ଅମଡା ବାଟର ସଫଳ ପଥିକ- ସୌମ୍ୟ ରଞ୍ଜନ ପଟ୍ଟନାୟକ

ଅମଡା ବାଟର ସଫଳ ପଥିକ- ସୌମ୍ୟ ରଞ୍ଜନ ପଟ୍ଟନାୟକ

Wednesday December 02, 2015,

4 min Read

ଅନେକ ତାଙ୍କୁ ଓଡିଶାର ମେଡିଆ ମୋଗଲ ବୋଲି କୁହନ୍ତି। ହେଲେ ଟିକେ ତଳେଇ ଦେଖିଲେ ସେ ହେଉଛନ୍ତି ଓଡିଆ ଗଣମାଧ୍ୟମ ଜଗତର ରିବେଲ ଚାଇଲଡ, ଗତାନୁଗତିକତାର ଶଗଡ ଗୁଳାରୁ ବାହାରି ଯାଇ ନିଜ ପାଇଁ ଓ ଅନ୍ୟ ମାନଙ୍କ ପାଇଁ ରାସ୍ତା ତିଆରି କରିଥିବା ଜଣେ ବିପ୍ଳବୀ। ସେ ନିଜେ ଅମଡା ମାଡିଛନ୍ତି ଓ ଅନ୍ୟମାନଙ୍କୁ ମଧ୍ୟ ଅମଡା ମାଡିବାର ସ୍ଵପ୍ନ ଦେଖାଇଛନ୍ତି। ଆଉ ଏହି ଅମଡା ମାଡିବାର ପ୍ରୟାସ ଭିତରେ ସେ କେବଳ ଗଣମାଧ୍ୟମର ଗଣ୍ଡି ଭିତରେ ବାନ୍ଧି ହୋଇ ରହି ଯାଇ ନାହାନ୍ତି। ରାଜନୀତି, ସମାଜ ସେବା, ସ୍ଵେଚ୍ଛାକୃତ ରକ୍ତଦାନ ଠାରୁ ଆରମ୍ଭ କରି ଓଡିଶାର ମନୋରଞ୍ଜନ ଶିଳ୍ପ, ବୈଷୟିକ ଶିକ୍ଷା, ସର୍ବୋପରି ଓଡିଆ ଭାଷା ଓ ସଂସ୍କୃତି- ସବୁଠି ତାଙ୍କର ସୁସ୍ପଷ୍ଟ ତଥା ବାରି ହେଇ ପଡୁଥିବା ନିଆରା ପାଦଚିହ୍ନ। ଅନେକ କ୍ଷେତ୍ରରେ ସେ ବିଫଳ ମଧ୍ୟ ହେଇଛନ୍ତି। ହେଲେ ବିଫଳତା ତାଙ୍କ ସ୍ଵପ୍ନ ଦେଖିବା ଓ କିଛି ଅଲଗା କରି ଦେଖାଇବାର ପ୍ରବୃତ୍ତିକୁ ପ୍ରତିହତ କରିପାରି ନାହିଁ। ସେ ହେଉଛନ୍ତି ଅମଡା ବାଟର ସଫଳ ପଥିକ, ସୌମ୍ୟ ରଞ୍ଜନ ପଟ୍ଟନାୟକ।

image


ଅଧ୍ୟାପକରୁ ସମ୍ପାଦକ

୧୯୫୨ ମସିହା ଅଗଷ୍ଟ ୧୮ ତାରିଖରେ ଏକ ରାଜନୈତିକ ପରିବାରରେ ଜନ୍ମିତ ସୌମ୍ୟ ରଞ୍ଜନ ଐତିହାସିକ ରେଭେନସା ମହାବିଦ୍ୟାଳୟରୁ ରାଜିନୀତି ବିଜ୍ଞାନ ସମ୍ମାନରେ ସ୍ନାତକ ଶିକ୍ଷା ଶେଷ କଲା ପରେ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସଫଳତାର ସହ ସମ୍ପନ୍ନ କରିଥିଲେ। ଏହା ପରେ ସେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକିସ ଓ ଅକସଫୋର୍ଡ ବିଶ୍ଵବିଦ୍ୟାଳୟରେ ମଧ୍ୟ ଉଚ୍ଚ ଶିକ୍ଷା ଲାଭ କରିଥିଲେ। ଏହାପରେ ତାଙ୍କର କର୍ମମୟ ଜୀବନ ଆରମ୍ଭ ହୋଇଥିଲା ଜଣେ ଅଧ୍ୟାପକ ଭାବେ। ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟରେ ୧୨ ବର୍ଷ ଶିକ୍ଷକତା କଲା ପରେ କିଛି ବ୍ୟକ୍ତିଗତ କାରଣରୁ ସେ ଶିକ୍ଷକତା ବୃତ୍ତିରୁ ବାହାରି ଆସିବା ପାଇଁ ଚାହିଁଲେ। ସାମ୍ବାଦିକତା ପାଇଁ ତାଙ୍କ ମନରେ ଦୁର୍ବଳତା ଥିଲା। ମାତ୍ର ଓଡିଶାରେ ନିଜକୁ ସମ୍ବାଦିକତା କ୍ଷେତ୍ରରେ ପ୍ରତିଷ୍ଠିତ କରାଇବା ପାଇଁ ତାଙ୍କ ପରିଚୟ ହିଁ ତାଙ୍କ ପାଇଁ ସବୁଠାରୁ ବଡ ପ୍ରତିବନ୍ଧକ ଥିଲା।

ସୌମ୍ୟ ରଞ୍ଜନ ସେତେବେଳେ କେବଳ ଜଣେ ବୁଦ୍ଧିଜୀବୀ ଭାବେ ପରିଚିତ ନଥିଲେ, ସେ ହୋଇ ସାରିଥିଲେ ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଜାମାତା। ମୁଖ୍ୟମନ୍ତ୍ରୀଙ୍କର ଜାମାତାଙ୍କୁ ନିଜ ଅନୁଷ୍ଠାନରେ କେଉଁ ପଦବୀରେ ଗ୍ରହଣ କରିବେ ତାହା ହୁଏତ ଓଡିଆ ଗଣମାଧ୍ୟମ ଜଗତର ଅନେକ ଗଣମାଧ୍ୟମ ସଂସ୍ଥାର ମାଲିକଙ୍କ ପାଇଁ ଦ୍ଵିଧାର କାରଣ ଥିଲା। ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ସୌମ୍ୟ ରଞ୍ଜନ ନିଜର ପ୍ରକାଶନ ସଂସ୍ଥା “ଇଷ୍ଟର୍ନ ମେଡିଆ” ଆରମ୍ଭ କଲେ ଓ ୧୯୮୪ ମସିହାରେ ପ୍ରକାଶ ପାଇଲା ଦୈନିକ ଖବର କାଗଜ ସମ୍ବାଦ। ଏହାପରେ ଆରମ୍ଭ ହେଲା ଓଡିଆ ଗଣମାଧ୍ୟମ ଜଗତରେ ପରୀକ୍ଷା ନିରୀକ୍ଷାର ଏକ ନୂତନ ଯୁଗ। ୬ ଲକ୍ଷରୁ ଅଧିକ ବିତରଣ ସଂଖ୍ୟା ସହ ସମ୍ବାଦ ବର୍ତ୍ତମାନ ଓଡିଶାର ସର୍ବାଧିକ ପ୍ରସାରିତ ହେଉଥିବା ଖବର କାଗଜ ଭିତରୁ ଗୋଟିଏ।

ରେଡିଓ ଚକଲେଟ ଓ କନକ ଟିଭି

ଗଣମାଧ୍ୟମକୁ କେବଳ ଖବର କାଗଜ ଭିତରେ ସୀମିତ କରି ରଖି ନାହାନ୍ତି ସୌମ୍ୟ ରଞ୍ଜନ। ଯେବେ ଯେବେ ପରିବର୍ତ୍ତନ ଓ ଅଭିବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି ହୋଇଛି, ନିଜକୁ ଏହାର ପଥପ୍ରଦର୍ଶକ ଭାବେ ପ୍ରତିପାଦିତ କରିଛନ୍ତି ସେ। ଗତ ଦଶନ୍ଧିରେ ସାରା ଭରତରେ ଆରମ୍ଭ ହୋଇଥିବା ଏଫଏମ କ୍ରାନ୍ତି କୁ ଓଡିଶାରେ ବାଟାକଢାଇଥିଲେ ସେ ଓ “ଇଷ୍ଟର୍ନ ମେଡିଆ” ପ୍ରତିଷ୍ଠା କରିଥିଲା ରେଡିଓ ଚକଲେଟ। ଏହି ପ୍ରୟାସ ବି ସାଉଁଟି ଥିଲା ପ୍ରଶଂସା ଓ ସଫଳତା। ଏହା ସହିତ ତାଙ୍କ ଦ୍ଵାରା ପ୍ରତିଷ୍ଠିତ ଟେଲିଭିଜନ ଚ୍ୟାନେଲ କନକ ଟିଭି ମଧ୍ୟ ଆଜି ଓଡିଶାର ଗୋଟିଏ ଅଗ୍ରଣୀ ଚ୍ୟାନେଲ।

image


ଭାଷା ଆନ୍ଦୋଳନର ଜାଗ୍ରତ ସାରଥି- ଆମ ଓଡିଶା

ଗଣମାଧ୍ୟମ ବ୍ୟବସାୟ ବାହାରେ ଯଦି କୌଣସି ଗୋଟିଏ ପ୍ରୟାସ ସୌମ୍ୟ ରଞ୍ଜନଙ୍କୁ ଓଡିଶାରେ ଘରେ ଘରେ ପରିଚିତ କରାଇଛି ତାହା ହେଉଛି ତାଙ୍କ ଭାଷା ସୁରକ୍ଷା ଆନ୍ଦୋଳନ ଭିତ୍ତିକ ସଂଗଠନ “ଆମ ଓଡିଶା”। ୧୯୯୬ ମସିହାରେ ପ୍ରତିଷ୍ଠିତ ଏହି ସଂଗଠନ ପ୍ରତିଷ୍ଠା ଦିନରୁ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବାକୁ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ଭାଷାଜ୍ଞାନ ପରୀକ୍ଷା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ହସ୍ତାକ୍ଷର ପରୀକ୍ଷା କରିଆସୁଛି। ଏହିପରୀକ୍ଷାଗୁଡିକୁ ନିୟମିତ ଭାବରେ କରିବା ପାଇଁ ‘ମୋ ଖାତା’ ଯୋଜନାକୁ ପରୀକ୍ଷା ସହ ଯୋଡାଯାଇଛି। ଆମ ଓଡିଶାର ଆଉ ଗୋଟିଏ ଅଭିନବ ପ୍ରୟାସ ହେଲା “‘ଆସ ଗଢ଼ିବା ଆମ ଓଡ଼ିଶା’।ଏହି ଅଭିଯାନରେ ପ୍ରତି ଗ୍ରାମପଞ୍ଚାୟତରୁ ଅନ୍ୟୁନ ୫ ଜଣ ଯୁବକଙ୍କୁ ଏକାଠି କରି ‘ଆମ ଓଡ଼ିଶା’ ର ‘ଆମେ ସ୍ଵାବଲମ୍ବୀ’ ଯୋଜନାରେ ସାମିଲ କରିବାର ଲକ୍ଷ୍ୟ ରଖା ଯାଇଛି। ସେମାନଙ୍କୁ ରୋଜଗାରକ୍ଷମ କରାଯିବା ସହିତ ନୂଆ ଓଡ଼ିଶା ଗଠନ ଅଭିଯାନରେ ବ୍ରତୀ କରିବା ପାଇଁ ବିଭିନ୍ନ ପ୍ରକାରର ସଚେତନତା ତଥା ପ୍ରୋତ୍ସାହକ ପ୍ରଶିକ୍ଷଣ ଶିବିରମାନ ଆୟୋଜନ କରାଯାଉଛି।

ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନରେ ନୂଆ ରେକର୍ଡ

image


ଓଡିଶାରେ ରକ୍ତ ଅଭାବରୁ କାହାରିକୁ ମରିବାକୁ ଦିଆ ଯିବ ନାହିଁ,ସୌମ୍ୟ ରଞ୍ଜନଙ୍କ ଏହି ସଂକଳ୍ପରୁ ହିଁ ୨୦୦୬ ମସିହାରେ ‘ସମ୍ବାଦ- ଆମ ଓଡ଼ିଶା’ ପରିବାର ପକ୍ଷରୁ ରାଜ୍ୟବ୍ୟାପି ରକ୍ତଦାନ ଆରମ୍ଭ ହୋଇଥିଲା ଏହି ଅଭିଯାନ ମାଧ୍ୟମରେ ପ୍ରତିବର୍ଷ ଅନ୍ୟୁନ ୭୦୦ଟି ରକ୍ତଦାନ ଶିବିର ଆୟୋଜନ କରାଯାଇ ୫୦,୦୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ସ୍ଥିର ହୋଇଛି। ୧୪ ନଭେମ୍ବର ୨୦୧୫ ତାରିଖ ସୁଦ୍ଧା ମୋଟ ୬୮୦ଟି ଶିବିର ଆୟୋଜନ କରାଯାଇ ୩୩,୯୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ‘ଆମ ଓଡ଼ିଶା’ ଲଗାତାର ନବମ ଥର ରକ୍ତଦାନ ପାଇଁ ରାଜ୍ୟର ଶ୍ରେଷ୍ଠ ଅନୁଷ୍ଠାନ ପୁରସ୍କାର ପାଇଛି।

ବୈଷୟିକ ଶିକ୍ଷା

ଓଡିଶାରେ ବୈଷୟିକ ଶିକ୍ଷାର ପ୍ରସାର ଦିଗରେ ମଧ୍ୟ ସୌମ୍ୟ ରଞ୍ଜନ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କ ଦ୍ଵାରା ପ୍ରତିଷ୍ଠିତ “ସୋମାକ” ସମ୍ବାଦିକତା ଶିକ୍ଷାଦାନ କ୍ଷେତ୍ରରେ ଓଡିଶାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ। ଖୋର୍ଦ୍ଧାଠାରେ ଥିବା ଇଞ୍ଜିନିୟରିଂ କଲେଜ “କେଏମବିବି” ମଧ୍ୟ ସୌମ୍ୟ ରଞ୍ଜନଙ୍କ ଦ୍ଵାରା ପ୍ରତିଷ୍ଠିତ। ଉଭୟ “ସୋମାକ” ଓ “କେଏମବିବି”ରେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ପ୍ରକାରର ଛାତ୍ରବୃତ୍ତିର ବ୍ୟବସ୍ଥା ରହିଛି।

ମନୋରଞ୍ଜନରେ ସୌମ୍ୟ ରଞ୍ଜନ

image


ସୌମ୍ୟ ରଞ୍ଜନ ହେଉଛନ୍ତି ଅନେକ ସଫଳ ଓଡିଆ ଚଳଚିତ୍ରର ପ୍ରଯୋଜକ। ଓଡିଆ ଯାତ୍ରାକୁ ଅଧିକ ଲୋକପ୍ରିୟ କରିବାରେ ତାଙ୍କର ଭୂମିକା ପ୍ରଶଂସନୀୟ। ତାଙ୍କରି ନେତୃତ୍ଵରେ ହିଁ “ଇଷ୍ଟର୍ଣ ଅପେରା” ଗଠନ କରାଯାଇ ଅଣସଙ୍ଗଠିତ ଓଡିଆ ଯାତ୍ରା ଜଗତର କର୍ପୋରେଟୀକରଣ ଆରମ୍ଭ ହୋଇଥିଲା। ବର୍ତ୍ତମାନ ୫ଟି ଅପେରା ଦଳ “ଇଷ୍ଟର୍ଣ ଅପେରା” ଅଧୀନରେ କାମ କରୁଛି ।

ଏହା ସତ୍ୟଯେ ରାଜନୀତିରେ ସୌମ୍ୟ ରଞ୍ଜନ ନିଜର ସମାଜ ସେବା, ଗଣମାଧ୍ୟମ ବ୍ୟବସାୟ ଓ ସାମାଜିକ ଉଦ୍ୟୋଗ ଭଳି ସଫଳତା ପାଇ ପାରି ନାହାନ୍ତି। ମାତ୍ର,ସମାଜ ସେବା, ଗଣମାଧ୍ୟମ ବ୍ୟବସାୟ ଓ ସାମାଜିକ ଉଦ୍ୟୋଗରେ ସେ ପାଇଥିବା ସଫଳତା ନିଶ୍ଚିତ ଭାବେ ଇର୍ଷଣୀୟ ଓ ଯୁବ ପିଢୀ ପାଇଁ ପ୍ରେରଣାର ସ୍ରୋତ।