଯେମିତି ଆମର ଲଟେରୀ ଲାଗିଗଲା। ମୁଁ ସେଇ ପାଞ୍ଚ ଟଙ୍କା ପାଇଁ କଠିନ ପରିଶ୍ରମ କରିବାକୁ ରାଜି ଥିଲି।

ଆଠ ବର୍ଷର ଖଲିଙ୍କୁ ପ୍ରଥମେ ଶାରୀରିକ କ୍ଷମତା ଦ୍ରୁଷ୍ଟିରୁ ଏପରି କାମ କରିବାକୁ ମନା କରାଯାଇଥିଲା। ତାଙ୍କ ବାପା ମଧ୍ୟ ଏହାର ବିରୋଧ କରିଥିଲେ ଅବମ ଖଲିଙ୍କର କାମ କରିବା ପାଇଁ ଅନୁରୋଧକୁ ବିଲକୁଲ ଶୁଣିନଥିଲେ। କିନ୍ତୁ ନିଜ ପରିବାରକୁ ସାହାଯ୍ୟ କରିବା ପାଇଁ ଜିଦ ଧରି ବସିଥିବା ଖଲିଙ୍କ କଥାକୁ ଶେଷରେ ଟାଳି ନପାରି ସେ ଯାଇ ଗୁମାସ୍ତାଙ୍କ ସହ କଥା ହେଇ ତାଙ୍କୁ ଅନୁରୋଧ କଲେ ଏବଂ ରାଜି କରାଇଲେ। କାମଟି ଜଙ୍ଗଲ ବିଭାଗର ଥିଲା। ଗାଁରେ ବୃକ୍ଷରୋପଣର ଏକ ଅଭିଯାନ ଆରମ୍ଭ ହେବାକୁ ଯାଉଥିଲା। ଖଲି ମନେ ପକାନ୍ତି,

ମୋତେ ଚାରା ନର୍ସରୀରେ କାମ କରିବାକୁ ଥିଲା ଯାହାକି ପାହାଡ଼ ତଳେ ଚାରି କିଲୋମିଟର ତଳକୁ ଥିଲା। ମୋତେ ଚାରା ସଂଗ୍ରହ କରି, ତାକୁ ମୋ ପିଠିରେ ବୋହି ପାହାଡ଼ ଚଢି ଆହୁରି ଚାରି କିଲୋମିଟର ଚାଲିବା ପରେ ସେଗୁଡ଼ିକୁ ଲଗାଇବାକୁ ପଡ଼ୁଥିଲା। ସେତକ ସାରିବା ପରେ ମୁଁ ପୁଣି ଯାଇ ଆଉ ଚାରା ନେଇକାରୀ ଆସୁଥିଲି।

କାମର ପ୍ରଥମ ଦିନର ଶେଷରେ ଯେତେବେଳେ ସେ ପାଞ୍ଚ ଟଙ୍କା ପାଇଲେ, ଖଲିଙ୍କର ଖୁସିର ସୀମା ନଥିଲା। ସେ ଆଜି ମଧ୍ୟ ସେଇ ବିଶେଷ ମୂହୁର୍ତ୍ତକୁ ମନେ ପକାଇ କୁହନ୍ତି,

ସେହି ମୂହୁର୍ତ୍ତଟି ଆଜି ବି ମୋ ଆଖି ଆଗରେ ଜଳଜଳ ହେଇ ଦିଶୁଛି। ସେତେବେଳର ଆନନ୍ଦ ମୁଁ ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ। ମୋର ପ୍ରଥମ ରୋଜଗାର। ମୋ ପାଦ ସତେ ଯେମିତି ଆଉ ଭୁଇଁରେ ନଥାଏ, ମୁଁ ଆକାଶରେ ଉଡୁଥାଏ।

ଖଲି କୁହନ୍ତି ତାଙ୍କର ପ୍ରଥମ ପ୍ରକୃତ ଚାକିରୀ ସିମଳାର ଜଣେ ହୋଟେଲ ବ୍ୟବସାୟୀଙ୍କ ନିରାପତ୍ତା କର୍ମୀ ଭାବେ ଥିଲା। ରହିବା ଖାଇବା ବାଦ ତାଙ୍କୁ ମାସିକ ୧୫୦୦ ଟଙ୍କା ଦରମା ମିଳୁଥିଲା।

ଖଲି ଏବେ ଖୁବଶୀଘ୍ର ଆମେରିକାରେ ପୁଣି କୁସ୍ତିଖେଳରେ ଭାଗ ନେବାକୁ ଯାଉଛନ୍ତି। WWE ଛାଡ଼ିବା ପରେ ତାଙ୍କୁ ପ୍ରଥମ ଥର ପାଇଁ କୁସ୍ତି ଖେଳିବାର ଦେଖିବାକୁ ମିଳିବ ବୋଲି Sportskeedaର ଏକ ରିପୋର୍ଟରୁ ଜଣାପଡ଼ିଛି। 

Related Stories