ସେବକ ସୁରେଶ : ନିରାଶ୍ରୟଙ୍କ ପାଇଁ ଖୋଲିଛନ୍ତି ସେବାର ନିଆରା ମନ୍ଦିର

0

ଆଜିକାଲି କେତେକ ପୁଅ ନିଜ ବାପାମାନଙ୍କୁ ଭୁଲି ଯାଉଛନ୍ତି | ସେବା କଥା ଛାଡ ପାଖରେ ରଖିବାକୁ ମଧ୍ୟ ପସନ୍ଦ କରୁନାହାନ୍ତି | ଆଉ କେତେକ ତ ବାପାମାଙ୍କୁ ବୃଦ୍ଧାଶ୍ରମରେ ଛାଡି ଆସିବାକୁ କୁଣ୍ଠାବୋଧ କରୁନାହାନ୍ତି | କିନ୍ତୁ ଏପରି ବି ଲୋକ ଅଛନ୍ତି, କେବଳ ନିଜ ବାପାମାଙ୍କୁ ନୁହେଁ, ବଂର ପୁଅମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ନିରାଶ୍ରୟ ବୃଦ୍ଧବୃଦ୍ଧାମାନଙ୍କ ସେବା ପାଇଁ ନିଜ ଜୀବକୁ ଉତ୍ସର୍ଗ କରିଦେଇଛନ୍ତି | ସେମାନଙ୍କ ସେବାକୁ ହିଁ ନିଜର ଧର୍ମ ମାନିନେଇଛନ୍ତି | ଆଉ ସେମାନଙ୍କ ପାଇଁ ସେବାର ମନ୍ଦିର ତୋଳି ଦେଇଛନ୍ତି | ସେମିତି ଜଣେ ଅନାଲୋଚିତ ବ୍ୟକ୍ତିତ୍ୱ ହେଉଛନ୍ତି ୩୩ ବର୍ଷୀୟ ସୁରେଶ | ନିସ୍ୱାର୍ଥପର ଭାବରେ ସେ ନିରାଶ୍ରୟ ଲୋକଙ୍କୁ ସେବା ଦେଇ ଚାଲିଛନ୍ତି |

ଯାଜପୁର ଜିଲ୍ଲା ଛତିଆ ନିକଟ ସୋଲର ଗାଁରେ ସୁରେଶ ବିଶ୍ୱାଳ ଙ୍କ ଘର | ଛାତ୍ର ଜୀବନରୁ ଲୋକସେବା ପାଇଁ ତାଙ୍କ ମନ ବଳିଥିଲା | ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ଗାଁର ଏକ ବାସହରା ଲୋକଙ୍କ ପାଇଁ ଘର ତୋଳିବାରେ ସେ ଅଗ୍ରଣୀ ଭୂମିକା ନେଇଥିଲେ | ଗାଁର ଅନ୍ୟ ଯୁବକମାନଙ୍କୁ ନେଇ ସେ ବାସହରା ପରିବାରକୁ ଥଇଥାନ କରିବାରେ ସଫଳ ହୋଇଥିଲେ | ସେଇଟା ଥିଲା ଏ କ୍ଷେତ୍ରରେ ତାଙ୍କର ପ୍ରଥମ ପଦକ୍ଷେପ | ସେହିଦିନ ଠାରୁ ସେ ସମାଜସେବା ପାଇଁ ନିଜକୁ ସମର୍ପି ଦେଇଛନ୍ତି |

ଉଚ୍ଚଶିକ୍ଷା ଶେଷ କରିବା ପରେ ଗାଁ ଯୁବକଙ୍କ ସହଯୋଗରେ ସ୍ଥାନୀୟ ଅଂଚଳରେ ନିଶା ନିବାରଣ କରିବା, ସଫେଇ କାର୍ଯ୍ୟକ୍ରମ, ପଶୁବଳୀ ପ୍ରଥାକୁ ବିରୋଧ କରିବା ଆଦି ଅନେକ ସମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ | ତେବେ ପିଲାଟି ଦିନରୁ ଇଛା ଥିଲା ନିରାଶ୍ରୟ ଲୋକଙ୍କ ସେବା କରିବା | ୨୦୧୨ରେ ସେହି ଇଛା ଆନୁଷ୍ଠାନିକ ରୂପ ନେଇ ଫଳବତୀ ହେଲା | ସେ ଗାଁ ଯୁବକମାନଙ୍କୁ ନେଇ ଗଠନ କଲେ ସେବକ ଅନୁଷ୍ଠାନ | ରାସ୍ତାଘାଟରେ ବୁଲୁଥିବା ଅଜଣା ଲୋକ, ଡାକ୍ତରଖାନାରେ ଅଜଣା ଲୋକଙ୍କ ଚିକିତ୍ସା ସହାୟତା ଦେବା ପାଇଁ ସେ କାମ କରି ଚାଲିଛନ୍ତି | ତାଙ୍କ କୌଣସି ସରକାରୀ ସହାଯ୍ୟ ମିଳିନାହିଁ | ତଥାପି ଚାରି ବର୍ଷ ଧରି ଏଠାରେ ୩୦ ଜଣ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଆଶ୍ରୟ ଦେଇଛନ୍ତି |

ସୁରେଶ ଏ ସମ୍ପର୍କରେ କହନ୍ତି,

ମୋର ଗୋଟେ ୩୦ ଜଣିଆ ପରିବାର ଭଳି ଭାବେ | ମୋର ଅଧିକାଂଶ ସମୟ ଏହିଠାରେ କଟିଯାଏ | ଏଥିରୁ ମୁଁ ଜୀବନର ପ୍ରକୃତ ଆନନ୍ଦ ପାଉଛି | ଏମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ଯୋଗାଡ କରିବାକୁ କଷ୍ଟ କରିବାକୁ ପଡୁଛି | କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ମିଳୁଛି | ଏଇଟା ମୋ ପାଇଁ ମନ୍ଦିର ଓ ଅନ୍ତେବାସୀ ମୋ ପାଇଁ ଭଗବାନ |

ଘର ସଂସାର ଭୁଲି ଯାଇଛନ୍ତି ଏହି ସେବାର ମନ୍ଦିରରେ ରହି | ବୃଦ୍ଧବୃଦ୍ଧାମାନଙ୍କୁ ହିଁ ନିଜର ବାପା ମା ବୋଲି ଭାବି ନେଇଛନ୍ତି | ସାରା ଜୀବନ ଅବିବାହିତ ହୋଇ ଏମାନଙ୍କ ସେବାରେ ସମୟ କାଟିବାକୁ ସ୍ଥିର କରିଛନ୍ତି | ନିରାଶ୍ରୟଙ୍କ ପାଇଁ ଖାଦ୍ୟ, ବସ୍ତ୍ର, ଔଷଧ ଆଦି ଯୋଗାଡ କରିବା ଲାଗି ଅନେକ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ସୁରେଶଙ୍କୁ ସାହାଯ୍ୟ ମିଳୁଛି | କେତେକ ସଂଗଠନ ମଧ୍ୟ ସାହାଯ୍ୟର ହାତ ବଢାଉଛନ୍ତି | ଭବିଷ୍ୟତ ଯୋଜନା ସମ୍ପର୍କରେ କହନ୍ତି,

ଅନେକ ଲୋକ ସହାୟତା ଅପେକ୍ଷାରେ ଅଛନ୍ତି | କିନ୍ତୁ ସମ୍ବଳ ଅଭାବରୁ ସେମାନଙ୍କୁ ସେବା ଯୋଗାଇ ହେଉନାହିଁ | ଭବିଷ୍ୟତରେ ଏହି ଜରାଶ୍ରମକୁ ଆହୁରି ବଡ କରିବାକୁ ଯୋଜନା କରିଛି | ଅନ୍ତତଃ ଶହେ ଜଣଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଇବାକୁ ମୋର ଇଛା ଅଛି |

ସତରେ କେଉଁ ଯୁବକ ନିଜ ବୃଦ୍ଧ ପିତାମାତାଙ୍କୁ ରାସ୍ତାକଡରେ ଅଚିହ୍ନା ଲୋକ ଭଳି ଛାଡି ଚାଲିଯାଉଛି ତ ଆଉ କିଏ ସେମାନଙ୍କୁ ଆଦରରେ ସେବାର ମନ୍ଦିରକୁ ପାଛୋଟି ଆଣି ପୂଜା କରୁଛି | ପ୍ରକୃତରେ ସୁରେଶଙ୍କ ଭଳି ସମସ୍ତେ ହୋଇଗଲେ ହୁଏତ ଜରାଶ୍ରମରେ ଆବଶ୍ୟକତା ପଡନ୍ତା ନାହିଁ | କିମ୍ବା କେଉଁ ବୃଦ୍ଧବୃଦ୍ଧା ଅପରିଚିତର ସଂଜ୍ଞାନେଇ ଫୁଟପାଥ୍ ରେ ପଡନ୍ତେ ନାହିଁ |