ବାପୁଙ୍କ ତିରୋଧାନ ଦିବସ ଅବସରରେ, ସାମ୍ବାଦିକ ଗାନ୍ଧି

0

ଗାନ୍ଧିଙ୍କ ତିରୋଧାନର କିଛି ଦିନ ପରେ ଏ କଥା “ଦି ଇଣ୍ଡିଆନ୍ ଲିସନର୍’ ନାମକ ପତ୍ରିକା ଲେଖିଥିଲା । ୧୯୪୮ ମସିହା ଫେବୃଆରୀ ୨୨ ତାରିଖର ସଂସ୍କରଣରେ ।

୧୯୪୭ ମସିହା ଶେଷ ଆଡ଼କୁ ସମସ୍ତେ ଅନୁରୋଧ କଲେ ଗାନ୍ଧିଙ୍କୁ ରେଡ଼ିଓରେ କିଛି କହିବା ପାଇଁ । ଅନୁରୋଧ ଏଡ଼ାଇ ନ ପାରି ଗାନ୍ଧି ସେ ବର୍ଷ ଦିଆଲୀ (ନଭେମ୍ବର ୧୨) ତାରିଖରେ ଦିଲ୍ଲୀର ବ୍ରଡ଼କାଷ୍ଟିଂ ହାଉସକୁ ଯାଇଥିଲେ । ଗାନ୍ଧିଙ୍କ ପାଇଁ ରେକର୍ଡିଙ୍ଗ ରୁମକୁ ଦିଆଯାଇଥିଲା ନୂଆ ରୂପ । ବିର୍ଲା ହାଉସର ପ୍ରାର୍ଥନା ସଭା ପରି ସୃଷ୍ଟି କରାଯାଇଥିଲା ସମସ୍ତ ପରିବେଶ । କିନ୍ତୁ ଗାନ୍ଧି ଟିକେ ଲାଜେଇଲେ । ଆଉ ଯେତେବେଳେ ପ୍ରଥମ ଶବ୍ଦ ତାଙ୍କ ମୁହଁରୁ ବାହାରିଲା, ତାହା ଥିଲା ବେଶ ସ୍ପଷ୍ଟ । ତୋଫା । ୨୦ ମିନିଟର ସେଇ କାର୍ଯ୍ୟକâମରେ ଗାନ୍ଧିଙ୍କ ପ୍ରବାହ ଥିଲା ନିଆରା । କାର୍ଯ୍ୟକ୍ରମ ଶେଷରେ ପୂର୍ବରୁ ରେକର୍ଡିଙ୍ଗ ହୋଇଥିବା “ବନ୍ଦେ ମାତରମ୍’ ବାଜିଥିଲା ଆଉ ଗାନ୍ଧି କହିଥିଲେ- ଏଇ ରେଡ଼ିଓ ଭିତରେ ମୁଁ ଅସରନ୍ତି ଶକ୍ତି ଦେଖୁଛି । ମୁଁ ଦେଖୁଛି ଶକ୍ତିର ଅନ୍ୟ ଏକ ଉଦାହରଣ ।

ସାମ୍ବାଦିକତାର ଆରମ୍ଭ

ଗାନ୍ଧିଙ୍କ ଆନେ୍ଦାଳନ ସମୟରେ ନା ଥିଲା ରେଡ଼ିଓ ନା ଆଜି ପରି ହଜାରେ ଟେଲିଭିଜନ୍ ଚ୍ୟାନେଲ୍ । କଳାଧଳା କାଳିରେ ଲେଖା ଖବରକାଗଜ ହିଁ ଥିଲା ବଞ୍ଚିଥିଲା ସେତିକିବେଳେ ।

ଗାନ୍ଧିଙ୍କ ସାମ୍ବାଦିକତା ଜୀବନର ମୂଳଦୁଆ ପଡ଼ିଥିଲା ଦକ୍ଷିଣ ଆଫ୍ରିକାରେ । ଜୀବିକା ସନ୍ଧାନରେ ହଜାର ହଜାର ମାଇଲ୍ ସମୁଦ୍ର ପାରି ହୋଇ ଦକ୍ଷିଣ ଆଫ୍ରିକା ଯାଇଥିବା ଗାନ୍ଧି ସେଠାରେ ଭାରତୀୟଙ୍କ ସମସ୍ୟା ଓ ନିର୍ଯାତନାର ପରିଧି ଭିତରେ ହଜି ଯାଇଥିଲେ । ରାସ୍ତା ଖୋଜିଥିଲେ ପରିଧି ହଟେଇବାକୁ । ସେଇଠୁ ଆରମ୍ଭ ହୋଇଥିଲା ଲଢେଇ ।

ଲଢେଇର ରାସ୍ତାରେ ଗାନ୍ଧି ଜାଣିଥିଲେ ଜନଜୀବନକୁ ଓ ଲୋକମତକୁ ପ୍ରଭାବିତ କରିବା ପାଇଁ ଶ୍ରେଷ୍ଠ ଉପାୟ ହେଉଛି ଖବରକାଗଜ । ତେଣୁ ନିୟମିତ ଭାବେ “ସଂପାଦକଙ୍କୁ ପତ୍ର’, “ଖୋଲା ଚିଠି’ ଆଦି ଲେଖିବା ଆରମ୍ଭ କରିଥିଲେ ଗାନ୍ଧି । କିନ୍ତୁ ଅନିୟମିତ ଲେଖା ଓ ସେଠାକାର ଖବରକାଗଜଗୁଡ଼ିକରେ ଆତିଥ୍ୟ ଲେଖା ଯେ, ଆନ୍ଦୋଳନ ପାଇଁ ଅପର୍ଯ୍ୟାପ୍ତ ତାହା ସେ ବୁଝିଥିଲେ । ସେଇଠୁ ଆରମ୍ଭ ହୋଇଥିଲା ସାମ୍ବାଦିକ ଗାନ୍ଧି । ପ୍ରକାଶିତ ହୋଇଥିଲା ‘ଇଣ୍ଡିଆନ୍ ଓପିନିଅନ୍’, ଜୁନ୍୧୯୦୩ ମସିହାରେ । ୧୯୧୪ ପର୍ଯ୍ୟନ୍ତ ଏହି ପତ୍ରିକାର ପ୍ରତିଟି ସଂଖ୍ୟାରେ ଗାନ୍ଧି ଲେଖୁଥିଲେ । ବର୍ଣ୍ଣ ବୈଷମ୍ୟଠାରୁ ଆରମ୍ଭ କରି ପରିମଳ, ଆତ୍ମ ସଂଯମ ଆଦି ସମସ୍ତ ବିଷୟରେ ଗାନ୍ଧି ଲେଖିଥିଲେ । ଇଂରାଜୀ, ତାମିଲ୍ ଏବଂ ଗୁଜୁରାଟୀ ଭାଷାରେ ପ୍ରକାଶିତ ହେଉଥିଲା ‘ଇଣ୍ଡିଆନ୍ ଓପିନିଅନ୍’ ।

ଦେଶ ଏ ପାରିରେ ସାମ୍ବାଦିକତା

ଭାରତ ଫେରିବା ପରେ ଖବରକାଗଜର ଅସରନ୍ତି ଶକ୍ତିକୁ ଠିକଣା ଭାବେ ଗାନ୍ଧି ବ୍ୟବହାର କରିଥିଲେ । ସ୍ୱାଧିନତା, ଛୁଆଁ ଅଛୁଆଁ, କୁସଂସ୍କାର ଆଦି ପ୍ରତିଟି ବିଷୟକୁ ଛୁଇଁଥିଲା ତାଙ୍କ ଲେଖା । “ୟଙ୍ଗ୍ ଇଣ୍ଡିଆ’ ଏବଂ “ହରିଜନ’ ଦୁଇଟି ପତ୍ରିକା ଗାନ୍ଧିଙ୍କର ପ୍ରତିଟି କଥାକୁ ଲୋକଙ୍କ ପାଖରେ ପହଞ୍ଚାଉ ଥିଲା । ଗାନ୍ଧି ନିଜେ ଏ ଦୁଇଟି ପତ୍ରିକାର ସଂପାଦକ ଥିଲେ । ପରେ ଦାୟିତ୍ୱ ନେଇଥିଲେ “ନବଜୀବନ’ର । “ହରିଜନ’ ପତ୍ରିକା ପରେ ଗୁଜୁରାଟୀ ଏବଂ ହିନ୍ଦୀରେ “ହରିଜନ ବନ୍ଧୁ’ ଏବଂ ‘ହରିଜନ ସେବକ’ ଭାବେ ପ୍ରକାଶିତ ହେଲା ।

୧୯୨୫ ଜୁଲାଇ୨ର ‘ହରିଜନ’ ସଂଖ୍ୟାରେ ଗାନ୍ଧି ଲେଖିଥିଲେ- ଅବସର ସମୟ କଟାଇବାକୁ କିମ୍ବା ପେଟପାଟଣା ପୋଷିବାକୁ ମୁଁ ଖବରକାଗଜ ଆରମ୍ଭ କରିନି । ବରଂ ଜୀବନର ରାସ୍ତାରେ, ଯେଉଁ ଖିଅ ଧରି ମୁଁ ଆଗେଇଛି ତାକୁ ଆହୁରି ସ୍ପଷ୍ଟ, ଶାଶିତ କରିବାକୁ ଏଇ ଖବରକାଗଜ ଗୁଡ଼ିକର ଜନ୍ମ । ଖବରକାଗଜର ମୂଳ ଲକ୍ଷ୍ୟ ଲୋକଙ୍କ ଛାତି ଭିତରକୁ ପଢିବା ଏବଂ ପ୍ରତିଟି ବେଦନା ଓ ଯନ୍ତ୍ରଣାକୁ ସାମ୍ନାକୁ ଆଣିବା ।

ନିଜ ଆତ୍ମଜୀବନୀ ‘ମାଇଁ ଏକ୍ସପେରିମେଣ୍ଟ ଉଇଥ୍ ଟ୍ରୁଥ୍’ରେ ଗାନ୍ଧିଜୀ ସାମ୍ବାଦିକତା ସଂପର୍କରେ ଖୁବ ସରଳ ଭାଷାରେ ଅନେକ ବିଷୟ କହିଛନ୍ତି । ଗାନ୍ଧି ଲେଖିଛନ୍ତି- ଖବରକାଗଜ ଏକ ବିରାଟ ଶକ୍ତି । କିନ୍ତୁ ସେଥିରେ ଲେଖିବା ବେଳେ ଆତ୍ମ ସଂଯମ ନିହାତି ଜରୁରୀ । ନ ହେଲେ ଯେମିତି ଅନିୟନ୍ତ୍ରିତ ପାଣି ମାଡ଼ି ଯାଇ ବନ୍ୟାର ବିଭୀଷିକା ସୃଷ୍ଟି କରେ, ସେମିତି ଅମାନିଆ କଲମ ସମାଜରେ ଅଶେଷ କ୍ଷତି ସାଧନ କରେ ।

ଶବ୍ଦର ଯାଦୁକର

ଗାନ୍ଧି ନିଜର ପ୍ରତିଟି ଶବ୍ଦ ଉପରେ ଗୁରୁତ୍ୱ ଦେଇ ଆସିଥିଲେ । ସେ ମଣିଷର ନାଡ଼ିକୁ ଚିହ୍ନି ଥିଲେ । ଜାଣିଥିଲେ- ଶବ୍ଦ ଯଦି ମଣିଷର ମସ୍ତିଷ୍କ ବାହାର ଦେଇ ବୋହିଯାଏ, ତେବେ ସେମିତି ଶବ୍ଦ ଲେଖି, କହି କିଛି ବି ଲାଭ ନାଇଁ । ଯାହା ମଣିଷ ଛାତି ଭିତର ଦେଇ ଦପ୍ କରି ଭିତରକୁ ପଶିଯାଏ, ସେଇମିତି ଶବ୍ଦ ଗାନ୍ଧି ବ୍ୟବହାର କରୁଥିଲେ । ତେଣୁ ଯେଉଁ ଛୁଆଟି ସ୍କୁଲ ବେଳରେ ପାଟି ଖୋଲିବାକୁ ବି ଲାଜ କରୁଥିଲା, ସେଇ ମଣିଷଟି ପରବର୍ତ୍ତୀ ପର୍ଯ୍ୟାୟରେ ଯାହା କହିଲା, ଯାହା ଲେଖିଲା- ତାହା ସମୁଦାୟ ପୃଥିବୀକୁ ଦୋହଲାଇ ଦେଲା ।

୧୯୪୨ ମସିହାରେ ଗାନ୍ଧି ଆରମ୍ଭ କରିଥିଲେ ଭାରତ ଛାଡ଼ ଆନ୍ଦୋଳନ । ଇଂରାଜୀରେ କହିଲେ- କୁଇଟ୍ ଇଣ୍ଡିଆ ମୁଭମେଣ୍ଟ । ଏଇଠି ଶବ୍ଦର ବ୍ୟବହାର ଲକ୍ଷ୍ୟ କରିବାର କଥା । ଗାନ୍ଧି ଏ ଆନ୍ଦୋଳନର ନାଁ ଦେଲେ କୁଇଟ୍ ଇଣ୍ଡିଆ । ଅର୍ଥାତ୍ ଇଂରେଜମାନେ ଭାରତ ଛାଡ଼ । ଅର୍ଥାତ୍ ଏ ଦେଶ ଆମର । ଆମେ ଏଠିକାର ସବୁକିଛି । ତମେ ଇଂରେଜ ଏଇଠୁ ବାହାରି ଯାଅ । କୁଇଟ୍ । ଯାହା ଭାରତୀୟଙ୍କ ଭିତରେ ଆତ୍ମପ୍ରତ୍ୟୟକୁ ବହୁଗୁଣିତ କରିଥିଲା । ଏକା ଅର୍ଥରେ ଗାନ୍ଧି କହି ପାରି ଥାଆନ୍ତେ- ଲିଭ୍ ଇଣ୍ଡିଆ । ଯାହାର ଅର୍ଥ ବି ସମାନ । କିନ୍ତୁ କୁଇଟ୍ ଇଣ୍ଡିଆ ଶବ୍ଦରେ ଏକ ଆଦେଶ ରହୁଛି, ଏକ ଆତ୍ମ ବିଶ୍ୱାସ ରହୁଛି, ଯାହା ଲିଭ୍ ଇଣ୍ଡିଆରେ ରହୁନାହିଁ ।

ଶେଷ କେଇ ଧାଡ଼ି

ପ୍ରାର୍ଥନା ସଭା । ୧୯୪୬ ଜୁନ୍ ୧୯ ତାରିଖ । ଦେଶ ସ୍ୱାଧିନ ହେବାକୁ ଆଉ ଅଳ୍ପ କେଇ ମାସ ବାକି ଥାଏ । ଗାନ୍ଧି ସେ ଦିନ କହିଥିଲେ - ମତେ ଯଦି କିଏ ଦିନକ ପାଇଁ ଅଧୀଶ୍ୱର କରି ଦିଅନ୍ତି. ମୁଁ ହୁଏତ ଏଠାକାର ସବୁ ଖବରକାଗଜକୁ ବନ୍ଦ କରି ପକାନ୍ତି । ପରେ ମୁହୂର୍ତ୍ତେ ବିଶ୍ରାମ ନେଇ ଗାନ୍ଧି ଯୋଡ଼ିଥିଲେ- କେବଳ ହରିଜନ ପତ୍ରିକାକୁ ବାଦ୍ ଦେଇ ହୁଏତ । କାରଣ- ବିଜ୍ଞାପନ, ଆଡଭୋଟୋରିଆଲ୍ (ବିଜ୍ଞାପନ ସଂପର୍କିତ ସଂପାଦକୀୟ), ରେସପନ୍ସ ଫିଚର୍ (ବିଜ୍ଞାପନ ଉପରେ ଆଧାରିତ ନିବନ୍ଧ) ଭିତରେ ସାମ୍ବାଦିକତା ହୁଏତ ହଜି ସାରିଛି ।



ସମ୍ବାଦିକତା ବିଭାଗ, ଓଡିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ,

ସମ୍ବଲପୁର ।