ଷ୍ଟାର୍ଟ-ଅପ୍ ଇଣ୍ଡିଆକୁ ନେଇ ପ୍ରବଳ ଉତ୍ସାହ: ଯୋଗ ଦେବ ୧୫୦୦ ସଂସ୍ଥା, ୪୦ ସିଇଓ

ଷ୍ଟାର୍ଟ-ଅପ୍ ଇଣ୍ଡିଆକୁ ନେଇ ପ୍ରବଳ ଉତ୍ସାହ: ଯୋଗ ଦେବ ୧୫୦୦ ସଂସ୍ଥା, ୪୦ ସିଇଓ

Saturday January 09, 2016,

3 min Read

ଚଳିତ ମାସ ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଏକ ମହତ୍ୱକାଂକ୍ଷୀ ନୀତି ଷ୍ଟାର୍ଟ-ଅପ୍ ଇଣ୍ଡିଆ ବିଷୟରେ ଘୋଷଣା କରିବେ। ସାରା ଦେଶରେ ଷ୍ଟାର୍ଟ-ଅପ୍ ଜଗତକୁ ନେଇ ଚର୍ଚା ଜୋର ଧରି ଥିବା ବେଳେ ଏହି ନୀତି ନୀତି କିଭଳି ହୋଇଥିବ ତାହାକୁ ନେଇ ନାନା ପ୍ରକାର କଳ୍ପନା ଜଳ୍ପନା ଆରମ୍ଭ ହୋଇଗଲାଣି । ମିଳିଥିବା ସଦ୍ୟତମ ସୂଚନା ଅନୁସାରେ ନୂଆଦିଲ୍ଲୀଠାରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ଆମେରିକାର ସିଲିକନ୍ ଭ୍ୟାଲିର ବହୁ ଉଦ୍ୟୋଗପତି ଯୋଗ ଦେବେ । ସମଗ୍ର ବିଶ୍ୱର ଷ୍ଟାର୍ଟ-ଅପ୍ ଜଗତରେ ସକ୍ରିୟ ଥିବା ୨୦୦୦ରୁ ଅଧିକ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଭାରତର ୧୫୦୦ରୁ ଅଧିକ ଷ୍ଟାର୍ଟ-ଅପ୍ ସଂସ୍ଥା ଏଥିରେ ଭାଗ ନେବେ ।

image


ସିଲିକନ୍ ଭ୍ୟାଲିକୁ ଷ୍ଟାର୍ଟ-ଅପ୍ ଜଗତର ସ୍ୱର୍ଗ ବୋଲି କୁହାଯାଏ । ଏହିଠାରୁ ଷ୍ଟାର୍ଟ-ଅପ୍ ଶବ୍ଦ ସୃଷ୍ଠି ହୋଇଥିଲା । ସିଲିକନ୍ ଭ୍ୟାଲିରୁ ଷ୍ଟାର୍ଟ-ଅପ୍ ଭାବେ ଯାତ୍ରା ଆରମ୍ଭ କରିଥିବା ହ୍ୱାଟସ୍ଆପ୍ ଏବେ ସାରା ବିଶ୍ୱରେ ଏକ ସଫଳ ବ୍ୟବସାୟ ମଡେଲ୍ ହୋଇପାରିଛି । ଫେସବୁକ୍ ଏହାକୁ ଖରିଦ କରିବା ପରେ ଏହାର ମୂଲ୍ୟ ବିଲିୟନ ଡଲାରରେ ପହଚିଂ ଯାଇଛି । ଭାରତର କାର୍ଯ୍ୟକ୍ରମରେ ସିଲିକନ୍ ଭ୍ୟାଲିର ଉଦ୍ୟୋଗପତିମାନେ ଯୋଗ ଦେବାର ଖବର ପ୍ରଚାରିତ ହେବା ପରେ ଏହାକୁ ନେଇ ଯୁବ ଉଦ୍ୟୋଗପତିଙ୍କ ମଧ୍ୟରେ ଉଷ୍ମତା ବେଶ ବଢ଼ିଯାଇଛି ।

image


ପୂର୍ବରୁ ବିଶ୍ୱର କୌଣସି ସ୍ଥାନରେ ଷ୍ଟାର୍ଟ-ଅପ୍ ଜଗତର ପ୍ରମୁଖ ବାଦଶାହମାନଙ୍କୁ ଏକାଠି ଦେଖିବାକୁ ମିଳି ନ ଥିଲା। ପ୍ରଥମ ଥର ପାଇଁ ଏଭଳି ଦୃଶ୍ୟ ଷ୍ଟାର୍ଟ-ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିବ । ଏହି କାର୍ଯ୍ୟକ୍ରମରେ ଉବେର ଟେକ୍ନୋଲୋଜିର ପ୍ରତିଷ୍ଠାତା ଟ୍ରାଭିସ୍ କାଲାନିକ୍, ସଫ୍ଟବ୍ୟାଙ୍କର ଅଧ୍ୟକ୍ଷ ମାସାୟୋସି ସନ ଙ୍କ ଭଳି ବ୍ୟକ୍ତି ଅଂଶ ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ଗତବର୍ଷ ସିଲିକନ୍ ଭ୍ୟାଲି ଗସ୍ତ କରିଥିବା ବେଳେ ତାଙ୍କୁ ଫେସବୁକ୍ ମୁଖ୍ୟ ମାର୍କ ଜୁକରବର୍ଗ ଓ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ଭଳି ଟେକ୍ନୋଲୋଜି ଜଗତର ଜଣାଶୁଣା ଅଧିକାରୀ ସ୍ୱାଗତ କରିଥିଲେ । ସେହି ସମୟରେ ଚର୍ଚା ହୋଇଥିଲା ଯେ ଏସିଆର ଷ୍ଟାର୍ଟ-ଅପ୍ ହବ୍ ହେବା ପାଇଁ ଭାରତ ପାଖରେ ବିଶେଷ ସୁଯୋଗ ରହିଛି । ସେହି ସୁଯୋଗକୁ ଷ୍ଟାର୍ଟ-ଅପ୍ ଇଣ୍ଡିଆ ଜରିଆରେ ହାସଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ବିଶ୍ୱର ଆର୍ଥିକ ମାନ୍ଦାବସ୍ଥା, ଦେଶ ମଧ୍ୟରେ ଚାହିଦାର ଅଭାବ, ଚୀନ୍ ସଙ୍କଟ, ମଧ୍ୟ ପ୍ରାଚ୍ୟ ଅର୍ଥନୀତିରେ ଦୁର୍ବଳତା ଭଳି ଅନେକ କାରଣ ଯୋଗୁଁ ଭାରତୀୟ ଅର୍ଥନୀତି ଯେଉଁ ହାରରେ ଆଗକୁ ବଢ଼ିବା କଥା ସେଭଳି ଢ଼ଙ୍ଗରେ ଯାଇପାରୁ ନାହିଁ । ଅର୍ଥନୀତିରେ ଶକ୍ତି ଭରିବା ପାଇଁ ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାର୍ଟ ଅପ୍ ଇଣ୍ଡିଆ-ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ ନାରା ଦେଇଥିଲେ । ଏହା ପରଠାରୁ କେନ୍ଦ୍ର ସରକାର ଅନେକ ନୀତି ନିୟମକୁ କୋହଳ କରି ଷ୍ଟାର୍ଟ-ଅପ୍ ମିତବ୍ୟୟୀ ଛବି ସୃଷ୍ଟି କରିବାକୁ ପ୍ରୟସ ଜାରି ରଖିଛନ୍ତି ।

ଜାନୁଆରି ୧୬ରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ଶିଳ୍ପ ନୀତି ଓ ବିକାଶ ବିଭାଗ ପକ୍ଷରୁ ଆୟୋଜନ କରାଯାଉଛି । ଏହି ନୀତି ଅନେକ କର୍ମଶାଳା ଆୟୋଜନ କରାଯିବ । ସରକାର ଷ୍ଟାର୍ଟ-ଅପ୍ ଜଗତ ପାଇଁ ନିଜର ଆକ୍ସନ ପ୍ଲାନ୍ ଉପସ୍ଥାପନ କରିବେ । ଏହି କାର୍ଯ୍ୟକ୍ରମରେ ସରକାରୀ ବିଭାଗର ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ଯୋଗ ଦେବେ। ବିନିର୍ମାଣ, ଆଇଟି, କୃଷି ଓ ବାୟୋଟେକନୋଲଜି ଉପରେ ସରକାର ଅଧିକ ଗୁରୁତ୍ୱ ପ୍ରଦାନ କରିବେ ।

ସରକାର ଭାରତକୁ ନିଯୁକ୍ତି ସୃଷ୍ଟିକାରୀ ରାଷ୍ଟ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏବେ ସୁଦ୍ଧା ଆମ ଦେଶର ଯୁବକଯୁବତୀ ଚାକିରି ଖୋଜିବାରେ ବ୍ୟସ୍ତ । ସେମାନେ କିଭଳି ନିଜକୁ ଉଦ୍ୟୋଗପତିରେ ପରିଣତ କରି ଚାକିରି ସୃଷ୍ଟି କରିପାରିବେ ସେଥିପାଇଁ ଷ୍ଟାର୍ଟ-ଅପ୍ ନୀତିରେ ବ୍ୟବସ୍ଥା କରାଯାଉଛି ।

ଷ୍ଟାର୍ଟ-ଅପ୍ କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ

-ବିଶ୍ୱର ୨୦୦୦ରୁ ଅଧିକ ଷ୍ଟାର୍ଟ-ଅପ୍ ଉଦ୍ୟୋଗପତି ଭାଗ ନେବେ

-ସେମାନେ ମଧ୍ୟରେ ରହିବେ ୪୦ ପ୍ରତିଷ୍ଠିତ ସିଇଓ

-ସଫ୍ଟବ୍ୟାଙ୍କର ସଭାପତି ନିକେଶ ଅରୋରା ଷ୍ଟାର୍ଟ-ଅପ୍ ଫାଣ୍ଠି ହାସଲ ବିଷୟରେ ଆଲୋଚନା କରିବେ

-୧୫୦୦ ଭାରତୀୟ ଷ୍ଟାର୍ଟ-ଅପ୍ ସଂସ୍ଥା ଭାଗ ନେବେ

-୩୫୦ରୁ ଅଧିକ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯିବ ।

ଭାରତରେ ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକ ଉଦ୍ୟୋଗୀକରଣର ଏନ୍ତୁଡ଼ିଶାଳ ଭାବେ ଉଭା ହୋଇଥିବାରୁ ଷ୍ଟାର୍ଟ-ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମର ଦିନତମାମ ପ୍ରସାରଣ ଶିକ୍ଷାନୁଷ୍ଟାନଗୁଡ଼ିକରେ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଆଇଆଇଟି, ଆଇଆଇଏମ୍, ଏନ୍ଆଇଟି, ଆଇଆଇଆଇଟି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏହି କାର୍ଯ୍ୟକ୍ରମରେ ସିଧା ପ୍ରସାରଣ କରାଯିବ ।