ଲାୟନ୍ କୁଇନ୍ସ: ବନ୍ୟଜନ୍ତୁଙ୍କ ରକ୍ଷାରେ ବ୍ରତୀ ମହିଳା ଟିମ୍

0

ଗୁଜୁରାଟର ଗୀର ଜଙ୍ଗଲ ଏସୀୟ ସିଂହମାନଙ୍କ ପାଇଁ ବେଶ ପ୍ରସିଦ୍ଧ । ଆଉ ବିପଦରେ ଥିବା ଏହି ଜନ୍ତୁମାନେ ହିଁ ସେଠାକାର ସବୁଠାରୁ ବଡ଼ ଆକର୍ଷଣ ।

କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ୧୯୯୦ ମସିହାରେ ଗୀର ଜଙ୍ଗଲରେ ମାତ୍ର ୧୨ଟି ସିଂହ ହିଁ ବଂଚିଥିଲେ । ସେମାନଙ୍କର ବଂଶ ଲୋପ ପାଇବାରେ ଲାଗିଥିଲା । ମାତ୍ର ପରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ପରିବର୍ତନ ଆସିଲା, ଯେଉଁଠି ସମୁଦାୟ ମାନଚିତ୍ର ହିଁ ବଦଳି ଗଲା । ଏବେ ଏହି ସଂଖ୍ୟା ବଢି ଆସି ୫୨୩ ଛୁଇଁଛି । ଯାହାର ସମସ୍ତ ଶ୍ରେୟ ଯାଏ ଫରେଷ୍ଟ ଗାର୍ଡ଼ ଏବଂ ଉଦ୍ଧାରକାରୀ ଦଳକୁ । ଆଉ ଏହି ଦଳର ସମସ୍ତ ସଦସ୍ୟା ମହିଳା ।

ଗୀରକୁ ୧୯୬୫ରେ ବନ୍ୟଜନ୍ତୁ ଅଭୟାରଣ୍ୟର ମାନ୍ୟତା ମିଳିଥିଲା । ତା’ର ୧୦ ବର୍ଷ ପରେ ଏହାକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରାଯାଇଥିଲା ।

ତେବେ ଫରେଷ୍ଟ ଗାର୍ଡ଼ମାନଙ୍କ କ୍ଷେତ୍ରରେ ମହିଳାମାନେ ପଶିବା ଅଚାନକ ହିଁ ଘଟିଥିଲା । ୨୦୦୭ରେ ରାଜ୍ୟ ସରକାର ମହିଳାମାନଙ୍କୁ ହିଁ ପଦବୀରେ ନିଯୁକ୍ତି ଦେବାକୁ ନିଷ୍ପତି ନେଇଥିଲେ । ଏବଂ ୩୩ ପ୍ରତିଶତ ମହିଳା କୋଟା ଲାଗୁ କରିଥିଲେ । ଆରମ୍ଭ ସମୟରେ ସଭିଏଁ ଭାବିଥିଲେ, ହୁଏତ ମହିଳାମାନେ ଅଫିସରେ ବସି କାମ କରିବାକୁ ପସନ୍ଦ କରିବେ । ହେଲେ ସଭିଙ୍କୁ ଭୁଲ ପ୍ରମାଣିତ କରି ଦେଇଥିଲେ ଏମାନେ ।

ରସିଲା ୱାଧେର୍ ପ୍ରଥମେ ଏ ଦଳରେ ନିଯୁକ୍ତି ପାଇଥିଲେ । ଏବେ ସେ ଉଦ୍ଧାରକାଳୀ ଟିମ୍ ର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଲାୟନ୍ କୁଇନ୍ ଭାବେ ପରିଚିତ ଏହି ଟିମ୍ ଗତ ବର୍ଷରେ ୬୦୦ରୁ ଅଧିକ ବନ୍ୟ ଜନ୍ତୁଙ୍କୁ ରକ୍ଷା କରିଛନ୍ତି । ହାରାହାରି ଦେଖିଲେ ଦିନକୁ ଦୁଇଟି । ଯାହା ଭିତରେ ବାଘଠାରୁ ଆରମ୍ଭ କରି ଅହିରାଜ ସାପ ସବୁ ସାମିଲ । କିନ୍ତୁ ସିଂହ ଭାବେ କେବଳ ସିଂହମାନଙ୍କର । ଏହାଛଡ଼ା ଶିକାରୀଙ୍କୁ ଗିରଫ କରିବା, ଶିକାର ବନ୍ଦ କରିବା, ସ୍ଥାନୀୟ ଇଲାକାରେ ଜନ ସଚେତନତା ସୃଷ୍ଟି କରିବା ଦିଗରେ ମଧ୍ୟ ଏହି ମହିଳା ଟିମ୍ ଉଲ୍ଲେଖନୀୟ କାମ କରିଛି ।

ରସିଲା ନିଜର ଏକ ପୁରୁଣା ଅନୁଭୂତିକୁ ମନେ ପକେଇ କହନ୍ତି- ଦିନେ ମୁଁ ଏକ ଆହତ ସିଂହକୁ ଉଦ୍ଧାର କରିବାକୁ ଯାଇଥିଲି । ତା’କୁ ନିଶା ଇଂଜେକସନ୍ ଦେବା ପୂର୍ବରୁ ସେ କୁଦି ପଡ଼ିଲା । କିନ୍ତୁ ଆମେ ଶାନ୍ତ ରହିଲୁ । ଆସ୍ତେ କରି ଜିପ୍ କୁ ଫେରି ଆସିଲୁ । ସେ ଆମକୁ ଆଉ ଆକ୍ରମଣ କଲାନି ।

ଗୀର ର ଏହି ମହିଳା ଟିମ୍ ର ଅଧିକାଂଶ ମହିଳା ଆର୍ଥିକ ଭାବେ ଅନଗ୍ରସର ବର୍ଗରୁ ଆସିଛନ୍ତି । ଜୀବଜନ୍ତୁଙ୍କ ରକ୍ଷା କରିବାକୁ ସେମାନେ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରି ନେଇଛନ୍ତି । ଏକଥା ରସିଲାଙ୍କ କଥାରୁ ବି ସ୍ପଷ୍ଟ- ଯଦି ମୋ ସ୍ୱାମୀ ମତେ ଜଙ୍ଗଲ ଛାଡ଼ି ବାହାରେ ଚାକିରି କରିବାକୁ କହିବ, ବରଂ ବାହା ନ ହେବାକୁ ମୁଁ ପସନ୍ଦ କରିବି ।

କିରନ୍ ପିଥିୟା ଏହି ଦଳର ଆଉ ଜଣେ ଅଗ୍ରଣୀ ନାୟିକା । କିରଣ ନିଜର ଅନୁଭୂତିକୁ ମନେ ପକାଇ ଭାରି ଖୁସି ହୁଅନ୍ତି । 

‘ଥରେ ଗୋଟେ ସିଂହୀ ଗୋଟେ ଛୁଆ ଜନ୍ମ କଲା । ତା’କୁ ଜଗିବା ଦାୟିତ୍ୱ ମୋର ଥିଲା । ମୁହଁ ସଂଜ ବେଳକୁ ତା’କୁ କ୍ଷୀର ପିଆଇ ମୁଁ ଫେରିଲା ବେଳେ ଆଉ ଗୋଟେ ସିଂହୀ ମୋ ପିଛା କଲା । ମୁଁ ବାଇକ୍ ରେ ଥାଏ । ସେ ମତେ ଆକ୍ରମଣ କରିବାକୁ ଉଦ୍ୟମ କଲା । ମୁଁ କିନ୍ତୁ ଡରିଲିନି । ବାଇକ୍ ଶବ୍ଦ କମାଇ ହୁଡ଼ହୁଡ଼ ଶବ୍ଦ କଲି । ସେ ବୋଧହୁଏ ଜାଣି ପାରିଲା ମୁଁ ଫରେଷ୍ଟ ଗାର୍ଡ଼ । ଧୀରେ କରି ସିଂହୀଟି ଚାଲିଗଲା ।’

ଏହି ମହିଳାମାନଙ୍କ ଉପରେ ଡିସକଭରୀ ଚ୍ୟାନେଲ୍ ‘ଦି ଲାୟନ୍ କୁଇନ୍ସ ଅଫ୍ ଇଣ୍ଡିଆ’ ନାମକ ଏକ ଡକ୍ୟୁମେଂଟାରୀ କରିଛି । ସବୁ ଘାତ, ପ୍ରତିଘାତ ଭିତରେ ଏହି ମହିଳାମାନେ ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ ବେଶ ସଫଳ ଉଦ୍ୟମ କରି ଆସୁଛନ୍ତି ।